Unknown

 

 

 

 

 

 

 

 

 

 

ମଲାମାଟି

ଶ୍ରୀ ଲକ୍ଷ୍ମୀଧର ସେନାପତି

 

ସୂଚୀପତ୍ର

 

୧.

ଗଳ୍ପ ନୁହେଁ ସତ୍ୟ

୨.

ବୁଢ଼ା ସାପ

୩.

ଆଇନ୍ କାନୁନ୍

୪.

ଅଶୁଭ ଛାଇ

୫.

ଅଫିସ୍ ଘଣ୍ଟା

୬.

କେତୋଟି ମୁହୂର୍ତ୍ତ

୭.

ପଥର ଦିଅଁ

୮.

ଅନ୍ୟ ଶରୀର

୯.

ଦେବଦାସୀ

୧୦.

ହିନ୍ଦୁସ୍ଥାନ ଟାଇମ୍‍ସ

୧୧.

ପଟାଦାର

୧୨.

କଇଦୀଖାନା

୧୩.

ଗୋଟିଏ ରାତି

୧୪.

ନିଶୂନ୍‍ ଘର

୧୫.

ଅଭିଶପ୍ତ କବର

୧୬.

ଫୁଲରାଣୀ

୧୭.

ଟାଉନ୍ ବସ୍

୧୮.

ମଲାମାଟି

Image

 

ପଦେମାତ୍ର

 

ଛାଇ ଛାଇଆ ଅନ୍ଧାର କାନ୍ଥ ବାଡ଼କୁ ମାଡ଼ିଗଲେ ମନରେ ଟିକିଏ ଭୟ ହୁଏ । ଜାଲୁଜାଲୁଆ ଆଖିରେ କୁହୁକ ପରି ଜଣାପଡ଼େ । ତଳକୁ ଓହଳି ଥିବା ଡାଳ ଖଣ୍ଡିକ ଭୂତ ପରି ମନେହୁଏ । ଶୋଇଥିବା ପାଳ ଦଉଡ଼ା ଲମ୍ବାଜନ୍ତୁ ପରି ହଲହଲ ହେଉଥାଏ । ଭୋଇ ସାଇର ସୁକୁଟା ମା’କୁ, ଡମ ସାଇର କାଲୁଣୀ ବୁଢ଼ୀକୁ ଡାହାଣୀ ଲାଗେ । ଗୁଣିଆ ଆସେ, ବେତ ଲଗାଏ, କୁଲା ବାଉଁସିଆ, ପାଣି ଗରା କାମୁଡ଼ିବାକୁ ଦିଏ । ମନ୍ଦାର ଫୁଲରେ କଞ୍ଚା ଖାଇ ଡାହାଣୀକୁ ନୂଆ ସରାରେ ବନ୍ଦୀ କରି ମଶାଣି ଦଣ୍ଡାରେ ପୋତେ । ନାଲି ଗାମୁଛା ପକା ଗୋସାଇଁ ଚୁଡ଼ା ଦହି ଖାଏ ନାହିଁ; ଦକ୍ଷିଣା ପାଇଁ ହାତ ପତାଇ ବସେ । ଆଉ ବାହାପିଆ ଜ୍ୟୋତିଷ ବୁଢ଼ାର କାହାଣେ କଥାରେ ଗଣ୍ଡାଏ ସତ ହୁଏ କି ନାହିଁ କିଏ ଜାଣେ ? ହେଲେ ହାତ ଦେଖାଇବା ସମସ୍ତଙ୍କ ଅଭ୍ୟାସରେ ପଡ଼ି ଯାଇଥାଏ । କିଏ କହେ, ‘ଗାଁ ନିରିମଳ ଧୋବା ତୁଠରୁ’ ?

 

କାହାଣୀର ଇତିହାସ ଆଜିକାଲି କି ପାଞ୍ଚଶହ ଅଥବା ହଜାର ବର୍ଷର ନୁହେଁ । ବେଦ, ଆରଣ୍ୟକ, ଉପନିଷଦ ଯୁଗରୁ ଚଳି ଆସୁଛି । ତାହା ପୂର୍ବବର୍ତ୍ତୀ ସାହିତ୍ୟର କଥା ଲେଖନୀରେ ନ ଆସିଲେ ସୁଦ୍ଧା ବହୁ ଲୋକ ଆଖ୍ୟାନ ତଳେ ନିଶ୍ଚୟ ଥିବ । ସବୁଗୁଡ଼ାକ ଲୋକ ବିଶ୍ୱାସ ସାହିତ୍ୟରେ ଆସି ପାରିଛି ନା ପାରିବ । କଥିତ ସମାଜର ଅସଂଖ୍ୟ କିମ୍ବଦନ୍ତୀ ଭିତରେ ଲିଖିତ କିମ୍ବଦନ୍ତୀ ଖୁବ୍ ନଗଣ୍ୟ । ଯାହାର ସଂଖ୍ୟା ଆଜି ପର୍ଯ୍ୟନ୍ତ ସଠିକ ଭାବେ ନିରୂପଣ କରା ନଯାଇଥିଲେ ସୁଦ୍ଧା ସାହିତ୍ୟରେ ସୀମାବଦ୍ଧ । କାରଣ ସଂସ୍କୃତ ଆବହମାନ କାଳରୁ ଆର୍ଯ୍ୟ ସଂସ୍କୃତିର ବିଶଦ ବିବରଣୀ ବର୍ଣ୍ଣିତ କରୁଥିବାବେଳେ ତାହା ପୂର୍ବରୁ ବାସ କରୁଥିବା ଅନାର୍ଯ୍ୟ ସଂସ୍କୃତି ସମୁଦ୍ରକୁ ଶଙ୍ଖେ ମାତ୍ର । ସେଥି ଭିତରୁ ଗଳ୍ପର ପରିସୀମା ଖୁବ୍‍ ସୀମିତ ।

 

ଆମ ଗଳ୍ପ କହିବା ବା ଲେଖିବା ରୁଚି ବଦଳି ଯାଇଥିଲା ବିଦେଶୀମାନଙ୍କ ଆଗମନ ତଥା ନୂତନ ଭାଷାର ପ୍ରସାରଣ ଫଳରେ । ମୁସଲମାନଙ୍କ ରାଜତ୍ଵ ସମୟରେ ଭାରତୀୟ ରୁଚି ପରମ୍ପରା ବିଶେଷ ପରିବର୍ତ୍ତନ ହୋଇ ନାହିଁ । ତାହାହିଁ ଥିଲା ଆମର ଚିରାଚରିତ ପନ୍ଥାନୁଯାୟୀ । ହୁଏତ କେତେଗୁଡ଼ିଏ ବିଦେଶୀ କାହାଣୀ ଆମ ଗଳ୍ପ ରାଜ୍ୟରେ ପଶି ଯାଇଥିଲା, କିନ୍ତୁ ତାହାର ସଂଖ୍ୟା ଅତ୍ୟନ୍ତ ସ୍ଵଳ୍ପ ମାତ୍ର । ଯାହାର ଆଖ୍ୟାନ ବାହାରୁ ଗ୍ରହଣ କରା ଯାଇଥିଲେ ମଧ୍ୟ ଶୈଳୀ ତଥା ପରଂପରାନୁଗତିକ ଚିନ୍ତାଧାରା ଏହି ଜଳବାୟୁର ।

 

ଭାରତୀୟ ଗଳ୍ପ ରାଜ୍ୟରେ ତଥା ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ହୋଇଥିଲା ଇଂରେଜମାନଙ୍କ ରାଜତ୍ଵରେ । କେବଳ ଗଳ୍ପର ଆକାର, ପ୍ରକୃତି ବଦଳି ନଥିଲା, ଶୈଳୀ, ଭାଷା ଆଦି ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ନୂତନତା ଦେଖାଯାଇଥିଲା । ତାହାହିଁ ଥିଲା ବିଦେଶୀ ଜାତିର ବିଚକ୍ଷଣ ଆହରଣ ତଥା ପାଶ୍ଚାତ୍ୟ ଗାଳ୍ପିକମାନଙ୍କର ସ୍ଵାଧୀନ ଚିନ୍ତାଭାବ । ବୈଜ୍ଞାନିକ ବିଶ୍ଳେଷଣ ଗଳ୍ପ ରାଜ୍ୟରେ ଏକ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଥିଲା ।

 

ଅନ୍ଧବିଶ୍ୱାସ କନ୍ଧମାନଙ୍କ ବଣ ପାହାଡ଼ରେ ଲୁଚି ଛପି ରହିଥାଏ ତାହା ନୁହେଁ; ଏପରିକି ବଡ଼ ବଡ଼ ନଗରୀରେ ସଂଖ୍ୟାହୀନ ସହରୀ ତୁଣ୍ଡରେ ବସା ବାନ୍ଧିଥାଏ । ଗଡ଼ି ଆସୁଥବା ପାଣିକୁ ବନ୍ଧେଇବା ଯେତିକି କଷ୍ଟ, ଚଳି ଆସୁଥିବା କଥାକୁ ମଣିଷ ତୁଣ୍ଡରେ ରୋକିବା ତା’ଠାରୁ ଆହୁରି ଦୁଃସାଧ୍ୟ ଅଟେ । ଅସହାୟ ବେଳେ ସମସ୍ତେ ସେହି ଅଭଙ୍ଗା ମନ୍ଦିର ତଳେ ଏକଜୁଟ ହେଉଥିବେ । ଧର୍ମଗତ, ଶ୍ରେଣୀଗତ, ସାମାଜିକ କ୍ଷେତ୍ରରେ ସେହିପରି ପାଟିତୁଣ୍ଡ କରି ଚାଲିଥିବେ । କେବଳ ହିନ୍ଦୁ, ମୁସଲ୍‍ମାନ ଭିତରେ ନୁହେଁ; ଧନୀ-ଗରିବ, ଶିକ୍ଷିତ-ଅଶିକ୍ଷିତ, ନାରୀ-ପୁରୁଷ ମଧ୍ୟରେ ଏ ପ୍ରକାର ଶୀତଳ ଯୁଦ୍ଧ ଲାଗି ରହିଥିବ । କିଏ କହିପାରେ ଆମ ଭବିଷ୍ୟତରେ କ’ଣ ଅଛି ? କେତୋଟି ତାଳପତ୍ର ଧାଡ଼ି ମନୁଷ୍ୟର ଅନିଶ୍ଚିତ ଭବିଷ୍ୟତକୁ କ’ଣ ନଶ୍ଚିନ୍ତ କରି ଦେଇପାରେ ? ନା ଡାହାଣୀ, ପିଚାଶୁଣୀ ଲାଗିଲେ ଗୁଣିଆ ଛଡ଼ାଇ ଦେଇପାରେ ?

 

କଥାରେ ଅଛି, ରାଜା ଅନ୍ଧକୁ ପାଣି ଅନ୍ଧ । ପ୍ରବାଦଟି ଚଳି ଥାଇପାରେ ରାଇଜ ଥିବାବେଳେ ଆଉ ପ୍ରକୃତିକୁ ମନୁଷ୍ୟ ଜୟଗାନ କରୁଥିବା ସମୟରେ । ସେ ଚିନ୍ତାଧାରା ଆଜି ସଭ୍ୟ ମାନବର ଚିନ୍ତାରେ ନାହିଁ । ତେବେ ଅବଚେତନ ମନରେ ସମୟେ ସମୟେ ଦେଖାଦିଏ । ଯେତେବେଳେ ମୁକୁଟ ବିହୀନ ରାଜ୍ୟରେ ମୁକୁଟ ପିନ୍ଧିଥିବା ରାଜାଠାରୁ ଆହୁରି ଶୋଷଣ କରାଯାଏ-। କଥାଟି ସତ, କହିବା କଥା କଲାବେଳକୁ ଖୁବ୍ କଠିନ । ତାହା ମଧ୍ୟ ବହୁ ବିଶ୍ଵାସ, ଉପକଥାକୁ ନେଇ ଉପସ୍ଥାପିତ କରାଯାଏ । ‘ହିନ୍ଦୁସ୍ଥାନ ଟାଇମ୍‌ସ’ ଓଲଟାଇଲାବେଳେ ପ୍ରଥମ ପୃଷ୍ଠାରେ ଦେଖିଲି, ପ୍ରଧାନମନ୍ତ୍ରୀ ଧୀରେନ୍ଦ୍ର ବ୍ରହ୍ମଚାରୀ ଆଶ୍ରମରେ ଶୁଭ ଦେବାକୁ ଯାଇଥିଲେ, ରାଷ୍ଟ୍ରପତି ସତ୍ୟସାଇ ଦର୍ଶନରୁ ଫେରିଲେ, ବିଦେଶ ମନ୍ତ୍ରୀ ରଜନୀଶ ଆଶ୍ରମ ପରିଦର୍ଶନ କଲେ । ତାହା ପରେ ଶିଷ୍ୟମାନଙ୍କର ଅଭାବ ନାହିଁ । ରାଜେଶ ଖାନ୍ନା, ଋଷି କପୂର, ହେମାମାଳିନୀ ଗୋଟିଏ ଗୋଟିଏ ସେ ସବୁ ଆଶ୍ରମର ନିୟମିତ ଶିଷ୍ୟ ଶିଷ୍ୟା ।

 

ଦିନେ ସ୍ଵୟଂସେବକ ସଂସ୍ଥାର ପଡ଼ୋଶୀ ଭାଇ ମୋତେ କହିଥିଲେ, ଆପଣ କାହାକୁ ବିଶ୍ୱାସ କରନ୍ତି । ଏ ସବୁ କଥା ମନକୁ ନ ଆଣି କହି ଦେଇଥିଲି, ବାପାଙ୍କୁ ନୁହେଁ ମଧ୍ୟ । ପୁନଶ୍ଚ ସେ ଅବିଶ୍ଵାସ ଚକ୍ଷୁରେ କହିଲେ, ଆପଣ ମନ୍ଦିର ଯାଆନ୍ତି ନା ? କହିଥିଲି, ଅନେକ ବାର । ଭଗବାନଙ୍କୁ ବିଶ୍ଵାସ କରନ୍ତି ନା ? ନ କରି ଚାରା ନାହିଁ, ନହେଲେ ତୁମେ ମୋତେ ଅସାମାଜିକ ଜୀବ ଭିତରେ ଗଣିଦେବ । ତାହା ପରଠାରୁ ସେ ମୋତେ ସେବକ ମଣ୍ଡଳୀର କୌଣସି ବୈଠକକୁ ଡାକି ନଥିଲେ-। ବିଶ୍ୱାସ ହିଁ ସେହିଠାରେ ଯେତେବେଳେ ମୁଷ୍ଟିମେୟ ଅବିଶ୍ଵାସ ସୃଷ୍ଟି ହୋଇଥିବା କାହାଣୀକୁ ସମର୍ଥନ କରେ । କାରଣ ଗଣତନ୍ତ୍ର ଯୁଗର ଭୋଟ ବ୍ୟବସ୍ଥା ସମସ୍ତଙ୍କୁ ଜଣା । ଅନୁମାନ କରାଯାଏ, କାହାଣୀର ଗନ୍ତାଘର ପୌରାଣିକ ଯୁଗରେ ସୃଷ୍ଟି ହୋଇଥିଲା । ଯାହାକି ଆଜିର ବିଦ୍ଵାନମାନେ ତାହାକୁ ସତ୍ୟ କି ମିଥ୍ୟା ସଠିକ୍ ଭାବେ ପ୍ରମାଣ କରି ପାରିନାହାନ୍ତି । ତେଣୁ ସମାଜରେ ପୂରି ରହିଥିବା ସଂଖ୍ୟାହୀନ ବିଶ୍ଵାସ ମୂଳରେ କି ସତ୍ୟତା ନିହିତ ଅଛି—ବାଛିବା ଦୂରୁହ ବ୍ୟାପାର ।

 

ଗଳ୍ପ ଲେଖା ଚାଲିଛି, ଚାଲିଥିବ, ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଥିବାଯାଏ । ମାଟିରେ ମନୁଷ୍ୟ ସଭ୍ୟତା ମୁଣ୍ଡ ଟେକିଥିବା ପର୍ଯ୍ୟନ୍ତ । ହେଲେ ମନୁଷ୍ୟ ମନରେ ପୂରି ରହିଥିବା ଅସଂଖ୍ୟ ଅବିଶ୍ଵାସ କେତେବେଳେ ବିଶ୍ଵାସରେ ପରିଣତ ହେବ କିଏ କହିପାରେ ? ପରବର୍ତ୍ତିତ ସମସ୍ୟା ହେଉଛି, ଭଗବାନ ଅଛନ୍ତି କି ନାହିଁ । ମଲା ପରେ ସେହି ଅଜ୍ଞାତ ବସ୍ତୁର ଭୟରେ ମନୁଷ୍ୟ କାହିଁକି ଡରେ । ଆଉ ସେହିପରି ଭୂତ, ପ୍ରେତ ଉପରେ ବିଶ୍ଵାସ କରିବା ବୋଧେ ଏହି ଯୁଗର ସବୁଠୁ ରହସ୍ୟଜନକ ଗବେଷଣା । ଏହି ପରଲୋକ ଦର୍ଶନରେ ଭାରତ କେବଳ ନୁହେଁ, ପ୍ରାଚୀନ ରୋମର ଲୋକମାନେ ବିଶ୍ୱାସ କରୁଥାନ୍ତି ଯେ, ଦୁଷ୍ଟ ଆତ୍ମାଗୁଡ଼ିକ ନିର୍ଜନ ରାତ୍ରିରେ ବିଚରଣ କରନ୍ତି । ପ୍ରାଚୀନ ଗ୍ରୀକ, ମିଶର, ଇଜପିଟ୍ ତଥା ଇତିହାସ ଯୁଗର ଚୀନ ଲୋକମାନେ ସମୟେ ସମୟେ ଏହି ଚିନ୍ତାଧାରକୁ ଅଳ୍ପ ବହୁତେ ବିଶ୍ଵାସ କରିଥାନ୍ତି । ଏହି ସବୁ ବିଦ୍ଵାନମାନଙ୍କ ମଧ୍ୟରୁ ଶ୍ରୀଲଙ୍କାର ଡଃ ଆବ୍ରାହିମ୍ କୋଭର ଅନ୍ୟତମ । ଯେ କି ମତ ଦିଅନ୍ତି– ‘There is nothing supernatural in the universe. All that takes place in nature are natural. There are no miracles, but only mysteries. Many of the mysteries of our forebeares are solved today. Many of the mysteries of today may or may not be solved by tomorrow’s scientists. Till that time it is absurd to give super natural interpretation to unsolved mysteries’

 

ତେବେ ମଣିଷ ମନରେ ପୂରି ରହିଥିବା ଅନେକ ବିଶ୍ୱାସ କ’ଣ ସ୍ଵପ୍ନର ଏକ ଅବସ୍ଥା, ନା ତାହା ଯୁଗ ଯୁଗ କିମ୍ବଦନ୍ତୀର ଏକ ବିସ୍ତୃତ କାହାଣୀ ? ଆଲୋକ ଅନ୍ଧାର ଭିତରୁ କିଏ ସତ, ଆଉ କିଏ ମିଛ ନା ଦୁଇଟି ଯାକ ସତ ମିଛ; ତାହାହିଁ ବିଚାର କରିବା କଥା । ଆଲୋକରେ ସମସ୍ତେ ଦେଖନ୍ତି, ଅନ୍ଧାରରେ ତାହାକୁ ପୁନରାବୃତ୍ତି କରାଇଥାନ୍ତି । ତେବେ ସେହି ଆବୃତି ପାଇଁ ସ୍ଥୂଳ ଦେହ ଭିତରେ ଥିବା ସୂକ୍ଷ୍ମ ମନଟି ଟେଲିଭିଜନ କିମ୍ବା ରେଡ଼ିଓ ପରି କାମ ଦିଏ । ସେହି ମନ ଓ ସ୍ଥୂଳ ଦେହର ମାଧ୍ୟମ ହେଉଛି ସମାଜ ତଥା ସମାଜରେ ପୂରି ରହିଥିବା ଅସଂଖ୍ୟ ବିଶ୍ଵାସ । ଛୋଟ ଶିଶୁ ବିଷଧର ସର୍ପ ସଙ୍ଗେ ଖେଳିବାକୁ ଭୟ କରେ ନାହିଁ । ଆଲୁଅ ଅନ୍ଧାର ତା’ ପକ୍ଷେ ସବୁ ସମାନ । ସେହି ଶିଶୁ ବଡ଼ ହେଲେ ଅନ୍ଧାରକୁ ଡରେ । କାରଣ ସମାଜ ତାକୁ ଶିଖାଏ ଆଲୁଅ-ଅନ୍ଧାର, ଉଚ୍ଚ-ନୀଚ, ଭଲ-ମନ୍ଦର ବିଚାର । ତେଣୁ ମନୁଷ୍ୟ ସାମାଜିକ ଚିନ୍ତା ଓ ଚେତନା ଭିତରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିବ ନାହିଁ । ପାର୍ଥିବ ବସ୍ତୁରେ ଗଢ଼ାଯାଇଥିବା ଶରୀର ସର୍ବଦା ଐଶ୍ୱରିକ ମନକୁ ଏକ ସୀମିତ କକ୍ଷ ମଧ୍ୟରେ ଆବଦ୍ଧ କରିଥାଏ । ମନୁଷ୍ୟ ସ୍ଵାଧୀନ ଭାବରେ ଜନ୍ମ ନେଇଥିଲେ ସୁଦ୍ଧା ପ୍ରତ୍ୟେକ ଆକର୍ଷଣ ତଥା ସମାଜରେ ପୂରିରହିଥିବା ଅନେକ ରହସ୍ୟ ଭିତରେ ସେ ପିଞ୍ଜରା ପକ୍ଷୀପରି ପଡ଼ି ରହେ । ସମାଜକୁ ନେଇ ଗଢ଼ା ଯାଇଥିବା ନୀତି ନିୟମର ସେ ଯେଉଁଦିନ ମୁକ୍ତ ଭାବରେ ପ୍ରତିବାଦ କରେ ତାହା ହିଁ ଏକ ନାସ୍ତିକ ସ୍ଵର ଚେତନା ବୋଲି ଅନେକ କହିଥାନ୍ତି । କାରଣ ସମାଜ ଏକ ଅଭ୍ୟାସଗତ ଦର୍ଶନରେ ପ୍ରସ୍ତୁତ କରାଯାଇଛି, ଏବଂ ଯେଉଁଠାରେ ବ୍ୟକ୍ତିଗତ ସ୍ଵାଧୀନ ସ୍ଵର ଚେତନା ଅନ୍ୟମାନଙ୍କ ସ୍ଵାର୍ଥକୁ ବ୍ୟାଘାତ କରେ । ସୁଖବାଦକୁ ସମସ୍ତେ ମାନି ନେଇଥିବା ବେଳେ ଦୁଃଖବାଦ ଦର୍ଶନ ସମୟେ ସମୟେ ଖାପ ଛଡ଼ା ଲାଗିଥାଏ । ଉକ୍ତ ଭିତ୍ତିଭୂମି ଉପରେ Jean Paul Sartreଙ୍କ ଗୋଟିଏ ଉଦାହରଣ ନିଆଯାଇ ପାରେ—“Man comes into a totally opaque, meaningless universe. By the power of his mysterious consciousness, which is unmeant, man makes of the universe a habitable world. Whatever may be the meaning of the value, the world has come from his existential choice. These choices differ from one to another. Each lives in his own world and each creates his own situation.”

 

ସମାଜକୁ ଛାଡ଼ି ଆମେ ରହି ପାରିବା ନାହିଁ । ସମାଜରେ ରହିବାକୁ ହେଲେ ସାମାଜିକ ବ୍ୟବସ୍ଥାମାନ ଶିଖିବାକୁ ହେବ । ସେହି ନୀତି-ନିୟମଗୁଡ଼ିକ ସମାଜରେ ଚଳି ଆସୁଥିବା ବିଶ୍ଵାସକୁ ନେଇ ଗଢ଼ା ଯାଇଛି । ଯେଉଁଥିରେ କୋଟି କୋଟି ଜୀବନର ସଂଖ୍ୟାହୀନ କାହାଣୀ ପୂରି ରହିଛି । କାଳ କ୍ରମେ ଅପଭ୍ରଂଶତାର ଏକ ବିକଳ୍ପ ରୂପ ନିଏ । ମାନିବାକୁ ପଡ଼ିବ ଆମେ ଏକ ସାମାଜିକ ପ୍ରାଣୀ ?

 

ଜି ୩ । ୭୧, ମଡ଼େଲ ଟାଉନ୍‍

ଲେଖକ

ନୂଆଦିଲ୍ଲୀ-୧୧୦୦୦୯

ତା ୧୨-୧୨-୮୦

Image

 

ଗଳ୍ପ ନୁହେଁ ସ୍ଵପ୍ନ

 

ମୋତେ ତୁମେ ବାରମ୍ବାର ଅନୁରୋଧ କରୁଛ । ଆଉ ଜାଣ ମୋ ଗଳ୍ପଗୁଡ଼ିକର ଗୋଡ଼ ହାତ ନ ଥାଏ । ସମୟ ସମୟରେ ମୁଣ୍ଡ ନ ଥିବା ମାଦଳ ପରି ଗଡ଼ୁଥାଏ ମୋ ତୁଣ୍ଡରୁ ତୁମ ଆଖିଯାଏଁ । ଗଳ୍ପଟି ପୁଣି ନିତାନ୍ତ ସ୍ଵଳ୍ପ, ଯଥା କିମ୍ଭୁତକିମାକାର । ଆଫ୍ରିକା ନିଗ୍ରୋପରି ଦେହ । ମିସ୍ ସୁଇଜରଲାଣ୍ଡପରି ରୂପ । କଣ୍ଠ ତୁମ ରେକର୍ଡରୁ ବାହାରୁଥିବା ସ୍ଵର ପରି । ମୁଁ ଭଡ଼ାରେ ଆଣିଥିବା ଟେବୁଲ ପଙ୍ଖାଟି ସବୁ ଠିକ୍ ଥାଇ ସୁଦ୍ଧା କିଛି ସମୟ ଅଟକି ଯାଏ । ଅନ୍ଧାରେ ଶୋଇଲେ ମଧ୍ୟ ମୋ ବିଜୁଳି ଭଡ଼ା କିଛି କଟେ ନାହିଁ । ତେବେ ଶୁଣ ମୁଁ ସେ ଗପ ଆରମ୍ଭ କରିଦେଇଛି ।

 

ମାସକ ତଳେ ତୁମମାନଙ୍କ ମଧ୍ୟରୁ କେହି ଜଣେ ମୋ ସଙ୍ଗେ ବୁଲିଗଲା ବେଳେ ପଚାରିଥିଲେ ମୁଁ କେତେ ଦିନ ବଞ୍ଚିବି । ବହୁଦିନ ତଳେ ପ୍ରଖ୍ୟାତ ଜ୍ୟୋତିଷ୍କଙ୍କଠାରୁ ଶୁଣିଥିଲି, ତୁମେ ମଲାପରେ ସ୍ଵର୍ଗଲୋକ ଯିବ । ତୁମର ଶୁଭ୍ର ଆତ୍ମା ସପ୍ତର୍ଷିମଣ୍ଡଳରେ ସ୍ଥାନ ନ ପାଇଲେ ସୁଦ୍ଧା ଚନ୍ଦ୍ରଲୋକକୁ ଯାଇପାରିବ । ହେଲେ ମରିବା ପୂର୍ବରୁ କିଛିଦିନ ଅସୁସ୍ଥ ହୋଇ ରହିବ କିମ୍ବା ବନ୍ଦୀ ହେବ । ବଡ଼ ଝିଅ ରଞ୍ଜିତା ଖୁବ୍ ଜୋରରେ ହସିଥିଲା । ଆଧୁନିକ ଇଂରେଜୀ ପଢ଼ୁଆ ରଞ୍ଜିତା ମା’କୁ କହିଥିଲା, ତେବେ ଆମେ ସମୟ ପାଇଲେ ତୁମକୁ ଯାଇ ଦେଖି ଆସିବୁ । ଜାଣ ମା’ ଚନ୍ଦ୍ରର ଦୂରତା ପୃଥିବୀଠାରୁ ଖୁବ୍ କମ୍ । ବୈଜ୍ଞାନିକମାନେ ସେଠାରେ ଗୋଟିଏ ସହର ବସାଇବାକୁ ଚେଷ୍ଟା କରୁଛନ୍ତି । ତେବେ ବାପା ସେଠାରେ ରହିଲେ ଦୁଃଖ କ’ଣ ? ସ୍ତ୍ରୀ କୁନ୍ତୀଦେବୀ ନିଆଁପରି ରାଗି ଉଠି କୋଳରେ ଶୋଇଥିବା ଛୋଟ ପିଲାକୁ ଚାପୋଡ଼ାଏ ମାରି କହିଲେ, ପିଲାଗୁଡ଼ାକର ସେହି ଅଭ୍ୟାସ ଗଲା ନାହିଁ । ମୁଁ ଥାଉଁ ଥାଉଁ ସେ କାଇଁ ମରିବେ । ମୁଁ କେଉଁ ଦେବଲୋକକୁ ଯିବି । ମୁଁ ମଧ୍ୟ ସେହିପରି ଶର୍ମାଜୀଙ୍କୁ କହିଥିଲି, ଆପଣ ମଲେ ସିଧା ଭୂତଲୋକକୁ ଯିବେ । ଆପଣଙ୍କର ସେ ବୁଢ଼ା ଚୌକିରେ ଯେ ବସିବ ତାର ଉନ୍ନତି ଆପଣଙ୍କ ପରି । ମଲା ପୂର୍ବରୁ ଆପଣ ବିଲୁଆପରି ବୋବାଇବେ ।

 

ଶର୍ମାଜୀ ଠିଆ ହୋଇ ଘଡ଼ିଏ ଚାହିଁଲେ । ଭାବିଲି ଶର୍ମାଜୀ ଏହିଠାରୁ ଫେରିଯିବେ । ହେଲେ ସେ ମୋତେ ପାଖ କଫି ହାଉସ୍‌କୁ ନିମନ୍ତ୍ରଣ କରିଥିଲେ । କଫି ସଙ୍ଗେ ମିଠା ଖାଇବାକୁ ଦେଇ ହାତ ଦେଖାଇଥିଲେ । କାରଣ ଶର୍ମାଜୀ ପିଲାଦିନେ ବିଲୁଆ କାମୁଡ଼ାରେ ଆହତ ହୋଇଥିଲେ । ମଲା ପର୍ଯ୍ୟନ୍ତ ସେ ବିଷ ଥାଏ । ଶର୍ମାଜୀଙ୍କୁ ଗାଁ ଲୋକମାନେ ଏବେ ମଧ୍ୟ ସେହି ଉଦାହରଣ ଦେଇଥାନ୍ତି ।

 

ତେବେ ଗଳ୍ପର କିଛି ଅଂଶ ଏଥର ଆରମ୍ଭ କରୁଛି । ମୋର ଅର୍ଥନୈତିକି ଦିଗ ସବୁବେଳେ ସନ୍ତୋଷଜନକ ଥାଏ । ବ୍ୟାଙ୍କରେ ଅନେକ ଟଙ୍କା ଜମା କରି ଦେଇଥାଏ । କୋଠାବାଡ଼ି କିଛି କମ୍ ନଥାଏ । ଅଖ୍ୟାତ ମହଲରେ ନୁହେଁ ପ୍ରଖ୍ୟାତ ସମାଜରେ ମୁଁ ଏକ ଗଣ୍ୟମାନ୍ୟ ବ୍ୟକ୍ତି ହୋଇ ଯାଇଥିଲି । ମୋର ସୁପ୍ତ ଅଡ଼ୁଆ ଇଚ୍ଛାଗୁଡ଼ାକୁ ମୁଁ ବାନ୍ଧି ରଖିଥାଏ । ଏପରିକି ସ୍କୁଲ ସମୟରେ ମୋ ଚରିତ୍ର ସନ୍ତୋଷଜନକ ଥିଲା । ଯାହା ଫଳରେ ମୋ ପିଲାମାନେ ଶିକ୍ଷକମାନଙ୍କ ଦ୍ଵାରା ବେଶି ଉତ୍ସାହିତ ହେଉଥିଲେ ।

 

କାର୍‌କୁ ଅଫିସ୍‌ରୁ ବାହାର କରି ଘରମୁହାଁ କଲି । ବହୁତ ବର୍ଷ ବ୍ୟବସାୟ କଲାପରେ ମୁଁ କୋଟିପତି ହୋଇ ଯାଇଥାଏ । ତାହାର କାରଣ ହେଲା କେବଳ କର୍ମଚାରୀମାନଙ୍କୁ ନୁହେଁ ପ୍ରତ୍ୟେକ ମହଲରେ ମୁଁ ବେଶ୍ ପରିଚିତ ଥିଲି । କେହି କର୍ମଚାରୀ ମୋ ଉପରେ ଅସନ୍ତୁଷ୍ଟ ନଥିଲେ-। କେହି ଅଫିସର ମୋ ଦୁଆରୁ ଖାଲି ହାତରେ ଫେରିନାହାନ୍ତି । ଏହି ଲମ୍ବା ପର୍ଯ୍ୟାୟରେ ମୁଁ ରାମହରିଙ୍କ କଥା ଭାବି ପାରୁ ନଥିଲି । ଅନେକ ବର୍ଷ କାମ କଲାପରେ ତାହାର ଉନ୍ନତି କିଛି ହୋଇନାହିଁ । କଥାଟି ଥିଲା ସେ କାହାରିକୁ ଖୋସାମତ କରୁ ନଥିଲେ । ସର୍ବଦା ତାର ସେହି ଅବସନ୍ନ ମୁଖମଣ୍ଡଳ, ପାଗୁଳି ପାଟିକୁ ଦେଖିଲେ ମୁଁ ଚିଡ଼ି ଉଠୁଥିଲି । କହି ଦେଉଥିଲି ତୁମେ ମୋତେ ଆଉ ଦେଖା କରିବ ନାହିଁ । ଯାହା କିଛି ଦରକାର ହେବ ଅଫିସ୍‍ରୁ ମାଗି ନେବ ସମସ୍ତେ ଯେପରି ନେଉଛନ୍ତି ।

 

କାର୍‌କୁ କୋଠା ପାଖରେ ରଖି ଭିତରକୁ ପଶିଲି । ପକେଟ୍‍ରୁ ଚାବି ଗୋଛାକ କାଢ଼ି ଦୁଆର ଖୋଲିଲି । କାରଣ ମୋ ସ୍ତ୍ରୀ କୁନ୍ତୀଦେବୀ ସବୁବେଳେ ଚାକର ରଖିବାକୁ ଭଲ ପାଆନ୍ତି ନାହିଁ । ସେମାନଙ୍କ ଛୁଇଁବା ବସ୍ତୁରେ ସେ କିଛି ବ୍ୟବହାର କରିବାକୁ ପଛାନ୍ତି । ପିଲାମାନେ ବାହାରେ ରହୁଥାନ୍ତି, ଯାହା ମୁଁ ବେଶୀ ବଳେଇବାକୁ ଚାହୁଁ ନଥିଲି । ତାପରେ ସେ ପ୍ରତ୍ୟେକ ରବିବାର ଦିନ ଉପାସ କରିଥାନ୍ତି । ଭଗବାନଙ୍କୁ ଉପାସନା କରି ଜଣାଉଥିଲେ ମୋର ଧନଜନ ବଢ଼ିବା ପାଇଁ । ସେହି ପ୍ରାର୍ଥନାରେ ତାଙ୍କର ବ୍ୟାଘାତ ହେବ ବୋଲି ମୁଁ କାହାରିକୁ ରଖୁ ନଥିଲି ।

 

ଅନୁଭବ କଲି—କିଛି ଗୋଟାଏ ଭୁଲ୍‍ ହୋଇଯାଇଛି । କୌଣସି ଏକ କୋଠରିରେ ସେପରି କିଛି ପରିସ୍ଥିତି ହେବାପରି ମନେ ହେଲା । ଭାବିପାରିଲି ନାହିଁ ତାହା କେଉଁ ଗୃହରେ ହୋଇପାରେ । ବୈଠକଖାନାରେ ଆଖି ଦୁଇଟି ବାରମ୍ବାର ନିର୍ଦ୍ଧିଷ୍ଟ ହେଲା । ତାହା ସେତେବେଳକୁ ସମ୍ପୂର୍ଣ୍ଣ ଅନ୍ଧକାର ଥାଏ । ନିର୍ଜ୍ଜନ ଦେଖି ଅନୁମାନ କଲି କୁନ୍ତୀଦେବୀ ବଜାରକୁ ଯାଇଥିବେ କିମ୍ବା ପଡ଼ୋଶୀ ଘରେ ଶୋଇଥିବେ । ଭଗବାନ ଜାଣନ୍ତି ସେ ଦିନତମାମ କ’ଣ କରନ୍ତି ? ଆଲୁଅ ଜାଳିଲି-। ଏକ ବିରାଟ ଧଳାଘୋଡ଼ାର ତୁଳାଚିତ୍ର ଗୋଟିଏ କୋଣରେ ରଖାଯାଇଛି । ତାହାପରେ ଶୋଇବା ଘରର ଦରଜା ମେଲାଇଲି । କୁନ୍ତୀଦେବୀ ଶଯ୍ୟାରେ ଶୋଇ ଯାଇଥିଲେ । ହାତରେ ଖଣ୍ଡେ ଖୋଲା ପୁସ୍ତକ । ଚକ୍ଷୁ ଦୁଇଟି ଅଧା ମେଲା ଅଧା ବୁଜିଲା ପରି ରହିଥାଏ । ତାଙ୍କର ପୃଥୁଳ ଗୋରା ଜଙ୍ଘ ଦୁଇଟିରୁ ଶାଢ଼ୀଟି ଉଡ଼ି ଆସିଥାଏ । କଳାମେଘୀକେଶ ଶଯ୍ୟାତଳକୁ ଲମ୍ବିଯାଇଛି । ଘଣ୍ଟାକ ପରେ ପଚାରିଲି ରାତିରେ ଖାଇବା ପାଇଁ କ’ଣ ହୋଇଛି । ଗାଧୋଇବା ଘରୁ ବାହାରି ସେ ଶାଢ଼ି ବଦଳାଇ ରୋଷେଇ ଘରେ ପଶିଯାଉଥିଲେ । ଆଉ ହସ ହସ ମୁହଁରେ ମୁଁ ଚା କପ୍‌ଟି ଉଠାଇ ନେଇଥିଲି । ଏ ସବୁ ଘଟଣା ଗୋଟିଏ ଘଣ୍ଟାରେ ଘଟି ଯାଇଥିଲା ।

 

କୁନ୍ତୀଦେବୀ ରାତ୍ରି ଭୋଜନ ପରଶୁଥିବାବେଳେ ରଞ୍ଜିତାଠାରୁ ପାଇଥିବା ଚିଠି କଥା କହୁଥାନ୍ତି । ରଞ୍ଜିତା ଗ୍ରୀଷ୍ମଛୁଟିରେ ବାହାରକୁ ବୁଲିଯିବା କଥା ଲେଖିଛି । ସାଙ୍ଗରେ ତାର ସ୍ଵାମୀ ଆଉ ପୁଅ । ମୋର ଖାଲିପାତ୍ରକୁ ଦେଖି କୁନ୍ତୀଦେବୀଙ୍କୁ ଚାହିଁଲି । ସେ ଆଉ ସେଠାରେ ନଥିଲେ । ତାଙ୍କ ବସିଥିବା ଚୌକିରେ ସେହି ବଡ଼ ଧଳାଘୋଡ଼ା ଛିଡ଼ା ହୋଇଛି । ତାର ଲମ୍ବା ମୁହଁକୁ ଟେକି ମୋତେ ସେ ଏକ ଦୃଷ୍ଟିରେ ଚାହିଁଥିଲା । ମୁଁ ଘୃଣିତ ଚକ୍ଷୁରେ ତାକୁ ଅନାଇଲି । ତାର ପାଗୁଳି ପାଟିରୁ ଧଳା ଧଳା ମାଂସଯୁକ୍ତ ଫେଣସବୁ ବାହାରି ଟେବୁଲ ଉପରେ ଗଦା ହୋଇଯାଇଥିଲା । ଘୋଡ଼ାଟି ମୋତେ ନିରୀକ୍ଷଣ କରି ପାଟି ଏପଟ ସେପଟ କରିବାକୁ ଲାଗିଲା । ଭାବିଲି ମୋତେ ଦିଆଯାଇଥିବା ଖାଦ୍ୟ ସବୁ ଅଶୁଦ୍ଧ ହୋଇଯାଇଛି । ସେଠାରୁ ଉଠି ସିଧା ଶୋଇବା ଘରକୁ ଚାଲିଆସିଲି ।

 

ସକାଳର ପତ୍ରିକାକୁ ଲେଉଟାଇଲି । ଆଖି ବୁଲାଇବା ମାତ୍ରେ ଦେଖିଲି ସେହି ଧଳାମାଂସଯୁକ୍ତ ଫେଣସବୁ ମୋର ଶଯ୍ୟା ଉପରେ ପର୍ବତପରି ଗଦା ହୋଇରହିଛି । ତାହା ଗଦିପରି ନରମ ଜଣାପଡ଼ୁଥିଲା । ସେହି ପର୍ବତ ସଦୃଶ୍ୟ ନରମ ଗଦିରେ ନିଶ୍ଚିନ୍ତରେ ଶୋଇବାକୁ ଚେଷ୍ଟାକଲି । ଯେତେବେଳେ କରମୋଡ଼େ ଅନୁଭବକଲି ସେହି ବିରାଟ ଘୋଡ଼ାଟି ମୋତେ ଦୁଇ ଖୁରାରେ ମାଡ଼ି ବସିଛି । ସେହି ଧଳାଫେଣ ସବୁ ବରଫପରି ତରଳି ଗଙ୍ଗାଧାର ସଦୃଶ୍ୟ ପ୍ରବାହମାନ ହେଉଛି । ସେହି ସ୍ରୋତରେ ମୋର ଶଯ୍ୟା ଭାସିଯାଉଛି । ମୋର ବିରାଟ କୋଠା ଫେଣଦ୍ଵାରା ପୂରି ଯାଇଛି ଚାରିଆଡ଼େ । ମୁଁ ଥରିବାକୁ ଲାଗିଲି । ଭାବିପାରିଲି ନାହିଁ ପରମୁହୂର୍ତ୍ତରେ କ’ଣ ଘଟିପାରେ । ଯଦି ମୁଁ ଏହି ମୁହୂର୍ତ୍ତରେ କୁନ୍ତୀଦେବୀଙ୍କୁ ଡାକେ । ମୋର ପୃଥୁଳକାୟ ଶରୀର ଏପଟେ ଥାଇ କାମନାଗୁଡ଼ିକ କୁନ୍ତୀଦେବୀଙ୍କୁ ସେପଟ ଘରେ ଖୋଜିବାକୁ ଲାଗିଲା ।

 

ଭାବିଲି କିଛି ବଟିକା ନଚେତ୍ ଗୋଟିଏ ଗ୍ଲାସ ଥଣ୍ଡା ପାଣି ପିଇବାକୁ । କିନ୍ତୁ ଆଖି ଖୋଲିବାକୁ ମୋର ସାହସ ହେଲାନାହିଁ । ପୁନଶ୍ଚ ସେହି ଭୟାନକ ଜୀବଟା ମାଡ଼ିବସିପାରେ । ତେଣୁ ସବୁଠୁ ଭଲ ନିଜକୁ ସଂଯତ କରିବା ଯାହା ସଭ୍ୟମାନବର କର୍ତ୍ତବ୍ୟ । ମୁଁ ଅନ୍ୟପଟକୁ କର ଲେଉଟାଇଲି । ପିଲାଦିନେ ଜେଜେବାପାଙ୍କଠାରୁ ଶିଖିଥିବା ମନ୍ତ୍ରକୁ ଆବୃତ୍ତି କରିବାକୁ ଚେଷ୍ଟାକଲି ।

 

ସେହି ଭଗ୍ନମନର ସ୍ଵପ୍ନ ଭିତରେ ଦେଖିଲି ମୋ ସମ୍ମୁଖରେ ଗୋଟିଏ ଗ୍ଲାସ ସତେଜ ଦୁଧ ରଖାଯାଇଛି । ପ୍ରତ୍ୟେକ ଥର ମୁଁ ସେହି ଗ୍ଲାସ ନିକଟକୁ ଯିବାବେଳେ ତାହା ଉଭେଇ ଯାଉଛି । ତାହା ବଦଳରେ ସେଠାରୁ ଦୁର୍ଗନ୍ଧ ମାଂସର ବାସ୍ନା ବାହାରି ଆସୁଥାଏ ।

 

ଆଖି ମେଲାଇ ଚମକି ପଡ଼ିଲି । ସକାଳର ନାଲି କିରଣ ଶଯ୍ୟାରେ ବିଛାଇ ହୋଇ ପଡ଼ିଥାଏ । ଅଫିସରେ ବହୁତ କାମ ଥାଏ । ସିଧା ଗାଧୋଇବା ଗୃହରୁ କାମସାରି ରୋଷେଇ ଘରକୁ ପଶିଲି । ସେଠାରେ କେହି ନଥିଲେ । ଭାବିଲି କୁନ୍ତୀଦେବୀ ଖାଇବା ଜିନିଷ ଥୋଇ ବାହାରକୁ ଯାଇଛନ୍ତି । କୌଣସିଥିରେ କିଛି ନପାଇ ବିରକ୍ତରେ ଫେରି ଆସୁଥିଲି । ଅଫିସରେ ମୁଁ ସବୁଦିନ କିଛି ଖାଇବା ବରାଦ କରିଥାଏ । କୁନ୍ତୀଦେବୀ କ’ଣ ଆଜି ନରକକୁ ଯାଇଛନ୍ତି ନା ମନ୍ଦିରରେ ପ୍ରାର୍ଥନା କରୁଛନ୍ତି ? ଚାରିଆଡ଼କୁ ଆଖି ବୁଲାଇ ଆଣିଲି ।

 

ଦୁଆର ମୁହଁରେ ବୁଲିଥିବା ଅନ୍ଧାର ରାସ୍ତାରେ ଯାଇ ଦେଖିଲି ସେହି ବିଶାଳକାୟ ଘୋଡ଼ା ଛିଡ଼ା ହୋଇ ପାଗୁଳି କରୁଥାଏ । ମୋତେ ଏକ ଦୃଷ୍ଟିରେ ଅନାଇ ରହିଛି । ସେ ମାଡ଼ି ମାଡ଼ି ମୋ ଉପରକୁ ଆସୁଥାଏ । ଚିତ୍କାରକରି ମୁଁ ତା ଉପରକୁ କୁଦି ପଡ଼ିଲି । ପରମୁହୂର୍ତ୍ତରେ ଗୋଇଠାଏ ଦେଇ ବାହାରକୁ ଆସି କାର୍‌ର ଗତି ବଢ଼ାଇଦେଲି ।

 

ଦେଖ ମୋର ଗଳ୍ପ ଶେଷ ହେଲା । ଗଳ୍ପଟି ସିଧାଭାବରେ କହିଛି । ଯେଉଁ କଥା ମୁଁ ନିଜ ଦେହରେ ଲିଭାଇଛି; ସେଥିରେ ଛଳନା ରଖି ବର୍ଣ୍ଣନା କରିନାହିଁ । ଯାହାସବୁ ସେହି ଅନ୍ଧାରେ ଘଟିଥିଲା ମୁଁ ଘରେ ଥିଲାବେଳେ । ମୁଁ ଜାଣେ ଏସବୁ ଅଦ୍ଭୁତ ପରି ମନେ ହେଉଥିବ ।

 

ଘରେ ପହଞ୍ଚି ମୁଁ ବାରମ୍ବାର କୁନ୍ତୀଦେବୀଙ୍କୁ ନିରୀକ୍ଷଣ କଲି । ଲେଶମାତ୍ର ଚିହ୍ନ ତାଙ୍କ ମୁହଁରେ ମୁଁ ଦେଖିବାକୁ ପାଇଲି ନାହିଁ । କିଛିକ୍ଷଣ ବିଳମ୍ବକରି ମୋର ପଡ଼ୋଶୀଙ୍କୁ ଡାକି କୁନ୍ତୀଦେବୀଙ୍କୁ ପରୀକ୍ଷା କରିବାକୁ କହିଲି । କିନ୍ତୁ ଯେତେବେଳେ ସବୁ ଆଲୁଅ ଏକାସାଥିରେ ଲିଭିଗଲା ସେହି ଅନ୍ଧାରରେ ମୁଁ ରାସ୍ତାରେ ଦୌଡ଼ି ଆସି ଚାଲି ଯାଉଥିବା ଘୋଡ଼ାକୁ ଦେଖି ସବୁ ପଚାରିଥିଲି ।

Image

 

ବୁଢ଼ାସାପ

 

ନିମୀ ଚାହିଁ ରହିଥିଲା ଦୂର ଆକାଶକୁ । ଧଳା ଖଣ୍ଡି, ଖଣ୍ଡି ବାଦଲ ପଇଂନ୍ତରା ମାରୁଥିଲେ ଅଜଗର ପରି । ଆଖି ମେଲାଇ ନିମୀ ବୁଡ଼ିଯାଉଥିବା ଅଶିଣ ଜହ୍ନକୁ ଦେଖିବାକୁ ଲାଗିଲା । ଜୁଳୁ ଜୁଳୁ ତାରାଗୁଡ଼ାକ ବଉଦ ସନ୍ଧିରେ ଲୁଚି ଯାଇଥିଲେ । ପୁଣି ଦଉଡ଼ୁଥିଲେ ଦୁଇ ପଟକୁ । କ୍ଷଣେ ବିଶ୍ରାମ ନ ଥିଲା କୋଟି କୋଟି ମଣିଷ ଆଖିର ପୁଅ ଗୁଡ଼ାକୁ । ରାତି ହେଲେ ଡର ମାଡ଼େ ମିଟିମିଟି ଚାହାଁଣୀକୁ । ଛାଡ଼ିଯାଇଥିବା ନିଜର ଧନ ସଂପତ୍ତି ପୁଣି ଟାଣେ ତଳକୁ । ନିଶା ହେଲେ ପରଖୁଥିବେ ଗଣ୍ଡା ଗଣ୍ଡା ଡାହାଣୀ, ପିଚାସୁଣୀ ମେଳରେ । ସେ ତ ଦିନେ ତରା ହେବ । ଆକାଶରେ ରହିବ । ତା’ ଘର ଉପରେ ଆଖିପକାଇବ । ଦୂରରେ ରହି ସବୁ ଦେଖିପାରିବ । ଚିହ୍ନି ପାରିବ ସମସ୍ତଙ୍କୁ । କଥା ନ କହିଲେ ସୁଦ୍ଧା ଜାଣିପାରିବ ସବୁ । ହସ କାନ୍ଦ ଦୁନିଆକୁ ଦିନରେ ନ ଦେଖିଲେ ରାତି ହେଲେ ପଚାରିବ । ଛାଡ଼ି ଯାଇଥିବା ସାଙ୍ଗ ସାଥିମାନଙ୍କୁ ଖୋଜି ବାହାର କରିବ । ମେଘଦିନେ ସେ ଶୋଇଯିବ ତା’ ଘରେ । ଭୟଙ୍କର ମେଲା ଆକାଶଟା ବଡ଼ ଡର ଡର ଲାଗିବ । ଘଡ଼ ଘଡ଼ି ଚଡ଼ ଚଡ଼ିରେ ସେ ମୂର୍ଚ୍ଛା ହୋଇଯିବନି ତ । ବଡ଼ ଅଦ୍ଭୁତ ଏ ତାରାଗୁଡ଼ାକ । କାହିଁଠୁ କେତେ ପର୍ଯ୍ୟନ୍ତ ପଡ଼ି ଯାଇଛନ୍ତି ତାର କଳନା ନାହିଁ । କେତେ ଯେ ମଣିଷ ତାରା ହେଲେଣି ତାର ସୀମା ନାହିଁ । ଗଣିଲେ ବର୍ଷ ବର୍ଷ ଲାଗିଯିବ । ଆଉ ବୁଲା ଏହା ଭିତରେ ଥିବ ନିଶ୍ଚୟ । ମୋତେ ଦେଖୁଥିବ । କାନ୍ଦୁଥିବ କଳା କଳା ଆଖି ଦୁଇଟିରୁ ଲୁହ ଗଡ଼ାଇ । ଦୂରରୁ ବଇଂଶୀ ବଜାଉଥିବ । ବିଡ଼ି ବିଡ଼ାକୁ ବିଡ଼ା ପିଇଯାଉଥିବ । ଖୁବ୍ ଏକୁଟିଆ ଥିବ ବୋଧେ । ତା’ ଆତ୍ମା ଶାନ୍ତି ପାଇନଥିବ । ଦେହଟା ଜଳିପୋଡ଼ି ଯାଉଥିବ ତତଲା ଖରାରେ ।

 

ଧଳା ଧଳା ବଉଦ ମେଲା ହୋଇଗଲା ଦୁଆର ପରି ଆକାଶରୁ । ଅସୁମାରି ତାରାଗୁଡ଼ାକ ମଲ୍ଲୀଫୁଲ ବୁଣିଲା ପରି ଫୁଟି ଉଠିଲେ ତମାମ୍ ଆକାଶରେ । ସୋରିଷଟିଏ ବୁଣିବାକୁ ରାହା ନାହିଁ । ସବୁଆଡ଼େ ଭରି ଯାଇଛି ପଣ ପଣ ମଲା ଆଖି । ମଲା ଆଖିଗୁଡ଼ାକ ଜୀଅନ୍ତା ହୋଇଯାଇଛନ୍ତି । ଚଲା ବୁଲା କରି ପାରୁଛନ୍ତି । ଶୂନ୍ୟରେ ଘର କରି ରହିଛନ୍ତି । ଏମିତି ଯୁଗ ଯୁଗ ଧରି ରହୁଥିବେ । ଚାହୁଁଥିବେ ପୁରୁଷ ପୁରୁଷ ଧରି ସେମାନଙ୍କ ବନ୍ଧୁ ବାନ୍ଧବମାନଙ୍କୁ । ବୁଲା ଏହାଙ୍କ ମେଳରେ ଥାଇ ସବୁ ଶୁଣିପାରୁଥିବ । ଅପେକ୍ଷା କରିଥିବ । ଗୋଟି ଗୋଟି କରି ହୋଇ ନିମୀ ତାରାଗୁଡ଼ାକୁ ପରୀକ୍ଷା କଲା । ବାଉଳା ହୋଇଗଲା କେଉଁଠୁ ଆରମ୍ଭ କରିଥିଲା । ଗଣ୍ଡା ଗଣ୍ଡା ଗଣିବା ପରେ ହାତର ଗାରଗୁଡ଼ାକ ଶେଷ ହୋଇଗଲା; ତଥାପି ଗଣିବାର ଶେଷ କି ଆରମ୍ଭ ନାହିଁ । ତାରାଗୁଡ଼ାକ ବଡ଼ ଜୋରରେ ଯେପରି ଦୌଡ଼ୁଥିଲେ । ପାଖା ପାଖିରେ ରହି ନିଶ୍ଚୟ ଚିହ୍ନା ପରିଚୟ ହୋଇଯିବେଣି । ମା’କୁ ବୁଲା ନିଶ୍ଚୟ ଠଉରାଇ ପାରିଥିବ । କଷ୍ଟ ଲାଗିଥିବ କିଛି ଦିନ । ହେଲେ ମା’ ଭାରି କାନ୍ଦୁଥିବ । ବୁଲାକୁ ବୁଝାଇଥିବ । ପାଖରେ ରଖିଥିବ । ପେଟଭରି ଖୁଆଉଥିବ । ଚିହ୍ନା ପରିଚୟ କରାଇ ଦେଇଥିବ ପାଖ ପଡ଼ୋଶୀମାନଙ୍କୁ । ଦେଖାଇଥିବ କେତେ ଜାଗା । ନୂଆ ନୂଆ ସହର । ବଡ଼ ବଡ଼ ଲୋକ । ସରଗ ପୁର । ରମ୍ଭା, ମେନକାର ଫୁଲବଣ । ବୁଲା ମନେରଖିଥିବ ତାକୁ ନା ଭୁଲିଯିବଣି । ନା ବୁଲା ସେମିତି କଦାପି କରିବନି । ତା’ ପାଇଁ ସେ କେତେ କରିଛି । କ’ଣ ନ କରିଛି । ସମସ୍ତଙ୍କ ପାଖେ ଅପଡ଼ ହୋଇଛି । ଗାଳି, ମାଡ଼ ସହିଛି । ଯାହା ଧରିଥିବ ସେଇଆ । ଯାହା କହିଥିବ ଜୀବ ଛାଡ଼ିଗଲେ ମଧ୍ୟ କରିବ । ବଡ଼ ରେଣ୍ଟିଆଟେ । ସଉକ ସେମିତି । ସରଗପୁରରେ ବାସ କଲେ ସୁଦ୍ଧା ନାଲି ଗାମୁଛା ଛାଡ଼ିଲାନି । ବାଳ କେରାକୁ ହତାଦର କରିନି । ଆଉ ଛାଡ଼ି ପାରି ନଥିଲା ତା ବଇଂଶୀକୁ ।

 

ସାପୁଆ କେଳାର ନାଗେଣୀରେ ନିମୀ ଆଖିମେଲି ଚାହିଁଥିଲା । ସ୍ଵରଗୁଡ଼ାକ କାନଦେଇ ଯେପରି ଭେଦି ଯାଉଥିଲା । ନାଗସାପ ଦୁଇଟି ଏକ ଲୟରେ ଚାହିଁଥାନ୍ତି ସେହି ବାଗକୁ । ସୁ ସୁ ଗର୍ଜନ କରୁଥାନ୍ତି । ଫଣା ଛାଡ଼ି ରାଗରେ ଚୋଟ ମାରୁଥାନ୍ତି । କେଳା ପାଟିରେ ରାଗି ଉଠି ପଳାଇ ଯାଉଥାନ୍ତି ପେଡ଼ିକୁ । ମଲା ମୂଷା, ଧରିଲା ବେଙ୍ଗ ଅସୁଖ ଲାଗୁଛି । ଦିନ ରାତି ସେହି ବାଉଁଶ ପେଡ଼ିଟାରେ ରହି ରହି ଅଣନିଶ୍ଵାସୀ ହୋଇଗଲେଣି । ମନ ଲାଖି ଆହାର ନାହିଁ । ଦେହ ଲାଖି ପବନ ନାହିଁ । ଚଲା ବୁଲା କଥା ଛାଡ଼ । ଗୋଟିଏ ଜାଗାରେ ପଡ଼ି ପଡ଼ି ନିସ୍ତେଜ ହୋଇଗଲେଣି । ନାଗେଣୀଟି ବଡ଼ ସୁଖ ଲାଗିଲା । ହାତ ପତେଇ ମାଗୁଥିବା କେଳାକୁ ନିମୀ ଚାଉଳ ପୋଷେ ଟୋକେଇରୁ ଦେଲା । ଚାଉଳ ଅଧମାଣେ ଦେଇ ଗଦଟିଏ ନେଲା । ଡେଉଁରିଆ ଉପରେ ଆଖି ପକାଇଲା ବାର ବାର । ହାତ ଗଲାନାହିଁ ଉଠାଇବାକୁ । ଖୋସଣୀରେ ବନ୍ଧାଯାଇଥିବା ଟଙ୍କାଟିକୁ ନିମୀ ଦୁଇଥର ହାତମାରିଲା । ସାତ ଦିନର ହାଟପାଳି ସଉଦା ଖର୍ଚ୍ଚ । ଡିବିତେଲଠାରୁ ବାରକଥା । ଚାଉଳ ଗଣ୍ଡେ ଖେଣ୍ଟି ସେ ରଖିଛି । ମନଟି ଖାଲି ଛଟପଟ ହେବାକୁ ଲାଗିଲା । ହେଉ ପରେ ଦେଖିବା । ଆଜି ନ ହେଲେ ଆଉ କେଉଁଦିନ । ପୁଣି ଆସିବନି । କେତେ ଆସିଲେଣି । ଚାଳ ଛାଇ ତଳେ ନିମୀ ଆଗକୁ ପାଦ ବଢ଼େଇଲା ।

 

ନିଶୂନ୍ ରାତିଟା ନିମୀକୁ ଖୁବ୍ ଏକୁଟିଆ ଲାଗିଲା । ସମସ୍ତେ ଶୋଇ ପଡ଼ିଲେଣି ନିଦରେ-। ଖାଁ ଖାଁ ମେଲା ଦାଣ୍ଡରେ ନିଶା ଗର୍ଜୁଛି । ଧୀର ପବନ ଦେହକୁ ହେମାଳ ଲାଗୁଛି । ବରଷା ଦିନ ଗଲାଣି । ଦିନ କେଇଟାରେ କାକର ପଡ଼ିବ । ଧାନ ବିଲ ଆଲୁଅ ହେବ । ଘର ଲୋକ ବିଲରେ ଶୋଇବେ । ଦିନ ରାତି ସମୟ ଅଣ୍ଟିବନି ଖାଇବାକୁ । ଦଣ୍ଡେ ମାତ୍ର ଶୋଇ ନିଶ୍ଵାସ ମାରିଲେ ଖରା ଯାଇ କାନ୍ଥରେ । ବେଳ ଆଖର ହେଲେ ମହାଜନ ବୁଢ଼ା ଦାଢ଼େ ଛାଡ଼ିବନି । ବୁଢ଼ୀପରି ଜଗି ବସିଥିବ ହିଡ଼ ମୁଣ୍ଡରେ । ଚିକିଟା ଗାମୁଛାରେ ମୁହଁ ପୋଛି ପଛେ ପଛେ ଗୋଡ଼ାଉଥିବ । ଧାନକେଣ୍ଡାଏ ଛୁଇଁଲେ କଟକଟ ହେଉଥିବ । ମରିବାକୁ ବସିଲାଣି-ସାତ ଯୁଗର ଲୋଭ । ଆଜି ମଲେ କାଲି ତରା ହେବ । ଯୁଗ ଯୁଗ ଜଗି ବସିଥିବ ତା’ କ୍ଷେତକୁ । ଭୂତ ହୋଇ ଲଣ୍ଡା ବରଗଛରେ ବସି ଡରାଇବ । ଗଲା ଅଇଲା ଲୋକର ଦିହରେ ପଶିବ । ବଞ୍ଚାଇ ଦେଇଥିଲା ବୁଲା ସେ ସନ ସାପ କାମୁଡ଼ାରୁ । ନ ହେଲେ ତ କେଉଁଦିନୁ ଯାଆନ୍ତାଣି । ମାଟିରେ ଛତୁ ଫୁଟି ସାରନ୍ତାଣି ।

 

ସୁନା ମହାଦେବଙ୍କ ପାଖେ ନବାତ ଘଷାଇ ମୁଣ୍ଡିଆ ମାରିଲା । ମହାଦେବଙ୍କ ବେକରେ ଗୁଡ଼େଇ ହୋଇଥିବା ସାପଟି ଆଲୁଅରେ ଚକମକ୍ ହେଉଥାଏ । ନେଳୀଆ କାଚ ଦେଇ ଆଖି ଦୁଇଟି ଜଳି ଉଠୁଛି । ଲାଙ୍ଗୁଳ ଗୁଡ଼େଇ ଗୁଡ଼େଇ ପିଠିରେ ମିଶିଯାଇଛି । ଫଣାଟା ହାତେ ହେବ ମୁଣ୍ଡ ଉପରଦେଇ ଉଠି ଆସିଛି । କଳା କଳା ଜିଭ । ଶହ ଶହ ଫଣା । ବିଷ୍ଣୁଙ୍କ ଅନନ୍ତ ଶୟନ ଛବିଟେ ପାଖରେ ଟଙ୍ଗା ଯାଇଛି । ଲକ୍ଷ୍ମୀ ସାଆନ୍ତାଣୀ ଗୋଡ଼ତଳେ ପାଦ ମଞ୍ଚାଳନ କରୁଛନ୍ତି । ଦେବତାମାନେ ଦୂରରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି । ଅନନ୍ତ ନିଦ୍ରା ଭାଙ୍ଗିବାକୁ ଯୁଗ ଯୁଗ ଲାଗିପାରେ । ବାସୁକି ନାଗ ଶୟନ ।

 

ନିମୀର ମୁଣ୍ଡ ଆପେ ଆପେ ନଇଁ ଆସିଲା । ଦେଖିଥିବା ନାଗସାପର ରଙ୍ଗ ଠିକ୍ ଏହିପରି । କାତି ଛଡ଼ା ଦେହ ହଳଦୀଗଣ୍ଠି ପରି । ମଞ୍ଜପକା କଦଳୀ ପତ୍ର ପରି ନରମା । ନାଗରାଜା ବଂଶରୁ ଜନ୍ମ । ବଡ଼ ଧାର୍ମିକ ସାପ । ନ୍ୟାୟରେ ଟିକିଏ ହେଲେ କ୍ଷତି କରିବ ନାହିଁ । କଅଁଳା ବାଳକ ସଙ୍ଗେ ଖେଳିବ । ମଥାରେ ଫଣା ଟେକିବ । ଛାଇ କରିବ ଖରାଧାସରୁ । ଅନ୍ୟାୟ ହେଲେ ବାର ବାର ଦେଖାଦେବ । ପାଟି ଫିଟୁଥିଲେ କହି ଦିଅନ୍ତା । ଦିଅଁଙ୍କ ପରି ମୂକ । ସତ୍ୟ ଯୁଗରେ ନାଗରାଜା ଝିଅମାନେ ମର୍ତ୍ତ୍ୟରେ ବିବାହ ହେଉଥିଲେ । ନାଗକନ୍ୟା ପାତାଳ ପୁରୀରେ ରୁହନ୍ତି । ମଣିମାଣିକର ନଅର । ଆଲୁଅରେ କୋଟି ନକ୍ଷତ୍ର ସରି ହେବ ନାହିଁ । ରୂପ ଦେଖିଲେ ଦେବତାମାନେ ବଶ ହୋଇଯାଉଥିଲେ । ସେଥିପାଇଁ ଭୀମସେନ୍ ପାତାଳ ପୁରୀରେ ବିବାହ ହୋଇ ଭାଇମାନଙ୍କୁ ଭୁଲି ଯାଇଥିଲେ । ସୀତାମାତା ପାତାଳକୁ ପଶିଲାବେଳେ ସେହି ମୁଲକରେ ରହିଥିବେ ।

 

ସବୁ ଦେବକୂଟ । ସାପରାଜା ଫଣା ଟେକିଲେ ଭିକାରି ରାଜା ହୁଏ । ରାଜା ମୁକୁଟ ଆପେ ଆପେ ପଡ଼ିଯାଏ । କପିଳା ବେହେରା ରାଜା ହୋଇଥିଲା । କାଶିଆକୁ ମହାମନ୍ତ୍ରୀ କରିଥିଲା-। କିଛି ଯୋଗାଯୋଗ ନ ଥିଲେ ସୁଦ୍ଧା ବଳେ ବଳେ ସବୁ ହୋଇଯାଏ । କେହି ରଖିପାରିବେ ନାହିଁ । ଦେବତାଙ୍କ ମାୟା ମଣିଷକୁ ଅଗୋଚର । ନ ହେଲେ ସାପ କ’ଣ ଫଣା ଟେକିବ ନା ଭବିଷ୍ୟତ କଥା ଫଳିବ । ଅନ୍ୟାୟ କଲେ ଶୋଇଲା ଶେଯରେ ସାପ ମାରିବ । ତାକୁ କେହି ରଖିପାରିବେ ନାହିଁ । ସେ ସନ ବଢ଼ିବେଳେ ଛଇଲା କେଉଟ କାଠ ଗରଣ୍ଡାରେ ଭାସି ଯାଉଥିଲା । ଅତଳ ପାଣି । ସାପ ମୁଣ୍ଡ ଦିଖଣ୍ଡ ହୋଇଯିବ ସୁଅ ତୋଡ଼ରେ । ଜଙ୍ଗଲରୁ ସାପଟା ଗୁଡ଼େଇ ତୁଡ଼େଇ ହୋଇ ଭାସି ଆସୁଥିଲେ ମଧ୍ୟ ଛଇଲାକୁ ବାରଣ କଲା ନାହିଁ । ବିପଦବେଳେ ସାପ ସାହା ହେବ । ମଣିଷକୁ ଆହୁରି ସାହାଯ୍ୟ କରିବ ଚାହିଁଲେ ପ୍ରାଣ ବଞ୍ଚାଇଦେବ । କାଠ ଗରଣ୍ଡା ଶୁଖିଲାକୁ ଆସିଲା । ଛଇଲା ପ୍ରାଣ ବଞ୍ଚିଲା । ହେଲେ ଯିଏ ଯେତେ କହିଲେ ସାପକୁ ମାରିଦେବାକୁ ଛଇଲା ବାରମ୍ବାର ମନାକଲା-। ଯେଉଁ ବିପଦରେ ସେ ପଡ଼ିଥିଲା—ସାପ ତିଳେମାତ୍ର କ୍ଷତି କରିନାହିଁ । ସେ ମାରିଥିଲେ ତା ଶବ ମାଛ, କୁମ୍ଭୀର କେତେବେଳୁ ଖାଇ ଯାଆନ୍ତେଣି । ହେଲେ ସେ ସାପକୁ ମାରିବ ନାହିଁ । ତାର ବଳ ନାହିଁ ଚାଖଣ୍ଡେ ଘୁଞ୍ଚିବାକୁ । ସେ ଚାଲିଯିବ ତା’ ବାଟରେ । ତୁମକୁ ସେ କ’ଣ ଖାଇବାକୁ ମାଗୁଛି । ତୁମେ ଯାଅ । ତା’ ପିଲାଟାକୁ ଜଗାଇଥିଲା ଦୁର୍ବଳିଆ ସାପ ପାଖରେ । ବେଙ୍ଗଟିଏ ଖାଇବାକୁ ଦେଇଥିଲା । ରାତି ପାହିଲାବେଳକୁ ସାପ କେଉଁଆଡ଼େ ଉଭାନ ହୋଇଯାଇଛି । ତା’ର ନାମ ଚିହ୍ନ ନାହିଁ ।

 

ସେଦିନ କେଳା ଆଖି ପିଛୁଡ଼ାକେ ଦୁଇଟି ସାପ ଧରିନେଲା ସୁଲିମା’ ଭାଡ଼ିରୁ । କଳା କଳା ମାଟିଆ ପାଞ୍ଚ ହାତିଆ ଗୋଖରଗୁଡ଼ାକ । ମୂଷା ବେଙ୍ଗ ଖାଇବାକୁ ପଶିଯାଇଥିଲେ । ହେଲେ ମଣିଷ ଗନ୍ଧ ପାଇଲେ କେଉଁଠି ଲୁଚିବେ ଯେ ଦିହୁଡ଼ି ଲଗାଇ ଖୋଜିଲେ ଧାସ ଟିକିଏ ଦେଖିବାକୁ ମିଳିବନାହିଁ । ସମୟେ ସମୟେ ବଡ଼ ହୁଡ଼ । ଟିକିଏ ରାଗିଲେ ଚୋଟ ପରେ ଚୋଟ କଷିଦେବେ । କାହାରିକୁ ଭୟ କରିବେ ନାହିଁ । ସୁବୁଦ୍ଧି ମା’କୁ ସାପ ଯେଉଁ ଚୋଟ ମାରିଥିଲା ଦୁଇଦିନ କାଳ ବେହୋସ ହୋଇପଡ଼ିଲା । ଶ୍ରାବଣ ମାସ ବର୍ଷାପରି ପାଟିରୁ ଗରଳ ବୋହିଥିଲା । ମହାଦେବଙ୍କ ଚମ୍ପା ଗଛମୂଳେ କେତେ ମାଠିଆ ପାଣି ଢଳା ହେଲା । ସୁଳେଇଏ ହେବ ନନ୍ଦ ଶୁଖିଯାଇଥିଲା । ଦଇବ ଯୋଗକୁ ଗୁଣିଆଟା ମିଳିଗଲା । କଉଡ଼ି ଚାଉଳ ମନ୍ତୁରାଇ ଚାରିଦିଗକୁ ଛାଡ଼ିଦେଇଥିଲା । ପହଡ଼େ ଯାଇଛି କି ନାହିଁ ସାପଟା ଆସି ହାଜର । ଚୋଟ ମାରିଥିବା ଥାନରେ ବିଷ ପିଇ ପିଇ ମୋଟହୋଇଗଲା । ତଥାପି ଶୋଷୁଥାଏ । ଘଣ୍ଟାଏ ଦୁଇଘଣ୍ଟାରେ ସୁବୁଦ୍ଧି ମା’ ଆଖି ଖୋଲିଲା । ସବୁ ସେଇ ମହାଦେବଙ୍କ କୃପା । କି ଗ୍ରହ କ’ଣ ପଡ଼ିବ କିଏ କହିପାରେ । ହେଲେ ଭୋଳାନାଥ ଯାହାକୁ ରଖିବେ ସବୁ ଗ୍ରହ ତା’ର ଆଡ଼ ହୋଇଯିବ । କାଳ ଅକାଳରେ ସବୁ ଯୋଗ ହୋଇଯିବ । ନାହିଁ ନ ଥିଲା ଆକାଶରେ ବଜ୍ର ମାରିବା ପରି ମେଘ ଘୋଟି ଆସିବ । ସାତ ଘଡ଼ଘଡ଼ିରେ ବିଷ ଶେଷ । ହଚକୁ ହୁଚା କାମ ଫତେ ।

 

ଶ୍ରୀକୃଷ୍ଣଙ୍କ ଜନ୍ମ । କାଳୀୟ ଦଳନ । ଶହଶହ ଗୋପୀମାନଙ୍କୁ ଯେ ମୋହିଥିଲେ, ଇନ୍ଦ୍ରର ରଡ଼ି ଚୁର କରିଥିଲେ କଂସ, ଅସୁରକୁ ମାରିଥିଲେ, କାଳୀ ସାପ ତା’ର କ’ଣ କରିପାରେ । ଗରୁଡ଼ ରଡ଼ିରେ ସମସ୍ତ ସର୍ପ ପାତାଳକୁ ଯାଇ ଲୁଚିଥିଲେ, କାଳୀନାଗ କାକୁତି ମିନତି ହୋଇ ଶ୍ରୀକୃଷ୍ଣଙ୍କୁ ମଥାରେ ବୋହିଥିଲା । ଯେ ସବୁ ଭିଆଇଛି, ସାପରାଜା ତାର କ’ଣ କରିପାରେ । ଇନ୍ଦ୍ର ରାଜା ଶରଣ ପଶିଥିଲା । ବ୍ରହ୍ମା ଭୁଲ୍ ମାନିଥିଲେ । ବାସୁକି ରାଜା କାଣୀଚିଏ ମାତ୍ର । ଲଙ୍କା ଯୁଦ୍ଧବେଳେ ରାବଣ ପୁଅ ରାମ-ଲକ୍ଷ୍ମଣକୁ ନାଗ ଫାଶରେ ବାନ୍ଧିପକାଇ ଥିଲା । ସେହି ଗରୁଡ଼ ମୁକାଳିଥିଲା । ପକ୍ଷୀରାଜା ଭୟରେ ସାପମାନେ ସମୁଦ୍ରକୁ ପଳାଇ ଯାଇଥିଲେ । ପାତାଳରେ ବାସୁକି ଶରଣ ନେଇଥିଲେ । ରାବଣର ବଳ ଦେଖି ନାଗରାଜା ନିଜର ଦୁହିତାମାନଙ୍କୁ ବିବାହ ଦେଇଥିଲା । ତେଣୁ ନାଗଫାଶରେ ଇନ୍ଦ୍ରଜିତ ରାମ-ଲକ୍ଷ୍ମଣଙ୍କୁ ବାନ୍ଧି ଦେଇଥିଲା । ହେଲେ ଗରୁଡ଼ ଭୟରେ ସାପମାନେ ଲୁଚି ପଳାଇ ଯାଇଥିଲେ ।

 

ସାପ ବୁଢ଼ାହେଲେ ପକ୍ଷୀ ଲାଗେ । ସାପ ଜନ୍ମରୁ ମୁକ୍ତ ହୋଇ ସରଗ ଯାଅନ୍ତି । ଉପରେ ସ୍ଥାନ ପାଆନ୍ତି । ତରା ହୋଇଯାଆନ୍ତି । ସେତେବେଳେ ତାଙ୍କର ଲାଙ୍ଗୁଳ ଛିଡ଼ିଯାଏ । ଦେହରେ ପକ୍ଷୀ ଲାଗେ । ଉଡ଼ି ଉଡ଼ି ସ୍ଵର୍ଗକୁ ଯାଆନ୍ତି । ସ୍ଵର୍ଗର ଅପସରାମାନେ ବନ୍ଦାପନା କରନ୍ତି । ବେକରେ ଫୁଲମାଳ ପିନ୍ଧାନ୍ତି ।

 

ନିମୀ ଆଗକୁ ଚାହିଁଲା । ସାଗୁଆ ଧାନ କ୍ଷେତ । ସେ ଗାଁକୁ ଲାଗିଯାଉଥିବା ଛୋଟ ଛୋଟ ଗଛ ସଙ୍ଗେ ମିଶିଯାଉଛି । ପବନରେ ଦୋହଲି ଦୋହଲି କାନ ନଡ଼କା ସାପପରି ଏପଟ ସେପଟ ହେଉଛି । ପୂରନ୍ତା ଗହୀରରେ ଲହଡ଼ା ଖେଳୁଛି, ମଥା ହଲାଇ ଶୋଇଯାଉଛି ବୁଦା ପରେ ବୁଦା । ମଶାଣୀ ସେପାଖ ଦଣ୍ଡାଟା ବଡ଼ ଚିକ୍‍କଣ ଘାସରେ ହସୁଛି । ବଇଁଶୀର ସ୍ଵର ଶୁଭିଯାଉଛି ଥରେ ଥରେ । ବୁଲା ମୁରୁଖ ସିନା ବଇଁଶୀ ଫୁଙ୍କିଲେ ଗାତରୁ ସାପ ବାହାରି ଆସିବ । ଜୀବଜନ୍ତୁମାନେ କାନ ଡେରିବେ ପତର ହଲିବ ନାହିଁ । ଦୁଇଜଣ ପିଲାଦିନେ ଖୁବ୍ ସାଙ୍ଗସାଥି ଥିଲେ-। ଧୂଳି ଖେଳଠାରୁ ବାଗୁଡ଼ି ଖେଳ । କଙ୍କି ଧରିବା । ଗୋବର ଗୋଟାଇ ସେ କେତେ ପଇସା ରଖିନଥିଲା । ସବୁ ଖିନି ଖରାପ ହୋଇଗଲା । ତା ଦେହ ଅସୁଖରେ ସବୁ ଚାଲିଗଲା । ଡାକ୍ତର ଇଞ୍ଜେକ୍‌ସନ୍ ଫୋଡ଼ି ଫୋଡ଼ି ବାହା ଦରଜ କରିଦେଲା । ନିମ ପିତାପରି କି ବଟିକା ହାତରେ ଧଇଲେ ବାନ୍ତି ମାଡ଼ିଆସିବ । ଖାଇ ଖାଇ ଯେଉଁ କଥାକୁ ସେଇଆ । କେଉଁ ପଇସାଟାକର କାମ ଦେଲା । ଶେଷରେ ଦିଅଁଙ୍କ ପାଦୁକାରେ ଝାଡ଼ିଝୁଡ଼ି ହୋଇଗଲା । ଭୋଗ ହେବ ଏ ପଇସା । ଯାହାକୁ ରଖିବେ ଅନନ୍ତ ତାର କି କରିପାରେ ବଳବନ୍ତ ।

 

ବୁଲାର କଳା ବୋଳା ଆଖି ଦୁଇଟି ଦେଖି ନିମୀ ଦେହ ଶୀତେଇ ଉଠିଲା । ମୁଣ୍ଡରେ ଯାତରା ପିଲାପରି ବାଳ । ତେଲ ସଡ଼ ସଡ଼ ହୋଇ ବୋହି ପଡ଼ୁଛି । ନାଲି ଗାମୁଛା । କାନରେ ଅଧା ବିଡ଼ି । ଦିହରେ ଛୋଟ ସାଆନ୍ତଙ୍କ ଚିଡ଼ିଆ କୁରୁତା । ବୁଲାର ବଇଁଶୀ ଶୁଣି ଖୁସିରେ ଯାଚି ଦେଇଥିଲେ । ବିଡ଼ି ଖାଇବାକୁ ଟଙ୍କାଏ । ଚାଉଳ ଦି ସେରେ । ବୁଲା ନିତି ସଞ୍ଜରେ ଘଡ଼ିଏ ଘଡ଼ିଏ ବଇଁଶୀ ବଜାଏ ମେଲା ଘରେ । ବଡ଼ ସାଆନ୍ତଙ୍କୁ ଏହା ଭଲଲାଗେ ନାହିଁ । ମୁହଁ ଫିଟାଇ ସାନ ସାଆନ୍ତଙ୍କୁ କିଛି କହିପାରନ୍ତି ନାହିଁ । ଅକାଳେ ସକାଳେ କେଉଁଠୁ ଦିନେ ଦୁଇଦିନ ଆସିବ । ଗାଁ କଥା କ’ଣ ଜାଣେ । ପିଲାଦିନୁ ସହରରେ ରହିଆସିଛି । ପାଠ ପଢ଼ି ବଡ଼ ହାକିମ ହୋଇଛି । ବଡ଼ ଖର୍ଚ୍ଚୀ ମେଳାପୀ । ଏତେ ପଇସା କମାଇଲେ ଘରୁ ସେହି ଚାଉଳ ଚୁଡ଼ା ନଡ଼ିଆ ବୁହା ହେଉଥିବ । ଛୋଟ ସାଆନ୍ତାଣୀ ହାକିମ ଘର ଝିଅ । କାମ ଦାମ ପିଲାଦିନୁ କରିନାହାନ୍ତି । ଚାକର ସବୁ କରେ । ତିନୋଟି ପିଲା ଜନମ କଲେ ସୁଦ୍ଧା ବୟସ ଜଣାପଡ଼େ ନାହିଁ । ଦେଖିବାକୁ ସରଗଚାନ୍ଦପରି ମୁହଁ । ବେଶଭୂଷାରେ ଆଖପାଖରେ କେହି ନଥିବେ । ଭାରି ପାଠ ପଢ଼ିଛନ୍ତି । ସୂତା କାମ ଦେଖିଲେ ଆଖି ଖୋସି ହୋଇଯିବ । କଳଗାଉଣା ପରି କଣ୍ଠ । ଗୀତ ବୋଲି ଟଙ୍କା ପାଆନ୍ତି । ଛୋଟ ସାଆନ୍ତେ ଭାରି ମାନନ୍ତି । ଘଡ଼ିଏ ନ ଦେଖିଲେ ବାଉଳା । ଛୋଟ ସାଆନ୍ତାଣୀ ସଦାବେଳେ ଛୋଟ ସାଆନ୍ତଙ୍କ ପାଖେ । ବିଲେଇ ପରି ଏପଟ ସେପଟ ହେଉଥିବେ ।

 

ଦୋଳପୂର୍ଣ୍ଣମୀ ଭୋଗ ରାତିରେ ବୁଲା ବଡ଼ ସାହାଯ୍ୟ କରିଥିଲା । ସେପଟ ଗାଁରୁ ଭୋଗ ମାଗୁ ମାଗୁ ରାତି ଡେରି ହୋଇଯାଇଥିଲା । ଛୋଟ ସାଆନ୍ତାଣୀଙ୍କ କଥା ଭାଙ୍ଗି ପାରିନଥିଲା ସେଦିନ । କାଇଞ୍ଚପତ୍ର ବୁଣା ଲାଗି ଡାକି ନେଲେ ଭିତର ଖଞ୍ଜାକୁ । ଏ ଛନ୍ଦ ସେ ଛନ୍ଦ ହେଉହେଉ ରାତି ବଳି ଯାଇଥିଲା । ଛୋଟ ସାଆନ୍ତାଣୀ କାନିରେ ଢାଳି ଦେଇଥିଲେ ଦୁଇଡାଲା ଭୋଗ । ଲଡ଼ୁ ଆରିସା ପିଠା ଦୁଇପୁଞ୍ଜା । ମା’ ପାଇଁ ଗଣ୍ଡାଏ । ପଇସା ଚାରିଅଣା । ବଡ଼ ଖୁସୀ ଲାଗେ ଛୋଟ ସାଆନ୍ତାଣୀଙ୍କ ହସ । ଆଉ ବୁଲା ମେଲା ଖଞ୍ଜାରେ ବଇଁଶୀ ଶୁଣାଉଥିଲା ଛୋଟ ସାଆନ୍ତଙ୍କୁ । ସାଆନ୍ତାଣୀ କହିଥିବାରୁ ଅପେକ୍ଷା କରିଥିଲା ତାକୁ ।

 

ରଣୀଫୁଲ ପରି ଜହ୍ନ ସାରାଗହୀରରେ ବିଛାଇ ହୋଇପଡ଼ିଥାଏ । ପଇସାଟିଏ ପଡ଼ିଲେ ବାରି ହୋଇଯିବ । ମଲା ରାସ୍ତାରେ ଘାସଗୁଡ଼ାକ ଶୁଖିଯାଇଛି । ଚାଲିବସା ବାଟ । କହିବାକୁ ପଡ଼ିବନି ଅନ୍ଧ ବାରିନେବ । ତଳେ ଶଗଡ଼ ଗୁଳା ଧୂଳିଉଡ଼ା ବାଙ୍କୁଆ ଗୁଳାଟା ଗାଁ ଦାଣ୍ଡକୁ ଲମ୍ବିଯାଇଛି-। ସୁଲୁ ସୁଲୁ ପବନ । ଜଣାପଡ଼ୁନଥାଏ ଲମ୍ବିଲା ଗହୀର । ଆଉ ବୁଲାର ଛାତିଥରା ବଇଁଶୀ ।

 

ଅଧା ଗହୀରରେ ବୁଲା ଗଣ୍ଠିଲି ଥୋଇ ବସିଯାଇଥିଲା ହିଡ଼ ଉପରେ । କେଁ କଟର ହୋଇ ଚଢ଼େଇଗୁଡ଼ାକ ଥୁଣ୍ଟା ବରଗଛରେ ପଶିଯାଉଥାନ୍ତି । ନିଶୂନ୍ ଗହୀର ଖାଁ ଖାଁ ଗୋଡ଼ାଉଛି । ପଛକୁ ଚାହିଁ ଅଟକି ଯାଇଥିଲି । ଥକ୍‌କା ହୋଇ ଚାହିଁରହିଲି ବୁଲାକୁ । ପଚାରିବାକୁ ଜିଭ ଲେଉଟିଲା ନାହିଁ । ଡାକିବାକୁ ପାଟି ଫିଟିଲା ନାହିଁ । ପଚାରିଲି କିରେ କ’ଣ ହେଲା ତୋର ? ମିଛଟାରେ କାହିଁକି ଛଟା ଗାଳୁଛୁ । କାହିଁଠୁ କେତେ ରାତି ହେଲାଣି । ପହଞ୍ଚିଲାବେଳକୁ ଆହୁରି ଅଧଘଣ୍ଟା ଲାଗିଯିବ । ମା’ଟା ସିଆଡ଼େ ହାଇଁ ପେଇଁ ହେଉଥିବ । ଗଲେ ତୁଣ୍ଡରେ କ’ଣ ଦେବ ନା ।

 

ବୁଲା ଦେହରେ ହାତ ମାରି ଚମକିପଡ଼ିଲି । ଖଇ ଫୁଟିଲା ତାତି । ବୁଲେଇ ହେଉଥିବା ମୁଣ୍ଡକୁ ଜଙ୍ଘରେ ରଖି ଆଉଁସିଦେଲି । ଲମ୍ବିଲା ବାଳ କେରାକ ଜଙ୍ଘ ଦେଇ ତଳେ ଲୋଟୁଥିଲା । ଧୂଳି ଝାଡ଼ି ଜାକି ଆଣିଥିଲି ଉପରକୁ । ତଳେ ପଡ଼ିଯାଇଥିବା ବିଡ଼ି ବିଡ଼ାଟିକୁ ଅଣ୍ଟାରେ ମାରିଦେଲି । କଳା ଦିଆ ଆଖିରୁ ଧାର ଧାର ଲୁହ ଗଡ଼ିଯାଉଥିଲା ତଳେ । ଛଟପଟ ହେଉଥିବା ବୁଲାର ହାତ ଦୁଇଟି କେତେବେଳୁ ଗୁଡ଼ାଇ ହୋଇଯାଇଥିଲା ଅଣ୍ଟାରେ । ଲମ୍ବା ଲମ୍ବା ହାତ ଦୁଇଟି ଖୁବ୍ ଶକ୍ତ । ଛନ୍ଦା ହାତ ପାପୁଲି ଶାଙ୍କୋଳୀ ପରି ଜମାଟ ବାନ୍ଧି ଆସୁଥିଲା । ବୁଲାର ରାଜାପରି ନିଶ ଚିକ୍‌କଣ ମୁହଁକୁ ଖୁବ୍ ମାନୁଥାଏ । ଫୁଙ୍ଗୁଳା ଜଙ୍ଘ ଦୁଇଟି ବୋଳିଲା ପରି । ଦିହରେ ଅକାତ ବଳ । ଦୁମ୍ ଦୁମ୍ ନିଶ୍ଵାସ ଦୁଇଟି ସ୍ଥିର ହୋଇ ଯାଇଥିଲା ଭାସିଲା ଜହ୍ନରେ । ଟିକିଟିକି ତାରାଗୁଡ଼ାକ ମିଞ୍ଜିମିଞ୍ଜି ହେଉଥିଲେ ଜହ୍ନମାମୁଁ ପାଖେ । ନିମୀ ସରମ ବୋଳା ରାଗରେ ପେଲି ଦେଇଥିଲା ବୁଲାକୁ । ପଛକୁ ମୁହଁ ବୁଲାଇ କ’ଣ କହୁଥିଲା । ବୁଲା ହସିଥିଲା । ମନଫୁଲାଣିଆ ଗୀତରେ ସ୍ଵର ଦେଇଥିଲା । ଛଳେଇ ଛଳେଇ ନିମୀକୁ ଚିଗୁଲାଇଥିଲା । ଧରିଥିବା ବୋଝକୁ ନିମୀ ହାତକୁ ଦେଇ ରାସ୍ତା ଭାଙ୍ଗିଲା-। ଦୁଇଟି ହାତ କିଛିକ୍ଷଣ ପାଇଁ ସ୍ଥିର ହୋଇଯାଇଥିଲା । ଆଖି ଚାରୋଟି ତାରା ପରି ସ୍ଥିର ହୋଇ ଲୁଚି ଯାଇଥିଲା ଚଲା ବାଦଲରେ ।

 

ଖୁଦୁରୁକୁଣୀରେ ନିମୀ ବୁଲାକୁ ଆପୋଷ ମାରି ନ ଥିଲା । ବଡ଼ ପୋଖରା ପାଣିକୁ ପେଲିଦେଇ କହିଥିଲା, କେତେ ଠାପୁଆ ଗଣ୍ଡି ଅଳସୁଆ ମରଦଟା । ବୁଲାର ବଇଁଶୀ ପାଣିରେ ଭାସି ଉଠିଲା । ନିମୀ ଉଠାଇ ଆଣିଥିଲା ଆଣ୍ଠୁଏ ପାଣିରୁ । ଗୋଟି ଗୋଟିକରି ବୁଲା ଆଙ୍କୁଡ଼ି ଆଣିଥିଲା କଇଁଫୁଲ । ଗଦା କରି ଦେଇଥିଲା ଦୁଇ ବୋଝ ନାଡ଼ଥିବା ଶୋଫଲା ଫୁଲ । ସରସର ହୋଇ ନାଡ଼ରୁ ପାଣି ବୋହିଯାଇଥିଲା ବୁଲାର ଚିକ୍‌କଣ ପିଠିରୁ । ମଇଁଷିଆ ଜୋକଟା ପେଟେ ରକ୍ତ ପିଇଯାଇଥିଲା ବୁଲା ଦେହରୁ । ବୁଲା ଦୁଇ ହାତରେ ଟାଣି ଟାଣି ଓଟାରି ଆଣିଥିଲା କଳା ଜୋକକୁ-। ବାଡ଼ି ପକାଇ ବାହାର କରିଥିଲା କଳା ନାଲି ରକ୍ତ ପୋଷେ । ନିମୀ ଦେହ ଶୀତେଇ ଉଠିଥିଲା । ଇଟାରେ ଛେଚି ଛେଚି ମାରି ଦେଇଥିଲା ରକତଖିଆ ଜୋକକୁ ।

 

ଅଗିଆ କଟା ହଳା ଛ’ଟି ମୁଣ୍ଡକୁ ଦେଇ ବୁଲା ମନା କରିଥିଲା ନିମୀକୁ ଏ ତାର କ୍ଷେତଉଡ଼ା ଧାନ । ଘରେ ତ ଭାଇ, ଭାଉଜ ଖାଇଦେବେ । ଦେଖିଲେ ଗୁଡ଼ିଆ ଘରେ ପୂରାଇ ଭଜା ଉଖୁଡ଼ାରେ ସାରିଦେବେ । ତୋତେ କିଏ ଦେବ । ଧାନ ସଇଲେ ତୁ କେଉଁଠୁ ଚଳିବୁ । ଏତିକିବେଳୁ ରଖିଥା ଝଡ଼ି ବଢ଼ିକୁ । ଦେଖୁଛୁ ଧାନ ଫସଲ ବାର ନରଖର । ସାଆନ୍ତ ଖଳାକୁ ଗଲେ—ଭୁଲିଯିବ ଧାନ ଗଣ୍ଡାଏ ମୁରୁଛିବାକୁ । ସେହି ହାତଟେକା ପଡ଼ିଗଣ୍ଡାକ ଯାହା । ଘଡ଼ିଏ ପହରେ ଗୋଡ଼ ଭାଙ୍ଗିଲେ ବତୁରା ଚାଉଳରୁ ମାଣେ ଦୁଇମାଣେ । ହାଣ୍ଡିରେ ପକାଇଲେ ଭାତ କେନା କେନା । ଥାଳୀଏ ଖାଇଲେ ପେଟରେ ଜାଉ । ଦୁଇଘଡ଼ି କାମ କଲେ ଯେଉଁ କଥାକୁ ସେଇଆ । ବିଡ଼ି ଟାଣି ଟାଣି ବେଳ ଯିବ ସିନା—ପେଟ ପୂରିବ ନାହିଁ । ସଞ୍ଜ ଯାଇ ରାତି ପହରେ ହେଲେ ସୁଦ୍ଧା ସାଆନ୍ତାଣୀ ତୁଣ୍ଡ ଖୋଲିବ ନାହିଁ ଯିବାକୁ । ପର ପୁଅ ମଲେ ଗଲେ ସେମାନଙ୍କର କ’ଣ ଅଛି । ଆଜି ଧାନ ବିଞ୍ଚିଲେ କାଉ ମାଳମାଳ । ହାତରେ ମାଲ ନଥିଲେ କିଏ କାହାକୁ ପଚାରେ । ଦେଖିଲେ ମୁହଁ ମୋଡ଼ି ଚାଲିଯିବେ । ତୁ ମାଇକିନିଆ ଝିଅଟା କାହା ପାଖୁ ଯିବୁ । ରୁଆ ବଛା ସରିଲେ ମୁଣ୍ଡ କୋଡ଼ିଲେ ସାଆନ୍ତ ଶୁଣିବ ନାହିଁ । ବୁଢ଼ାସାପ ପରି ଖାଲି ଗୁଳେଇ ମୁଳେଇ ହେଉଥିବ । ଖଟି ଖଟି ଆମର ହାଡ଼ ଭାଙ୍ଗୁଛି । କାକର ଖରାରେ ଆମେ ତମ୍ପ ବଣେ ଶୋଇବୁ । ଖାଇଲାବେଳକୁ ସେମାନେ ।

 

ନିମୀ ଆଖି ଯୋଡ଼ିକ କାନ୍ଦି କାନ୍ଦି ଫୁଲି ଯାଇଥିଲା । ରଙ୍ଗ ଚହ ଚହ ଆଖିରେ ସେ ଧକେଇ ଧକେଇ କାନ୍ଦୁଥିଲା । ଜାତି ଭାଇମାନେ ଆଣ୍ଟକରି ବସିଲେ—ବାସି ମଢ଼ା ଉଠାଇବେ ନାହିଁ-। ବଢ଼ିଲା ଝିଅ-ଘିଅକୁ ଖୁଣ୍ଟରେ ବାନ୍ଧିଛି । ପତର ନ ପକାଇଲେ ଦେଇ ଦେଉନାହଁ ସେମିତି । ଯାହା ହାତରେ ହେଲେ ତା’ ହାତରେ ଟେକି ଦେଉନି । କ’ଣ ଆମ୍ବିଳା ହୋଇଗଲା । ଝିଅ ସରାଗ ଦେଖେଇଥିଲା । ଅଣ୍ଡିରାମାନଙ୍କୁ ଘରେ ନଚାଇ ଥିଲା । ଡାକୁନି ସେମାନଙ୍କୁ । ଆଜି ମା’ ମରିଯାଇଛି ବୋଲି ବଡ଼ ବିପଦ । କେଉଁ ବାରବୁଲା ପିଠିରେ ପଡ଼ିବ ଏଇନେ । ଖାଇଲାବେଳକୁ ସମସ୍ତେ । କାମ ପଡ଼ିଲେ କେହି ଗାତରୁ ବାହାରିବେ ନାହିଁ । ନିମୀ ଗୋଡ଼ ଭାଙ୍ଗି ବାରଦୁଆର ହେଲା । ସମସ୍ତଙ୍କ ଗୋଡ଼ ହାତ ଧରିଲା । କାକୁତି ମିନତୀ ହୋଇ ଲୁହ ଗଡ଼ାଇଥିଲା । ହେଲେ କେହି ଦୁଆର ମାଡ଼ି ନଥିଲେ । ଯିବେ ଯିବେ ବୋଲି କହି ରାତି ଗଡ଼ାଇ ଦେଇଥିଲେ । ଆଣ୍ଟକରି ବସିଥିଲେ ପାଞ୍ଚଥର ସାଈଭାତ ପାଇଁ ।

 

ବୁଲା ଚାରିଜଣ ସାଙ୍ଗଧରି ମଢ଼ା ଉଠାଇ ନେଇଥିଲା । ଛୋଟ ସାଆନ୍ତଙ୍କୁ ନେହୁରା ହୋଇ ଟଙ୍କା କରଜ ଆଣିଥିଲା । ଟଙ୍କା ନେଇ ସାଈଭାତ ଦେଇଥିଲା । ମାଜଣାକୁ ଟଙ୍କା ଶୁଝିଥିଲା-। ଗୋସାଇଁକୁ ପେଟଭରି ଖାଇବାକୁ ଦେଇଥିଲା । କ’ଣ ନ କରିଛି । ସହିପାରି ନଥିଲେ ପଡ଼ିଶା ଭାଇ । ନ’ ଛଅ ଲଗାଇ ଭାଇ ଆଗେ ଫୋଡ଼ିଥିଲେ । ହେଲେ ବୁଲା ସଙ୍ଗେ ସଙ୍ଗେ କହିଥିଲା ଭାଇ ଭାଉଜଙ୍କୁ—ଦରକାର ନାହିଁ ଆଜି ଭିନ୍ନ ହୋଇଯାଅ । କେଉଁ ମୋତେ ପୋଷୁଛ । ତୁମ ହାତଟେକାରେ ମୁଁ ଅଛି କି ? ଚାରି ବାହାଥିଲେ ମୁଁ କେଉଁ ଅଚଳ ହେବି । କୋଢ଼ି ହୋଇଛି କି ଶରଣ ପଶିବି । ମୋ କମାଇ ମୁଁ ଖାଉଛି । ତୁମ ମେହନତ ଆଣି ମୁଁ କାହାରିକୁ ଦେଉନାହିଁ । ଯେପରି କରିଥିଲ ସେମିତି ଦଶ ବର୍ଷ ପୋଷିଛି । ଆଉ କ’ଣ ଧମକାଉଛ । ମା’ ଆଜି ସରଗରେ ତାରା ହୋଇଗଲାଣି । ମୁକତି ପାଇଗଲା ।

 

ବାଜା ବାଜି ନଥିଲା । ଶଙ୍ଖୁଆ ଭାଇ ଦୁଇଟା ଫୁଙ୍କରେ ଥକି ଯାଇଥିଲା । ସାଈ ଭାଇମାନେ ଉପରେ ପଡ଼ି କେତେ କହି ନଥିଲେ । କାନେ କାନେ ଫୁଙ୍କିଥିଲେ । ଭାଇ ଭାଉଜଙ୍କୁ ମନ୍ତର ଗୁଣି ଗାରେଡ଼ି କରିଥିଲେ । ଗୋସେଇଁଙ୍କୁ ମନା କରିଥିଲେ ଦୁବ ବରକୋଳିପତ୍ର ପକାଇବା ପାଇଁ । ହେଲେ ବୁଲା କାହାରି କଥାକୁ ମାନି ନଥିଲା । ହାତଧରି ବାହା ହୋଇଥିଲା ଯୁଗ ଯୁଗକୁ କୀର୍ତ୍ତି ରଖିଥିଲା । ଧରମ ମାନି କଥା ଦେଇଥିଲା । ଜହ୍ନ ଦେବତାଙ୍କ ମୁହଁ ଚାହିଁ ସତ୍ୟ କରିଥିଲା ।

 

ଭୋଦୁଅ ଟାଣ ଖରାରେ ମୁଣ୍ଡ ଝାଇଁ ଝାଇଁ ମାରିଯାଉଥାଏ । ସାଆନ୍ତଘର ଗାଈଆଳ ଟୋକା ଧଇଁ ସଇଁ ହୋଇ ଦୌଡ଼ି ଆସିଲା । ପିଣ୍ଡାରେ ବସି ଢାଳେ ପାଣି ପିଇଗଲା । ପଚାରିଲାରୁ କହିଲା ବୁଲା ଭାଇକୁ ସାପ କାମୁଡ଼ି ଦେଇଛି । ମହାଦେବଙ୍କ ବେଢ଼ାରେ ପାଣି ଢଳା ହେଉଛି । ଗାତରୁ କଙ୍କଡ଼ା ଧରୁଥିଲା । ଗୋଖର ସାପଟା ଦୁଇବାର ଚେତାଇ ଦେଲା । ସମ୍ମାଳି ପାରିଲା ନାହିଁ ତିନିବାରରେ ମୁହଁ ତାର ନେଳିଆ ପଡ଼ିଗଲାଣି । କେତେ ଯେ ପାଣି ଢଳାଗଲାଣି । ଗୁଣିଆକୁ ନିଧିଆ ଡାକିବାକୁ ଯାଇଛି—ଏ ଯାଏ ଫେରିନାହିଁ । ସାନ ସାଆନ୍ତ ଜଗିଛନ୍ତି । ମୋତେ ପଠାଇଲେ ତୋତେ ଡାକି ନେବାକୁ ।

 

ଜୁଇଟା ଜଳି ଜଳି ଲିଭି ଯାଇଥିଲା ମେଲା ଦଣ୍ଡାରେ । କାଚ, ଦୁଇମୁଠା ଭାଙ୍ଗି ଯାଇଥିଲା ଅନେକ ବେଳରୁ । ଧାର ଧାର ଲୁହରେ ସେ ସେଦିନ ବେହୋସ ହୋଇଯାଇଥିଲା । ଚେତା ଫେରିଲା ବେଳକୁ ସାଈ ଭାଇ ପତର ପାଖରୁ ଉଠିଯାଇଥିଲେ । ମିଞ୍ଜିମିଞ୍ଜି ଡିବି ଆଲୁଅ ତଳେ ବୁଲା ଭାଉଜ ଶୋଇଗଲାଣି କେତେବେଳୁ ।

 

ଦୁଆର ଖୋଲି ନିମୀ ଅଗଣାରେ ଛିଡ଼ାହେଲା । ରଣିଫୁଲିଆ ଜହ୍ନ । ସିଂଘାଟା ବହୁ ଦୂରରେ ବାଜୁଥିଲା । ଦାଣ୍ଡରେ ଝିଅ ବୋହୂମାନଙ୍କ ଲହରିଆ ଗୀତ । କାନଫଟା ହସ । ଥଟ୍ଟା ତାମସା । ଦରଫୁଙ୍କା ବଇଁଶୀ ବାଜିଉଠିଲା ବହୁ ଦୂରରେ । ଲଣ୍ଡାମଶାଣୀ ସେପାଖେ ।

 

ଲମ୍ବିଥିବା ପାଳଦଉଡ଼ା ଓହଳି ଆସୁଥିଲା ଆଲୁଅରେ । ଖୁବ୍ ଲମ୍ବା । ସୁଲୁ ସୁଲୁ ପବନରେ ହଲୁଥିଲା ଏପଟ ସେପଟ ହୋଇ । ଉଲୁରୀ ଥିବା ମୁଣ୍ଡଟା ଫଣା ଟେକିଥିଲା ଉପରକୁ । ନିମୀର ଚେଇଁଲା ଆଖି ଶୋଇ ଆସୁଥିଲା ଅଜଗର ପାଟିରେ ।

Image

 

Unknown

ଆଇନ୍ କାନୁନ୍

 

ଟେଲିଗ୍ରାମ ପାଇବାମାତ୍ରେ ସବିତା ବ୍ୟସ୍ତ ହୋଇପଡ଼ିଲେ । ପ୍ରତ୍ୟେକ କଥାକୁ ପଛକୁ ପକାଇ ସେ ଦିନ ରାତିରେ ସେହିକଥା କହିଚାଲିଥାନ୍ତି । ଘର କାମରୁ ଟିକିଏ ଫୁରୁସତ୍ ମିଳିଲେ । ପୁଣି ଆରମ୍ଭ କରନ୍ତି ସରିଥିବା କାହାଣୀ । ଦୁଇଦିନ ପୂର୍ବରୁ ଘରଦ୍ଵାର ସଫାସୁତୁରା କରି ଦେଇଥିଲେ । ଅସଜଡ଼ା ଦରବକୁ ସଜାଡ଼ି ଥିଲେ । ମଇଳା ଲୁଗାପଟା, ମାଣ୍ଡିଖୋଳ, ବିଛଣା ଚଦର, ଦରଜା-ଝରକା ପରଦା ଭଲକରି ଇସ୍ତ୍ରୀ କରିବାକୁ ବରାଦ ଦେଇଥିଲେ । ମସିଆ ପଡ଼ିଥିବା ଛବିଗୁଡ଼ିକ ଧୋଇ ଠିକ୍ ଭାବରେ ଟାଙ୍ଗି ଦେଇଥିଲେ । ଦିନେ କାଳେ ଫିଟେଇ ନଥିବା ବହିଆଲମାରୀକୁ ନିଜେ ସାଇତି କରି ରଖିଥିଲେ । ମୁନା ମୁନିର ଅନେକ ଏପଟ ସେପଟ ଖେଳନାଗୁଡ଼ାକୁ ଗୋଟି ଗୋଟି କରି ବାଗେଇ ଦେଇଥିଲେ । ନିଜର ଲୁଗାପଟାଠାରୁ ନିଜ ଦେହକୁ ସଜାଇବାରେ ଲାଗିଯାଇଥିଲେ । ସମୟେ ସମୟେ ବିରକ୍ତ ହେଉଥିଲେ ଘରେ ରହିଥିବା ଅସଜଡ଼ା ଜୀବଗୁଡ଼ାକ ଉପରକୁ । ଯେତେ ବାଗେଇଲେ ସୁଦ୍ଧା ସେହି ଛିନ୍‌ଛତ୍ର । ଭଲଲୋକ ମନ୍ଦଲୋକ ଧାଡ଼ି ଲାଗିଛନ୍ତି । ସବୁବେଳେ ମେସିନ୍ ପରି କେତେ ବାଗେଇବ । ଦିନରାତି ଏ ଜିନିଷ ଏଠାରେ ନାହିଁ—ସେଠାରେ । ଯାହା ଯେଉଁଠୁ କାଢ଼ିବେ ଭୁଲି ଯାଇଥିବେ ରଖିବାକୁ । ଯେତେ ଯାହା କଲେ ଘଣ୍ଟାକରେ ସେଇ କଥା । ନାହିଁ, ହେବ ନାହିଁ । ଏହାପରେ କିଛି ଗୋଟାଏ ନିୟମିତ ଆଇନ୍ କରିବାକୁ ହେବ । ଘରଲୋକ ସବୁବେଳେ ଏହିପରି ହେଲେ କିଛିଦିନରେ ଜଙ୍ଗଲ ହୋଇଯିବ । ସେମାନେ ସବୁ ଚାଲିଯାଆନ୍ତୁ, ତାହାପରେ ସବୁ କରିବାକୁ ହେବ ଏକ ନିର୍ଦ୍ଦିଷ୍ଟ ସମ୍ବିଧାନ ଅନୁଯାୟୀ-। ଆଉ ଚାକର ମଧ୍ୟ ସେହିପରି ଏକ ଅଦ୍ଭୁତ ଜୀବ ।

 

ଦିନ ଯେତିକି ପାଖେଇ ଆସିଲା ସବିତା କାମ ସେତିକି ବଢ଼ିବାକୁ ଲାଗିଲା । ସବିତାର ହାତ ଚଞ୍ଚଳପରେ ଅସଜଡ଼ା ଗୃହଟି ସଜାଡ଼ି ହୋଇଗଲା । ମୁନା ମୁନିଙ୍କୁ ତାଗିଦା କରାଗଲା କୌଣସିଥିରେ ହାତ ନ ମାରିବା ପାଇଁ । ଦରକାର ହେଲେ ପଚାରି ଯାହା କରିବେ, ନାହିଁ ତ ଚାକରକୁ କହିବେ । ଅତି କମରେ ଏହି ସପ୍ତାହଟି ସେହିପରି ଚଳିଯାଅ ଖେଳଣାଠୁ ବହି ବିଛଣା ପତ୍ର କାହିଁରେ ହାତଦେବା ଦରକାର ନାହିଁ । ତଳ ଘରେ ପଢ଼ାପଢ଼ି କର । ଶୋଇବା ମଧ୍ୟ ସେହି ତଳେ ହେବ । କୌଣସି ଗୋଟିଏ ଏପଟେ ସେପଟ ହେଲେ ଦଣ୍ଡ ଦିଆଯିବ । ଖୁବ୍ କଠୋର । ଦରକାର ପଡ଼ିଲେ ଖାଇବା ମଧ୍ୟ ବନ୍ଦ କରି ଦିଆଯିବ ।

 

ଚାକର ଭୋଳାକୁ ତର ନଥାଏ । ମା’ଙ୍କ ବରାଦ । ଶୋଇ ପଡ଼ିଲେ ହେବନାହିଁ । ଯେମିତି ହେଉ ଯେପରି ବା ହେଉ କରିବାକୁ ପଡ଼ିବ । ବଜାର ସଉଦାଠାରୁ ଘରସଫା ବାରଅଣା କାମ ଭୋଳାର । ଭୋଳାର ଅଫିମ ପଇସା ବଢ଼ିଯାଇଛି ସତ, ହେଲେ କାମଟା ବଡ଼ ଜୋର । ସନ୍ଧ୍ୟାବେଳ ଛାଡ଼ି ଭୋଳା ଦିନରେ ବେଳେବେଳେ ଟେଳାଏ ପକାଇ ଦେଉଛି । କାମ କରିବାକୁ ପଡ଼ିବ—ଗୋଡ଼ ହାତରୁ ପରାଶ ଯିବ । ନ ହେଲେ କାମ ବନ୍ଦ—ସେଥିରେ ଗାଳି ।

 

ଟାଇଗର ଦୁଇଦିନ ହେବ ଗାଧୋଇନାହିଁ । ଖାଇବା ବାସନ ମଧ୍ୟ ଅସନା । ମାଛି ବେଢ଼ିଲେଣି ଭଣ ଭଣ । ଆଠଦିନ ତଳେ ସଫା ହୋଇଥିବା ଟାଇଗର ନରମା ରୁମ ଟାଣ ଧରି ଆସିଲାଣି । ଖାଇବା ଥାଳୀର ମାଛିଗୁଡ଼ାକ ଟାଇଗର ଉପରେ ବସୁଛନ୍ତି । ଟାଇଗର ସମୟେ ସମୟେ ବିରକ୍ତ ହୋଇ ଭୁକି ଉଠୁଛି । କାନ୍ଥ ଉପରେ ବସୁଥିବା ମାଛିଗୁଡ଼ାକୁ ଗୋଡ଼ରେ ଆମ୍ପୁଡ଼ି ଆଣୁଛି । ଉପର ଦେଇ ଉଡ଼ୁଥିବା ମାଛିକୁ ଦେଖି ଉହୁଁକି ଯାଉଛି । କାମ ଟିକିଏ ଶାନ୍ତିରେ କରାଇ ଦେଉନାହିଁ । ଖାଇଲେ ବସିଲେ ସେଇ ଗାଉଁ ଗାଉଁ ହେଉଛି । ଚୌକିଟିକୁ ଆମ୍ପୁଡ଼ି କାମୁଡ଼ି ଆଜେ ବାଜେ ଗାର କାଟି ଦେଲାଣି । ତଥାପି ରାଗ ସେହି ଆଖି ଦେଇ ଉଡ଼ୁଥିବା ଜୀବଗୁଡ଼ାକ ଉପରେ । ସବିତା ମନେ ମନେ ଚିଡ଼ି ଉଠିଲେ ଚାକର ଉପରେ । ସବୁବେଳେ କଳ ଗାଉଣାପରି କହିବାକୁ ପଡ଼ିବ । ବତାଇବାକୁ ପଡ଼ିବ ଦିନ, ବାର, ସମୟ ଦେଖି । ଏତେଦିନ ଚାକିରି କଲେ ମଧ୍ୟ କୌଣସିଥିରେ ଠିକ୍ ଠିକଣା ନାହିଁ । ପଇସା ନେଲାବେଳକୁ, ସନ୍ଧ୍ୟାରେ ଅଫିମ ଖାଇବା ଠିକ୍ ମନେ ପଡ଼ୁଛି । ଆଉ ପାଟି ଫିଟୁନଥିବା ଜୀବ ପ୍ରତି ସମୟଟା ଭୁଲିଯାଉଛି । ଘର ଯେପରି ଘରମଣିଷଠାରୁ ଚାକର କୁକୁର ସବୁ ଏକା ଭାଡ଼ିର ପାରା । ଯେତେ ଯାହା କଲେ ପୁଣି ସେହି ଦିନ କେତେଟାରେ ଯେଉଁ ମଶାଣିକୁ ସେଇଆ ।

 

ଦିନ ଗଡ଼ିଚାଲିବା ପରେ ସବିତାଙ୍କ ଉଜୁଡ଼ା ଗୃହଟି ସଜାଡ଼ି ହୋଇଉଠିଲା । ବଡ଼ ଛୋଟ ସେଥିରେ କେହି ବାଦ ପଡ଼ିଲେ ନାହିଁ । ଚାକର କୁକୁରମାନଙ୍କ ପ୍ରତି ଫିଟିଥିବା ନିୟମ କାନୁନ୍ ସମୟେ ସମୟେ ସମସ୍ତଙ୍କ ପ୍ରତି ଲାଗୁ ହେବାକୁ ଲାଗିଲା । ପଢ଼ିଥିବା ରାଜନୀତି ନିୟମାବଳୀ ସୂତ୍ରରେ ସବିତା କାନ୍ଥ ବାଡ଼ରେ ନ ଲେଖିଲେ ସୁଦ୍ଧା ମୁହେଁ ମୁହେଁ ସମସ୍ତଙ୍କୁ ଶୁଣାଇଦେଲେ । କାନରେ ଶୁଣିବା ପରି ଥରେ ଅଧେ ନୁହେଁ ଖାଇଲା ଶୋଇଲାବେଳେ ତାହା ଅଧିକତର ଲାଗୁ ହେଲା । ଭୋଳାକୁ ଅଫିମ ଦେବାବେଳେ ସବିତା ଆଚ୍ଛାତରେ ଶୁଣାଇ ଦେଲେ ପୁଣି ଥରେ ସେହି ପୁରୁଣା ନିୟମକୁ । ଟାଇଗରକୁ ଖାଇବାକୁ ଦେବାବେଳେ ଦୁଇଗୋଇଠା ଦେଇ ଚୁପ୍‌ଚାପ୍ ଖାଇବାକୁ କହିଲେ । ମୁନା କଣ୍ଢେଇ ବାହାର କରିବାବେଳେ ଆଖି ଦେଖାଇ କହିଥିଲେ ସବୁଦିନ ସେହିଠାରେ ରଖିବାକୁ । ଗାଡ଼ି ଚାବିଟା ମୋ ହାତକୁ ଦେଇ ଶୁଣାଇଦେଲେ ସେ ଡ୍ରୟାରରେ ରଖିବାକୁ । ଶୁଣିଥିବା ନିତିଦିନ କଥାକୁ ହେଜି ହେଜି ଯାଉ ଯାଉ ମୁଁ ରାସ୍ତାରେ ଝୁଣ୍ଟି ପଡ଼ିଥିଲି । ପାଖଘରୁ ସବିତା ଦୌଡ଼ି ଆସିଥିଲେ । ପଟି ବାନ୍ଧୁ ବାନ୍ଧୁ ଚେତାଇ ଦେଇଥିଲେ ମୋତେ-। ଟଙ୍କା ଥଳୀଟା ମୋ ହାତକୁ ବଢ଼ାଇ ଦେଇଥିଲେ ଖୁବ୍ ହୁସିଆରରେ । ଅବେଳାରେ ମୁନାକୁ ବାହାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଘଣ୍ଟାକୁ ଚାହିଁଲି ଦଶଟା ବାଜିଛି । ଛୁଟିଥିବାପରି ମନେହେଲା ନାହିଁ । ସ୍କୁଲ ଛୁଟିଥିଲେ ମୁନା ସ୍କୁଲ ପୋଷାକ ପିନ୍ଧିନଥାନ୍ତା । ସାଥିରେ ମୁନି ନାହିଁ । ଫେରିଆସି ପଚାରିଲି ମୁନାକୁ—କିରେ ସ୍କୁଲକୁ ଯାଇନାହୁଁ କାହିଁକି ? ମାମି ନ ଥିଲେ ଗାଧୋଇବାକୁ ଯାଇଥିଲେ । ମୋ ବହି ବ୍ୟାଗ୍ ଆଲମାରୀରେ ରଖିଦେଇଥିଲେ । ଭୋଳାକୁ ମାଗିଲି ସେ ଦେଲା ନାହିଁ । ମାମି କହିଛନ୍ତି ମୋତେ ନ ପଚାରି କେଉଁଥିରେ ହାତ ଦେବୁ ନାହିଁ । ଦେଲେ କଠୋର ଦଣ୍ଡ ଦିଆଯିବ । ତା’ ବାଦେ ମ୍ୟାଡ଼ମ୍‌ଙ୍କୁ ଜଣାଇ ଦିଆଯିବ ସ୍କୁଲରେ । ଖାଇବା ମଧ୍ୟ ବନ୍ଦ କରି ଦିଆଯିବ-। ତୁମେ କ’ଣ ଡାଡ଼ି ଜାଣିନାହଁ, ମ୍ୟାଡ଼ମ୍ କହୁଥିଲେ ମାମି, ଡାଡ଼ିଙ୍କ କଥା ମାନିବ । ଅବାଧ୍ୟ ହେଲେ ସ୍କୁଲରୁ ବାହାର କରି ଦିଆଯିବ । ସେ ଦୁଷ୍ଟ ହୁଏ ସେ ଭଲ ପାଠ ପଢ଼େ ନାହିଁ । ମାମି ତ ନ ଥିଲେ ସ୍କୁଲକୁ ଯାଇଥାନ୍ତି କିପରି ?

 

ଘର ଭିତରେ ଦେଖେ ମୁନି ତଳେ ଶୋଇଛି । ସ୍କୁଲ ସାର୍ଟଟି ଖଣ୍ଡେ ଦୂରରେ ପଡ଼ିଛି । ହାତରେ ଖାଇଥିବା ଅଧା ସେଉ । ଦୁଇ ତିନୋଟି ମାଛି ବେଢ଼ିଥାନ୍ତି । ବାରଣ୍ଡାରୁ ଟାଇଗର ଭୁକି ଉଠୁଛି । ମୁନି ରାଗରେ ଟାଇଗରକୁ ଗୋଡ଼ ହଲାଉଛି । ମୁନିକୁ ତଳୁ ଉଠାଇ ପଚାରିଲି ତୁ କାହିଁକି ସ୍କୁଲକୁ ଯାଇ ନାହୁଁ । ମୁନି ମୋତେ ଦେଖି କାନ୍ଦି ଉଠିଲା । କୋଳକୁ ନେଇ ବୁଝାଇଲି । ହେଉ କ’ଣ ହେଲା ତୋର । ମୁଁ ଥାକରୁ ବ୍ୟାଗ୍ ବାହାର କରୁ କରୁ ବହିଗୁଡ଼ାକ ହାତରୁ ଖସିପଡ଼ିଲା । ମାମି ମୋତେ ମାରିଲେ । କହିଲେ ତୋର ଆଜି ସ୍କୁଲ ବନ୍ଦ । ତୋତେ ଖାଇବାକୁ ଦିଆଯିବ ନାହିଁ । ମୁନି ଧକେଇ ଧକେଇ କାନ୍ଦି ଉଠିଲା । ପିଠି ଥାପୋଡ଼େଇ ବୁଝାଇଲି । ହେଉ ବୁଝିବା, ମୁଁ ତୋ ପାଇଁ ଆଜି ବିସ୍କୁଟ, ଖେଳନା ଆଣିବି । ଆଉ କାନ୍ଦନା ।

 

ଭୋଳାକୁ ଖୋଜିଲି । ଚାରିଆଡ଼େ ଚାହିଁଲି । ମୁନାକୁ ପଚାରିଲି ସେ ମନା କଲା । ବାହାରକୁ ଆସି ଦେଖେ ଭୋଳା ଘୁମାଉଛି । କିରେ ଏଠି କ’ଣ ଶୋଇଛୁ ? କାଲି ଶୋଇନାହୁଁ କି ? ନା ବାବୁ, ମା’ ବଜାରକୁ ଯାଇଛନ୍ତି କ’ଣ କିଣିବାକୁ । ମନା କରିଛନ୍ତି ଖଞ୍ଜାରେ କାହାରିକୁ ପୂରେଇ ନ ଦେବା ପାଇଁ । ସବୁ ଘରଦ୍ଵାର ସେ ଧୋଇ ସଫା କରିଛନ୍ତି । ହପ୍ତାଏ ହେବ କାମକରି ସବୁ ବାଗେଇଛନ୍ତି । ସେ ଆସିଲେ ଆପଣ ଅଫିସ୍‍ ଯିବାକୁ କହିଛନ୍ତି ।

 

ଭିତରକୁ ପଶିଲା ମାତ୍ରେ ଟାଇଗର ଭୁକି ଉଠିଲା । ମୋତେ ଦେଖି ଲୁହା ଶିଙ୍କୁଳୀ ଭିଡ଼ିବାକୁ ଲାଗିଲା । ଭୋଳାକୁ ପଚାରିଲି ଟାଇଗର ଖାଇନାହିଁ କି ? ନା ବାବୁ । ସେ ସଫା ହେଲେ ତାକୁ ଖାଇବାକୁ ଦିଆଯିବ । ମା ନିଜେ ରହିଲେ ସେ ଗାଧୋଇବ ।

 

ଘଣ୍ଟାକୁ ଚାହିଁଲି ଏଗାରଟା ବାଜିବ । ଅଫିସ୍‍ ବେଳ ଗଡ଼ିଗଲାଣି । ଗାଡ଼ିଚାବି ଖୋଜିଲି-। ସବୁଥିରେ ଗୋଟିଏ ଗୋଟିଏ ତାଲା ପଡ଼ିଛି । ପୁଣି ଥରେ ଚାରିଆଡ଼େ ଆଖି ବୁଲାଇ ଆଣିଲି । ଆଖିରେ ପଡ଼ିଲା ସବିତାର ହାତ ଅକ୍ଷର କେତେ ଧାଡ଼ି । ଟେବୁଲ ଉପରେ ସେହି ଆଇନ୍ ପୁସ୍ତକ ମେଲାଇ ହୋଇ ପଡ଼ିଛି । ପାଖରେ କଲମଟିଏ ଗଡ଼ୁଥାଏ । ନିୟମ ନ ମାନିଲେ ସମାଜରେ ଯେପରି ଅବ୍ୟବସ୍ଥା; ପାରିବାରିକ ଜୀବନରେ ସେପରି ବିଶୃଙ୍ଖଳା ଦେଖାଯାଏ । ଆଇନ୍ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହେବା ଦରକାର । ଯେଉଁଥିପାଇଁ ଦିନେ ଫ୍ରାନ୍‌ସ, ଇଂଲଣ୍ଡ, ଋଷିଆ, ଆମେରିକାରେ ବିରାଟ ଆନ୍ଦୋଳନ ହୋଇଥିଲା ସେହିପରି ମଧ୍ୟ ଜାର, ଲୁଇସ୍ ଆଦି ଶ୍ରେଷ୍ଠ ରାଜବଂଶର ପତନ ଆଣିଥିଲା । ଆଇନ୍ ଅମାନ୍ୟ କଲେ ଦଣ୍ଡ ସୁନିଶ୍ଚିତ । ରଜା-ପ୍ରଜା, ଧନୀ-ଦରଦ୍ର କାହାରିପାଇଁ ଆଇନ୍ ଉଚ୍ଚ-ନୀଚ୍ଚଭାବେ ଲାଗୁ ହେବନାହିଁ ।

 

ମୁନା, ମୁନି, ଭୋଳା ଟାଇଗର ସମସ୍ତେ ଯେପରି ଏକ ବିରାଟ ଭୁଲ୍ କରିଥିଲେ । ନୀରବରେ ସମସ୍ତେ ମୋ ମୁହଁକୁ ଚାହିଁ ରହିଥିଲେ । ଚୌକିରେ ବସିଥିଲେ ମଧ୍ୟ ମୁଁ କିଛି ସମାଧାନ କରି ପାରୁନଥିଲି । କାହାକୁ ଦୋଷ କିମ୍ବା ଦଣ୍ଡ, ନିର୍ଦ୍ଦୋଷୀ କି ଛାଡ଼ିଦେଇ ପାରୁନଥିଲି । କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସବିତା ଘରେ ପଶି ଆସିଲେ । ଅନ୍ୟମାନେ ତଟସ୍ଥ ହୋଇ ଚାହିଁ ରହିଥିବା ବେଳେ ମୁଁ ଚୌକିଟି ଛାଡ଼ି ଛିଡ଼ା ହୋଇଯାଇଥିଲି ନୀରବରେ ।

Image

 

ଅଶୁଭ ଛାୟା

 

କାଳି ବିଲେଇ ଆଗଦେଇ ପାର ହୋଇଗଲା । ଅଢ଼େଇ ପାଦ ପଛକୁ ଯିବା ଦରକାର । ଛିଡ଼ା ହୋଇ ପରୀକ୍ଷା କରିଦେବା ଭଲ । ପୁଣି ଲେଉଟିପାରେ । ପୁନଶ୍ଚ ଏପଟ ସେପଟ ହୋଇପାରେ । ବାଁରୁ ଡାହାଣ । ଉତ୍ତର-ପଶ୍ଚିମ । ଗୋଡ଼ ଟେକି ଚାହିଁପାରେ । ମିଆଉଁ ମିଆଉଁ ବୋବାଇପାରେ । ନ ହେଲେ ଛିଙ୍କି ଦେବ । ରାତିରେ ତା ଆଖି ଦୁଇଟି ନିଆଁପରି ଜଳେ । ପ୍ରେତ ଗଲାପରି ଦିଶେ । ମଣିଷ ଦେଖିଲେ ଠିଆ ହୋଇ ଚାହେଁ । ବୋବାଇବା ଅଭ୍ୟାସ ଛାଡ଼େ ନାହିଁ । ଶିକାର ଦେଖିଲେ ଚୁପ୍‌ଚାପ୍ ଲେପେଟାଇ ପଡ଼େ । ବଡ଼ ଚାଲାକ୍ । ନିଶ ଗଳିଗଲେ କେହି ରୋକିପାରିବେ ନାହିଁ । ସାପକୁ ରୋକିଲା ଜନ୍ତୁ । ବଙ୍କେଇ ବଙ୍କେଇ ଲୁଚି ଲୁଚି କେଉଁ ଖଞ୍ଜରେ ନଖମାରେ କେହି ଠଉରେଇ ପାରିବେ ନାହିଁ । ନ ଦେଖିଲେ ଖଣ୍ଡ ଖଣ୍ଡ କରି ଚୋବାଇ ଯିବ । ସାଲୁବାଲୁ କରି ରକ୍ତ ବାହାର କରିଦେବ । ଛୁଆ ଖାଇ ସର୍ବନାଶୀ । କି ଅସଣା ଅବର୍ଜିଆ ଜନ୍ତୁ ଏଗୁଡ଼ାକ । ପେଟର ଛୁଆକୁ ଗଡ଼େଇ ଗଡ଼େଇ ଖାଇଯିବେ । ଜନମ କଲାମାତ୍ରେ ବାର ହାଣ୍ଡିଶାଳ ତେର ଢିଙ୍କି ନାଞ୍ଜି ହେଉଥିବେ । କେଉଁଠି ଟିକିଏ ସମ୍ଭାଳି ରଖିବେ ନାହିଁ ।

 

ନିଶୂନ୍ ଗହୀର । ମଲ୍ଲୀଫୁଲିଆ ଜହ୍ନ ରାତି । ସଫା ରାସ୍ତାରେ ଖାଲ ଢିପ ସମାନ । ଗହୀର ସେପାଖେ ଧାଡ଼ି ଧାଡ଼ି କିଆବଣ । ମଝି ଗହୀରରେ କୁଞ୍ଜମା ଆମ୍ବ ନଡ଼ିଆ ଗଛ । ଡାହାଣୀ ଝଡ଼ା ବରଗଛ । ପାଗେଳୀର ମାସିକିଆ ପାଳି । ପାଗେଳୀକୁ ଡାହାଣୀ ଲାଗେ । ସେ ଭଲ ହୁଏ ସେଠାରେ । ପୁଣି ମାସ ଶେଷରେ ଯେଉଁ କଥାକୁ ସେଇଆ । ଯେତେ ଯାହା କଲେ କ’ଣ ହେବ ତା’ଠାରେ ଡାହାଣୀ କଳା ଅଛି । ଉଦୁଉଦିଆ ଖରାବେଳେ କଞ୍ଚା ଡାହାଣୀ ତାକୁ ଗ୍ରାସିଯାଏ । ମଣିଆ ସେଠାରେ କିପରି ପିଲାକବିଲା ନେଇ ରହୁଥିଲା । ଚାରିପଟେ ବିଲ । ଡାହାଣୀ ଚିରୁଗୁଣୀ ମାଳ ମାଳ । ଘରୁ ବାହାରିଲେ ଦେହ କଳିବାକୁ ପଡ଼ିବ । ବଡ଼ ନିର୍ଭୟ ଲୋକ । ମାଇପିଟା ସେପରି ମିଳିଥିଲା । ପାଞ୍ଚଟା ମରଦର କାମ କରିବ । ବିଲଠୁ ଘର ଯେ କେଉଁଥିରେ ପଛଘୁଞ୍ଚା ନୁହେଁ । ଜାଗାଟିକୁ କରିଥିଲା ଏକା କୁଞ୍ଜବନ । ଖରାବେଳେ ବସିଲେ ନିଦ ଲାଗିଯିବ । ଶୋଇଲେ ବେଳ ଚାଲିଯିବ । ସବୁ ଚୋରି ଦରବରେ ପୂର୍ଣ୍ଣ କରିଥିଲା । ହେଲେ ମଲାପରେ ସବୁ ହତଶିରୀ ହୋଇଗଲା । କିଏ କେଉଁଆଡ଼େ ବୋହିନେଲେ ନଡ଼ିଆ କଷିଟେ ଖୋଜିଲେ ମିଳିବ ନାହିଁ ।

 

ଆରପଟେ ଅଚିହ୍ନା ଦିଅଁ । ଯୁଗ ଯୁଗ କାହିଁ କେତେ ଯୁଗ ଗଲାଣି । ବୃକ୍ଷ ରାଜା ସେହିପରି ଅଛି । କି ପରମାୟୁ । ବାରମାସରେ ଭଳି ଭଳିକା ଫୁଲ । ରଙ୍ଗ ଯେ ସାରା ଗହୀରକୁ ଚହଟିଯାଏ । ବାସନାରେ ଜାଇ, ଜୁଇ, ମଲ୍ଲୀ ପାସଙ୍ଗରେ ପଡ଼ିବ ନାହିଁ । ଗଲାଲୋକର ଆଖି ଖୋସି ହୋଇଯିବ । କି ମହିମା ତାର । କେତେ ବୈରାଗରୁ ନ ବଞ୍ଚାଉଛି । ଥାପେ ମାତ୍ର ଫୁଲ, ପତ୍ର ଡାଳ ପଡ଼ିଲେ କେତେ କେତେ ଅଚିହ୍ନା ବ୍ୟାଧି ଚାଲିଯାଉଛି । ଡାକ୍ତର ବଇଦଙ୍କ ଆଖି ପାଉ ନ ଥିଲାବେଳେ ସତେ ବୃକ୍ଷଟାର କି ମାହତ୍ମ୍ୟ । କେଉଁ ମହାପୁରୁଷ ସେଠାରେ ବିଜେ କରିଛନ୍ତି ଜାଣିହୁଏ ନାହିଁ । ଚିହ୍ନିହୁଏ ନାହିଁ ନାମ ଗୋତ୍ର । ବାଆଜୀଟା ସେମିତି ମିଳିଛି । ଦିନରାତି ଖଟିକରି ବଳେଇ ଦେଲାଣି ଜାଗାଟିକୁ । ବାର ଲୋକଙ୍କ ଗହଳି ହେବ ନାହିଁ ତ ଆଉ କ’ଣ ।

 

ଧଳା ବଉଦ ଭାସିଗଲା ଚାଳ ଉପରେ । ଦଣ୍ଡା ତାଳଗଛ ଗଣ୍ଡା ଗଣ୍ଡା ହୋଇ ମିଳାଇଗଲା କ୍ଷଣିକ ପାଇଁ । ମଢ଼ ପଡ଼ିଆ । ଗଦା ଗଦା ହାଡ଼ ବଣ । ସାଇ ସାଇଆଙ୍କ ମଶାଣୀ । ସେପଟେ ଭୋଇ ସାଇ ମଡ଼ା ପୋଡ଼ା ହୁଏ । ଦୀନା ପୁଅଟା ସେପାଖେ ପୋଡ଼ା ହୋଇଥିଲା । ଏଡ଼େବଡ଼ ଗାଡ଼ରୁ ବିଲୁଆ ଭିଣିଭିଣା କରି ଖାଇଯାଇଛନ୍ତି । ମୁଣ୍ଡଟା ଆଠଦିନ ଯାଏ ଗଡ଼ୁଥାଏ । କାଲୁଣୀ ଗୋବର ଗୋଟାଇଲାବେଳେ ଡରି ଯାଇଥିଲା । ଦୀନା ମାଇପ ବାହୁନି ବାହୁନି କେତେଦିନ ଯାଏ କାନ୍ଦୁଥିଲା । ବାର ଦିଅଁ ତେର ଓଷା କରି କେତେ ଦିନରେ ପିଲା ଖଣ୍ଡେ ପାଇଥିଲା । ଶେଷରେ ସେହି କୋଳଶୂନ୍ୟ । ଦିଅଁଙ୍କର କି ବରାଦ । କାହାକୁ ଦେଇଛନ୍ତି ତ ଦାନା କନା ମିଳୁନାହିଁ । କିଏ ଡାକି ଡାକି ତଣ୍ଟି ଶୁଖିଯାଉଛି ଖଣ୍ଡେ ନାଣ୍ଡିଛୁଆ ଦେଇନାହାନ୍ତି । ଦୀନବାନ୍ଧବ ସବୁ ତୁମରି ଲୀଳା । ତୁମ ମାୟା ବ୍ରହ୍ମାଙ୍କୁ ଅଗୋଚର । ଛାର ମଣିଷ କାହୁଁ ବୁଝିବ ।

 

ଧରସ ଜୋରଟା ପାର ହୋଇଗଲା । ବଡ଼ ଲମ୍ବା ସିରା ସେତୁଅ ଭଳି ହୋଇଛି । ଲାଗିଛିତ ଲାଗିଛି । ହନୁ ଲାଙ୍ଗୁଳ ପରି ବାଆନେ ହାତେ । ଦୋଫସଲୀ ନ ହେଲେ କ’ଣ ହେବ । ମାଟି ଖଣ୍ଡେ ଏକା । ଚାଖଣ୍ଡେ ବଢ଼ିଲେ ପରବାୟେ ନାହିଁ । କାଟିଲାବେଳକୁ ନଡ଼ା ବିଡ଼ାକ ଟେକିହେବ ନାହିଁ । ହାତେ ଲେଖାଏଁ କେଣ୍ଡା ଛାଡ଼ିଥିବ । ନଡ଼ାଗୁଡ଼ାକ ଭୋଡ଼ଙ୍ଗା ହୋଇଯାଏ । ଦୋକଟା ନ କଲେ ଅମଳ କରିବା ମୁଷ୍କିଲ । ପାଳକୁ ଏକା ପାଳ ଗଦାଏ । ବରଷକ ଗୋରୁ ଖାଉଥିବେ । ଧାନକୁ ପଚାରେ କିଏ । ଯେଉଁଥିରୁ ହେଲେ ମିଳିଲେ ଗଲା । ପାଳ ଥିଲେ ଗୋରୁ ବଞ୍ଚିବେ । ଧାନ ହେଲେ ମଣିଷ ମୂଲ୍ୟ ଉଠେ ।

 

ଚମକି ପଡ଼ି ମଙ୍ଗା ଦଣ୍ଡେ ଛିଡ଼ା ହୋଇଗଲା । ସର ସର ହୋଇ ଚାଲିଯାଉଥିବା ଜନ୍ତୁକୁ କ୍ଷଣେ ଚାହିଁଲା । ଛାତିଟା ଦମ୍‌ଦମ୍ ହୋଇ ଉଠପଡ଼ ହେଲା । ଛାତିରେ ବିଣ୍ଡାଏ ଛେପ ପକାଇ ଦମ୍ ନେଲା । ଲମ୍ବା ଜନ୍ତୁଟା ହେବ । ଆସ୍ତିକ ଆସ୍ତିକ ହୋଇ ଘଡ଼ିଏ ଜପକରି ମଙ୍ଗା ହିଡ଼ ଧରିଲା । ବାଡ଼ିକୁ ବାଟରେ ଠକ୍ ଠକ୍ କଲା । ଦମ୍ଭିଲା ଛାତିଟା କୋହଳ ହୋଇ ଉଠିଲା । କଳା ବଉଦ ଏ ପର୍ଯ୍ୟନ୍ତ ଲାଗି ରହିଛି । ଜହ୍ନ ବଉଦ ଦେହରେ ଲୁଚକାଳି ଖେଳୁଛି । ସଫା ରାସ୍ତା ମସିଆ ହୋଇଯାଉଛି । ପୁଣି ଚାନ୍ଦ ମାଛ ପରି ଦେଖାଗଲାଣି । ହେଉ ଦୁଇଠାବ ଗଲାଣି । ବଡ଼ ଭିଡ଼ଟା ପାର ହୋଇଗଲେ ଗଲା । ଯାହା କପାଳରେ ଥିବ । ମଣିଷ ମରଣ ଦଇବ ହାତରେ । ଆଜି ନ ହେଲେ କାଲି । କାଲି ନ ହେଲେ ଆଉ କେଉଁଦିନ । କିଏ ସବୁଦିନ ବଞ୍ଚିରହିଛି । ବସୁନ୍ଧରାରେ ଯୁଗ ଭୋଗିଛି । ଦିନେ ନା ଦିନେ ସବୁ ତୁଟେଇବାକୁ ପଡ଼ିବ । ଖାଲି ମାୟା ମୋହ ଦୁନିଆରେ ସବୁ ମୋର ମୋର । ପିଲା ଭାରିଯା ଘଡ଼ିଏ ପହରେ, ଦିନେ ଦୁଇଦିନ କାନ୍ଦିବେ । ପୁଣି ଯେଝା ସଂସାର ଯାହାର । ପ୍ରଭୁ ହେ ତୁମେ ଭରସା । ତୁମ କରୁଣା ଥିଲେ ଅଜାମ୍ବିଳ ପାପୀ ସବୁ ପାରି ହୋଇଗଲା-। ଅଲଙ୍ଘ୍ୟ ସମୁଦ୍ର ବନ୍ଧ ପଡ଼ିଯାଏ । ତୁମ କୃପାଦୃଷ୍ଟି ନ ଥିଲେ ରାବଣ ପରି ବୀରର ଲଙ୍କାପୁରୀ ଧ୍ଵଂସ ହୋଇଯାଏ । ସବୁ ତୁମରି ଦୟା । କାହିଁ ମୁଁ । ଶଶା ପରି ଜୀବ ସତ୍ୟରକ୍ଷା କରିଥିବାରୁ ଚନ୍ଦ୍ରରେ ସ୍ଥାନ ପାଇଲା । ଯୁଗ ଯୁଗକୁ କୀର୍ତ୍ତି ରଖିଗଲା । ସତରେ ଦୁନିଆ ଚଳୁଛି । ତେତିଶିକୋଟି ଦେବତା ଆତଯାତ ହେଉଛନ୍ତି । ବାସୁକି ପୃଥିବୀକୁ ମୁଣ୍ଡେଇଛି । ଇନ୍ଦ୍ର, ସୂର୍ଯ୍ୟ, ଚନ୍ଦ୍ର ସଂସାର ପାଳୁଛନ୍ତି । ପୃଥିବୀସାରା ଲୋକ ଜୀବଜନ୍ତୁ ସର୍ଜ୍ଜନା ହୋଇଛନ୍ତି । ଶୂନ୍ୟରେ ତାରା ଚନ୍ଦ୍ର ଉଦୟ ହେଉଛନ୍ତି । ନ ହେଲେ କି ଏହା ସମ୍ଭବ ହେବ । କ୍ଷଣକେ ଛାରଖାର ହତଲଙ୍କା ହୋଇଯିବ-। କ’ଣ ନାହିଁ ଏ ମାଟିରେ ? ସୁନା ଫଳେ ରୂପା ବୃକ୍ଷରେ । ସରକାରଙ୍କ ଧନଜନ ସବୁ କିଛି ସେହି ସତରୁ ।

 

ଘରୁ ବାହାରିଲାବେଳେ ସେହି କାଳି ବିଲେଇ ଛିଂକିଥିଲା । ହାତର କାମଟା ଛାଏଁ ଛାଏଁ ବିଗିଡ଼ିଗଲା । ସାତପୁରୁଷର ମଉଳାପୁଅ ମୁହେଁ ମୁହେଁ ମନା କରିଦେଲା । ବାପ ଥିଲାବେଳେ କେତେ ଆସୁଥିଲା । ନଥିଲା ବେଳେ ମାଣ ଗଉଣୀ ପୂରାଇ ଦେଇଥିଲା । ପାଠ ପଢ଼ିଥିଲା । ଶିକ୍ଷିତ ହେଲା, ଚାକିରି କଲା । ପଇସା କମାଇଲା । ବାହାସାହା ହୋଇ ଘରଦ୍ଵାର କଲା । ମୁଣ୍ଡକୁ ହାତ ପାଇଗଲା । ପଚାରିବ କାହିଁକି । ଦେବାକୁ ପଡ଼ିବ । ଦେବାବେଳ ଚାଲିଗଲାଣି । ସ୍ତ୍ରୀକୁ ଦେଖି ସବୁ ଭୁଲିଗଲା । ଦେଖିଲେ ମୁହଁ ଗାରୁ ଗାରୁ କରୁଛି । କ’ଣ କରିବା, ନ ମାଗିଲେ ନ ଚଳେ । ଶହେ ଜାଗାରେ ପଚିଶି ଦେଲେ କାମ ଚଳିଥାନ୍ତା । ଉପାସେ ଶୋଇଲେ କିଏ ବା ତୋରାଣୀ କାଞ୍ଜି ଦେବ-। ଧାର ଉଧାର ସେରେ ପାଏ ଢାଳିଦେବ । ଗରିବ ଲୋକକୁ ସେହି କାଳିଆ ସାହା । ନ ହେଲେ କି ଶୂନ ହାତରେ ଚଳି ଯାଆନ୍ତା । ପିଲାକବିଲା ସଂସାର । ଯୋଗ ଖରାପ ଥିଲେ ଭୋଗିବାକୁ ପଡ଼ିବ । ସାତ ସାତଟା ମଶାଣୀ, ଦୁଇ ଦୁଇଟା ଛିଣ୍ଡା ନଈ, ଏଡ଼େବଡ଼ ଗହୀର, ସେଥିରେ ରାତି ଅଧ । ବାଡ଼େଇଲେ ସାପ ଗାତରୁ ବାହାରିବ ନାହିଁ । ବାର ଭଲ ଥିଲେ କ’ଣ ହେବ–ସବୁ ସେଇ କାଳି ବିଲେଇ ବିଗାଡ଼ି ଦେଲା । ନ ହେଲେ କି ମଣିଷ ଖାଲି ହାତରେ ଲେଉଟିଥାନ୍ତା-। ବେଶୀ ନ ହେଲେ ଯିବା ଆସିବା ଖର୍ଚ୍ଚଟାତ ଉଠିଥାନ୍ତା । ଧାର କରଜକୁ କିଛି ମିଳିଥାନ୍ତା-। କିମ୍ବା ଧାନକୁ ଆଣିଥିଲେ ଚଳିଥାନ୍ତା । ଗୁଜରାଣ ମେଣ୍ଟିଗଲେ ଗଲା । ଦିଆ ହେବ ପରେ । କିଏ ଅବା ଛାଡ଼ି ଦେଉଛି । ସରକାର ଘର ପଇସା ସୁଧ କମ୍ ହେଲେ କ’ଣ ହେବ । ବଡ଼ ଭିଡ଼କୁ ନୁହେଁ-। ଆଜି କଲେ କେଉଁ ଛମାସ ବର୍ଷକେ ମିଳିବ । ସେଥିରେ କାହିଁ କ’ଣ । ହଜାରେ ଟିପ । ପଣେ ସାକ୍ଷୀ । ଦୁଇପଣ ନମସ୍କାର । ବଡ଼ବାବୁ ସାନବାବୁ । ଅଣ୍ଟାଗୁଞ୍ଜା । ରୋଷେଇଶାଳକୁ କିଛି-। କିଏ ଶୁଣିବ ଆମପରି ମଳିମୁଣ୍ଡିଆଙ୍କ କଥା ।

 

ମଙ୍ଗା ଚମକି ପଡ଼ି ବାଙ୍କ ମୁଣ୍ଡରେ ଛିଡ଼ା ହୋଇଗଲା । ଏଡ଼େ ବଡ଼ ଜୀବ । ମଣିଷ ନା ଗୋରୁ । ଛାପି ଅନ୍ଧାରରେ କିଛି ବାରି ହେଉନାହିଁ । ଏତେ ରାତିରେ ମଣିଷ, ପୁଣି ଏଠାରେ । କ’ଣ ବା ଦରକାର । ମୁଗ ଫସଲତ ଛୁଇଁ ହୋଇନାହିଁ । ଗଛ ଆଠ ଦଶ ପତରର । ରାସ୍ତାରେ ନଯାଇ ସେ ଅବାଟରେ । ପୁଣି ମଶାଣୀ କର ଲାଗି ଯିବା ଦରକାର କ’ଣ ? ସେଇଟାତ କେଉଁ ଆଡ଼କୁ ପଥ ନୁହେଁ । ଖାଲି ପଡ଼ିଆକୁ ଆସିବ ବା କିଏ । କାହାର କ’ଣ ଦରକାର । ଏତେ ବଡ଼ ଚଲା ହିଡ଼ ଥାଉଁ ଥାଉଁ ସେ ଅବାଟରେ କାହିଁକି । ଖରାଦିନ ଗୋରୁ ହେବ କି । ହୋଇପାରେ ପେଟ କାମୁଡ଼ି ହୋଇ ରାତିରେ ଫିଟି ଆସିଛି । ଖରାଦିନ ଗୋରୁ ମୁଣ୍ଡ ଗଳାଇ ଚାଲି ଆସି ପାରିଥାଏ । ତେବେ ହିଡ଼ରେ ନଯାଇ ବିଲରେ କାହିଁକି । କ’ଣ ମୁଗ ବିରି ଖାଉଛି ନା ଶୋଇଛି । ତେବେ ସେ ଦଣ୍ଡାକୁ ନ ଯାଇ ଏଠାରେ କାହିଁକି । ମଙ୍ଗା ପାଟି ଅଠା ମାରିଗଲା । ତଣ୍ଟି ଶୁଖିଗଲା ପରି ଲାଗିଲା । ମାଡ଼ି ଆସୁଥିବା ଜନ୍ତୁଟା କ’ଣ ହେବ । କାହିଁକି ଏଇ ଆଡ଼କୁ ଆସୁଛି । ପାଟି କରିବ କି ନାହିଁ । କଲେ କିଏ ବା ଶୁଣିବ । ଏଡ଼େ ଦୂରରୁ ମଣିଷ ଆସିଲା ବେଳକୁ କାଳେ କ’ଣ ହୋଇପାରେ । ଖନି ମାରୁଥିବା ପାଟିରେ ମଙ୍ଗା ବଡ଼ ହିଡ଼କୁ ଝୁଣ୍ଟି ମାଟିରେ ପଡ଼ିଗଲା । ଗୋଡ଼ ବୁଢ଼ାଆଙ୍ଗୁଠିକୁ ଚାପିଧରି ସେ ହିଡ଼ ଉପରେ ବସିଗଲା । ଚାରିଆଡ଼େ ତାକୁ ଶୂନ୍ୟ ମହାଶୂନ୍ୟ ପରି ଦେଖାଗଲା । ମସିଆ ଜହ୍ନ ରାତିଟା ଅମାବାସ୍ୟା ପରି ମନେହେଲା । ଆଉ ଆଗକୁ କି ପଛକୁ ନଚାହିଁ ସେ ଭୂଇଁକୁ ଚାହିଁ ରହିଲା । ଦେହରୁ ଗମ୍ ଗମ୍ ହୋଇ ଝାଳ ବୋହିଯାଉଛି । ଛତା ଖଣ୍ଡିକ କାନ୍ଧରୁ ଖସିପଡ଼ିଲା । ନାଲି ଗାମୁଛା ଦୁଇ ହାତରେ ପଡ଼ି ସାପପରି ଏପଟ ସେପଟ ହେଲା ।

 

କାଳିଆ ଷଣ୍ଢକୁ ଦେଖି ମଙ୍ଗା ନିଶ୍ଵାସ ମାରିଲା । ଆରେ ଶଳା ତୁ ଏଠାରେ । ମୁଁ ମରିଯାଇଥାନ୍ତି । କିଓ କାଳୁ କାହା ମୁଣ୍ଡରେ ଖପରା ଦେବାକୁ ବିଚାରିଲ । କେଉଁଠି ପାଖାପାଖି ଯୁଟିଲାନି । ଚାଲି ଆସିଲ ନିଛାଟିଆ ଗହୀରକୁ । ପୁଣ ଏକଦମ ରାତି ଅଧରେ । ଏତେ ଖାଇ ଖାଇ ତୁମର ସେ ମହାଦେବଙ୍କ ନଳିଆ ପେଟଟା କ’ଣ ପୂର୍ଣ୍ଣ ହେଲାନି । ପୁଣି ବିରି କିଆରୀରେ ଆଶା । ନା ପବନ ଖାଇବାକୁ ଆସିଲ । ହେଉ ବାବା ଭେଳାନାଥଙ୍କ ବାହନ । ମୋର ସେଠାରେ ଅରାଏ ଅଛି । ତୁମ ଗୋଡ଼ତଳେ ପଡ଼ୁଛି । ଜାଣ ତ ମୋ ଅବସ୍ଥା । କାହିଁରେ କିଛି ବ୍ୟବସ୍ଥା ତୁମ ଗଞ୍ଜଡ଼ବାବାଙ୍କୁ ଜଣାଯାଉ ନାହିଁ । ଆଉ ତୁମେ ଯଦି ପଶିଯିବ ତେବେ ମୋ ଅଦିନିଆ ଡାଲିପାଣି ଗଲା । ପିଲାଗୁଡ଼ାକ ପଖାଳ ଖାଇ ଖାଇ ରୋଗିଣା ହୋଇଗଲେଣି । ଛୁଙ୍କ ପାଣି ଟୋପାଏ ଦେବାକୁ ବଳ ନାହିଁ । ଯାହା ତୁମର ବରାଦ । ଆଉ ମୋ କପାଳରେ ଥିବ । ତୁମ ଖୁରାକୁ କୋଟି ନମସ୍କାର । ଯାହା ତ ଅବସ୍ଥା ହେଲାଣି । ପୁଣି ସେଥିରେ ତୁମେ ଯଦି ଅପବ୍ୟବସ୍ଥା କରିବ ମୋର କରଜ ଘରେ ଶୂନ୍ ଲାଗିଯିବ ।

 

ମଙ୍ଗା କିଆ ଗୋହିରୀରେ ପଶିଲା । କାଳି ବିରାଡ଼ି ଯିବା ଆସିବା କରେ । ଝାଡ଼ା ଝପଟି ଖାଲି କରେ ନାହିଁ । ମାରିଥିବା ପିଲାକୁ ଗୋଟି ଗୋଟି କରି ଟେକିଆଣେ । ଭୋଇ ସାଇଆ ପକାଇଥିବା ଗେଣ୍ଡା ଖୋଳକୁ ଶୁଙ୍ଘେ । ବଡ଼ ଆଇଁସ ଡାହାଣୀ । ଶିକା କାଟି ଖାଇଯିବ । ଯେଉଁ ସିନ୍ଦୁକରେ ରଖିଲେ ସୁଦ୍ଧା ତାକୁ ବାସ୍ନା । ଯେମିତି ହେଲେ କିଛି ନା କିଛି ଗୋଟିଏ କାଣ୍ଡ କରି ବସିବ-। ପଥୁଲୀ କୁଣ୍ଢେଇ ଘୋଡ଼ାଇ ରଖିଲେ ତାକୁ ଜଣା । ପେଟ ଫାଟି ଗଲେ କ’ଣ ହେବ ମାଛ ଶୁଖୁଆ ଦେଖିଲେ ପାଟିରୁ ଲାଳ ଗଡ଼େ ତାର । ଏପଟ ସେପଟ ହେଉଥିବ । ସତେକି କିଛି ଖାଇ ନାହିଁ ବରଷେ ହେଲା । ଗୋଡ଼ରେ ଛନ୍ଦୁରି ହୋଇଯିବ । ମାଡ଼ ଖାଇ ଖାଇ ମରିଗଲେ ମଧ୍ୟ ପାଖ ଛାଡ଼ିବନି । ହେଉ ଖାଆ ପଛେ—ଟିକିଏ ସ୍ଥିର ରହ । ମୁଁ କ’ଣ ଏକାବେଳକେ ସବୁ ଖାଇ ଯାଉଛି । ବଡ଼ ଦୋଷୀ । ଯିଏ ଖାଇଲା ତା’ ପାଖରେ ହାଜର । ଗଣ୍ଡେ ନ ଖାଇଲେ ତା’ ମନରେ ଶାନ୍ତି ନାହିଁ-। ସବୁବେଳେ ଆଖି ସେ ଛୋଟ ପିଲାର ଘଡ଼ିଭାତ ପାଖେ ।

ବଡ଼ ମଶାଣୀ ହୁଂକାଟି ପାଖେଇ ଆସିଲା ଚାହୁଁ ଚାହୁଁ । ଆଗ ଗୋଡ଼ ଥମିଗଲା କ୍ଷଣିକ ପାଇଁ । ଛାତି ଧଡ଼ ଧଡ଼ ହେବାକୁ ବସିଲା । ବୁଲିକରି ଗଲେ ଆହୁରି ଦିପା’ ବାଟ ଯିବାକୁ ପଡ଼ିବ । ଗହୀର ବିଲ । ନିର୍ଜ୍ଜନ ଗହୀରଟା ଖାଁ ଖାଁ ଗୋଡ଼ାଉଛି । ବହୁତ ରାତି ହେଲାଣି । ଚାଲି ଚାଲି ଗୋଡ଼ ଥକିଗଲାଣି । ଘରେ ଖାଇପିଇ ସାରିବେଣି । ଖାଇବାକୁ ମିଳିବା କାଠିକର ପାଠ । ପୁଣି ସେହି ଜଞ୍ଜାଳ । ଉଠାପକାରେ ଦୁଇଘଣ୍ଟା ଯିବ । ଅନୁକୂଳଟା ବଡ଼ ଖରାପ । କି ପାଗ ଯୋଗରେ ଘରୁ ଗୋଡ଼ କାଢ଼ିଲା, କେଉଁ ଧନ୍ଦା ହେଲା ନାହିଁ । ଦିନଟାଯାକ ଦୌଡ଼ି ଦୌଡ଼ି ଗୋଡ଼ରୁ ପାଣିମଲା । ପଇସାଟିଏ ରୋଜଗାର ନାହିଁ । କାଳିମୁହଁ ଚାହିଁଲେ ମଣିଷକୁ ଉପାସ ରହିବାକୁ ପଡ଼ିବ । ନ ହେଲେ କି ଏ ଦୁର୍ଯ୍ୟୋଗ । ଘରେ ପହଞ୍ଚିଲେ ଯାଇ ଯେଉଁ କଥା । କାଲି ସକାଳୁ ବିତାଡ଼ନ ନକଲେ ହେବ ନାହିଁ । କେଡ଼େବଡ଼ ଅନୁକୂଳଟା ମାରା କରିଦେଲା । ହଚକୁ ହୁଚା ମୁହେଁ ମୁହେଁ ମନା କରିଦେଲା । କାନ ଧରିଲେ ଚାରି ପଦରେ ଯାହାକୁ ପଦେ କଥା ନାହିଁ ତା’ ମୁହଁରେ ପୁଣି ଏ ନାହିଁ ପଦ । ନା ଏସବୁ ସେ କାଳି ଦୋଷ । ମିଛରେ ଶାସ୍ତ୍ର କହିଛି । ପୁରାଣ ବେଦ କ’ଣ ଗଞ୍ଜେଇ ଖାଇ ଲେଖିଛନ୍ତି । କେଡ଼େ କେଡ଼େ ମହାମୁନି, କଥା କଥାକେ ସତ । ଗୋଟିଏ ହେଲେ ଅନ୍ୟଥା ହୋଇନାହିଁ ।

ବରଗଛ ଗହରୀରୁ ଫଡ଼ ଫଡ଼ ହୋଇ କେତେକ ପକ୍ଷୀ ଉଡ଼ିଗଲେ । ମଙ୍ଗା ଚମକି ପଡ଼ି ଚାହିଁଲା ସେ ଝାମ୍ପୁଲା ବୃକ୍ଷକୁ । ବାବନ ମାଇପ ସେଠାରେ ଡରିଥିଲା । ତିନୋଟି ଦିନ ଝାଡ଼ାବାନ୍ତି ହୋଇ ଡାକ୍ତରଖାନା ଯିବାବାଟରେ ଶେଷ । ପୁଆଣି ହୋଇ ଆସିଥାଏ । ଦେଖିବାକୁ ଦେବୀପରି । କଦଳୀଗଛ ପରି ପେଣ୍ଡା ଦୁଇଟି । ଚାହିଁଲା ଲୋକ ଘଡ଼ିଏ ଆଖି ପକାଇ ଦେଉଥିଲା । ଶଗଡ଼ ଶଗଡ଼ ଜିନିଷ ଆଣିଥିଲା । ଘରପୂରା ଦରବ । କି ଖଟ, ସିନ୍ଦୂକ, ଶିଳଠୁ ଘୋରଣା ଯାଏ କାହିଁରୁ ଧାନେ ହେଲେ ଛାଡ଼ି ନଥିଲା । ସବୁ ଗୁଣ୍ଠାଇ ମୁଣ୍ଠେଇ ଆଣିଥିଲା । ସାତ ମାଇପେ ଶୁଣିବାକୁ ନାହିଁ-। ପୁଣି ଗୁଣ ଯେପରି ରୂପ ମଧ୍ୟ ସେହିପରି । ଯେ ଦେଖୁଥିଲା ହାଇ ହାଇ କହୁଥିଲା । ବାବନ ପରି ଲୋକର ଯାନିଯୌତୁକ ଦେଖି ସାଇ ପଡ଼ିଶାମାନଙ୍କର ଆଖି ଖୋସି ହୋଇଯାଉଥିଲା । ମନେ ମନେ ଦାନ୍ତ ଚୋବାଇ ହେଉଥିଲେ । ହେଲେ ଦଇବ ସହି ପାରିଲା ନାହିଁ । ମୁହଁ ସଞ୍ଜରେ ଏ ବରଗଛରୁ କଞ୍ଚା ଡାହାଣୀ ରକ୍ତଶୋଷି ନେଲା । ଦିନ କେତେଟାରେ ପାଞ୍ଚହାତିଆ ମାଇପିଟା କୁଟାପରି ନଡ଼ ନଡ଼ ହୋଇଗଲା ।

ସବାଖାଇ ରାଣ୍ଡ ମା’ଟା କଞ୍ଚା ଡାହାଣୀ । ରାତି ଅଧରେ ଲଙ୍ଗଳା ମୁକୁଳା ହୋଇ ଘରୁ ପଳେଇ ଆସିବ । ବରଗଛ ଦଣ୍ଡାରୁ କଞ୍ଚା ଗୁହ ସଡ଼ ସଡ଼ କରି ଖାଇଯିବ । କଞ୍ଚା ଡାହାଣୀ ମୁଣ୍ଡ ତଳକୁ କରି ଚରନ୍ତି । ଦୁଇ ହାତରେ ଗୋଡ଼ ପରି ଚାଲନ୍ତି । ପାଟି ଲାଗିବନି । ଡାଳୁକାରେ ମୁହଁ ଖୋଲିଯିବ । ସେତେବେଳେ ଯେ ପଡ଼ୁ ସାକ୍ଷାତରେ ଖାଇଯିବେ । ନିଜ ପିଲା ଘଇତା ବାରଣ ନାହିଁ-। ସବାଖାଇ ମା’ଟା ଏଡ଼ବଡ଼ ମରଦକୁ କଞ୍ଚାରେ ଖାଇଗଲା । ସବାଖାଇର ହାଡ଼ ଦିଖଣ୍ଡ । କିନ୍ତୁ ନ ପାଇଲେ ନିଜ ଜନମ କଲା ପିଲାକୁ ଖାଇଯାଉଛି । ଆଉ ସେ ଘନିଆ ନାଡ଼ିକୁ ଦେଖୁଛି କି ନାହିଁ ହେଲା ରକ୍ତଝାଡ଼ା ଯେ ତିନିଦିନ ଯାଏ ଘରୁ ଉଠି ପାଇଲା ନାହିଁ । ଯେତେ ବଇଦ ଉଷଦ ମୋଷଦି କଲେ ସବୁ ତୁଛା । ଶେଷକୁ ଜଟିଆ ବାଆଜୀ ଝାଡ଼ିବାରୁ ଯାଇ ଥୟ ଧରିଲା । କଅଁଳ ପିଲାକୁ ଦେଖିଲେ କେଉଁ ଖଞ୍ଜରେ ଶୋଷିନେବ କେହି ବାରିପାରିବେ ନାହିଁ । ଗଲା ରଜଦିନ ପିଠାହାଣ୍ଡିକୁ ଚାହିଁଦେଲା । ଡୋଲିଟିଏ ଜାଳ ସରିଗଲା ପିଠା ଯେଉଁ ଶେଧୁଅକୁ ସେଇ କଞ୍ଚା । କିଏ ଖାଏ ସେ ଡାହାଣୀ ପାଟିରୁ । ଯିଏ ଖଣ୍ଡେ ମୁହଁରେ ଦେଲା ଖାଲି ଥୁ ଥୁ । ଅଥରଯାକ ପିଠା ଗୋରୁହାଣ୍ଡିରେ ପଶିଲା । ଏମିତି ତୁଣ୍ଡ ଡାହାଣୀ ସାରା ଦୁନିଆରେ ଦେଖିନାହିଁ । ଘର ବାହାର କେଉଁ ବାଛ ବିଚାର ଅଛି । ଯେଉଁଠୁ ଯାହା ପାଇଲା ଖାଇଗଲା । ବାବାରେ ବାବା ସେ ପେଟରେ କ’ଣ ଅଛି କେଜାଣି । ଆଉ ସେ ଆଖି ଦୁଇଟା ଯାହା ଉପରେ ଥରେ ପଡ଼ିବ କଥା ଶେଷ । ମନ୍ତୁରା ଲୁଣ ଟିକିଏ ନ ଖାଇଲା ଯାଏ ବାଟ ଦୁଶିବ ନାହିଁ । ଏ ଅଛମରକୁ ମରଣ ନାହିଁ । କିଏ କେଡ଼େ ଭେଣ୍ଡିଆ ଅକାଳରେ ଝଡ଼ି ପଡ଼ୁଛନ୍ତି । ଏ ଶାଳୀ ବିଶାଶହ ବର୍ଷ ଡେଇଁଲେ ସୁଦ୍ଧା ଅଣ୍ଟା ନଉଁନାହିଁ । ପାଟିର ଦାନ୍ତ ଝଡ଼ୁନାହିଁ । କେଜାଣି ପୁଣି କେତେ କୋଡ଼ି ବଞ୍ଚିବ । କେଉଁ ଗାତ ମଶାଣୀ ଦଣ୍ଡାକୁ ଯିବ । କେଉଁ ଜାତିଭାଇ ନିଆଁ ହେବ । ନିଜ ପେଟର ଛୁଆକୁ ଆଡ଼ଆଖିରେ ଚାହେଁ ନାହିଁ । ଆଉ ଚୁଲିପଶାକୁ ଜାତିଭାଇ ପୋଡ଼ିବେ ନା ପୋତିବେ । ବାର ଦାଣ୍ଡରେ ପଡ଼ି ମରିଗଲା ବେଳେ ମୁହଁରେ କେହି ଗାଡ଼ିଆ ପାଣି ଟୋପାଏ ଦେବେ ନାହିଁ । କାହାର ସୁଖ ଶିରୀ ରଖିଛି ନା ରଖୁଛି । ଆଖିରେ କି ମୋହିନୀ କଲା । ସେ ହଣ୍ଡାଗିଳା ପେଟରେ କେତେ ପଶୁଛି । ଖାଲି ସବୁବେଳେ ହା ହା ଯାହାକୁ ଦେଖିବ ହାତ ପତାଇ ମାଗୁଥିବ । ଛି ଛି ଏମିତି ଜୀବ ଥିଲେ କେତେ-ମଲେ କେତେ ।

ମଙ୍ଗା ପୁଣି ଥରେ ଓହଳୀ ଆସିଥିବା ଡାହିକୁ ଚାହିଁଲା । ଜହ୍ନ ମଲା ବଉଦରେ ବୁଡ଼ି ଆସୁଥିଲେ । ଲଗା ଲଗା ବଉଦମାଳ ଭାସି ଆସୁଥିଲା ଧାଡ଼ି ଧାଡ଼ି ହୋଇ । ଲାଗିଥିବା କିଆବଣ ରାସ୍ତା ନିଶ୍ଚିହ୍ନ ହୋଇ ଯାଉଥିଲା । ବରଗଛ ଡାହିରୁ ଓହଳି ଆସୁଥିଲା ଲମ୍ବାହୋଇ । ପାଖକୁ ପାଖ ମାଟିରେ ମିଶିଗଲା ପରି ମନେହେଲା । ବାଙ୍କ ଡାହିରେ କେହି ବସିଛି । ଏତେ ବଡ଼ ତା’ ଲାଙ୍ଗୁଳ । ମାଙ୍କଡ଼ ହେବ ନା କ’ଣ । ସେଥିପାଇଁ ପକ୍ଷୀଗୁଡ଼ାକ ଉଡ଼ିଗଲେ ଦୂରକୁ । ଫେରିଲେ କି ନାହିଁ ଜଣାଗଲା ନାହିଁ । ଏତେ ରାତିରେ ଗଲେ ବା କେଉଁଆଡ଼େ । ରାତିଛାଡ଼ି, ହେଲେ ବସା ଛାଡ଼ି କେଉଁଆଡ଼େ ଯିବା କଷ୍ଟ । ସେମିତି ବିପଦ ହୋଇନଥିଲେ ପକ୍ଷୀମାନେ ନିଜ ବୃକ୍ଷ ଛାଡ଼ନ୍ତି ନାହିଁ । ମାଙ୍କଡ଼ ବାସନାରେ ଅନ୍ୟମାନେ କେହି ରହନ୍ତିନି । ବଡ଼ ବାଦୁଆ ଜୀବଗୁଡ଼ାକ କାହାରିକୁ ରଖାଇ ଦେବେ ନାହିଁ । ସତେକି ନିଜ ଖରିଦି ସଂପତ୍ତି ।

 

ମାଙ୍କଡ଼ଟି ଉପରକୁ ଉଠିଗଲା । ଲାଙ୍ଗୁଳ ତଳକୁ ଖସି ଆସୁଛି । ଗହଳିଆ ପତ୍ରରେ ତାର ସାରା ଦେହ ବଢ଼ି ଯାଇଛି । କଳାମୁହଁ ହାଣ୍ଡିପରି ହୋଇଛି । କି ବିରାଟ ଦାନ୍ତ । ଦେହ ସାରା ବୃକ୍ଷକୁ ଘୋଟି ଯାଇଛି । ଗଛଟି ମଡ଼ ମଡ଼ ହୋଇ ତଳକୁ ନଇଁ ଆସିଲା । ସେପଟ ହାଣ୍ଡି ଶୀକା ଭିତରୁ ଶୁଣାଗଲା ସେହି ମିଆଁଉଁ ମିଆଁଉଁ ଡାକ । ମେଲା ହାଣ୍ଡି ଗଡ଼ିଗଲା ସେ ଧାରକୁ । ଏପଟ ସେପଟ ହୋଇ ଦୁଇ ଚାରୋଟି ଜନ୍ତୁ ପଳାଇଲେ ସେ ଅନ୍ଧାରୀ କିଆବଣ ତଳେ । ମାଙ୍କଡ଼......ବିଲେଇ......ବିଲୁଆ....... !!

 

ଆଖିମଳି ମଙ୍ଗା ଚାହିଁଲା । ଖରାଟା ଚାଳ ଉପରେ ହେଲାଣି । କେହି କୁଆଡ଼େ ନାହାନ୍ତି ପାଖରେ । ଅଗଣାରେ କେହି ଦେଖାଯାଉ ନାହାନ୍ତି । ପିଲାଗୁଡ଼ାକ ଚାହାଳୀକୁ ଚାଲିଗଲେଣି । ପାଟି ଶୁଣାଯାଉ ନାହିଁ ।

 

ଉଠି ଯାଉ ଯାଉ କାଳି ବିଲେଇ ମିଆଁଉଁ ମିଆଁଉଁ କରି ଉଠିଲା । ଜଳ ଜଳ ଆଖିରେ କଡ଼ ମଡ଼ କରି ଚାହିଁଲା । ଦୁଇ ଗୋଡ଼ରେ ଅଳସ ଭାଙ୍ଗୁଥିଲା । ପଛରୁ ଶୁଣାଗଲା ସେହି ମିଆଁଉଁ ମିଆଁଉଁ... ।

Image

 

ଅଫିସ୍ ଘଣ୍ଟା

 

ଯଦୁମଣି ଚିଡ଼ି ଉଠିଲେ । ପେଡ଼ାଲକୁ ଜୋରରେ ବୁଲାଇଲେ । ଦୁଇହାତ ମୁଠାକୁ ଜବର କଲେ । ମୁହଁ ଝାଳ ବେକରୁ ପୋଛି ଆଗକୁ ଲକ୍ଷ୍ୟ କଲେ । ଘଣ୍ଟା ଦେଖି ମନ ହାଇଁ ପାଇଁ ହେଲା । ଦଶ ମିନଟ୍‍ ଡେରି । ପହଞ୍ଚିବାକୁ ଆହୁରି ଦଶ କି ପନ୍ଦର ମିନଟ୍‍ ଲାଗି ଯାଇପାରେ । ବଡ଼ବାବୁ ଆସି ଯିବେଣି । ଆଉ ଅଧଘଣ୍ଟା ପରେ ହାକିମ ଡକରା ଛାଡ଼ିବେ । ଲୋକ ଭିଡ଼ ତା’ ପଛକୁ ତା’ ପଛ । ମୁହଁ ବୁଲାଇ ହେବ ନାହିଁ । ବାର ଖୋସାମତରେ କେଉଁ କାମ ହୁଏ । କାନ ପାରିଲାବେଳକୁ ଆଖି ଏପଟ ସେପଟ । ମୁହଁ ଦେଖିଲା ବେଳକୁ ହାତ ବନ୍ଦ । ଲାଇନ୍ ନାହିଁ, ପଙ୍ଖା ବନ୍ଦ, ପାଣି ଶେଷ । କାଗଜ, କଲମ, କାଳି ଗୋଟି ଗୋଟି ହୋଇ ଧାଡ଼ିରେ ଛିଡ଼ା ହୋଇ ଯାଇଥିବେ । ଆଚ୍ଛା ହଇରାଣ, କାହାକୁ କେତେ ବାଗେଇବ । ଗୋଟିଏ ମୁନିର ହଜାରେ ବାଗ । ଏ ବାଗ ସଳଖିଲା ବେଳକୁ ସେପଟ ବଙ୍କା । ଏପଟୁ ଚାହିଁଲେ ଆରପଟ ଇନ୍ଦ୍ରଧନୁ । ହେବ ନାହିଁ, ଏହାର କିଛି ଗୋଟିଏ ସୁଚିନ୍ତିତ ବ୍ୟବସ୍ଥା କରିବାକୁ ହେବ । କେତେବେଳେ ଚାକିରି ଖଣ୍ଡିକ ଚାଲିଯିବ କିଏ କହିପାରେ । ନ ହେଲେ ଆଗ ପାହାଚ ବନ୍ଦ । ହାତ ଖରଚକୁ ପଇସାଟିଏ ମିଳିବ ନାହିଁ । ରାଗ, ଋଷା ଯେ କାହିଁରେ କଣ । ମାନ ଅପମାନର ଠିକ୍ ଠିକଣା ନାହିଁ । ହାକିମଙ୍କ ରାଗ ବଡ଼ବାବୁଙ୍କ ଉପରେ, ବଡ଼ବାବୁ ସାନବାବୁଙ୍କୁ ଡକରା; ଶେଷରେ ତାଳ ଛିଡ଼ିବ ମୋ ଉପରେ । ହଇଓ ବାବୁ ପେଟ ପାଟଣା ପାଇଁ ଚାକିରି ଖଣ୍ଡିଏ କରିଛୁ । ଏ ଖଣ୍ଡିକ ପାଇବା ସକାଶେ କେତେ ଖୋସାମତ, ଅଣ୍ଟା ଗୁଞ୍ଜାରୁ ପାନଖିଆ, ଜଳଖିଆ, ବାଟଖର୍ଚ୍ଚ ବୋହି ବୋହି ଅଣ୍ଟା ଭାଙ୍ଗି ଯାଇଛି ବୁଢ଼ା ବାପର । ଦଣ୍ଡବତ ଯେ କୁକୁରଠାରୁ ଚାକର ପର୍ଯ୍ୟନ୍ତ ତାର ଶେଷ ନାହିଁ । ସେଥିରେ କ’ଣ କରମ ପୂରୁଛି । ରାତ୍ରିଦିନ ଡରି ଡରି ଦରମଲା ହେଲାଣି । ଘରଠାରୁ ବାହାର ସବୁ ରାଗ ମୋ ଉପରେ । ଯେଉଁ ଆଡ଼କୁ ହାତ ବଢ଼ାଇବ କୋକୁଆ ଭୟ । ହଇହେ ଦୀନବାନ୍ଧବ ନୀଳାଚଳେ ବିଜେକରି; ଦେଖା ସାକ୍ଷାତ ନ ହେଲା ନାହିଁ ପଛକେ, ତୁମ ସନ୍ତାନମାନଙ୍କୁ ଟିକିଏ ବାଗେଇ ସାଗେଇ ଦିଅ । ଜାଣ ତ ଆମ ଦୁଃଖ, ବିଶ୍ଵରେ ଆମ ଦେଶ, ଉତ୍କଳ ପ୍ରଦେଶ; ସେଥିରେ ବଡ଼ବାବୁ-। କାହିଁ କେତେ ତଳକୁ ମୋ ପରି କ୍ଷୁଦ୍ରଜୀବ ।

 

ହେବନାହିଁ, ଯେତେ ଚଞ୍ଚଳ କଲେ ସବୁଦିନ ସେହିପରି । ଶାଗ ନ ହେଲା ଡାଲି, ଡାଲି ନ ହେଲା ପିଆଜ, ଲଙ୍କା; କିଛି ନ ହେଲା ଗାଁ ତିନ୍ତୁଳି ଅମୃତ । କେଉଁ ଆମ୍ବିଳି ପଡ଼ିଯାଉଥିଲା । ଏ ସବୁ ଆମ ଘର କଥା । ତୁମେ ଆମେ କେଉଁ ପର ହେଇଛୁ । ବଡ଼ବାବୁ ନା ବାହାର ଲୋକ ହୋଇଛି ଯେ ବାର ତିଅଣ, ପୋଟଳ, ଆଳୁ, ମାଂସ ଝୋଳ ନ ହେଲେ ଗୁଣ୍ଡା ଯିବନାହିଁ । ଖାଇକରି ନୁରି ବୋଉ ତୁମେ ଶୋଇ ଯାଉଛ । ଆଉ ଦେଖୁଛ ତ ମୋ ଦଶା । ଜାଣ ତ ଅଫିସ୍‍ ନିୟମ କାନୁନ୍-। ତୁମ କୋଶଳା ଶାଗ ଭଜା ପାଇଁ କ’ଣ ଅଫିସ୍‍ ଘଣ୍ଟା ଦଶ ପନ୍ଦର ମିନିଟ୍ ଅପେକ୍ଷା କରିବ; ନା ମୋ କୋହିନୂର ଘଡ଼ି ହୋଇଛି ଯେ ଦିନକେ ଚାରିଥର ଚାବି ଦେଲେ ଚାଳିଶ ମିନିଟ୍ ରୋଜ ପଛରେ ପଡ଼ିଥିବ । ବଡ଼ବାବୁ ହୋଇଛି ଅଧଘଣ୍ଟା ଛାଡ଼ି ଘଣ୍ଟାଏ ହୋଇଗଲେ କେହି ପାଟି ଫିଟେଇବେ ନାହିଁ । ନା ହାକିମ ହୁକୁମା ହୋଇଛି ଫୋନ୍ କରିଦେବ । କେଉଁ ବାପ ଅଜାର ଗୋଟିଏ ପୁଅ, ନାତି ହୋଇଛି ଶୋଇ ପଡ଼ିଲେ ଯାଏ ଆସେ ନାହିଁ । ହଇଓ, ତୁମ ସଙ୍ଗେ ଛଅ ଛ’ଟା ଜୀବ ପୋଷା ହେଉଛନ୍ତି । ରାତି ପାହିଲେ ବସାଇ ଉଠାଇ ଦେଉନାହାନ୍ତି । ତୁଚ୍ଛାଟାରେ ପକାଉଠା । ବସ କହିଲେ ରାବଣ ପାଟି, ଉଠୁ କହିଲେ କୁମ୍ଭକର୍ଣ୍ଣ ନିଦ, ଖା କହିଲେ ବକାସୁର ଆହାର । ଖାଇଗଲେ ମଣିଷକୁ ଜୀଅଁନ୍ତାରେ । ମଶାଣିକୁ ଗଲେ କୋକେଇରୁ ଭିଡ଼ି ଆଣିବେ । ହଇହ ତୁମରି ଦୟା । ନୁରି ବୋଉକୁ ଏଇଥରକ ପାରି କରିଦିଅ । ସେ ଯାଉ ପରିବାର କଲ୍ୟାଣ କେନ୍ଦ୍ର, ନ ହେଲେ ମୁଁ ପଛେ ହପ୍ତାଏ ଛୁଟି ନେବି । ଯାହା କମାଇଲେ ତୁମ ଲଣ୍ଡା ବଚା ତୁଣ୍ଡରେ ସବୁ ଗଲା । ଋଣ ଯେ ଏ ମୁଣ୍ଡରୁ ସେ ମୁଣ୍ଡ । ଖାଇଗଲେ ମଣିଷକୁ । ନା ହେବନାହିଁ, କିଛି ଗୋଟିଏ ଚିନ୍ତା କରିବାକୁ ହେବ । ଆସନ୍ତା ମାସରେ ପୁଣି ଗୋଟିଏ ନୂଆ ଜୀବ.... । ହରି ହେ ତୁମେ ହିଁ ଭରସା ।

 

ବାପାରେ ବାପା, ଦଶ ମିନିଟ୍ ଚାହୁଁ ଚାହୁଁ ବୋହିଗଲା । ବଡ଼ବାବୁ ଆସିବାକୁ ଆଉ ମୋଟେ ଦଶ ମିନିଟ୍ ଲାଗିବ । ବେଶୀ ଡେରି ହେଲେ ଏଗାର ସେପଟ ନୁହେଁ । ଯଦି ବା ଅକସ୍ମାତ୍ ଡେରି ହୁଏ ଆହୁରି ଦଶ ମିନିଟ୍ ହୋଇପାରେ । କାମ ଯେ ଅନେକ । ଚଣ୍ଡୀ, ଚାମୁଣ୍ଡା ଧାଡ଼ି ଦେଇଥିବେ । ନମସ୍କାର, ହସଖୁସୀ, କୁଶଳ ବାର୍ତ୍ତା ଦଶ ମିନିଟ୍ ହୋଇପାରେ । ଏଗାରଟା ନିଶ୍ଚୟ ଟପିଯିବ । ବଡ଼ବାବୁ ଘରକାମ ସେଥିରେ ଦେଇଥିଲେ । ଅତି କମରେ ଅଧଘଣ୍ଟା ସେଥିରେ ଯିବ । ଆରେ ବାବୁ, ଚାକିରି କରିଛୁ ସରକାରଙ୍କ ଘରେ । ତୁମ ଘରେ ନୁହେଁ । ସମୟ ନିଅଣ୍ଟ ପଡ଼ୁଛି ଅଫିସ୍‌ରୁ ଘର । ସେଥିରେ ନିଜର ବାଳ ଗୋପାଳ ଅଛନ୍ତି । ମେଣ୍ଢାପଲ ପରି ବେଢ଼ି ଯାଉଛନ୍ତି । ଘରେ ଗୋଡ଼ ଦେଲେ ଡାଉଁସ ବେଢ଼ିଲାପରି କାମୁଡ଼ି ଯାଉଛନ୍ତି ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ । କାନ୍ଧ, ହାତରେ ଅଧଇଞ୍ଚି ଜାଗା ଖାଲି ନାହିଁ । ସେଥିରେ ନୁରି ବୋଉର ବଇଦ ପଥି ଅଛି । ରାତିବେଳା ରୋଷେଇ ଅଛି । ବଜାର ହାଟ, ଦାଣ୍ଡ କୁଣିଆଠାରୁ ଅଫସ୍‌ବାବୁ ଧାଡ଼ି ଲାଗିଛନ୍ତି । କେଉଁ ଅଫିସ୍ ସମୟେ ଘଣ୍ଟେ ଅଧଘଣ୍ଟା କମି ଯାଉଛି । ଖାଲି ଘଡ଼ିଟା ବେମାରବୋଲି ରକ୍ଷା ପାଇଯାଉଛି । ନ ହେଲେ ତ ମଣିଷର କଥା ସାରିଥିଲା । ଯମପରି ସମସ୍ତେ ବେଢ଼ିଛନ୍ତି ଚାରିପଟୁ । ହେ ବାବା ନରହରି, ପାରିକର ଏ ଭବସାଗରୁ । ମୋ ପାଇଁ ଚିନ୍ତା ନାହିଁ । ଖାଲି ନୁରି ବୋଉକୁ ଟିକିଏ ପାରି କରିଦିଅ । ଆଉ ବଡ଼ବାବୁ.... ।

 

କ’ଣ ଆଉ କହିବି । କାହାକୁ କହିବି, ଶୁଣିବ ଅବା କିଏ ? ଜନ ସାଧାରଣଙ୍କ ରାସ୍ତାରେ ଧର୍ମଘଟ । କର ଆଡ଼େଇବାକୁ ରାସ୍ତା ନାହିଁ । ସବୁଆଡ଼ୁ ମୁଦ । ଦୁଇପଟେ ଧାଡ଼ି । ମଝିରେ ନେତା ଆଉ ମଟର ଗାଡ଼ି । ସାଇକେଲ୍ ପାଇଁ ବେଶୀ ନ ହେଲେ ଅତି କମରେ ହାତେ ଜାଗା ଛାଡ଼ିବା ଦରକାର ତ । ଟିକସ୍ ନଦେଲେ ଗାଡ଼ି ବନ୍ଦ, ଜୋରିମାନା । ବାରଘଣ୍ଟାରୁ ବଳେଇଲେ ଚାଲାଣ; କାହିଁ କେତେ କ’ଣ । ଯାନ କିଣି କେଉଁ ଲାଭ । ଅଧଇଞ୍ଚି ରାସ୍ତା ନାହିଁ । କେତେ ଚାଲିବ । ଧାଡ଼ିତ ଆଖି ପାଉନାହିଁ । ଏ ପଙ୍ଗପାଳଦଳ କେଉଁଠି ଥିଲେ, ଠିକ୍ ଏଗାରଟାବେଳକୁ ରାସ୍ତା ତମାମ ପଡ଼ିଗଲେ । କାହିଁକି ରାତି କ’ଣ ପଳାଇ ଯାଉଥିଲା । ସେ ବସ୍‍ଷ୍ଟାଣ୍ଡ ପଡ଼ିଆ ଥାଉ ଥାଉ ଏ ରାଜରାସ୍ତାରେ କାହିଁକି ପାଲା ଲଗାଇଛନ୍ତି । କ’ଣ ପୋଲିସ୍‍ଗୁଡ଼ାକ ଶୋଇ ପଡ଼ିଛନ୍ତି ନା ଦେଖୁନାହାନ୍ତି । ଗାଁରେ କେଉଁଠି କ’ଣ ହେଲେ ଦଳ ଦଳ ଶାଗୁଣା ପରି ବେଢ଼ିଯିବେ । ନାଲି ଆଖି ଯେ ପେଟର ଛୁଆ ଖସି ପଡ଼ିବ । ଏଠି କ’ଣ ସେ ହାକିମୀ ଚଳିବ ନା ପକେଟ୍ ଗରମ କଥା ଅଛି । କିଏ ବା ଜୀବନକୁ ପାଣି ଛଡ଼ାଇ ଆସିବ । ଯଦୁମଣି ସାଇକେଲ୍ ରୋକୁ ରୋକୁ ପଛଆଡ଼ୁ ଗାଡ଼ି ବେଲ୍ ଦେଲା ।

 

ଆଗରେ ଉଠାଣି, ମୁହଁରେ ଖରାଝାସ ପଡ଼ୁଥାଏ । ଯଦୁମଣି ପେଡ଼ାଲକୁ ଆହୁରି ଜୋରରେ ଘୂରାଇଲେ । ହେବନାହିଁ, ପାଞ୍ଚମିନିଟ୍ ଯାଇପାରେ । ଦିନଯାକ ପଡ଼ିଛି । କେଉଁ ଠିକ୍ ସମୟରେ ଛୁଟି ମିଳୁଛି ? ଯାଇ ଯାଇ ସେହି ସନ୍ଧ୍ୟା । ଏ କାମ ସେ ଫାଇଲ୍ ହୋଇ ସମୟ କେଉଁଆଡ଼େ ପଳାଇ ଯାଉଛି । ପେଟ ଜଳିଲେ କେହି ଶୁଣିବାକୁ ନାହିଁ । ଖାଲି ଚଞ୍ଚଳ କାମ ଦରକାର । ଘଣ୍ଟା ଦେଖିବାକୁ କାହାରି ସତେ କି ଆଖି ନାହିଁ । ଏ କ’ଣ ମଣିଷ ନା କଳ । ବୋତାମ ଟିପିଦେଲେ ବାହାରି ପଡ଼ିବ ସେ ପଟୁ ଆଉ ତୁମେ ଗୋଟାଇ ନେବ । ପାଞ୍ଚ ଦଶ ଟଙ୍କା ବାହାର କଲାବେଳକୁ ପକେଟ୍ ଦରଣ୍ଡା ଚାଲିଥିବ । ସବୁଗୁଡ଼ାକ ଚାଲବାଜି । କାମ ସରିଗଲେ କାହାର ଦେଖା ଦରଶନ ନାହିଁ । ସାଇକେଲ୍ ଋଣ ଛଅ ମାସ ହେଲା କଲାଣି କେହି ଶୁଣୁନାହାନ୍ତି । ଏ ଭଙ୍ଗା ସାଇକେଲ୍‌କୁ କେତେ ଆଉ ପେଲିବ । ପେଟରେ ଦାନା ଥିଲେତ । ଦେହ ଶକତ ହେବା ଦରକାର-। ମରିଗଲେ କେହି ପାଣି ଟୋପାଏ ଦେବେ ନାହିଁ । ପୈତୃକ ଶରୀର ପୋଡ଼ିବାକୁ କାହାରି ଘରୁ କାଠ ଫଡ଼ାଏ ବାହାର କରିବେନି । ଆଗନ୍ତୁକ ଜୀବକୁ ମିଶାଇ ସାତ ପ୍ରାଣୀ ଭାସିଗଲେ କେହି ଆହା ପଦେ କରିବେନି । ନିରୁ ବୋଉର କି ଦଶା ହେବ ସେତେବେଳକୁ । ହେବନାହିଁ, ଆଜି କିଛି ଗୋଟିଏ ବ୍ୟବସ୍ଥା କରିବାକୁ ପଡ଼ିବ । ଛୁଟି ନେବା ନଚେତ୍ ଧର୍ମଘଟ ସଙ୍ଗରେ ଯୋଗ ଦେବା ଭଲ-। ଯାହାହେଲେ କିଛି ଗୋଟିଏ କରିବାକୁ ପଡ଼ିବ । ଯେ କରୁଥିବ ତା’ ପଛରେ ସମସ୍ତେ ଲାଗିଥିବେ । ଦାମବାବୁ ମାସ ମାସ ଛୁଟି ନେଉଛନ୍ତି । ଅଫିସ୍‌କୁ ଆସିଲାବେଳକୁ ସାତ ପଛରେ । ଗଲାବେଳକୁ ଘଣ୍ଟାଏ ସହଳ । କାହିଁ କେହି ତ ତାଙ୍କର କିଛି କରିପାରୁନାହାନ୍ତି । ଆଉ ଆମକୁ ଘଣ୍ଟା ନାହିଁ, ସନ୍ଧ୍ୟା ନାହିଁ, ରାତିରେ ବଡ଼ବାବୁଠାରୁ ସାନବାବୁ ତଳେ ବସେଇ ଉଠେଇ ଦେଉ ନାହାନ୍ତି ।

 

ସ୍କୁଟର୍‍ଟି ପାଖଦେଇ ଚାଲିଗଲା । ଯଦୁମଣି ଚେଇଁ ଉଠିଲେ । ସାଇକେଲ୍‌କୁ ଛିଡ଼ାକରି ଦଣ୍ଡେ ଚାହିଁଲେ । ରୁମାଲ୍ ପକେଟ୍‍ରୁ କାଢ଼ି ମୁହଁ ପୋଛିଲେ । ଖସି ଯାଇଥିବା ଚେନ୍‌କୁ ଠିକ୍ କରି ଲଗାଇଲେ । ହାତ କଳା । ଚାରି ଆଡ଼କୁ ଚାହିଁଲେ । କିଛି ସମୟ ସିମେଣ୍ଟ ପୋଲ ଉପରେ ଘଷିଲେ । କଳା ଦାଗ ଛାଡ଼ି, ହାତ ପାପୁଲିରେ ମଇଳା ଦେଖାଗଲା । ଘଣ୍ଟାକୁ ଚାହିଁଲେ ଏଗାରଟା ବାଜିବାକୁ ଯାଉଛି । ଓହୋ, ବଡ଼ବାବୁ ଆସିଯିବେଣି । ପଙ୍ଖାଖୋଲି ହାଉଆ ଖାଉଥିବେ । ହରିକୁ ପାନ ପାଇଁ ପଠାଇଥିବେ । ପାନ ଖଣ୍ଡେ ଠିକ୍ କରି ନ ଚୋବାଇଲେ ଫାଇଲ୍‍ର ଦର୍ଶନ ନାସ୍ତି । ବସିକରି ହୁଁ ହାଁ ହେଉଥିବେ । ତା’ପରେ ଚାଲିବ ଡକରା । ଅତି କମରେ ଅଧଘଣ୍ଟା ଯାଇପାରେ । ଦୀନବାନ୍ଧବ ତୁମେ ହିଁ ଆମର ବନ୍ଧୁ, ଅନାଥର ନାଥ, ଦୁଃଖନାଶନ, ଅଗତିର ଗତି । କିପରି ନୁରି ବୋଉ ଭଲରେ ଭଲରେ ଖଲାସ ହୋଇଯାଉ । ମୋତେ ଏ ଦୁଃଖରୁ ତାର । ନ ହେଲେ ରାତି ଛାଡ଼ି ଦିନରେ ମୋତେ ହିଁ ରୋଷେଇ କରିବାକୁ ପଡ଼ିବ । ଅଫିସରେ ଚାକିରି, ଘରେ ବି ଚାକିରି । ସକାଳ ବେଳଟା ତୁମପାଇଁ ଯାଉଛି । ତୁମେ ନ ଶୁଣିଲେ ଆଉ ମୋର ସାହା ଭରସା କିଏ ଅଛି । ତୁମ ଦୟାରୁ ସକାଳ ବେଳାଟି ଛୁଟି ମିଳି ଯାଉଛି । ନ ହେଲେ ତ ଅବସ୍ଥା ସରିଥିଲା ।

 

ସାଇକେଲ୍‌କୁ ପୋଲ ଉପରୁ ଗଡ଼ାଇ ଯଦୁମଣି ପାଦ ସ୍ଥିରକରି ରଖିଲେ । ସ୍କୁଟର୍ ଗତିରୁ ଟିକିଏ କମି ଯାଇପାରେ । ପାଖା ପାଖି ହୋଇପାରେ । ସ୍କୁଟର୍ ଥିଲେ ଘରଠୁ ଅଫିସ୍ ଅତି ବେଶୀରେ ପାଞ୍ଚ କି ଦଶ ମିନଟରେ ଯାଇହୁଅନ୍ତା । ଏଗାରଟା ହୋଇଗଲେ କିଛି ଆପତ୍ତି ନାହିଁ । ବଡ଼ବାବୁ ନ ଆସିଲାବେଳକୁ ପହଞ୍ଚି ହୋଇପାରନ୍ତା । ଉଠାଣି ଗଡ଼ାଣି ସବୁ ସମାନ । କଳ ମୋଡ଼ିଲେ ପବନ ଗତିରେ ଧାଇଁ ଚାଲିଛି । ହେଲେ କିଛି ଆପତ୍ତି ନାହିଁ । ଆଲୁଅ ଅଛି । ବଳ ଖର୍ଚ୍ଚ ନାହିଁ । ଅନ୍ଧାର ଖାଲ ଢିପ ସବୁ ସମାନ । ଦଶ କହିଲେ ଘରେ ହାଜର । ନିରୁ ବୋଉର ରିକ୍‌ସା ଖର୍ଚ୍ଚଟା କମି ଯାଆନ୍ତା । ରାତି ଅଧରେ ଯେଉଁଠିକି କହିବ ଯାଇପାରିବ । ବେଳ ଅବେଳ ସବୁ ସମାନ ।

 

ସ୍କୁଟର୍‍ଟା ଅମାନିଆ ଘୋଡ଼ାପରି ବାଟ ଖାଲି ପିଇଯାଇଛି । ଗାଁରେ ପହଞ୍ଚିଲେ ନିଶ୍ଚୟେ ମାନ, ଖାତିରି ମିଳନ୍ତା । ଅଫିସରେ ବଡ଼ ବାବୁଙ୍କପରି ଗୋଟେ ଅଧେ ମଧ୍ୟ ନମସ୍କାର ମିଳିପାରନ୍ତା-। ନୁରି ବୋଉ କେତେ ଯେ ଖୁସୀ ହୁଅନ୍ତା ତାହାର କଳନା ନାହିଁ । ରୋଷେଇରୁ ଅନ୍ତତଃ ତ୍ରାହି ମିଳିଯାଆନ୍ତା । ସାଇ ପଡ଼ିଶାରେ ପଦେ ଦୁଇପଦ ଶୁଣାଇ ଦିଅନ୍ତା । ପଡ଼ିଶା ଲୋକମାନେ ଦେଖି ଶୁଣି ହାଇ ମାରନ୍ତେ । କ’ଣ ହେଲା ସେଇଠୁ । ସ୍କୁଟର ତ ଋଣରେ ମିଳିଯାଆନ୍ତା । ପାଇ ପାଇ ଟଙ୍କା କେତୋଟି ଅଧିକା ଶୁଝିବାକୁ ପଡ଼ିବ । ଖାଇବା ଖର୍ଚ୍ଚ କମେଇ କିମ୍ବା ଅଧିକା କିଛି କାମଟାଏ କରିଦେଲେ ଟଙ୍କା କେଉଁ ବଳେଇ ପଡ଼ିବ । ଏ ଉଠାଣି ପକାଣି ସବୁଥିରୁ ଉଦ୍ଧାର ମିଳିପାରନ୍ତା । ନୁରି ବୋଉକୁ ସକାଳ ରୋଷାଇ ଝାମଲାରୁ ରକ୍ଷା ମିଳିଯାଆନ୍ତା । ଦ୍ଵିପହର ଛୁଟିରେ ଘରକୁ ଯାଇ ହୁଅନ୍ତା । ହରି ହେ ! ସବୁ ତୁମରି କରୁଣା ।

 

ସାଇକେଲ୍‍ ମୋଡ଼ ବୁଲିଲା । ନିରୁଜାମା ପାନ ଦୋକାନରେ ଗୋଡ଼ ଆପେ ଆପେ ରୋକି ହୋଇଗଲା । ନିରୁଜାମା ଅଫିସରେ ପାନ ବାକିରେ ଦିଏ । ବଙ୍ଗଳା ଦେଶରୁ ପଳାଇ ଆସିଥିଲା । ବଡ଼ ଦୁଃଖିନୀ । କଞ୍ଚା ବୟସରେ ସ୍ଵାମୀକୁ ହରାଇଛି । ତେବେ ବି ମଉଳା ବୟସରେ ଅସରନ୍ତି ରଙ୍ଗ । ଗୋରା ତକ ତକ ଦେହ ବୟସକୁ ଲୁଚାଇ ଦେଉଛି । ମୁଣ୍ଡରେ କଳା କୁଞ୍ଚି କୁଞ୍ଚି ଲମ୍ବା ବାଳ । ଗୋଲ ମୁହଁକୁ ସୁନାପଥରବସା ଫୁଲ ବଡ଼ ସୁନ୍ଦର ଦିଶେ । ବଡ଼ କଅଁଳ ସ୍ଵର । ମିଠା କଥା । ଚାଲିଯିବା ଲୋକ ଥରେ ଶୁଣିଲେ ପାନ ନ ଖାଇ ରହିପାରେ ନାହିଁ । ସବୁ କଥା ପଚାରେ । କାହିଁରୁ କେତେ ଭାଷା । ମାଇପିଟା ବଡ଼ ମନ୍ତର ଜାଣେ । ରାସ୍ତାର ଲୋକକୁ ଟାଣି ଆଣେ । ମସଲା ପାନ ଦିଏ । ସିଗାରେଟ୍ ଖୁଆଏ । ଗପ ଯେ ଯୋଡ଼ିଦେଇଥିବ ସାତ ସମୁଦ୍ର ସେପଟୁ । ଯେ ଥରେ ପାନ ଖାଇଛି, ଆଳାପ କରିଛି ନା ସହଜରେ ଭୁଲିପାରିବ ନାହିଁ ନିରୁଜାମାକୁ । ସଦାବେଳେ ଆସୁଥିବ, ପଚାରୁଥିବ । ସେଥିପାଇଁ ଛକଟାରେ ଭାରି ଭିଡ଼ । ହାକିମ ବଡ଼ବାବୁଙ୍କଠାରୁ ଆରମ୍ଭ କରି ଅଫିସରେ ସମସ୍ତେ ଧାର ଉଧାର ମଧ୍ୟ ନେଇଥାନ୍ତି । କହିବାକୁ ପଡ଼େ ନାହିଁ ପାନର ବରାଦ । ନାଁ ଶୁଣି ନିରୁଜାମା ପଠାଇଦିଏ । ମାସ ଶେଷରେ ପଇସାଟା ଏକାବେଳକେ ମିଳିଯାଉଥିଲା ।

 

ଘଣ୍ଟି ଶବ୍ଦ ଶୁଣି ନିରୁଜାମା ହସିଥିଲା । ଟିକିଏ ଅଟକି ଯାଇଥିଲି । ସେ ବଢ଼ାଇ ଦେଇଥିଲା ପାନ ଦୁଇଖଣ୍ଡ । ମନ ଚଞ୍ଚଳ ହୋଇଥିଲା ଅଜଣା ପରଶ ଆଉ ହସିଲା ଚାହାଣୀରେ । ସାଇକେଲ୍‍ ବଳେ ବଳେ ଆଗକୁ ଚାଲିଥିଲା । ମନର କଥା ପବନରେ ମିଳାଇଯାଇଥିଲା । ମଝିରେ ମଝିରେ କେଁ କଟର ଶବ୍ଦ । ଗାଡ଼ି ଘୋଡ଼ାର କାନ ଅତରା ଶବ୍ଦରେ ନିରୁଜାମାର ହସ ଛପି ଯାଉଥିଲା ପଛରେ ।

 

ଅଫିସ୍ କୋଠାରେ ଲୋକଭିଡ଼ । ଧାଡ଼ି ଲାଗିଥାନ୍ତି ପିମ୍ପୁଡ଼ି ଧାର ପରି । ଘଣ୍ଟାକୁ ଚାହିଁ ଯଦୁମଣି ଚେଇଁ ଉଠିଲେ । ସାଢ଼େ ଏଗାର ବାଜିବାକୁ ଯାଉଛି । ବଡ଼ବାବୁଙ୍କ ଡାକ ରଡ଼ିରେ ଗଳିଯିବାପରି ଲାଗିଲା । ସବୁ କାମ ଧରାପଡ଼ି ଯାଇପାରେ । ଲୋକଭିଡ଼ ଦେଖି ବଡ଼ବାବୁ ନିଶ୍ଚୟ ଖୋଜୁଥିବେ । ଛାତି ଧପ୍‍ଧପ୍‍ ହେବାକୁ ଲାଗିଲା । କାଲିର ଅଧା ଫାଇଲ ସେହିପରି ଅଛି । ଆଠଦିନ ହେଲା ସରିନାହିଁ । ଆଜି ମଧ୍ୟ..... ।

 

ପାଣି ପିଇ ଯଦୁମଣି ପାହାଚକୁ ଉଠିଲେ । ଦୁଇଟି ପାହାଚ ପରେ ବଡ଼ବାବୁ ଦେଖାଯିବେ । ହାକିମ ଅଫିସ୍ ସେପଟେ । ଘଣ୍ଟା କଣ୍ଟା ତାଙ୍କର ଠିକ୍ ଠିକଣା ନାହିଁ । କେତେବେଳେ ଆସିବେ କେତେବେଳେ ଯିବେ । ଖୋଜିବେ ଖୁବ୍ କମ୍ । ଡକରା ପଡ଼େ ବଡ଼ବାବୁଙ୍କୁ । ଆମପରି ଜୀବଗୁଡ଼ାକ ଆଗ ପଛରେ ଗଳିଯାଆନ୍ତି । ହାତୀର ଖୋଜରେ ମାଛି ମରେ ନାହିଁ । ବିଲୁଆ, କୁକୁର ଅନାୟାସରେ ପାର ହୋଇଯାଆନ୍ତି । ସ୍ପର୍ଶ କରିବା କଷ୍ଟ ଏ ଜୀବଗୁଡ଼ାଙ୍କର ଗତି ବିଧି । ଚୁଟିଆ ମୂଷା ପରି କେଉଁଠି ପଶି କେଉଁଠି ବାହାରନ୍ତି । ମନେପଡ଼ିଲେ ବଡ଼ବାବୁଙ୍କ ନାମ ଧରି ପାର ହୋଇଯାଆନ୍ତି । ଆଉ ବଡ଼ବାବୁ ମାରିବେ ତାରିବେ ଗାଳି ଦେବେ । କଲମ ମୁନରେ ନୁହେଁ । ପିଲାକବିଲା, ଘର ସଂସାର କଥା ଊଣା ଅଧିକେ ତାଙ୍କୁ ଜଣା । ଉପଦେଶରେ ସରେ ନାହିଁ । “ଯାହା କରୁଛ କର, ଲୋକ ଦେଖାରେ ନୁହେଁ, ବାରିପଟେ । ସେଥିପାଇଁ ସରକାର ଦୁଇ ଦୁଇଟା ଦରଜା ରଖିଛନ୍ତି । ସମସ୍ତିଙ୍କ ପାଇଁ ଗୋଟେ । ଆସିବା ଯିବା ସମାନ । ହେଲେ ତୁମେ ତ ଆପଣାର ଲୋକ, ନିଜ ଗୋଷ୍ଠୀ ଭାଇ ବଞ୍ଚାଇ ଖାଅ । ମୋ ଆଖିରେ ନୁହେଁ, ରାସ୍ତା ଅଛି, ଦ୍ଵାର ଅଛି । ପେଟ ପାଟଣାକୁ ସବୁ ଛାଡ଼ । ପେଟ ନ ପୂରିଲେ ଚୋରି ସମସ୍ତେ କରନ୍ତି । ମନ ଚାହିଁଲେ କିଏ ବା ଜଗେ । ଏସବୁ ଶାସ୍ତ୍ରର ବିଧାନ । ଦୋଷୀକୁ ଦଣ୍ଡ, ମୁକ୍ତି ବି ଆଇନରେ ଲେଖାଅଛି ।

 

ଆଗକୁ ଗୋଡ଼ କାଢ଼ିଲେ ଯଦୁମଣି । ଛାତିକୁ ଦମ୍ଭ କଲେ । ମନକୁ ଶକ୍ତ କରି ବାନ୍ଧିବାକୁ ଚେଷ୍ଟା କଲେ । ମୁଁ ମଧ୍ୟ ଜଣେ ଚାକିରିଆ । ମୋର ଅଧିକାର ଅଛି । କହିବାର ସ୍ଵାଧୀନତା ଅଛି । ପେଟ ପାଟଣା ଅଛି । କିଏ ନ ଜାଣେ । କେଉଁ ଚୋରି କରିଛି ଯେ ଏତେ ଡର ଧର । ଦେଖାହେବ ଯାହା ହେବ । ଚିନ୍ତା କେବଳ ନୁରି ବୋଉ, ଆଉ ବଡ଼ବାବୁ.... ।

Image

 

କେତୋଟି ମୁହୂର୍ତ୍ତ

 

ଅଭ୍ୟାସରେ ପଡ଼ିଯାଇଥିଲା । ସକାଳ ନୁହେଁ ସନ୍ଧ୍ୟା ଭ୍ରମଣ ମଧ୍ୟ । ରାତି ପୋଷାକ ବଦଳାଇବା ଦରକାର ପଡ଼େନି । ନିତିଦିନ ସରି ଆସୁଥିବା ଚପଲ ହଳକ ପାଦରେ ପୂରାଇ ବାହାରିପଡ଼େ । ବଡ଼ ପାର୍କକୁ ନୁହେଁ ସେହି ଗୋଲାଇ ଛୋଟ ସ୍ଥାନକୁ ପାଦ ଦୁଇଟି ଆପେ ଆପେ ଟାଣି ହୋଇଯାଏ । ଗେଟ୍ ଡେଇଁଲା ପରେ ଆଖି ଦୁଇଟି ସିଧା ପିଚୁ ରାସ୍ତାରେ ଭାସିଯାଏ । ଦଶ ମିନିଟ୍ ଚାଲିବା ପରେ ମୁଁ ପହଞ୍ଚିଯାଏ ମୋ ନିର୍ଦ୍ଦିଷ୍ଟ ସ୍ଥାନରେ ।

 

ସେମିତି ରାତିଦିନ, ନୂଆ କିଛି ନଥିଲା । ଦିନେ ଅଧେ କେହି କେମିତି ଅପରିଚିତ ମୁହଁ । ପରିଚିତ ରାସ୍ତାରେ ଧାଉଁଥାନ୍ତି ଚାରିପଟ । ଅବସରପ୍ରାପ୍ତ କେତୋଟି ଚିହ୍ନା ମୁହଁ । ଦଶ ବାରଜଣ ପୃଥୁଳ ଉଦରକୁ କମାଇବାକୁ ଚେଷ୍ଟା କରୁଥାନ୍ତି । ଛୋଟ ପିଲା କେତୋଟି ମା’ ପଛେ ପଛେ ଚାଲିଥାନ୍ତି । ଭିକାରୀଟି ଗେଟ୍ ପାଖରୁ କିଛି ବାଟଛାଡ଼ି ଶୋଇଥାଏ ଏକ କୋଣରେ । ସବୁଦିନ ପାଇଁ ସ୍ଥାନଟି କେହି ବୋଧେ ନିର୍ବାଚିତ କରି ନେଇଥିଲେ । ଶୋଇବାରେ କାହାରି ଆପତ୍ତି କି ଅଭିଯୋଗ ନଥିଲା । କାହାରି ସହିତ ସେ ପରିଚିତ ନ ଥିଲେ ସୁଦ୍ଧା ସମସ୍ତେ ତାକୁ ଚିହ୍ନନ୍ତି । ସକାଳେ କେହି କିଛି ନ ଦେଲେ ସନ୍ଧ୍ୟାରେ ସେ ହାତ ପତାଇ ଥାଏ । ସେହି କେତୋଟି ପଇସା ସେ ଆଦାୟ କରେ ତାର ଖୋରାକ ପାଇଁ । ନ ମାଗିଲେ ସେ ବଳେ ବଳେ ପାଇଯାଇ ଥାଏ ।

 

ଦାଦା, ସୁପ୍ରଭାତ । ପଛକୁ ଚାହିଁଲେ ଲୀଳିମା ହସୁଛି । ଡାକିବା ପୂର୍ବରୁ ଲୀଳିମା ଦୌଡ଼ି ଆସି କୁଣ୍ଢାଇ ପକାଇଲା । ନିତିଦିନର ଛୋଟ ଚୁମାଟିଏ ସେ ଆଦାୟ କରିନେଲା । ତଳକୁ ଖସି ମୋ ପଛେ ପଛେ ଚାଲିଲା । କୃଷ୍ଣଚୂଡ଼ାରୁ ଦେବଦାରୁ, ଧାଡ଼ି ଧାଡ଼ି ଇୟୁକାଲପଟାସ ବୃକ୍ଷଗୁଡ଼ାକ ଆମେ ପାରିହୋଇ ଯାଉଥିଲୁ । ଦୁଇଟି ଘେରା ସମ୍ପୂର୍ଣ୍ଣ ଘୂରି ସାରିବା ପରେ ଲୀଳିମା ସିମେଣ୍ଟ ବେଞ୍ଚ ପାଖକୁ ଭିଡ଼ି ନେଲା । ଜଙ୍ଘରେ ଶୋଇ ମୁହଁକୁ ଚାହିଁ ରହିଲା । ତା ପରେ କ’ଣ ହେଲା ଦାଦା ।

 

ବଣର ରାଜା ସିଂହ ଦିନେ ବଡ଼ ସଭା ଡାକିଲା । ସଭାରେ ସମସ୍ତ ବଣ ଅଧିବାସୀ ଯୋଗ ଦେଇଥିଲେ । ସିଂହ ନିଜର ପ୍ରଜାମାନଙ୍କୁ ବିନୟ ହୋଇ କହିଲେ, ଆମ୍ଭେମାନେ ସମସ୍ତେ ଏହି ଜଙ୍ଗଲରେ ବାସକରି ଆସୁଛେ । ଆମ୍ଭମାନଙ୍କଦ୍ୱାରା ସମସ୍ତ ଜଙ୍ଗଲ ନିରାପଦରେ ଅଛି । ନ ହେଲେ ମନୁଷ୍ୟମାନେ ସମସ୍ତ ଜଙ୍ଗଲ କାଟି ସଫା କରି ଦିଅନ୍ତେଣି । ଯାହା ଫଳରେ ମାନବ ସମାଜର ଘୋର ଅସୁବିଧା ପଡ଼ିବ । ଆମ ଜଙ୍ଗଲରେ ମିଳୁଥିବା ଅମ୍ଳଜାନ ଆସ୍ତେ ଆସ୍ତେ କମି ଆସିବ । ଜଙ୍ଗଲ ସଫା ହୋଇଗଲେ ବଣ ସଂପଦ ଯେପରି ନଷ୍ଟ ହୋଇଯିବ । ସେହିପରି ବର୍ଷା ମଧ୍ୟ କମିଯିବ । ଯାହାଫଳରେ ଦୁର୍ଭିକ୍ଷ ପଡ଼ିପାରେ । ମାନବ ସମାଜ ଦ୍ଵାରା ଆସିଥିବା ଅଙ୍ଗାରକାମ୍ଳକୁ ବୃକ୍ଷ ଗ୍ରହଣ କରେ । ମାନବ ସମାଜ ସମୃଦ୍ଧ ହେଲେ ଅରଣ୍ୟ ସୁରକ୍ଷିତ ହୁଏ । ଆମ୍ଭେମାନେ ମଧ୍ୟ ସୁଖ ଶାନ୍ତିରେ ବାସ କରିପାରିବା । ତେଣୁ ଆଜିଠାରୁ ପ୍ରତ୍ୟେକେ ଜଣେ ଜଣେ ପାଳିକରି ସମସ୍ତ ଜଙ୍ଗଲକୁ ଜଗିବା ଦରକାର । ବାହାର ଶତ୍ରୁକୁ ନିଜ ଇଲାକାରୁ ବିତାଡ଼ିତ କରି ଆମ ରାଜ୍ୟକୁ ନିରାପଦ ରଖିବା ଆବଶ୍ୟକ । ସମସ୍ତ ଅରଣ୍ୟବାସୀ ରାଜା ସିଂହର କଥାକୁ ସାଦରରେ ଗ୍ରହଣ କରିନେଇଥିଲେ । କିନ୍ତୁ ପରହିଂସୁକ ଶୃଗାଳ ଦଳ ଏଥିରେ ସମ୍ମତି ଦେଲେ ନାହିଁ-। ସମସ୍ତ ଶୃଗାଳ ଦଳ ଏକଯୁଟ ହୋଇ ବିଚାର କଲେ ଏହା କିପରି ସମ୍ଭବ ହେବ । ଲୋକମାନେ ସୁଖରେ ରହିଲେ ଆମର କ’ଣ ଯାଏ ଆସେ । ଦୁର୍ଭିକ୍ଷରେ ମଲେ ଆମକୁ ଆହାର ମିଳିଯିବ । ସେଥିପାଇଁ ଆମକୁ ଅନ୍ୟତ୍ର ଖୋଜିବାକୁ ପଡ଼ିବ ନାହିଁ । ତେଣୁ ଏହାର କିଛି ଗୋଟିଏ ସୁ-ବନ୍ଦୋବସ୍ଥ କରିବା ଦରକାର ଯେଉଁଥିରେ ଆମର ଖାଦ୍ୟ ଖୁବ୍ ସହଜରେ ମିଳିପାରିବ ।

 

ଲୀଳିମାର ଛୋଟ ଛୋଟ ଆଖି ଦୁଇଟି ବୁଜି ହୋଇ ଆସୁଥିଲା । କଅଁଳ ହାତ ଦୁଇଟିକୁ ଅଣ୍ଟାରେ ଗୁଡ଼ାଇ ସେ ଶୋଇ ପଡ଼ୁଥିଲା ଥଣ୍ଡା ପବନରେ । ଲମ୍ବା ବାଳ କେରାଏ ଅଲରା ହୋଇ ଖେଳାଇ ପଡ଼ିଥାଏ ମୁହଁ ଉପରକୁ । ସତେଜ ମୁହଁରେ ଟିକି ନାଲି ଓଠ । ସିଧା ନାକ । ବାଁ ପଟ ଗଣ୍ଡଦେଶରେ କ୍ଷୁଦ୍ର କଳାଜାଈ । ରାତିରେ ଧଳା ପୋଷାକ । ପାଦରେ ଝୁଲୁଥିବା ଚପଲ ହଳକ ପଦାକୁ ଖସି ପଡ଼ିଥାଏ ।

 

ଖେଳାଇ ହୋଇ ପଡ଼ିଥିବା ବାଳକେରାକୁ ସଜାଡ଼ି ଦେଲି । ଜାବୁଡ଼ି ଧରିଥିବା ହାତ ଦୁଇଟି କୋହଳ କରି ମୁହଁକୁ ଚାହିଁଲି । ଦୁଷ୍ଟାମୀର ହସ ଚେନାଏ ସବୁବେଳେ ଲୀଳିମାକୁ ଖୁବ୍ ମାନୁଥାଏ । ଚାହିଁଲି ଚାରିଆଡ଼େ । ଚାକରାଣୀ ଏ ପର୍ଯ୍ୟନ୍ତ ଆସିନାହିଁ । କ’ଣ ଭୁଲି ଯାଇଛି । ସ୍କୁଲ ବେଳ ହୋଇଯିବ । ମା’ ବିରକ୍ତ ହେଉଥିବେ । କପାଳରେ ଚୁମାଦେଇ ଆସ୍ତେ ଆସ୍ତେ ହଲାଇଲି । ଲୀଳିମା କର ଲେଉଟାଇ ପୁଣି ଶୋଇବାକୁ ଚେଷ୍ଟା କଲା । ପାର୍କଟି ଧିରେ ଧିରେ ଜନଶୂନ୍ୟ ହୋଇ ଆସୁଥାଏ ।

 

ରବିବାର । ବାହାରକୁ ଯିବାର ଇଚ୍ଛା ନାହିଁ । ସାରିବାକୁ ପଡ଼ିବ ସାତଦିନର କାମ । ସକାଳର ପତ୍ରିକା । ସନ୍ଧ୍ୟାରେ ଟେଲିଭିଜନ । କାମଗୁଡ଼ାକ ଗୋଟିକ ପରେ ଗୋଟିଏ ମନେ ପଡ଼ିଯାଉଥାଏ । ପାର୍କରେ ପହଞ୍ଚି ଦେଖିଲି ଲୀଳିମା ଆସି ଯାଇଛି । ଘାସ ପଡ଼ିଆର ଏମୁଣ୍ଡ ସେମୁଣ୍ଡ ଯାଏ ଡେଇଁ ଯାଉଛି । ମଝିରେ ମଝିରେ ମୋ ଆସିବା ବାଟକୁ ଅନାଉଥାଏ । ପୁଣି ସେହି ଚାଲି, ଦୌଡ଼ ନିତିଦିନ ପରି ।

 

ଦାଦା, ତୁମର ଆଜି ବିଳମ୍ବ ହୋଇଛି । ଦେଖି ମୁଁ ମୋର ଭ୍ରମଣ ସାରିଦେଲିଣି । ମୁଁ ଆଉ ତୁମ ସଙ୍ଗେ ବୁଲି ପାରିବି ନାହିଁ ।

 

ଲୀଳିମା ସିମେଣ୍ଟ ବେଞ୍ଚରେ ବସି ଯାଇଥିଲା ।

 

ହଁ ଲୀଲି— ମୋର ଟିକିଏ ଆଜି ବିଳମ୍ବ ହୋଇଯାଇଛି । ଜାଣୁନା ଆଜି ଛୁଟିଦିନ । ଉଠିଥିଲି ଟିକିଏ ଡେରିରେ । ହେଉ, ଆସ ଆଉ ଥରେ ବୁଲିଆସିବା ଆଜି ସେ ଗପକୁ ଶେଷ କରିଦେବା ।

 

କିନ୍ତୁ ଦାଦା ଗୋଟିଏ ସର୍ତ୍ତ । ମାମୀ କହିଛନ୍ତି ସନ୍ଧ୍ୟାରେ ତୁମେ ଆମ ଘରକୁ ଯିବ । ମୋ ସଙ୍ଗେ ଟି.ଭି ଦେଖିବ, ଖାଇବ ଆମ ଘରେ । ସେତେବେଳେ ମୋତେ ଆଉ ଗୋଟିଏ ରାଜା ଗପ କହିବ ନା ? ତାହା ହେଲେ ମୁଁ ତୁମ ସଙ୍ଗେ ବୁଲିବି ।

 

ସର୍ତ୍ତକୁ ପୂରଣ କରି ମୁଣ୍ଡ ହଲାଇଲି ।

 

ଦାଦା, ତୁମର ପାଠପଢ଼ା କ’ଣ ସରିନାହିଁ ?

 

ନା ।

 

ଆଉ କେତେ ଦିନରେ ସରିବ ?

 

ଅଳପ ଦିନ ।

 

ଦାଦା, ମାମୀ ର କାହିଁ ପଢ଼ୁନାହାନ୍ତି ?

 

ତାଙ୍କର ପାଠ ପଢ଼ା ସରିଯାଇଛି ।

 

ଦାଦା, ମାମୀ କାହିଁ ଗପ କହୁନାହାନ୍ତି ?

 

ସେ ଶିଖି ନାହାନ୍ତି ।

 

ଦାଦା, ତୁମ ସାରେ କ’ଣ ଆମ ମ୍ୟାଡ଼ମ୍‌ଙ୍କ ପରି ଚଷମା ମଡ଼ାନ୍ତି ?

 

ହଁ ।

 

ଦାଦା, ତୁମେ ଚଷମା ପିନ୍ଧୁଛ ! ମୁଁ କେବେ ପିନ୍ଧିବି ?

 

ବହୁତ ପାଠ ପଢ଼ିଲେ ।

 

ଦାଦା, ମୁଁ ବଡ଼ ହେଲେ ତୁମ ପାଖରେ ରହିଲେ ଗପ କହିବ ନା ?

 

ହଁ ।

 

ଦାଦା ତୁମ ମାମୀ ଅଛନ୍ତି ?

 

ହଁ ।

 

କାହିଁ ତ ତୁମ ପାଖରେ ନାହାନ୍ତି ?

 

ସେ ଆମ ଘରେ ଅଛନ୍ତି ।

 

ତୁମେ ଯେଉଁଠି ଅଛ—ସେ କ’ଣ ତୁମ ଘର ନୁହେଁ ?

 

ନା ।

 

ଦାଦା, କାଲୁ ଭିକାରୀର କ’ଣ ଘର ନାହିଁ । ସେ ଏଠାରେ କାହିଁକି ଶୋଇଛି ?

 

ନା । ତା’ ଘର ଏଠି ।

 

ଗେଟ୍ ପାଖକୁ ଚାହିଁଲି, ଭିକାରୀଟି ସେହିପରି ଶୋଇଥାଏ ।

 

କାହିଁକି ତାର କ’ଣ ମାମୀ ଡାଡ଼ି ନାହିଁ ?

 

ନାଁ, ମରିଯାଇଛନ୍ତି ।

 

ଦାଦା ସେ କାହିଁ ଚିରା ପୋଷାକ ପିନ୍ଧିଛି ?

 

ତାର ପଇସା ନାହିଁ ।

 

ଦାଦା ପଇସା କେମିତି କମାଇ ହେବ ?

 

ପାଠ ପଢ଼ିଲେ ।

 

ତାହାପରେ କ’ଣ ହେଲା.... ।

 

ସେହି ବିଲୁଆ ଦଳ ଭିତରୁ ବୁଢ଼ା ବିଲୁଆ କହିଲା, ଏତେ କଥାରୁ କ’ଣ ମିଳିବ । ମୂଳୁ ମାଇଲେ ଯିବ ସରି । ରାଜାଙ୍କୁ ମାରିଦେଲେ କାମ ଫତେ । ତୁମେମାନେ ନିଶ୍ଚିନ୍ତରେ ଥାଅ । ମୁଁ ଏହାର ବନ୍ଦୋବସ୍ତ କରିବି ।

 

ଏକଦା ବୁଢ଼ା ବିଲୁଆ ଦେଖିଲା, ରାଜକୁମାରୀ ନିଜର ରତ୍ନହାର ଗଳାରୁ ଓହ୍ଲାଇ ସ୍ନାନ କରୁଛନ୍ତି । ବିଲୁଆ ଭାବିଲା ଏହି ରତ୍ନହାରଟି ନେଇ ସିଂହ ଗୁମ୍ଫାରେ ପକାଇଦେଲେ ରାଜା ହାରକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ସିଂହକୁ ମାରିଦେବେ । ଏହା ଭାବି ବିଲୁଆ ଲୁଚି ଲୁଚି ରତ୍ନହାରଟି କାମୁଡ଼ି ଦୌଡ଼ି ପଳାଇବାକୁ ବସିଲା । ଉପରେ ଛିଡ଼ା ହୋଇଥିବା ଦାସୀମାନେ ଏହା ଦେଖି ଚିତ୍କାର କଲେ । କଥାଟି ସଙ୍ଗେ ସଙ୍ଗେ ରାଜବାଟୀରେ ଖେଳିଗଲା । ରାଜା ଆଦେଶ ଦେଲେ ରାଜ୍ୟରେ ଯେତେ ବିଲୁଆ ଅଛନ୍ତି ସମସ୍ତଙ୍କୁ ମାରି ରତ୍ନହାର ଉଦ୍ଧାର କର ।

 

ପ୍ରତିଦିନ ଶହ ଶହ ବିଲୁଆ ଧରାହୋଇ ହଣା ଖାଇଲେ । ବୁଢ଼ା ବିଲୁଆ ଏହା ଦେଖି ସପରିବାର ଲୁଚି ଯାଉଥିବା ସମୟରେ ଧରାପଡ଼ି ହଣା ଖାଇଲା । ତାହାର ସମସ୍ତ ପରିବାରକୁ ମାରି ଦିଆଗଲା । ତେଣୁ ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । କାହାର ପ୍ରତି ଖରାପ ଭାବନା ମନରେ ଆଣିଲେ ଭଗବାନ ସେଥିପାଇଁ ଦଣ୍ଡ ଦିଅନ୍ତି । ଲୀଳିମା ଚାକରାଣୀ ସଙ୍ଗେ ହାତ ହଲାଇ ହଲାଇ ଚାଲି ଯାଉଥାଏ । ବାଙ୍କ ରାସ୍ତାରେ ଛୋଟ କଳା ଆଖି ଦୁଇଟି ଅଦୃଶ୍ୟ ହୋଇଗଲା-

 

ପରିଚୟ ଗୋଟିଏ ଦିନର ନୁହେଁ । ତିନି ବର୍ଷ ଧରି ରହି ଆସିଥିବା ଛୋଟ ଘରଟିରେ ଖୁବ୍ ଆବୋରି ବସିଥିଲା । ବର୍ଷା, ଶୀତ, ଗ୍ରୀଷ୍ମ ଋତୁ ଚକ୍ରମାନ ଚାଲି ଯାଉଥିଲେ ଗୋଟିକ ପରେ ଗୋଟିଏ । ନୂଆ ବନ୍ଧୁ ପୁରୁଣା ହେଉଥିଲେ—ଚାଲି ଯାଉଥିଲେ ଯେଝା ରାସ୍ତାରେ । କେତୋଟି ଦିନ ମନେପଡ଼େ, ପୁଣି ପୁରୁଣା ହୋଇଯାଏ ଆସିଥିବା ପଛରେ । ନୂଆ ବର୍ଷରେ ନୂଆ ନୂଆ ବନ୍ଧୁମାନଙ୍କ କୋଳାହଳରେ ଭୁଲିଯାଏ ସେହି ଛାଡ଼ିଥିବା ଅତୀତକୁ । ବର୍ତ୍ତମାନ କାମ ଭିତରେ ମନେ ପଡ଼େନାହିଁ-। ଛୋଟ ସଂସାର ଭିତରେ ସଂପର୍କ ରଖିଥିବା କାଗଜ, କଲମ—ପୁସ୍ତକ ଗଦାରେ ।

 

ସକାଳ ଭ୍ରମଣ ଛାଡ଼ି ଅପେକ୍ଷା କଲି । ଘଣ୍ଟାକୁ ଚାହିଁଲି । ସ୍କୁଲ ବେଳଠାରୁ ବଳେଇ ଗଲାଣି । ଆଗରେ ଧାଡ଼ି ଧାଡ଼ି ସ୍କୁଲ ପିଲା ବସରେ ଚଢ଼ିଲେ । ବୁଲୁଥିବା ବୁଢ଼ାମାନେ ଚାଲିଗଲେଣି-। ଛୋଟ ପାର୍କଟି ଜନଶୂନ୍ୟ ହୋଇ ଆସୁଛି । ଭିକାରୀଟି ଉଠି ବିଡ଼ି ଟାଣୁଛି । ଶୋଇଥିବା କନ୍ଥାକୁ ଝାଡ଼ି ପାଖରେ ଥୋଇଲାଣି । ଲୀଲିମା କ’ଣ ଆଜି ଶୋଇ ପଡ଼ିଛି ? ନା ମନେ ନାହିଁ ଆସିବାକୁ । ସକାଳୁ ଆସିଥିଲେ ମୋତେ ନିଶ୍ଚୟ ଅପେକ୍ଷା କରିଥାନ୍ତା । କିମ୍ବା ବିଳମ୍ବରେ ଆସିଥିଲେ ମଧ୍ୟ ଦେଖା ହୋଇଥାନ୍ତା । ସେକେଣ୍ଡ କଣ୍ଟାଟି ଘୂରି ଘୂରି ମିନିଟ୍ ଶେଷ ହୋଇ ଯାଉଥଲା । ମିନିଟ୍ କଣ୍ଟାଟି ଆଗେଇ ଯାଉଥିଲା ଘଣ୍ଟା ସମୟକୁ ପଛରେ ପକାଇ । ଦୀର୍ଘ ନିଶ୍ଵାସ ନେଇ ଫେରି ଆସିଲି ସେଦିନ ।

 

ଆକାଶରେ ତାରାଗୁଡ଼ିକ ଆସ୍ତେ ଆସ୍ତେ ଫୁଟି ଉଠିଥିଲେ । ନୂଆ ପୁରୁଣା ସ୍ଵରରେ ପାର୍କଟି ଭିଡ଼ ହୋଇଯାଉଥିଲା । ଚୁପ୍ ଚୁପ୍ କଅଁଳ ହୋ ହଲାରେ ସ୍ଥାନଟି ମୁଖରିତ ହୋଇ ଉଠୁଥିଲା । ଦଳ ଦଳ ହୋଇ ଆସୁଥିଲେ—ଚାଲି ଯାଉଥିଲେ । ଅନେକ ହସରେ ମୁଁ ପଛକୁ ଫେରି ଚାହିଁଲି । ଚାରିଜଣ ସ୍ତ୍ରୀ ପୁରୁଷ, ପଛରେ ତିନୋଟି ଛୋଟ ପିଲା ଖେଳି ଖେଳି ଗୋଡ଼ାଇଥାନ୍ତି । ସାନ ଝିଅଟି ପେଣ୍ଡୁକୁ ଗଡ଼ାଉଥାଏ । ଆଖି ଫେରାଇ ଆଣୁଥିଲି ଅପରିଚିତ ମୁହଁଗୁଡ଼ିକରୁ ।

 

ଚାହିଁଲି ଗେଟ୍ ପାଖକୁ । ଲୀଳିମା ଘରକୁ ଯାଇଥିବା ଲମ୍ବା ରାସ୍ତାକୁ । ବାଙ୍କ ମୁଣ୍ଡରେ ଚକ୍ଷୁ ଦୁଇଟି ସ୍ଥିର ହୋଇଗଲା । ରାସ୍ତା ଖୁଣ୍ଟରେ ତୋଫା ଆଲୁଅ ଦୁଇପଟେ ଜନଗହଳି । ଚାଲି ଯାଉଥିବା ଅନେକ ଆଖିର ପଟୁଆର ପାର୍କଟିରେ ପୂରି ରହିଥିଲା । ସେହିପରି ଏକ ଦ୍ଵନ୍ଦ୍ୱରେ ଛିଡ଼ା ହୋଇ ଭାବିଥିଲି ଆଗପଛ ରାସ୍ତାକୁ । ଗୋଲାଇ ଛକରେ ବୁଲିଥିବା ଅନେକ ବାଟକୁ । ଦୁଇକାନ ଡେରି ଶୁଣିଥିଲି ପରିଚିତ ଡାକକୁ ।

 

ଦିନେ ଦୁଇଦିନ କଟି ଯାଇଥିଲା ସେହି ଅପେକ୍ଷାରେ । ଛୁଟିଦିନ ରବିବାର । ମନେମନେ ଶିହରୀ ଉଠୁଥିଲି ଲୀଳିମାର ଶାନ୍ତ ସୁନ୍ଦର ମୁହଁର ପ୍ରତିଛବିକୁ ମନେପକାଇ । ଅନେକ ଭାବନା ଛୋଟବଡ଼ ହୋଇ ଉଙ୍କି ମାରୁଥିଲେ ମୋ ଆଗରେ । ସାତୋଟି ଦିନର ଅଦେଖା ମୁହଁ ସକାଳ-ସନ୍ଧ୍ୟା ଭ୍ରମଣକୁ ମନ୍ଥର କରି ଦେଇଥିଲା ।

 

ପାଦ ଦୁଇଟି ଅଟକିଗଲା ବନ୍ଦଥିବା ଦରଜା ମୁହଁରେ । ଦରଜାରେ ବଡ଼ ତାଲା । ବଗିଚାର ବାସିଫୁଲ ସେହିପରି ଗଛରେ ଲାଖିଥାଏ । ଚାହିଁଲି ଚାରିଆଡ଼େ । ପାଖଘର ବେଲ୍ ଟିପିଲି । ଦଶ ବର୍ଷର ଛୋଟ ଝିଅଟେ ବାହାରି ଆସିଲା । ଆବାକାବା ଠିଆ ହୋଇ ଚାହିଁଲା । ନିଜକୁ ପରିଚୟ ଦେଇ ପଚାରିଲି ଲୀଳିମା କଥା । ମଧ୍ୟବୟସ୍କା ସ୍ତ୍ରୀ ଜଣକ ବାହାରି ଆସି କହିଲେ ସେମାନେ ଆଉ ଏଠାରେ ନାହାନ୍ତି । କିଛିଦିନ ତଳେ ଛୋଟ ଝିଅଟି ସକାଳ ଭ୍ରମଣରେ ଯାଉଥିବାବେଳେ କାର୍ ଧକ୍‌କାରେ ଗୁରୁତର ଆଘାତ ହୋଇ ଡାକ୍ତରଖାନା ଯାଇଛି । ମା’ ମଧ୍ୟ ତା ସାଥିରେ ଅଛି । ସେ ଠିକଣା ଆଣି ବଢ଼ାଇଦେଲେ ।

 

ଦୁଇଘଣ୍ଟା ଅପେକ୍ଷା କରିବାପରେ ଅନୁମତି ମିଳିଲା । ଧଳା ବେଡ୍‍ଟିରେ ଲୀଳିମା ଶୋଇଛି । ମୁଣ୍ଡରେ ବନ୍ଧାଯାଇଥିଲା ପଟି, ଆଖି ଦୁଇଟି ସଂପୂର୍ଣ୍ଣ ଆବୃତ୍ତ ଥିଲା । ପାଖରେ ମହିଳା ଜଣେ ଏକ ନୟନରେ ଚାହିଁଥାନ୍ତି ।

 

ଏକ ମଧୁର ସନ୍ଧ୍ୟାରେ ନାଜିମା କହିଚାଲିଥାନ୍ତି । ପରିଚୟ ଭିତରେ ମୁଁ ଖୋଜି ନ ଥିଲି ଅତୀତକୁ । ପଚାରି ନ ଥିଲି ଲୀଳିମାକୁ ଛୋଟବଡ଼ ଘର କଥା । ସବୁ ଦିନ ସନ୍ଧ୍ୟା ପ୍ରଭାତରେ ଆମେ ଦୁହେଁ ଘୂରି ବୁଲୁଥିଲୁ । ଚାଲିଯାଉଥିଲୁ ଯେଝା ବାଟରେ । ଅବଲୁପ୍ତ ଇତିହାସକୁ କେହି ଯେପରି ବାହାର କରିବାକୁ ଚାହୁଁ ନ ଥିଲୁ । ଯାହା ଲୀଳିମାଠାରୁ ମୁଁ କେଭେ ଆଶା କରି ନ ଥିଲି । ଇଚ୍ଛା କରି ନ ଥିଲି ତାହାର ଛୋଟ ଜୀବନରେ ଏକ ବିରାଟ ପର୍ଯ୍ୟାୟ ଲୁକ୍‌କାୟିତଭାବେ ରହି ଯାଇଛି । ଆମେ ସେଦିନ ଲାହୋଇ ଛାଡ଼ି ଚାଲି ଆସିଥିଲୁ । ଲୀଳିମାର ପିତା ପଞ୍ଜାବର ଜଣେ ହିନ୍ଦୁ ଜମିଦାର ପରିବାରର ସନ୍ତାନ । ବିବାହର ବହୁଦିନ ପରେ କଥାଟି ଲୁଚିପାରି ନ ଥିଲା । ଇଂଲଣ୍ଡରୁ ଡାକ୍ତରୀ ପାଶ୍‌ କରି ସେ ତାଙ୍କର ଚାକିରି ଜୀବନ ଲାହୋରରେ ଆରମ୍ଭ କରିଥିଲେ । ମେଡିକାଲ ଛାତ୍ରୀ ହିସାବରେ ମୋର ଯେପରି ସୁନାମ ନଥିଲା—ମୁଁ ଉଚ୍ଚ ମହଲରେ ଗଜଲ୍ ରାଣୀ ଭାବରେ ସୁପରିଚିତା ଥିଲି । କେବଳ ସଙ୍ଗୀତରେ ନୁହେଁ ମୁଁ ଚଳଚିତ୍ର ଜଗତରେ ଖୁବ୍ ନାମ କରିଯାଇଥିଲି । ତାହା ମୋର ଥିଲା କ୍ଷଣସ୍ଥାୟୀ । ସେହିପରି ଏକ ସନ୍ଧ୍ୟାରେ ମୁଁ ବିଦ୍ରୋହୀମାନଙ୍କଦ୍ଵାରା ଆକ୍ରାନ୍ତ ହୋଇ ବେହୋସ ହୋଇ ପଡ଼ିଥିଲି । ମନେ ନାହିଁ ତା’ ପରବର୍ତ୍ତୀ ଘଟଣା ।

 

ଦୁଇଦିନପରେ ମୁଁ ନିଜକୁ ଆବିଷ୍କାର କରିଥିଲି ଏକ ପ୍ରଖ୍ୟାତ ଡାକ୍ତରଙ୍କ ପ୍ରକୋଷ୍ଠରେ । ସେହି ମହାନ୍ ଗୁଣବାନ ଡାକ୍ତରଙ୍କ ପ୍ରଚେଷ୍ଟାରେ ମୁଁ ଆରୋଗ୍ୟ ଲାଭ କଲି । କିନ୍ତୁ ମୁଣ୍ଡର ଆଘାତ ଯୋଗୁଁ ମୁଁ ମୋର ଅତୀତକୁ ବିଶେଷ ମନେ ପକାଇପାରୁ ନ ଥିଲି । ତାଙ୍କ ଯତ୍ନରେ ଦୁଇବର୍ଷ ରହିବା ପରେ ସେ ମୋର ସ୍ମରଣଶକ୍ତି ଫେରାଇ ଆଣିଥିଲେ ।

 

ମୁଁ ଘରକୁ ଫେରିବାକୁ ଅନୁମତି ମାଗିଲି । ସଙ୍ଗେ ସଙ୍ଗେ ସେ ମୋତେ କିଛି ଦିନ ବିଶ୍ରାମ ପାଇଁ କହିଲେ । ଦିନ ଯେତିକି ଗଡ଼ୁଥାଏ ମନର ଇଚ୍ଛା ପ୍ରବଳ ବଢ଼ୁଥାଏ । ଆତ୍ମୀୟ ସ୍ଵଜନମାନଙ୍କର ବିଚ୍ଛେଦ ମୋତେ ଅହରହ ବ୍ୟତିବ୍ୟସ୍ତ କରୁଥିଲା । ଦିନେ ସେହି ଯୁବକଙ୍କ ଆଗେ ନିଜର ଇଚ୍ଛାକୁ ଦୀନ ନ କରି ସବୁ କଥା କହି ମୋର ପରିବାରକୁ ଫେରିଯିବା ଯାଇଁ କାକୁତି ମିନତି କରିଥିଲି ।

 

ହାତରୁ ମୋର ପତ୍ରିକାଟି ଖସି ପଡ଼ିଥିଲା । ଚାରିଆଡ଼େ ମୋତେ ଯେପରି ଶୂନ୍ୟ ଦେଖାଗଲା । ଯୁବକ ଡାକ୍ତର ମୋତେ ଖୁବ୍ ଉତ୍ସାହ ଦେଇ କହିଲେ କିଛି ବ୍ୟସ୍ତ ହେବାର ନାହିଁ ଯାହା ଗଲା ତାହାକୁ ଭାବି କିଛି ଲାଭ ନାହିଁ । ବିଦ୍ରୋହରେ ମୁଁ ଯେ ଏକା ଆହତ ହୋଇଥିଲି ତାହା ନୁହେଁ ସମସ୍ତ ପରିବାରବର୍ଗଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା । ଆମର ସମସ୍ତ ସମ୍ପତ୍ତି ଲୁଣ୍ଠିତ ହୋଇଥିଲା । ବହୁ ପୁରୁଷର ସମ୍ଭ୍ରାନ୍ତ ଉଆସକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା । ତାହା ହିଁ ଥିଲା ଏକ ରାଜନୈତିକ ସୂତ୍ରପାତ । ହତ୍ୟାକାରୀମାନେ ମୋ ମୃତ୍ୟୁ ଖବର ଘୋଷଣା କରିଦେଇଥିଲେ ।

 

ତାହାପରେ ଆମେ ବିବାହ ହୋଇ ଲାହୋର ଛାଡ଼ି ଦେଇଥିଲୁ । କିନ୍ତୁ ତାହା ମୋ ଭାଗ୍ୟରେ ଯେପରି ଅନୁକୂଳ ନ ଥିଲା । ତାଙ୍କ ଅଭିଜାତ ପରିବାରରେ ମୋତେ ଗ୍ରହଣ କରି ନ ଥିଲେ । ସେଥିରେ ସେ ଭାଙ୍ଗି ନ ଯାଇ ଏଠାରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଚାରୋଟି ବର୍ଷ ସୁଖରେ କଟିଥିଲା । ଛୋଟ ପରିବାର ଭିତରେ ଅଭାବ ନ ଥିଲା । କାହାରି ପାଇଁ ଭାବିବାକୁ ନ ଥିଲା । ଏହାରି ଭିତରେ ଲୀଳିମା ଜନ୍ମନେଇ ସାରିଥାଏ । ସ୍ଵାମୀ ନିଜକୁ ହିନ୍ଦୁ ଭାବରେ ଝିଅର ନାମକରଣ କରିଥିଲେ । ଆମେ ପଡ଼ୋଶୀ ପାଖରେ ହିନ୍ଦୁ ଭାବରେ ପରିଚୟ ଦେଇସାରିଥିଲୁ । ସମ୍ପର୍କ ବହୁ ବର୍ଷ ପୂର୍ବରୁ ଛିନ୍ନ ହୋଇଯାଇଥିଲା ଦୁଇଟି ପରିବାରରୁ । ତଥାପି ଆମେ ଖୁବ୍ ଖୁସିରେ ଥିଲୁ । ଆଉ ମୋତେ ମଧ୍ୟ ଖଣ୍ଡିଏ ଚାକିରି ମିଳି ଯାଇଥିଲା । ଦୁଇଟି ଜୀବନର ଆନନ୍ଦ ଭିତରେ ଲୀଳିମା ହିଁ ଏକମାତ୍ର ଆଧାର । ଚାକିରି ଜୀବନ ଭିତରେ ବହୁ ସନ୍ତାନ ହେବାପାଇଁ ତାଙ୍କର ଆଦୌ ଇଚ୍ଛା ନ ଥିଲା । ସେହି ସନ୍ତାନକୁ ସେ ଉଚ୍ଚ ଶିକ୍ଷିତା କରାଇବା ପାଇଁ ପୁଣି ବିଦେଶ ଯାତ୍ରା କରିଥିଲେ । ତାହା ହିଁ ତାଙ୍କର ଶେଷ ଯାତ୍ରା ହୋଇ ରହିଗଲା । ଆଉ ସେ ଫେରିଲେ ନାହିଁ । ପ୍ଲେନ୍‍ଟି ଶତ୍ରୁଦ୍ଵାରା ଅପହୃତ ହୋଇ ଜଳି ଯାଇଥିଲା । ନାଜିମାଙ୍କ ନାଲି ଓଠ ଦୁଇଟି କମ୍ପିବାକୁ ଲାଗିଲା । ଲୁହକୁ ଲୁଚାଇବା ପାଇଁ ସେ ମୋ ଆଗରୁ ଉଠି ଯାଇଥିଲେ ।

 

ହସ୍ତରେ ବାଡ଼ିଧରି ଲୀଳିମା ମୋ ପଛରେ ଚାଲିଥାନ୍ତି । ପଚାରୁଥାନ୍ତି ଅନେକ ପ୍ରଶ୍ନ । ଦାଦା ବର୍ତ୍ତମାନ ସମୟ କେତେ ? ସୂର୍ଯ୍ୟ ଉପରକୁ ଉଠିଲେଣି କି ନାହିଁ । ପିଲାମାନେ ସ୍କୁଲକୁ ଗଲେଣି । ଦାଦା ମୁଁ ପାର୍କକୁ ଯିବି ନା ??

 

ତୁମେ କେତେ ଦୂରରେ ?

 

ଦାଦା, ମୋ ଆଖି ଭଲ ହୋଇଯିବ ନା, ? ମୁଁ ସ୍କୁଲକୁ ପଢ଼ିବାକୁ ଯିବି ନା ? ସକାଳ ଭ୍ରମଣ କରିବି ନା ???

 

ପ୍ରଶ୍ନର ପୁନରାବୃତ୍ତି ସଂକ୍ଷିପ୍ତ ହଁଟିଏ ଲେଖା ମାରି ଅନାଇ ଥାଏ ଲୀଳିମାକୁ । ଓଷ୍ଠରେ ସେହିପରି ଦୁଷ୍ଟାମୀର ହସ । କଳା କଳା ଆଖିପତା । ବାଗୁଲୀ ବାଳ ମୁହଁଦେଇ ଖେଳାଇ ହୋଇ ପଡ଼ିଥାଏ । ନିଜକୁ ସମ୍ଭାଳି ପାରି ନ ଥିଲି ସେଦିନ । କୋଳକୁ ଉଠାଇ ଆଙ୍କି ଦେଇଥିଲି କେତୋଟି ଚୁମା । ଛୋଟ ଛାତିଟିରେ ଅନୁଭବ କରିଥିଲି ଏକ ଅହେତୁକ ସ୍ପନ୍ଦନ । ସରୁ ସରୁ ହାତ ଦୁଇଟି ଗୁଡ଼ାଇ ହୋଇ ଯାଇଥିଲା ମୋର ବେକ ଚାରିପଟେ । ଗୋଲାପ ମୁହଁଟି ନଇଁ ଆସୁଥିଲା ନିଶ୍ଵାସ ଦେଇ । ଚାରିଟୋପା ଲୁହକୁ ପୋଛି ସେଦିନ ମୁଁ ଆରମ୍ଭ କରି ଦେଇଥିଲି ମୋର ଗଳ୍ପ ।

Image

 

ପଥର ଦିଅଁ

 

ମିଛୁଆ କପାଳରେ ହାତ ମାରି କେନାଲ ଶଙ୍ଖରେ ଥକା ହୋଇ ବସିଗଲା । ଟାଇଁ ଟାଇଁଆ ଡାହାଣିଆ ଖରାରେ ଝର ଫିଟିଲା ପରି ଝାଳ ବୋହି ଯାଉଥାଏ । ବୈଶାଖ ମାସର ମେଲା ନିଶୁନ୍ ଗହୀରଟା ସାଗୁଆ ଧାନରେ ହସି ଉଠୁଛି । ଉଞ୍ଚା ଉଞ୍ଚା ନ ହେଲେ ବଡ଼ ଶସ୍ୟଳିଆ ହୋଇ ବଢ଼ିଛି । ମୋଟା ମୋଟା ଶାବଳିଆ ବୁଦା । ଆଖି ପୂରିଆ ଗେଡ଼ ଗେଡ଼ା ଝଙ୍କାଳିଆ ଧାନକ୍ଷେତ । ଧାଡ଼ିଗୁଡ଼ାକ ପାନିଆରେ କୁଣ୍ଡେଇଲା ପରି ସିଧା । ହିଡ଼ରେ ଏପଟୁ ଛିଡ଼ା ହେଲେ ସେପଟ ସଫା ଦେଖାଯାଉଛି । ନ ଖାଇ ନ ପିଇ ଦୁଇଘଡ଼ି ବସି ଯିବାକୁ ମନ ହେଉଛି । ଆଖି ବସିଯିବ ପୂରନ୍ତା କ୍ଷେତକୁ ଦେଖିଲେ । ଲକ୍ଷ୍ମୀ ଠାକୁରାଣୀ ବିଜେ କରିଛନ୍ତି । ମା’ର ଦୟା ହେଲେ ଗୋଦାଣ୍ଡପଡ଼ିଆ କ୍ଷେତି ହୋଇଯିବ । ଶୁଖିଲାରେ କୁବେର ରାଜା ବିଜେ କରିବେ । ବିଶ୍ଵକର୍ମାର କୋଠି କୋଠି ଅମାର ଠିଆ ହୋଇଯିବ । ଲୋକବାକର ଅଭାବ ନାହିଁ । ଗୋରୁ, ମହିଷ, ମେଣ୍ଢା, ଛେଳି କାହିଁଠୁ କେଉଁ ଯେ ମାଡ଼ଯିବେ । ସୁଦୟା ନ ହେଲେ ବଡ଼ ଠାକୁରଙ୍କୁ ଅନ୍ନଜଳ ନ ମିଳିଲାପରି ସବୁ ଉଭେଇ ଯିବ । ସବୁଥାଇ ନଅଙ୍କ ପଡ଼ିଯିବ । ଅକାଳରେ ଧନଜନ ଶୂନ୍ୟ ହୋଇଯିବେ । ମଲାବେଳେ କତରା ପାଖରେ କେହି କାନ୍ଦିବାକୁ ନ ଥିବେ । ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ ପ୍ରାଣଯିବ । ପ୍ରାଣ ଛାଡ଼ିଲାବେଳେ ତୁଣ୍ଡରେ ପାଣି ଦେବାକୁ କେହି ଶୁଣିବେ ନାହିଁ । ଭଣ୍ଡାର ଭଣ୍ଡାର ନ ଶହ ନବ କୋଟି ଧନଧାନ ଉଭେଇ ଯିବ । ରତ୍ନ ପଲଙ୍କ ଛାଏଁ ଛାଏଁ କେଉଁଆଡ଼େ କାଠ ପାଲଟିଯିବ ।

 

ଧାନ ଫସଲ ଡେଇଁ ମିଛୁଆ ଶୁଖିଲା ଗହୀରକୁ ଆଖି ପହଁରାଇ ନେଲା । କେନାଲ ପାଣି ଯାଇ ନାହିଁ ସେ ଯାଏ । କଙ୍କଡ଼ା ଗାଡ଼ିଆ ସେପଟ ପାଟ ସେତେ ଦୋଫସଲୀ ନୁହେଁ । ଇନ୍ଦ୍ର ରାଜା ବିଜେ ନ କଲେ ଘାସ କଅଁଳେ ନାହିଁ । ମେଘ ଦିନେ ଡଙ୍ଗା ଚାଲିବ । ଧାନପୁଅ ସଙ୍ଗେ ବାଳୁଙ୍ଗା ରାଜା । ଯେତେ ବାଛିଲେ ସେହି ପଡ଼ିଆ । ଧାନ କାଟିଲାବେଳକୁ ଦାଆ ଯିବ ନାହିଁ । ନଈ ବଢ଼ିଲେ ସମୁଦ୍ର ପରିକା ପାଣି । ବେଳ ବୁଡ଼ିଲେ ଡାହାଣୀ, ଚିରଗୁଣୀ ବଣ । ହାବୁଡ଼େ ପଡ଼ିଲେ ଜୀଅନ୍ତା ଖାଇଯିବେ । ସାତକଟା ଗୁଣିଆର ପିଳେହି ପାଣି । ମନ୍ତ୍ର ଯନ୍ତ୍ର କିଛି କାଟୁ କରିବନି ଏ ସାତ ବାଇଆ କଞ୍ଚା ଡାହାଣୀ ପାଟିରେ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଡର ସେଠାରେ ବିଜେ କରିବାକୁ । କେନାଲ ଗଲେ କେଉଁ ଲାଭ । ଧାନ ଫଳିବ ନା ଧାନପୁଅ ରାଜା ହେବ । ସେହି ବାଳୁଙ୍ଗା ରାଜା ଯେତେ ଯାହା କଲେ ପାଣି ଦେଖିଲେ ଫୁଲି ଉଠିବ । ଖଟି ଖଟି ଯୁ ଯିବ ମେହନତର କଡ଼ାକର ମୂଲ୍ୟ ନାହିଁ । ପରପୁଅ ପୋଷା ହେବ ସିନା ମୂଲ ମିଳିବନି । ବଡ଼ ସାଆନ୍ତ କାହିଁକି ଏଥିରୁ ଅଧ ଗହୀର ରଖିଛନ୍ତି କେଜାଣି । ବାଉରୀ କଣ୍ଡରା ପୋଷିବା ଛଡ଼ା କେଉଁ କଡ଼ାକରେ ଗଣ୍ଡାଏ ଅଛି । ହଳ ହଳ ବଳଦ, ପଲ ପଲ ଗାଈ, ଷଣ୍ଢଠୁ କୁଜି ଯେ ସବୁ ପଡ଼ି ଚରି ଯାଉଛନ୍ତି । ପାଳ ଖୋଲିଲାବେଳକୁ କେଉଁ କୋଠି ପୂରୁଛି । ଆସିବ କେଉଁଠୁ, ରାତିଦିନ ପର ବୋହିଲେ । ଢିଙ୍କିଆ ଗହୀରରେ କାମକଲେ କି ଶୋଇଲେ କେହି ଦେଖିବାକୁ ନାହିଁ । ଥରେ ଆସିଲେ ବଡ଼ ମକଦ୍ଦମ ସାତଦିନ ଶେଯରୁ ଉଠି ପାରିବେ ନାହିଁ । ଛୋଟ ମକଦ୍ଦମ ମକଦ୍ଦମାରେ ବ୍ୟସ୍ତ । ସେଥିରେ ପୁଣି କେତେ କାମ । ସବୁ ପର ପୁଅ ହାତରେ । ଯେତେ ଯାହା କଲେ ପର କେଉଁ ଆପଣାର ହେବେ । କରଜ ଯେ ହୁ ହୁ ହୋଇ ବଢ଼ୁଛି । କ’ଣ ହେବ, କର୍ପୂର ନାହିଁ ସିନା କନା ପଡ଼ିଛିତ । କାହାର ସାହସ ହେବ କହିବାକୁ । ହେଉ କେଉଁ ପାଣି କେଉଁଠିକୁ ଯାଉଛି । ବଡ଼ ଲୋକକୁ ଉତ୍ତର ନାହିଁ କି ସ୍ଵର୍ଗକୁ ନିଶୁଣୀ ନାହିଁ । ଛୋଟ ମୁହଁରେ ବଡ଼ କଥା । କାହିଁ କେତେବାର ପତର ପଡ଼ିଛି । ବଡ଼ ସାଆନ୍ତାଣୀ ବଡ଼ ଯୋଗୀ ଭିକାରୀରେ ଦୟା । ଶୂନ୍ୟହାତରେ କି ଖାଲି ପେଟରେ କେହି ଫେରି ନାହାନ୍ତି । ବରଷକେ କେତେ ଦାନ ଖଇରାତ ବଣ୍ଟା ନ ହେଉଛି । ଖାଇ ଖାଇ, ବୋହି ବୋହି ଲୋକମାନେ ନୟାନ୍ତ ହୋଇଛନ୍ତି । ମୁହଁ ଉପରେ ଜବାବ ଦେଲାବାଲା କିଏ ଅଛି । ଯିଏ ଯାହା କହିବେ ପଛରେ । ଆଜି ପର୍ଯ୍ୟନ୍ତ ବଡ଼ ମକଦ୍ଦମ ଦାଣ୍ଡରେ ଚାଲିଗଲେ ପଣେ କି ଶହେ ଦଣ୍ଡବତ । ସମସ୍ତେ ଆଡ଼ ହୋଇଯିବେ । ସବୁ ସେହି ପୂର୍ବଜନ୍ମର ଫଳ । ନ ହେଲେ କୋଟିକେ ଗୋଟିଏ ଏପରି ଜନ୍ମିଥାନ୍ତି ।

 

ସାତପୁରୁଷର ସାତପାଇଆ ଜମିଟା କେନାଲରେ ଅଷ୍ଟ ବାଙ୍କ ହୋଇ ଯାଇଛି । ଜମି ବୋଲି ସେତିକି । ଗହୀରରୁ ସାର । ଦୋ ଫସଲୀ । ଫାଳେ ପଡ଼ିଲେ ଗୋଟେ । ଡାକଦେଲେ ବସୁନ୍ଧରୀ ମା’ ଓ କରୁଥିଲା । ସାତ ପଛରେ ଚଷିଲେ ଯେଉଁ ଭରଣକୁ ସେଇଆ । ଗାଁ ମୁଣ୍ଡ ପାଣି ଆଡ଼ ଭାଙ୍ଗୁଥିଲା । ଖତ ଚାଷ କଲେ ବା ନ କଲେ ସୁନା ଖଣ୍ଡେ ଥିଲା । ଆଖି ପାଖ ଜମି । ଦିନ ରାତି ମେହନତରେ ଲକ୍ଷ୍ମୀ ଠାକୁରାଣୀ କେତେବେଳେ ବିମୁଖ ନୁହନ୍ତି । ନିନ୍ଦା କରିବି ନାହିଁ ମା’ ପରି ବସୁଧାକୁ । କ’ଣ ନ ହେଇଛି । ସାତପୁରୁଷର କୋଠିଧାନ । ବାପ କାନେ କାନେ କୁହେଁ, ଆରେ ମିଛୁଆ, ଯେତେ ଯାହାକଲେ ମା’କୁ ନ ଚିହ୍ନିଲେ ପେଟ ପୂରିବ ନାହିଁ । ସବୁସିନା ଆଖିକୁ ସୁନ୍ଦର ଦେଖାଯିବପେଟ ପୂରିବ ନାହିଁ । ଚଷା ଲକ୍ଷେ ଜୀବ ପୋଷା । ଆଉ ତୁ କ’ଣ ସରକାରୀ କାଗଜ ନୋଟ୍ ଦେଖାଉଛୁ । ଦେଖିବୁ ଯେତେ ଯାହାକଲେ ପେଟ ଅପୋଷା ରହିଯିବ । ପିଲେ ତୋର ମୁଠାଏ ଦାନା ପାଇବେ ନାହିଁ । ମା’କୁ କେଭେ ନିନ୍ଦିବୁନି । ସତକୁ ସତ ଚାକିରିରେ ଯେତେ ଯାହାକଲେ ସେହି ମାସ ଶେଷକୁ ନିଅଣ୍ଟ ବାଆ । ଟଙ୍କାଏ ଦେଲେ ପେଟ ଅଧା ପୂରିବ ନାହିଁ । ଆଜି ବାବନର କି ଦଶା । ସୁନ୍ଦରୀ ମାଇକିନିଆକୁ ନେଇ ସହରକୁ ଗଲା । ଥେଇ ଥେଇ କଲା । ଦିନ ରାତି କଳଗାଉଣା ବଜାଇଲା । କେତେ ବାଗରେ ପେଣ୍ଟଜାମା । ହେଲେ ପେଟ ଶୁଖି ଯାଇଛି । ଅଣ୍ଟା ମୋଡ଼ି ହୋଇଯାଇଛି । ସଉକ କମ୍ ନୁହେଁ ।

 

ଢାମଣାସାପ ପରି ବାଙ୍କ ହିଡ଼ରେ ମିଛୁଆ ନଇଁପଡ଼ି ବିଲରୁ ଘାସ ବୁଦାକୁ ଆମ୍ପୁଡ଼ି ଆଣିଲା । କରକଟୀ ନଈଟାକୁ କେନାଲକୁ ଫୋପାଡ଼ିଦେଲା । ପାଣିର ତୋଡ଼ରେ ଧାନଗଛଗୁଡ଼ାକ ଶୋଇଯାଇଛି । ଏଠି ସେଠି ହୋଇ ବୁଦା ବୁଦା ଧାନ । ସାରା କ୍ଷେତଟା ଲଣ୍ଡାଳିଆ ଦେଖାଯାଉଛି । ଅଗରାବଣ ସାଆନ୍ତଙ୍କ କିଆରୀ ଗହଳ ଧାନରେ ହସୁଛି । ମାସ କେଇଟାରେ ଧାନ କେଣ୍ଡାରେ ପତର ଦେଖାଯିବ ନାହିଁ । ସାର ଦିଆ ଧାନ ହାତୀ କେଣ୍ଡାପରି ଗାଳିଦେବ । ଗଉଣୀ ମୁହଁରେ ନୁହେଁ—ବସ୍ତା ବସ୍ତା ଛାଇଁ ହୋଇଯିବ । ମହାଜନ ପୁଅ ଦାଣ୍ଡ ଡେଇଁବନି । ସରକାରୀ ଗାଡ଼ି ଲାଗିଯିବ । ଏପଟ ସେପଟ ନୁହେଁ ବସ୍ତା ବସ୍ତା କଣ୍ଟା ହୋଇଯିବ । ସାର ଓଷଦ ଗଦାକରି ଦେଇଛନ୍ତି ବସ୍ତା ବସ୍ତା, ଟିଣଟିଣ ଗାଡ଼ି ମୂଲରେ । ଲକ୍ଷ୍ମୀ ସାଆନ୍ତାଣୀଙ୍କ ଖେଳ ନୁହେଁ—ଟଙ୍କା ବିଡ଼ାର କାରବାର । କଳରୁ ବାହାରିଥିବା ନୂଆ ନୋଟରେ ଆଖି ଝଲସି ଉଠିବ । ହାୟରେ କପାଳ କି ଯୁଗ ହେଲା, ଟଙ୍କା କେଇଟାରେ ବିଲଟାକୁ ହତଶିରୀ କରିଦେଲେ । ଯେତେ ଗୋଡ଼ ଓଠ ଧରିଲେ ସୁଦ୍ଧା କଲମ ମୁନ ଟିକିଏ ବଙ୍କେଇଲା ନାହିଁ । କି ନିର୍ଦ୍ଦୟ ସରକାର ଲୋକ । ସାଆନ୍ତଙ୍କ ବାଟି ବାଟି ଜମି ଥାଉ ଥାଉ ଶେଷରେ ମୋ ଜମି ଖଣ୍ଡିକରେ ଲୋଭ । ଦଉଡ଼ି ଦଉଡ଼ି ଆଜିଯାଏ ଟଙ୍କା ମିଳିଲା ନାହିଁ-। ଜମି ନେଲାବେଳକୁ ଆସିବେ ଜଣେ । ଟଙ୍କା ଦେଲାବେଳକୁ ଆଉ ଜଣେ । ସବୁ ଏ ଗରୀବ ଗୁରୁବାଙ୍କ ପାଇଁ ଦଣ୍ଡନୀତି ସରକାର ଘର ଆଇନ୍‍କାନୁନ । ସାଆନ୍ତଙ୍କ ଘରକୁ ବାବୁମାନେ ଦିନରାତି ଯା’ଆସ । ସାତରାତି ଅଧିଆ ପଡ଼ିଲେ ସୁଦ୍ଧା ନାହିଁ ନାହିଁ । କେଉଁ ବାବୁ ମାଗଣା ଦେଉଛ-? ହକ ଜମି ନେଲ । କେଉଁ ହାତରୁ ଦେଉଛ । ହେଉ ବାବା ସରକାରୀ ଘର କଥା । କହିଲେ କିଏ ଶୁଣିବ । ସବୁ କରମ ଦୋଷ । ନ ହେଲେ ବଳ ବଅସ ଗଲାବେଳକୁ ଏ ଦଣ୍ଡ-

 

ମିଛୁଆ ଧାନ କିଆରୀରେ ଜମା ହୋଇଥିବା ଆଜେ ବାଜେ କଟିକୀ ଦଳକୁ କେନାଲ ବନ୍ଧ ଉପରେ ଗଦାକଲା । ଧାନ ଗଛ ଦେଇ ମାଡ଼ି ଯାଉଥିବା ସୁଅ ତୋଡ଼କୁ ହିଡ଼ ଦେଇ ବାଗେଇ ଦେଲା । ଯାହା ଅଛି ସେତକ ଯିବ । କେନାଲବାଲା ବିଲ ନେଇନାହାନ୍ତି । ବିଲରୁ ବଳୁଆ ମାଟି ଉଠାଇ ନେଇଛନ୍ତି । ସାର ବିଲକୁ ଖପରା କରି ଦେଇଛନ୍ତି । କାଙ୍କରେ ଖୋଳିଲେ ସୁଦ୍ଧା ଟିକିଏ ଚଙ୍କୁ ନାହିଁ । ଫଳିବ କ’ଣ । ଗହୀର ଗୋଟାକଯାକର ପାଣି ସେଇବାଟେ ମାଡ଼ି ଆସୁଛି । ସାପମୁଣ୍ଡ କାଟିଲାପରି ସୁଅ । କଅଁଳ ଧାନଗଛ ସମ୍ଭାଳେ କେତେକେ । ସାପ ଜିଭପରିକା ଧାନଗଛ । ମଲା ଗଲାପରିକା ପାଣିରେ ଭାସୁଛି ସିନା ହେଲେ ଉଠିବାର ଯୁ ନାହିଁ । କ୍ଷେତି ବାଡ଼ି ନଥିବା ପରି ସେ ଆଜି ପରବିଲକୁ ଚାହୁଁଛି । ଟଙ୍କା ଥାଇ ଚାଉଳ ଗଣ୍ଡେ ଭଲରେ ଭଲରେ ମିଳୁନାହିଁ । ମାଣେ ଚାଉଳରେ ପୋଷ ପୋଷ ଗୋଡ଼ି । ଓଦା କଟକଟ କେଉଁଦିନର ମସିଆ ଚାଉଳ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ କଷ୍ଟ ଦେଇ ଉପାର୍ଜ୍ଜନ କଲେ ଯେଉଁ ନିଅଣ୍ଟକୁ ସେହି ଅଭାବ । ସେ କ’ଣ ରୋଗୀ ହୋଇଛନ୍ତି ଯେ ଓଷଦ ଦେବ । କି ସାର ! ଆଉ ଓଷଦରେ ବାବା !! ଥରେ ନାକରେ ବାଜିଲେ ପ୍ରାଣ ଗଲା । ଚକୁଳିଆ ପଣ୍ଡା ଅନ୍ୟାୟ କରିଥିବାରୁ ଲକ୍ଷ୍ମୀ ସାଆନ୍ତାଣୀ ଚାଉଳରୁ ଧାନ ହୋଇଗଲେ-। ସେହି ଅନ୍ୟାୟ କରି ଯେତେ ଫଳାଇଲେ କ’ଣ ଅଣ୍ଟିବ ନା ଖଣ୍ଟିବ ।

 

ମିଛୁଆ ମଶାଣୀ ହୁଙ୍କାରେ ଚଢ଼ି ଛତୁ ପୋଷେ ତୋଳିଲା । ସପ୍ତଫେଣୀ ବୁଦା ପାଖେ ବଡ଼ ଉଚ୍ଚ କିଆବୁଦା ଭିତରୁ ଫୁଟିଲା କିଆଫୁଲ ବାସ୍ନା । ମହକରେ ଜାଗା ଖଣ୍ଡିକ ଚମକାଇ ଦେଉଥାଏ । କେଉଁ କାଳର କିଆବଣ । ପାଖକୁ ଲାଗି ବୁଢ଼ା ଶିମିଳୀଗଛ । ଲଣ୍ଡା ବୃକ୍ଷର ଡାହିଗୁଡ଼ାକ ଏ ଦିଗ ସେ ଦିଗ ହୋଇ ମେଲିଯାଇଛି । ଟିକିଏ ଛାଡ଼ି ମହାଜନ ବୁଢ଼ାର ସମାଧି । ଯାହା ହେଉ କେତେ କଷ୍ଟରେ ଧନ କମାଇଥିଲା । ମହୁମାଛିପରି ସଞ୍ଚି ଯାଇଥିଲା । ତିନି ବେଳା ପଖାଳ ଖାଇ ପାଳରେ ଧାନ ରଖିଥିଲା । ଗମ୍ଭିରୀ ଘରେ କେତେ ଯେ ପୋତା ମାଲ, ଉଦ୍ଧାର ହୋଇପାରିଲା ନାହିଁ । ମୁଣ୍ଡା ମୁଣ୍ଡା ସୁନା ଜଖ ହୋଇଗଲା । ମଲା ପଛକ ଥରେ ମାତ୍ର ତୁଣ୍ଡ ଲେଉଟାଇ କହିପାରିଲା ନାହିଁ । କ’ଣ ହେବ ସେ ବଢ଼ତି ଧନ । ପୁଅ ଦୁଇଟା ବାପ ମଲାପରେ ଧନକୁ ସହି ନ ପାରି ବାଡ଼ିଆ ପିଟା ହୋଇ ଭିନ୍ନ ହୋଇଗଲେ । ବୋହୂ ଦୁଇଟା କିଏ କେଉଁଆଡ଼େ ବାପଘରେ ପୂରାଇ ଦେଲେ । ରଖିଦେଲେ ନିଜ ସିନ୍ଧୁକରେ କାହିଁ କେତେ ଚୋରା ଛପା ମାଲ । ତଣ୍ଟି ଚିପା ଧନ କେଉଁଠି ରହିବ । କଷ୍ଟରେ ବୁଢ଼ାଟା କରିଥିଲା । ଯାହା ହେଉ କୀର୍ତ୍ତି ରହିଗଲା । ସମାଧିଟି କେତେଦିନ ପର୍ଯ୍ୟନ୍ତ ମନେ ରହିଥିବ । ଗଲେ ଅଇଲେ ମନେ ପଡ଼ିବ । ପଇସା ତ ରହିବନି, କୀର୍ତ୍ତି ଯୁଗ ଯୁଗ ପାଇଁ ରହିଥିବ ମାଟି ଉପରେ । ଗଲା ଅଇଲା ଲୋକର ଆଖି ପଡ଼ିଯିବ-। କାଳ ଅକାଳକୁ କଥା ଥିବ । ଧନ କମାଇବା କେଉଁ ଲାଭ । ଦିନେ ନା ଦିନେ ଏହିପରି ବ୍ୟୟ ହେବ-

 

ମାଇପି ତୁଠରୁ ଗଡ଼ି ମିଛୁଆ ସେପଟ ତୁଠକୁ ଫେରି ଚାହିଁଲା । ବେଙ୍ଗ, ରଙ୍ଗ, ସୁନା ଆଉ ସେ ଓଢ଼ଣା ପକାଇଥିବା ବୋହୂଟିର ଗୋରା ଗୋରା ପାଦ । ହଳଦୀବସା ଦେହ ସରୁ ପତଳା ଲୁଗା ଦେହରେ ଛପିଯାଇଛି । କଳାମେଘୀ ବାଳ ପିଠି ସାରା ଖେଳାଇହୋଇ ଆସିଛି । ସରୁ ସରୁ ଅଙ୍ଗୁଳୀରେ ଘଷା ପାଦଟି ଆଣ୍ଠୁ ପର୍ଯ୍ୟନ୍ତ ପଦାକୁ ବାହାରି ଯାଇଛି । ସାବୁନ ଫେଣକୁ ସଫାକରି ବୋହୂଟି ଦୁଇ ଆଞ୍ଜୁଳା ପାଣି ମୁହଁରେ ଛାଟିଦେଲା । ମୁହଁଟି ଆହୁରି ତୋଫା ଦେଖାଗଲା । କଳା ଭ୍ରୂଲତା ଲମ୍ବି ଯାଇଛି ଛୋଟ ଛୋଟ ଆଖିପତାଯାଏ ।

 

ବୋହୂଟି ପିଠିରୁ ଲୁଗା କାଢ଼ି ପାଣିରେ ବୁଡ଼ାଇ ଦେଲା । ପାଲିସିଗୋରା ପିଠିରୁ ପାଣି ଲୁଗା ଦେଇ ବୋହି ପଡ଼ୁଥାଏ । ସେପଟ ତୁଠରୁ କାହାକୁ ଦେଖି ବୋହୂଟି ଲାଜରେ ପାଣିରୁ ଉଠିଗଲା । ପତଳା ଲୁଗା ସାରା ଦେହରେ ଲାଖିଗଲା ପରି ମନେ ହେଲା । ଦୁଇଟି ଛୋଟ ଛୋଟ ପାଦ ଧୀରେ ଧୀରେ ଦୂରେଇ ଗଲା ପାଣି ତୁଠରୁ ସେହି ସରୁ ଚଲାବାଟ ଦେଇ ।

 

ସାର ମା’ ଆଜି ସ୍ଵର୍ଗରେ । ବଅସ ବେଳେ କେତେ ଖଟିଛି । ଘଡ଼ିଏ ଫୁରୁସତ୍ ନେଇନି ଶାନ୍ତିରେ ନିଶ୍ଵାସ ମାରିବାକୁ । ମନା କଲେ ମାନିବ ନାହିଁ । ଭଲ ମନ୍ଦରେ ଗାଳିଦେଲେ ମୁଫୁଡ଼ୁ ବୋଲି ପଦେ ଉତ୍ତର ଦେବ ନାହିଁ । ଏତେବଡ଼ ବୈଶାଖୀ ଖରାରେ ବିଶ୍ରାମ ନାହିଁ । ଗାଈଠୁ ବାଛୁରୀ ଯାଏ ଖୋଇ ପେଇ ଏ ଦଣ୍ଡାରୁ ସେ ଦଣ୍ଡା ଯାଏ ଭିଡ଼ୁଥିବ । କାଳିଗାଈଟା ତା ପିଛା ଧରିଥିବ । ପଘାରୁ ଫିଟିଗଲେ ତା’ ପଛେ ପଛେ ଆସି ହାଜର । ତା କୁନି ଶୋଫଲା ଛୁଆ ଜହ୍ନ ସତେ ଯେମିତି ଜନମ କଲା ମା’ । ସାର ମା’କୁ ଘଡ଼ିଏ ନ ଦେଖିଲେ ରଡ଼ି ଛାଡ଼ିଥିବ । ସଦାବେଳେ ଥୋମଣି ଥୋଇ ଗେହ୍ଲା ହେଉଥିବ । ଘଡ଼ିଏ ବସିଲେ ଚାଟିଯିବ ସାରା ଦେହକୁ । ତା’ ସଙ୍ଗେ ସଙ୍ଗେ ଇଶାଣ ଘରେ ପଶିଯିବ । ହାଣ୍ଡିରୁ ଭାତ ଖାଇଯିବ । ଏ କେନାଲ ବିଲରେ ସାର ମା’ କେତେ ଖଟିଛି । ଦିନ ନାହିଁ ରାତି ନାହିଁ । ଦଣ୍ଡା ମଶାଣୀରୁ ଯେଉଁଠୁ ଗୋବର ଲଣ୍ଡାଏ ପାଇବ ସେହି ବିଲରେ ପକାଉଥିବ-। ଘାସ ବୁଦାଏ ରଖିଛି । ବିଲ ବାଛିବାକୁ ପଡ଼ିବ ନାହିଁ । ବୁଣା କାଳରୁ ସେ ଲାଗିଥବ । ଧାନ କଟାବେଳେ କୁତ୍ତୀପର ପଡ଼ିଥିବ ସେଠାରେ । ଯେତେ କହିଲେ ଟିକିଏ ଶୁଣିବ ! ସାର ଭାତ ନେଲେ ସେଠାରେ ଖାଇବ । ପାଣି ତୁଠରୁ ପିଇବ । କେଣ୍ଡାଟିଏ କାହାକୁ ଛିଣ୍ଡାଇ ଦେବ ନାହିଁ । ଆଜି ସରଗରୁ ମୋତେ ଦେଖୁଥିବ । ବଡ଼ ବିକଳ ହେଉଥିବ ତା’ ବିଲକୁ ଦେଖି । ବଡ଼ ଅୟିସୁଲକ୍ଷଣୀ । ଅହିଅ ସୁନ୍ଦର ଶଙ୍ଖା ନେଇ ମରିଛି । ପୂଣ୍ୟ ମାଘମାସ । ଦେହ ବୈରାଗ କିଛି ନାହିଁ । ପଥି ଓଷଧି ଦେଖିନାହିଁ, ଚାଖିନାହିଁ ଦିନେ ହେଲେ ପିତା କି କଷା । ଦିନ ଦୁଇଟାରେ ଚାଲିଗଲା । ଶୁଦ୍ଧ ଘରକୁ କିଛି ଜାଣିନାହିଁ । କେଉଁଠି କି ଦରବମାନ ରଖିଥିଲା । ସବୁ ଗୋଟିକ ପରେ ଗୋଟିଏ ଯୁଟିଗଲା । ମଲା ବାସି ସବୁ ଯେପରି ହତଶିରୀ । କାଳିଗାଈ ମାସ ଛ’ଟାରେ ବାଣିଆ ଦଣ୍ଡାକୁ ଗଲା । ଜହ୍ନକୁ ନ’ଛୁଇଁଲା । ଆଉ ଶେଷରେ ଭାତହାଣ୍ଡି, ବିଲ କେନାଲରେ ଗଲା । ପିଲା ଖଣ୍ଡିକ ପର ବୁଦ୍ଧିରେ ଦାଣ୍ଡ ଦୁଆର ମାଡ଼ିଲାନି । ସବୁ କରମ ଦୋଷ । ଯେତେ ଯେତେ କଥା କହିଛି ଯିବ କେଉଁଆଡ଼େ, ଭୋଗିବାକୁ ପଡ଼ିବ ।

 

ଆଖଡ଼ାଶାଳ ବରଗଛ । କାନ୍ଥ ଦୁଇଟା ଭୂଇଁରେ ଲେପଟାଇ ପଡ଼ିଲାଣି । ତଳେ ଗଦା ଗଦା ମାଟି । ପଛ ପାଖରେ ବଡ଼ ହୁଙ୍କା ଦୁଇଟି । ଖାଡ଼ିସିଜୁ ଗଛର ବଣ । ଫାଳେ ଫାଳେ ନଡ଼ା ଉତୁରି ଗଲାଣି ଚାରିପଟୁ । ମଝି ଶେଣିଟା ପୋପରା ହୋଇ ଭାଙ୍ଗି ଗଲାଣି । ରୁଅଗୁଡ଼ାକ ଏପଟ ସେପଟକୁ ବାହାରି ଯାଇଛି । ତଳେ ଛିଣ୍ଡା ହେଁସ, ତାଳ ଚଟେଇ ଦୁଇ ଚାରିଟା, ଖଣ୍ଡିଆ ବିଡ଼ି ପଣ ପଣ-ଭଙ୍ଗା ଦଆସିଲି । ତାଳବାଉଙ୍ଗା ଖଣ୍ଡା ଦୁଇଟି ଚାଳରେ ଖୋସା ଯାଇଛି । ଶାଳୁଆଗଜାପରି ଆଖଡ଼ା ମାଷ୍ଟ୍ରେ ନଇଁ ପଡ଼ିଲେଣି । ଚିହ୍ନି ହେଉନି ସେ ବୟସକୁ ଦେଖିଲେ—ଯୁଆନ ବୟସରେ କି ଚେହେରା । କଡ଼ା କଡ଼ା ନିଶ । ଲମ୍ବା ଲମ୍ବା ବାଗୁଲୀ ବାଳ । କଣ୍ଠଟା ବଡ଼ ମଧୁର । ବଇଁଶୀ ଧଇଲେ ପଶୁଜାତି କାନ ଡେରିବେ ଘଡ଼ିଏ । କଥା କହିଲେ ସଭାଯାକ ଲୋକ ବୋକା ବନିଯିବେ । ଗାଁ ମାଇପଙ୍କ କି ଟାହି ଟାପରା । କ’ଣଭୁଆଷୁଣୀ ଖିଡ଼ିକି ମେଳାଇ ଚାହିଁ ରହୁଥିଲେ । ଦିନ କେତେଟାରେ ସମସ୍ତଙ୍କୁ ଆପଣାର କରିନେଲା । କେତେ ମାଡ଼ ନ ଖାଇଛି ହରମାନିଆ ଟିକିଏ ଶିଖିବା ପାଇଁ । ଚାରି ବର୍ଷ କାଳ କଟାଇଛି ଗାଁ ଯାତରାରେ । ବଡ଼ ଗୁଣୀ ଲୋକ । ମାଡ଼ ଦିଏ ଯେପରି ଆଦର କରେ ସେପରି । ଦିନେ ନ ଗଲେ କାହିଁଠୁ କେତେ ଲୋକ ପଠାଇବ । ନିଜେ ଆସି ଘରେ ବୁଝାଇବ । ଯେଉଁ ଆଡ଼କୁ ଗଲେ ସାଙ୍ଗରେ ନେବ । ଖାଇବାଠୁ ପିନ୍ଧିବା କେଉଁଥିରେ ଊଣାନାହିଁ । ମା’ ପେଟର କଥା ବୁଝିବା ପରି କହୁଥିବ । ଲୋକଟା ଥିଲା ଏକା । ଆଖଡ଼ାସିନା ଭାଙ୍ଗିଗଲା । ହେଲେ ଭୁଲିହେବ ନାହିଁ ସେ ଦିନକୁ । କେତେ ହସଖେଳ ସାଙ୍ଗ ମେଳରେ ଦିନ କଟିଯାଇଛି । ବେଳ ଅଣ୍ଟେ ନାହିଁ ଖେଳିବାକୁ । ଆଖଡ଼ାଶାଳ ଘରକୁ ପୁଣି ଥରେ ଆଖି ବୁଲାଇ ମିଛୁଆ ଗାଁ ଦାଣ୍ଡ ଉଠାଣି ପାର ହୋଇଗଲା ।

 

ନିଶୂନ୍ ଆମ୍ବ ତୋଟାଟା ନିରିଜଳା ଲାଗିଲା । କେଉଁ କାଳର ଝାମ୍ପୁଲା ଝାମ୍ପୁଲା ଆମ୍ବ ଗଛଗୁଡ଼ାକ ଦିନ କେଇଟାରେ ପଦା ହୋଇଗଲାଣି । ହାଡ଼ମାଳ ପରି କେତୋଟି ଗଣ୍ଡି ଅଧାହଣା ହୋଇ ଲାଖି ରହିଛି । ଲାଗି ଲାଗି ଖାଲଗୁଡ଼ାକ ଆଜିସୁଦ୍ଧା ସେହିପରି ଅପୂରଣ ରହିଛି । ଗୋଟେ ଅଧେ ଆମ୍ବଗଛ ଜନଶୂନ୍ୟ ବସ୍ତିପରି ନିଜର ଅତୀତକୁ ସ୍ଵୀକାର କରିଦେଉଛି । ସେ ନେବଳ ଦାସ ମଠଟା କେତେ ଧନଜନରେ ହସୁଥିଲା । ବାଟି ବାଟି ଜମି, ଏକର ଏକର ତୋଟା, ଗଣ୍ଡା ଗଣ୍ଡା ଗାଡ଼ିଆ । ଉଆସ ପରି ଘରଦ୍ଵାର । ମାଳ ମାଳ ଚାକର, ଗୁମାସ୍ତା କୋଠିଆ । ଏ ଇଲାକାର ବଡ଼ ଜମିଦାର, ବଡ଼ ଘରୁଆ, ବଡ଼ ମହନ୍ତ । ବସିଥିଲେ ଦଶଟା ପୋଇଲି ସେବାରେ ଲାଗିଥିବେ । ଗଲା ଅଇଲା ଲୋକର ମୁଣ୍ଡ ନଇଁ ଯାଉଥିଲା । ଛତା ଟାଣିବାକୁ ସାହସ କରୁନଥିଲେ । ସାହସ ନଥିଲା ନ୍ୟାୟ ଅନ୍ୟାୟରେ କହିବାକୁ । ଜଗନ୍ନାଥ ମନ୍ଦିରଠୁ ଚନ୍ଦନ ଯାତ୍ରା ସବୁ ସେହି କରାଇଥିଲା । ଖଟଣୀ ସବୁଦିନ ପାଇଁ । ବାର ମାସରେ ତେର ଯାତ୍ରା । ଭୋଗଠାରୁ ମଣ୍ଡପ କେତେ ଯେ କରି ନଥିଲା । ଜଗନ୍ନାଥ ମହାପ୍ରଭୁ ଶ୍ରୀକ୍ଷେତ୍ର ଛାଡ଼ି ଏଠାରେ ବିଜେ କରିଥିଲେ । ଆଉ ଭକ୍ତକୁ ସ୍ଵପ୍ନରେ କହିଥିଲେ ଏଠାରେ ଦର୍ଶନ କରିବାକୁ । ଶ୍ରୀକ୍ଷେତ୍ର ଏହିଠାରେ ହୋଇଥାନ୍ତା । ରଥଯାତ୍ରା ପରି ସବୁ ନୀତି ନିୟମ ଚଳି ଥାଆନ୍ତା । ଦୁନିଆ ଯାକର ଯାତ୍ରୀ ଏଠାରେ ଭିଡ଼ ଲଗାଇଥାନ୍ତେ । କି ଶୋଭା ହୋଇଥାନ୍ତା । ଥରେ ଦେଖିଲେ ଭୋକ ଶୋଷ ଭୁଲିଯିବ । ଇଚ୍ଛା ହୁଏ ନାହିଁ ସେ କ୍ଷେତ୍ର ଛାଡ଼ି ଆସିବାକୁ । କ’ଣ ନାହିଁ ସେଠାରେ । ସବୁଥିରେ ପୂରି ଅଛି । ଯେଉଁଠି ବ୍ରହ୍ମାଣ୍ଡପତି ସ୍ଵୟଂ ବିରାଜମାନ କରନ୍ତି ଅଭାବ ବା କେଉଁଥିରେ । ସବୁଦିନ କାହିଁଠୁ କେତେ ଯାତ୍ରୀ । କାହିଁ କେତେ ଦୁନିଆର । କେତେ ପ୍ରକାର ଲୋକ । ଗୋରା ସରକାର ଯେତେ ଚେଷ୍ଟା କଲା କ’ଣ ସେ ମନ୍ଦିରରେ ପଶିପାରିଲା । ଖୋଳିତାଡ଼ି ଦେଖିପାରିଲା ତାର ଅମାପ ଧନ ସଂପଦକୁ । ସୁଦର୍ଶନ ଚକ୍ର ସାଇଁ ସାଇଁ ହୋଇ ବୁଲିଲା । ସମୁଦ୍ର ଗର୍ଜ୍ଜନ ପରି ସାପର ଗର୍ଜ୍ଜନ କାହୁଁ କାହୁଁ ମାଡ଼ିଆସିଲା । ଅକାଳରେ ବଜ୍ରପାତ, ଘଡ଼ଘଡ଼ି । ଗୋରା ପୁଅ କାବା ହୋଇଗଲା । ସୈନ୍ୟସାମନ୍ତ କିଏ କେଉଁଆଡ଼େ ଛିନ୍ନ ଛତର ହୋଇ ପଳାଇଲେ । ଶେଷକୁ ସେ ଶରଣ ପଶିଲା । ଗୁହାରୀଆ ପଡ଼ିଲା କେତେ ଦିନ । ଭେଟି ଦେଲା ଟଙ୍କା ସୁନା । ନ ହେଲେ ତ ତା ବଂଶ ନିପାତ ହୋଇଯାଇଥାନ୍ତା । ଆଉ ସେହି ଜୀଅଁନ୍ତା ଠାକୁର ଏଠାରେ ବିରାଜମାନ କରିଛି । କେତେ ବିପଦ ଆପଦରୁ ଏ ଗାଁକୁ ରକ୍ଷା କରୁଛନ୍ତି ଯେ ତାର କିଛି ଠିକ୍‍ ଠିକଣା ଅଛି । ନ ହେଲେ ତ ନଅଙ୍କ ବଢ଼ି ବେଳେ ଗାଁଟା କେଉଁଆଡ଼େ ରସାତଳେ ଯାଇଥାନ୍ତା । ଗାଁ ପଦା ହୋଇ ଯାଇଥାନ୍ତା । ଗୋରୁ ଗାଈମାନେ ଯାହା ମଲେ ପଚାରେ କିଏ । ଲୋକମାନେ ବିକଳରେ କଞ୍ଚା ପତ୍ର ଖାଇଗଲେ । ପ୍ରତିଦିନ ହାହାକାର । ଏ ବଡ଼ ତୋଟାରେ କେତେ ଲୋକ । ସବୁ ମଠ ଦେଇଛି ଦାନାପାଣି । ବଞ୍ଚାଇଛି ତାର ପ୍ରଜାମାନଙ୍କୁ । ନେଉ ପଛେ ପରେ । ଜୀବନ ରକ୍ଷା କରିଛି ।

 

ମିଛୁଆ ଆଖି ପହଁରାଇ ନେଲା ଗାଢ଼ ଅତୀତକୁ । ଇତିହାସରେ ନାହିଁ କି କାହାରି ହାତରେ ବଞ୍ଚି ନାହିଁ । ଛୋଟ ଗାଁଟିର କେହି ଯେପରି ସାହା ଭରସା ନାହାନ୍ତି । ଯତ୍ନରେ ସାଇତି ରଖିନାହାନ୍ତି ତାହାର ବିରାଟ ଅତୀତକୁ । ପଚାରି ନାହାନ୍ତି ଭଲ ମନ୍ଦରେ । ସୁଖ ଦୁଃଖରେ କାନ୍ଦି ନାହାନ୍ତି । ବୁଝାଇ ନାହାନ୍ତି ଆପଦ ବିପଦ ବେଳେ । ଲୋଡ଼ିନାହାନ୍ତି ତାହାର ସଙ୍ଗତା । ଗଲା ଅଇଲା ବେଳେ ଖୋଜି ନାହାନ୍ତି । ନିରିମାଖୀ ସେହି କୋତରା ଧୂଳିମାଟିରେ ସମସ୍ତେ ଡେଇଁଛନ୍ତି । ନାଚି କୁଦି ବିତାଇଛନ୍ତି ସୁଖ ଦୁଃଖର ଜୀବନ । କଟାଇଛନ୍ତି ହସ କାନ୍ଦର ସଂସାର । ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ସମସ୍ତଙ୍କୁ ଆଦର କରିଛି । ବିପଦରେ ସାହସ ଦେଇଛି । ସାହା ହୋଇଛି କେହି ନଥିବାବେଳେ । ଆଉ କୋଳାଇ ନେଇଛି ଯିଏ ଯେତେବେଳେ ଆସିଛି । ପଚାରିଛି ତାର କାହାଣୀ-। ସୁଖ ଦୁଃଖ ଇତିହାସ । ମିଛୁଆ ମାଖରା ହାଡ଼ୁଆ ଗାଲ ଦେଇ ବୋହି ଆସିଲା କେତେ ଟୋପା ଲୁହ । ଜାଲୁ ଜାଲୁ ଆଖିରେ ସେ ଚାହିଁରହିଲା ଶେଷ ପାଇଁ । ବିଦାୟ ନେବାକୁ ଇଚ୍ଛା ନାହିଁ–ତାର ସେହି ଅଝଟ, ନାଚ କୁଦାର ମାଟି ଉପରୁ । ମାୟା ମମତାର ସଂସାର ଭାଙ୍ଗି ଯାଇଥିଲେ ସୁଦ୍ଧା–ସେ ନିବିଡ଼ ଭାବରେ ବାନ୍ଧି ହୋଇ ଯାଇଥିଲା ତାହାରି କୋଳରେ । ଦିନଯାକର ଝାଳ କୋତରା ଦେହକୁ ଲୋଟିପଡ଼ି ସେ ଶାନ୍ତିରେ ଶୋଇ ଯାଉଥିଲା । କାଉ କା କଲାବେଳକୁ ସେ ବାହାରି ପଡ଼ୁଥିଲା ପେଟର ଡାକରାରେ । ସେହି ମାଟିରେ ପାଦ ଦେଲେ ସେ ସବୁ ଭୁଲି ଯାଉଥିଲା-। ପାଶୋରି ଯାଉଥିଲା ଲମ୍ବା ଦୁଃଖବୋଳା ଅତୀତକୁ । ସେ ଯେପରି ଏକ ବିସ୍ମୃତି । ଜୀବନର ଏକ ଭଙ୍ଗା କାହାଣୀ । ଧୀରେ ଧୀରେ ମିଛୁଆ ଅତୀତକୁ ଫେରି ଭବିଷ୍ୟତ ଖୋଜି ବସିଲା ।

 

ଆଲୁଅ ଫିଟିବା ମାତ୍ରେ କଥାଟା ଗାଁ ସାରା ପ୍ରଚାର ହୋଇଗଲା । ପାଦ ପଡ଼ିନଥିବା ଅଛପର ଘରଟି ଲୋକ ତୁଣ୍ଡରେ ଫାଟିପଡ଼ିଲା । ସାଇପଡ଼ିଶା ଧାଡ଼ି ବାନ୍ଧିଥିଲେ । ଛୁଆମାନେ ତଟସ୍ଥ ହୋଇ ରହି ଯାଇଥିଲେ । ଜାତିଭାଇମାନେ ମିଛ ସତର କାହାଣୀ ଯୋଡ଼ି ଦେଉଥିଲେ । କିଏ ଜାଣେ କ’ଣ ହେଲା । ମିଛୁଆ ସ୍ତ୍ରୀ ମଲାଦିନୁ ସେ ସମସ୍ତଙ୍କ ସଙ୍ଗେ ମମତା ତୁଟାଇ ଦେଇଥିଲା-। କାହାରି ଦ୍ଵାରକୁ ପାଦ ଦେଉନଥିଲା । ଭଲରେ ମନ୍ଦରେ ପଚାରିଲେ କିଛି କୁହେ ନାହିଁ-

 

କେନାଲ ଜମି ପାଇଁ ସେ ବାବୁଙ୍କୁ କାକୁତିମିନତି ହୋଇଥିଲା । ଗାଁ ଲୋକମାନଙ୍କୁ ବିକଳରେ ଚାହିଁଥିଲା । ସାଇ ପଡ଼ିଶା ଜାତି ଭାଇମାନଙ୍କୁ କ’ଣ ଯେପରି କହୁଥିଲା । କାହାରି ମୁହଁରେ ଭାଷା ନାହିଁ । ସମସ୍ତେ ଯେପରି ନୀରବ ମୂକ ପାଲଟି ଯାଇଥିଲେ । ଜମିଟାର ଶିରୀ କେହି ଦେଖିପାରୁ ନଥିଲେ । ସହିପାରୁ ନଥିଲେ ବଢ଼ିଥିବା ଧାନ କ୍ଷେତକୁ ଦେଖି । ମିଛୁଆ ପଥର ପାଲଟି ଯାଇଥିଲା । ଏକୁଟିଆରେ କାନ୍ଦୁଥିଲା କି ହସୁଥିଲା, ତାହା କେହି ଶୁଣିପାରୁ ନଥିଲେ । ସବୁବେଳେ କବାଟ ବନ୍ଦ କରି ସେ କ’ଣ କରୁଥିଲା—ତାହା କାହାରିକୁ ଜଣା ନାହିଁ ।

 

ଦିନେ ସେହି ରୁଦ୍ଧ କବାଟ ଖୋଲି ଯାଇଥିଲା । ସମସ୍ତଙ୍କ ମୁହଁରେ ସେହି କଥା । ସେହିପରି ଆହା ପଦ । ମିଛୁଆର ସରଳ କାହାଣୀ, ପର ଉପକାର ମେଲିଗଲା ଛୋଟଠାରୁ ବଡ଼ ଯାଏ । ମିଛୁଆ ଅତି ନିର୍ମାୟା ପୁରୁଷ ।

 

ଏକାକିନୀ ସ୍ତ୍ରୀଟିଏ କାନ୍ଦି ଉଠିଲା ମଶାଣୀ ପାଖରେ । ମୁହ ସଞ୍ଜ ଦେଇ ଅଣ୍ଡିରା ବିଲୁଆ ଖୁବ୍ ଜୋରରେ ରାବି ଉଠିଲା ସେପଟ କିଆବୁଦା ପାଖରୁ । ଛୋଟ ସମାଧିରେ ଚୂନଦେଇ ମିସ୍ତ୍ରୀ ବୁଢ଼ା ଫେରି ଆସୁଥିଲା ସବୁଦିନ ପାଇଁ ।

Image

 

ଅନ୍ୟ ଶରୀର

 

ସରିଲା...ସରିଲା—ମଣିଷର ମାନ ମହତ ସବୁ ଗଲା । ସବୁ ମାରା କରିଦେଲା । ଯେତେ ଦୁଧଭାତ ଦେଇ ପୋଷିଲେ କ’ଣ ହେବ, କେଉଁ ବାଛ ବିଚାର ଅଛି । ହଜାରେ ବର୍ଷ ବ୍ରହ୍ମା ନଳ ଦେଇ ସଳଖି ଥିଲେ । ଦୁଇ କୋଟି ଯୁଗ ନାରଦ କାନେ କାନେ ଶିଖାଇଲେ । ଧର୍ମରାଜା ଆଦରରେ ସ୍ଵର୍ଗକୁ ନେଇଥିଲେ । କ’ଣ ହେବ, ସବୁ ମାଟି କରିଦେଲା । ବୃନ୍ଦାବତୀ ମାହତ୍ମ୍ୟର ସାଗର । ଶ୍ରୀକୃଷ୍ଣଙ୍କ ଆଦର ଧନ । ଶ୍ରୀରାଧାଙ୍କ ଗଳାର ମାଳି । କାହିଁ କେତେ ଗଣ୍ଡା ପୂରାଣ ଲେଖା ନ ହୋଇଛି । ଗାଇ ବସିଲେ ତିନି ଯୁଗରେ ସରିବ ନାହିଁ । ଲେଖି ବସିଲେ ଯୁଗ ଶେଷ ହୋଇଯିବ-। ଟିକକେ ମାଟି କରିଦେଲା । ଦେଢ଼ ଶହ କୋଟି ଗୋଚର ଦଣ୍ଡା ପଡ଼ିଛି । ସ୍ୱର୍ଗକୁ ରାସ୍ତା ପରି ଦାଣ୍ଡ ପଡ଼ିଛି ଯେ ଶହ ଶହ ଅନାଥ ବାଳକ ଆଶ୍ରା ନେଉଛନ୍ତି । କଟକ ସହର ମୁନିସିପାଲିଟି ନର୍ଦ୍ଦମା ପରି ଖତଗଦାର ସବୁଆଡ଼େ ମେଲା । ତେବେ ବି ଥଇଥାନ ନାହିଁ । ଶେଷରେ ସେହି ଗୋବର ଲିପା ଚଉରା ଉପରେ ପରିସ୍ରା କରିବାକୁ ସ୍ଥାନ ମିଳିଲା ।

 

ସକାଳୁ ସକାଳୁ ମନ ଫିକା ପଡ଼ିଗଲା । ସଞ୍ଜ ନାହିଁ ସକାଳ ନାହିଁ, ଦେଖା ଶିକ୍ଷା ନାହିଁ ଯାହା ପାଟିକୁ ଆସିଲା ଅଜାବୁଢ଼ା ଶୋଧିଦେଇ ଗଲେ । ମନେ ମନେ ରାଗ ହେଲା । କେଉଁ ଆମ୍ବିଳା ପଡ଼ିଗଲା, ରୋମ ନଗରୀ ଏଥିରେ ମାରା ହୋଇଗଲା ନା ଅଶ୍ଵମେଧ ଯଜ୍ଞଟା ନଷ୍ଟ ହୋଇଗଲା । ମନେ ହେଲା ରାବଣ ଯୁଦ୍ଧକୁ ଗଲାବେଳେ ଏପରି ପାଟି କରୁ ନ ଥିବ । କୁମ୍ଭକର୍ଣ୍ଣ ଶୋଇଲାବେଳେ ଏପରି ଉଠପଡ଼ ଶବ୍ଦ ବାହାରୁ ନ ଥିବ । ପରିବାର କଲ୍ୟାଣ କିମ୍ବା ସେ ଆକବରୀ ଖାଁ ଗୁଡ଼ାଖୁ ମାଇକ୍‌ର ଶବ୍ଦ ବୋଧେ ଏହାଠାରୁ ନିଶ୍ଚୟ କମ୍‌ଥିବ । ହେଲେ ହେଉ, ଅଶୁଦ୍ଧ ହୋଇଗଲେ ଶାସ୍ତ୍ରତ ବହୁତ ଅଛି । କିଛି ଗୋଟିଏ ନାହାକ, ପଣ୍ଡିତ ଡାକି ଶୁଦ୍ଧି କରାଇଦେବା । ନହେଲେ ଡିଟେଲ ଫିନାଇଲରେ ଧୋଇଦେଲେ ଯିବ । ନଚେତ୍ କାଳିଆ ପାଇଁ ନିଜେ କ୍ଷମା ମାଗିଦେଲେ ଯିବ । ସେ ତ ଅଜ୍ଞାନ ପଶୁ, ପିଲା ବାଳକ ସଙ୍ଗେ ସମାନ । କେଉଁ ବାଛ ବିଚାର ଅଛି ଯେ ତୁମ ପାଟିକୁ ଡରିବ; ନା ମଣିଷ ହୋଇଯିବ । ଏ ସବୁ ବୁଢ଼ା ହେଲେ ତୁମର ବାହାରୁଛି ।

 

ସେଦିନ ଅଜା ବୁଢ଼ା ଯୁକ୍ତି କରି କହିଥିଲେ; ଆରେ ଜାଣୁନା ସେ ବାଟ ବୁଢ଼ା ଗଛ ସିନା କଟା ସରିଲାଣି ହେଲେ ପ୍ରେତ କ’ଣ ସେ ସ୍ଥାନ ଛାଡ଼ିଲାଣି । ସେଦିନ କାଳି ସଞ୍ଜରେ ଆମ କାଳିଆପରି ଲୋକ ଦେଖିଲେ ଖାଲି ଖସ୍ ଖସ୍ ହେଉଥିବ । ଏପଟ ରାସ୍ତାରୁ ସେପଟ ଦଣ୍ଡା ପର୍ଯ୍ୟନ୍ତ ଖାଲି ଯାଉଥିବ ଆସୁଥିବ । ବିଲୁଆ ଭୁକାବେଳକୁ ଦୌଡ଼ୁଥିବ ମଣିଷପରି । ମଣିଷ ସିନା ଦେଖିପାରୁନାହିଁ କି ଜାଣିପାରୁ ନାହିଁ ହେଲେ ଶ୍ଵାନଗୁଡ଼ାକର ବଡ଼ ତୀକ୍ଷଣ ବୁଦ୍ଧି ଅଛି । ଶୁଙ୍ଘି ଶୁଙ୍ଘି ସବୁ ବାରିଦେବେ । ତାଙ୍କୁ ଶହେ ହାତର ଦରବ ଜଳ ଜଳ ହୋଇ ଦିଶୁଥିବ । ଦେଖିବୁ କାଳିଆକୁ, ରଥଯାତ୍ରାରେ ବାଉଳା ହୋଇଗଲା ସିନା ପୂରନ୍ତା ନଈ ଥାଇ ସୁଦ୍ଧା ହପ୍ତାକରେ ଆସି ଘରେ ହାଜର-। ଜୀବଗୁଡ଼ାକ ଏମିତି ଚାଲାକି ନା ମୁତି ମୁତି ଚାଲିଆସିବେ । ବାରି ବାରି ସ୍ଵର୍ଗକୁ ଚାଲିଯିବେ । ଗଣ୍ଡେ ଖାଇଥିଲେ ଧାରୁଆ ହେବେନି, ଯେମିତି ହେଉ ଋଣ ଶୁଝିଦେବେ । ମନୁଷ୍ୟ ସିନା ବୁଲି ପଡ଼ିଲେ କଥା ଗୋଟେ, କିନ୍ତୁ ପଶୁ ଜାତିଟା ବଡ଼ ନିମକ ସଚ୍ଚା । ଅନ୍ୟ ପାଇଁ ପ୍ରାଣ ଦେଇଦେବେ । ସବୁ ଭଲ, ଏ ଯେଉଁ ଦୁର୍ଗୁଣ ସବୁ ମାଟି କରିଦେଉଛି । ଯେତେ ଜଗିଲେ କେଉଁଠୁ କେଉଁ ଗଳିରେ ପଶି ହୋମକୁଣ୍ଡ ମାରା କରିଦେବେ । ତେଣୁ ଭଗବାନଙ୍କ ଅଭିଶାପ ସତରେ ଫଳିଛି; ସେହି ବାରପିଣ୍ଡା ଶୁଣ୍ଢି ଦୁଆର ହେଉଥିବେ ।

 

ଆବେ ଏ ହିନସ୍ଥା ପଶୁଟା କିଛି ଦିଅଁଙ୍କ କାମ କରାଇ ଦେବନାହିଁ । ଯେଉଁଆଡ଼େ ଗଲି ରାଣ୍ଡିପୁଅ ଅନନ୍ତା ପରି ପଛରେ ଗୋଡ଼ାଉଛି । କେଉଁ ଲଗା ଅଛି ନା ପଘା ଅଛି । ପେଟ ଚାଖଣ୍ଡକ ପୂରିଲେ ଗଲା । ସଙ୍ଗେ ସଙ୍ଗେ ଦିଅଁଙ୍କ ନବାତ ଥୋଇ ଗୋଡ଼ ଧୋଇଲାବେଳକୁ ମୁହଁମାରି ଦେଉଛି-। ଶେଷରେ ଶିବଙ୍କ ଅହ୍ମୁଣୀଆକୁ ମାରା କରିଦେଲା । ଆଉ ହେବ ନାହିଁ । ଛୋଟା ମରିଯାଉଥିଲା । ଆଣି ପୋଷିଲାରୁ ମୋତେ ହିଁ ଶେଷରେ ହଇରାଣ କରୁଛି । ଘରୁ ବିତାଡ଼ିତ ନ କଲାଯାଏ ପଇତା କରିବି ନାହିଁ । ଆସୁ ଆଜି ଆଉ ଦୁଇଟି ଗୋଡ଼ ଛୋଟା କରିଦେଉଛି । ଏଥରକ ଯେଉଁଠି ପଡ଼ିଥିବ ସେଇଠି ।

 

ମନେ ମନେ କାଳିଆ ଉପରେ ରାଗ ହେଉଥାଏ । ଖୋଜିଲି ଘର ବାହାର ଚାରିଆଡ଼େ-। ବାରିଆଡ଼ ଗୁହାଳ, ବୁଢ଼ୀ କୁତୀର ପାଉଁଶ ଗଦା, ଖତ ଗଦା ଆଦି ଶ୍ରେଷ୍ଠ ସ୍ଥାନଗୁଡ଼ିକରେ ଆଖି ବୁଲାଇ ଆଣିଲି । ସେଇ ସାଇକୁ ଚାହିଁଲି । କାଳିଆର ଚିହ୍ନ ବର୍ଣ୍ଣ ନାହିଁ । ବାଡ଼ିକୁ ପାଖରେ ଥୋଇ ଜଗି ବସିଲି । ହେବ ନାହିଁ ସବୁବେଳେ ଅଭିଯୋଗ । ଦିନ ନାହିଁ ରାତି ନାହିଁ ସବୁ ମୁହୂର୍ତ୍ତରେ କିଛି ନା କିଛି ଗୋଟାଏ କାଣ୍ଡ ଭିଆଇ ଦେଉଛି । ଆଜି ଏ କୁକୁର ସଙ୍ଗେ କଜିଆ ତ, ସେ ଦୁଆରେ ପରିସ୍ରା କିମ୍ବା ଆର ଦିନ ଅଜା ବୁଢ଼ାକୁ ହଇରାଣ କଲାଣି ।

 

ସାଇଲା...ସାଇଲା, ଆଲୋ ମାଲୋ ଏ କ’ଣ । ଏ କୀର୍ତ୍ତି ଆଉ କାହାର । କାଳିଆ ବ୍ୟତୀତ ଆଉ କେହି ନୁହନ୍ତି । ଏ ତ ନିଶ୍ଚୟ ଗୋରୁ ହାଡ଼ ହେବ । କି ଅସଣାଟାଏ । ସତେକି କିଛି ମିଳୁନାହିଁ ଖାଇବାକୁ । ଦୁଇ ତିନିଥର ଦିନକେ ଖାଉଛି । ମୁଢ଼ି, ଚୁଡ଼ା ଯାହାଠାରୁ ଯାହା ପାଇଲା ସବୁ କ୍ଷେପି ଦେଉଛି । ଛେଲୁଆରେ ଏବେ ସୁଦ୍ଧା ପଖାଳ ପଡ଼ି ରହିଛି । ସେଥିରେ ଏ ଗୋରୁହାଡ଼ ଘରେ ପୂରାଇଲାଣି ଆଣି । ଭାଇ ଦେଖିଲେ ମାରିଦେବେ । ଖାଇବାକୁ ଦେବେ ନାହିଁ । ହେ ଟୁକୁନା ଏକୁ ଛୁଉଁନା । ତୋ ପଇତା ମାରା ହେବ । ଛଅମାସ ଯାଏ ଦରଜ ଯିବ ନାହିଁ । ନିନୀ ଧଇଁ ସଇଁ ହୋଇ ଦଉଡ଼ି ଆସୁ ଆସୁ ବାଟରେ ଝୁଣ୍ଟି ପଡ଼ିଗଲା । ତା’ ଉପରେ ଟୁକୁନା । ଗୋଡ଼ ହାତ ଖଣ୍ଡିଆ । ମା’ ଘର ଭିତରୁ ପାଟି କରି ଉଠିଲେ । ଭାଉଜ ତଳ ଖଞ୍ଜାରୁ ଦୌଡ଼ି ଆସିଲେ । ନିନୀର ପାଟିରେ ଘର ସାରା ଉଛୁଳି ପଡ଼ିଲା । ମା’ ବାଡ଼ିନେଇ କାଳିଆକୁ ଖୋଜି ବୁଲିଲେ । ଅଭିଯୋଗ ଟୁକୁନାଠାରୁ ଶୁଣି ଆହୁରି ଚିଡ଼ି ଉଠିଲି । ମନେ ମନେ ପୁଣି ଥରେ ଖୋଜିଲି । ନରିଆକୁ ଡାକି ହାଡ଼କୁ ବାହାର କଲି । ନିନୀର ଖଣ୍ଡିଆ ସ୍ଥାନରେ ଔଷଧ ମାରିଦେଲି ।

 

“କୁକୁର ଏକ ଗୃହପାଳିତ ପଶୁ । ସେ ଚୋର ଜଗେ । ଭାରି ବିଶ୍ଵସ୍ତ ଅଟେ ।” ଭିତର ଘର ଖଟ ଉପରେ ଭାଉଜଙ୍କ ସାନ ପୁଅ ବାବୁଲି ଛବି ବହିଧରି ପଢ଼ୁଥାଏ । ପାଖକୁ ଗଲି । ବହିରେ ନାଲି ରଙ୍ଗର କୁକୁର ଛବିଟାଏ ଅଙ୍କା ଯାଇଛି । ଜିଭ ହଲାଇ ଛିଡ଼ା ହୋଇଛି । ବାବୁଲି ଚିତ୍ରକୁ ଏକ ଲୟରେ ଅନାଇ ଛିଡ଼ା ହୋଇଛି । ଥରେ ଅଧେ ମା’କୁ କ’ଣ ପଚାରି ଦେଉଛି । ମୋତେ ଦେଖି ବହି ଫୋପାଡ଼ି ପାଖକୁ ଦୌଡ଼ି ଆସିଲା । କାଖକୁ ନେଲି । ଖୁସୀ ହୋଇ ପଚାରିଲା, ଦାଦା କାଳିଆ କାହିଁ ? ସେ ଆଜି ଖାଇ ନାହିଁ । ଆସିଥିଲା ଖାଇବାକୁ, ମା’ ତାକୁ ବାଡ଼େଇ ତଡ଼ି ଦେଲେ । ନିନୀ ନାନୀ ଇଟା ଫୋପାଡ଼ିଲା । ଟୁକୁନା ଭାଇ କଟୁରୀ ଧରି ଗୋଡ଼ାଇଲା । ଦେଖିଲ ତାର ପଖାଳ ସେହିପରି ଅଛି । ସେ କ’ଣ ଆଉ ଆସିବନି ? ରାତିରେ ଶୋଇବ କେଉଁଠି ? ତାକୁ ଶୀତ ହେବନି-? ଆମ ଚୋର ଜଗିବ କିଏ । ତୁମେ ତାକୁ ବାଡ଼େଇଲ I ନା ଦାଦା, କାଳିଆ ଭାରି ଭଲ-। ମୋ ସଙ୍ଗେ ପୋଖରୀ ତୁଠକୁ ଯାଏ । ମୁଢ଼ି ଖାଏ, କାଉ ଜଗେ ।

 

ନିଦ ଭାଙ୍ଗିଗଲା । ଏତେ ରାତିରେ କିଏ ଖସ୍ ଖସ୍ ହେଉଛି । ଘଣ୍ଟାକୁ ଚାହିଁଲି ଗୋଟେ ବାଜିବ । ମନ ଦବିଗଲା । ଭାବିଲି ଡାକିବାକୁ । କାଳେ ଚୋର ହୋଇଥିବ । ନା, କାଳିଆ ତ ନିଶ୍ଚୟ ଥିବ । କ’ଣ ଶୋଇ ପଡ଼ିଛି ନା ଘରେ ନାହିଁ । ଘରେ କେହି ହୋଇଥିବେ । ଶବ୍ଦଟି କ୍ରମେ କ୍ରମେ ତଳ ଖଞ୍ଜାକୁ ଆଗେଇଲା । ଭାଉଜଙ୍କ ଶୋଇବା ଘର ପାଖେ ମିଶିଗଲା । ମା’ ଆରପଟେ ଶୁଅନ୍ତି । ପାଖ ଘରେ ଜିନିଷ ପତ୍ର ଅଛି । ଏପରି ନିବୁଜ ଖଞ୍ଜାରେ ପଶିବ ଅବା କିଏ ? ମା’କି ଭାଉଜ ହୋଇଥିଲେ ସଙ୍ଗରେ ଆଲୁଅ ଥା’ନ୍ତା । ଆସିଲେ ମୋତେ ଉଠାଇଥାନ୍ତେ । ହାତରେ ଟର୍ଚ୍ଚ ଲାଇଟ୍ ଧରି କବାଟ ଫିଟାଇଲି । ଖୁବ୍ ଆସ୍ତେ ଆସ୍ତେ ଦରଜା ଆଉଜେଇ ଆଣି ପଦାକୁ ଗୋଡ଼ କାଢ଼ିଲି । ଦଣ୍ଡେ ଛିଡ଼ା ହେଲି । ଶବ୍ଦଟି ଠିକ୍ କରି ବାରିବାକୁ ଚେଷ୍ଟା କଲି । ତେବେ ତାହା କେଉଁଆଡ଼ୁ ଆସୁଥିଲା ଠିକ୍ କରି ବାରିପାରିଲି ନାହିଁ । ପୁଣି ସେହି ଶବ୍ଦ, ଲାଇଟ୍ ଜାଳିବାକୁ ଆଦୌ ଇଚ୍ଛା ହେଲା ନାହିଁ । ସେହି ଶବ୍ଦକୁ ବାରି ବାରି ଆଗକୁ ଚାଲିଲି । ପୁଣି ଥରେ ଚାହିଁଲି ଚାରିଆଡ଼େ । କେହି କୁଆଡ଼େ ନାହାନ୍ତି—ଶୂନ୍‍ଶାନ୍ ନିଶୂନ୍ ଖଞ୍ଜା । ଗୋଡ଼ଦୁଇଟି ଆପେ ଆପେ ପହଞ୍ଚି ଯାଇଥିଲା କାଳିଆର ପଖାଳ ଛେଲୁଆ ପାଖେ ।

 

ମାଈକୁତୀ ସେଦିନ ବଳେ ବଳେ ଆସିଥିଲା । ତଳେ ପଡ଼ୁଥିବା ଭାତ ତରକାରୀ ଖାଇ ପଡ଼ି ରହିଥିଲା । ପାଉଁଶ ଗଦା ଉପରେ ଗାତ କରି ଦିନେ ହପ୍ତାଏ ନୁହେଁ ମାସ ମାସ ଜଗି ରହିଥିଲା-। ଆଦରରେ କେହି ପୋଷି ନ ଥିଲେ । ଅଦରକାରୀ ଦରବରେ ସେ ଥିଲା ମାଲିକାଣୀ । ଦିନ କେତୋଟିରେ ସେ ମାନି ଯାଇଥିଲା ସମସ୍ତଙ୍କୁ । ଗୃହର ନୂଆ ସ୍ଵରରେ ସେ ଚମକି ଉଠୁଥିଲା । ଭୁକି କରି ଶୁଣାଇ ଦେଉଥିଲା ତାର ଇଲାକା । ନିଜ ଜାତି ଭାଇଙ୍କୁ କେବଳ ନୁହେଁ, ଅନ୍ୟ ଜାତିର ଭଳି ଭଳିକା ମୁହଁରେ ସେ ଚିହିଁକି ଯାଉଥିଲା । ସାବଧାନ କରି ଦେଉଥିଲା ତା’ ଆଖିରେ ପଡ଼ିଥିବା ହତାକୁ । ସକାଳୁ ସଞ୍ଜଯାଏ ସେ ଦୁଆରେ ପଡ଼ି ରହୁଥିଲା ଗଣ୍ଡିଏ ଖାଇବା ପାଇଁ । ସେହି ପ୍ରଭୁଭକ୍ତିର ନିଦର୍ଶନ ପାଇଁ ସେ ଚିହ୍ନି ଦେଇଥିଲା ସମସ୍ତ ପରିବାରବର୍ଗଙ୍କୁ । ଘର ବାହାରେ ମାଈକୁତୀ ଚିହ୍ନା ହୋଇ ଯାଇଥିଲା ଏକ ପ୍ରଶଂସା ପତ୍ର ନେଇ । ଫୋପାଡ଼ିବା ଭାତକୁ ସାଇତି ରଖିବା । ବଳକା ଦାନାର ପଡ଼ି ଗଣ୍ଡିକ ବଢ଼ିଯାଇଥିଲା ତାହା ନୁହେଁ, ସମସ୍ତେ ସେହି ଧାଡ଼ିରେ ପଡ଼ି ଯାଇଥିଲେ । ବଡ଼ ଲୋକରୁ ଛୋଟପିଲା ପର୍ଯ୍ୟନ୍ତ ମାଈକୁତୀକୁ ପଶୁ ପରିବାରରେ ଆଦରି ନେଇଥିଲେ । ଆଉ ଯେଉଁଦିନ ମାଈକୁତୀ ସଗର୍ବରେ ଜନ୍ମ କରିଥିଲା କାଳିଆକୁ ସେ ଅତି ଆପଣାର ହୋଇ ଯାଇଥିଲା ସମସ୍ତଙ୍କ ପାଖେ । କାଳିଆର ଜନ୍ମଦିନ ଠିକ୍‌ ଭାବେ କେହି ମନେ ରଖିନାହାନ୍ତି । ପିଠାପଣା କରି ଖୁସୀରେ କେହି ଖାଇନାହାନ୍ତି ବା ବାଣ୍ଟିନାହାନ୍ତି । ମାଈକୁତୀର ପଡ଼ି ବଢ଼ିଥିଲା କି କମିଥିଲା ତାହା ମଧ୍ୟ ଜଣାନାହିଁ । ଛେଲୁଆଟି ଘୁଞ୍ଚି ଯାଇଥିଲା ତା’ ମୁହଁ ପାଖକୁ, ଖୁବ୍ ନିକଟକୁ ।

 

କାଳିଆର ଆଦର ବଢ଼ିଯାଇଥିଲା ବାବୁଲି ପାଇଁ । ସକାଳ ପରଠାରୁ କାଳିଆକୁ ଅଣାଯାଉଥିଲା ଜୋର କରି । ମୁନିବ ହାତ ଗୋଡ଼ ଶୁଙ୍ଘି ମାଈକୁତୀ ପଛେ ପଛେ ଦୌଡ଼ୁଥିଲା । ଦରଜା ସେପଟେ ଚାହିଁ ରହୁଥିଲା ଏକ ଲୟରେ । ସାହସ କରି ନାହିଁ ଦରଜା ଡେଇଁବାକୁ । ଇଚ୍ଛା ଥିଲେ ମଧ୍ୟ ଗୋଡ଼ ଟେକି ଚାହିଁ ରହେ । କାଳିଆ ବାବୁଲି ସଙ୍ଗେ ଖେଳୁଛି । ବାବୁଲି ଖୁସୀ ହେଉଥିଲା, ହସୁଥିଲା, କାନ୍ଦୁଥିଲା କାଳିଆ ଚାଲିଗଲେ । ବାରଣ୍ଡାରୁ ଘର, ଶୋଇବା ଖଟ, ମଶିଣା, ଶେଯ—କାଳିଆ ବାବୁଲି ପଛେ ପଛେ ରହିଥାଏ । ଧରିବାକୁ କାହାରିକୁ ପଡ଼େ ନାହିଁ କାଳିଆ ସାଥିରେ ଥିଲେ । ବାବୁଲି ଖାଇବାବେଳେ କାଳିଆକୁ ଚାହୁଁଥିଲା । କାଳିଆ ଏକ ଲୟରେ ଚାହିଁରହି ଜିଭ ଚାଟୁଥିଲା । ତଳେ ବୋହି ପଡ଼ୁଥିବା ଦୁଧ, ବଳକା ଖାଦ୍ୟରେ କାଳିଆ ବଢ଼ିଥିଲା । ବେଳେ ବେଳେ ବାବୁଲି ମୁହଁକୁ ଚାଟି ଦେଉଥିଲା ଆଦରରେ ।

 

ଦିନେ ଦିନେ କାଳିଆ ଭୁଲ୍ କରୁଥିଲା କି ନିଜ ଅଧିକାର ଚାହୁଁଥିଲା କେହି ଆପତ୍ତି କି ଅଭିଯୋଗ କରିବାର ଶୁଣାଯାଏ ନାହିଁ । ବାବୁଲି ସଙ୍ଗେ ଭାଉଜ କାଳିଆକୁ ଧରିଥାନ୍ତି । ବାବୁଲି କୋଳରେ କାଳିଆ ଗୋଡ଼ହାତ ଲମ୍ବାଇ ଜିଭ ଲହ ଲହ କରୁଥାଏ । ବାବୁଲି ଜାମା ପେଣ୍ଟରେ କାଳିଆ ଖେଳୁଥିଲା, ଶୋଉଥିଲା, ପଡ଼ିଥିବା କଣ୍ଢେଇକୁ ଏପଟ ସେପଟ କରି ଫୋପାଡ଼ୁ ଥିଲା । ଅନେକ ସମୟରେ କାଳିଆ ରୋଷାଇ ଘରେ ପଶିଯାଉଥିଲା । ବଢ଼ା ହୋଇଥିବା ଭାତ ଥାଳୀରେ ମୁହଁ ମାରି ଦେଉଥିଲା । ମାଡ଼ ଖାଉଥିଲା । କେହି ତଡ଼ି ଦେଉ ନ ଥିଲେ କି ବାହାର କରି ଦେଇନାହାନ୍ତି । କାରଣ କାଳିଆ ପିଲା । କୌଣସି କଥାକୁ ଅଭିମାନ ନ କରି ଭୁଲି ଯାଉଥିଲା ଘଡ଼ିକ ଭିତରେ । ବାବୁଲି ପାଖକୁ ଫେରି ଆସୁଥିଲା । ପାଖେ ପାଖେ ରହୁଥିଲା । ମାରିଥିଲେ ମଧ୍ୟ ସମସ୍ତେ କାଳିଆକୁ ଆଦର ଗେହ୍ଲା କରିଥାନ୍ତି । ବାହାରକୁ ଚାଲିଗଲେ ହାତରେ ଉଠାଇ ଆଣନ୍ତି । ଖାଇବାକୁ ଦିଅନ୍ତି, କାଳିଆ ଶୋଉଥିବା ଅଖାକୁ ସଜାଡ଼ି ଦେଇଥାନ୍ତି । ବାହାର ଛାଡ଼ି କାଳିଆ ଭିତରେ ଶୁଏ । ମା’କୁ ଛାଡ଼ି ପରିବାରର ସମସ୍ତଙ୍କ ପଛେ ପଛେ ଗୋଡ଼ାଏ । ବଡ଼ଲୋକଙ୍କୁ ଡରେ । ଡରାଉଥିଲା ବିଲେଇ, କାଉ, ତା’ ଦାନାରେ ମୁହଁ ଦେଉଥିବା ମାଈକୁତୀକୁ ।

 

ମନେ ନାହିଁ ମାଈକୁତୀ କେଉଁଆଡ଼େ ହଜି ଯାଇଥିଲା । କେହି ଖୋଜି ନାହାନ୍ତି । ପଡ଼ିଥିବା ଛେଲୁଆ ଭାତକୁ ଘୋଡ଼ାଇ ନାହାନ୍ତି । ପଚାରି ନାହାନ୍ତି ଆସିବା ଯିବାରେ । ଥରେ ଥରେ ଛେଲୁଆରେ ଭାତ ଦେଲାବେଳେ ହୁରି ପଡ଼େ । ଡାକ ଶୁଣାଯାଏ । ହେଲେ ପଛେ ପଛେ କାଳିଆ ହାଜର ହୋଇ ଯାଉଥିଲା । ମୁହଁ ଟେକି ଚାହୁଁଥିଲା ଚାରିଆଡ଼େ, ମୁହଁ ଘଷୁଥିଲା ପାଦରେ । ଲାଙ୍ଗୁଳ ହଲାଉଥିଲା । ବେଳେ ବେଳେ ତଳେ ପେଟ ଦେଖାଇ ପଡ଼ି ରହୁଥିଲା । ଅସଣା ମାଇକୁତୀକୁ ସମସ୍ତେ ଗୋଟି ଗୋଟି ହୋଇ ଭୁଲି ଯାଉଥିଲେ ଆଦର ସ୍ନେହରେ ବଢ଼ିଥିବା କାଳିଆକୁ ଦେଖି । ସେ ଯେ ସମସ୍ତିଙ୍କ ପାଖେ ଖୁବ୍ ପରିଚିତ ଥିଲା । ବାବୁଲିର ପିଲାଦିନ ଖେଳ ସାଥି । ଟୁକୁନାର ହାତ ବାରିଶୀ କୁକୁର ଯୁଦ୍ଧବେଳକୁ । ସମସ୍ତଙ୍କ ହାତ ଦରବରେ କାଳିଆ ବଢ଼ି ଯାଇଥିଲା । ବାହାର କୁକୁର ଦଳକୁ ପରାସ୍ତ କରିଦେଉଥିଲା ସମୟେ ସମୟେ । ତୀର ପରି ଧାଇଁ ଯାଉଥିଲା ବିଲୁଆ ଦେଖିଲେ । ସମସ୍ତେ ହସୁଥିଲେ, ମଜ୍ଜା କରୁଥିଲେ, ଖାଇବାକୁ ଦେଉଥିଲେ । ନିଜ ହାତ ଗାମୁଛାରେ କାଳିଆ ସଫା ହେଉଥିଲା । ଲୁଚାଇ ଚୋରାଇ ଖାଇବାକୁ ପାଉଥିଲା । ନିନୀ, ଟୁକୁନା, ବାବୁଲି ସମସ୍ତେ ଭାଗ କରିଦେଉଥିଲେ ଖାଇଥିବା ଦରବ । ପଡ଼ି ଗଣ୍ଡାକ ସେହିପରି ବେଶୀ ହୋଇଥିଲା ଭାଉଜଙ୍କ ଆଖିରେ । ଭାଉଜ ବେଳେବେଳେ ଛେଲୁଆ ଭାତକୁ ଘୋଡ଼ାଇ ରଖୁଥିଲେ । ଛେଲୁଆଟି ବଦଳିଯାଇ ହାଣ୍ଡିଟି ଥୁଆ ଯାଇଥିଲା ଅଇଁଠା କଂସାର ତୋରାଣୀରେ । ନିତିଦିନ ପଡ଼ି ନୁହେଁ ପେଟରୁ କାଟି ରଖୁଥିଲେ ଅନାମ ଜୀବର ଚାହାଣୀରେ । ମନେ ପକାଇ ଦେଉଥିଲେ ତାର ଉପସ୍ଥିତି । କାଳିଆ ଦାବୀକରି ଜଣାଇ ଦେଉଥିଲା ତାର ଅଭିଯୋଗ । ମାଇକୁତୀର ଫିଟିଥିବା ଅଭ୍ୟାସ କାଳିଆ ପ୍ରତି କର୍ତ୍ତବ୍ୟରେ ପରିଣତ ହୋଇଯାଇଥିଲା । ପେଟର ଛୁଆ ନ ହେଲେ ସୁଦ୍ଧା ଭାଉଜଙ୍କ କଂସାରୁ ବଳୁଥିଲା କାଳିଆ ପାଇଁ । କଣ୍ଟଥିବା ଚାଉଳ ବଢ଼ି ଆସୁଥିଲା ଭାଉଜଙ୍କ ମେଲି ଆସୁଥିବା ହାତ ମୁଠାରେ । କାଳିଆ ପାଇଁ ଭାଉଜ ଥରେ ଥରେ ଦାଣ୍ଡ ବାରି ହୁଅନ୍ତି । ଘୋଡ଼ାଇଥିବା ଭାତକୁ ଲେଉଟି ଚାହାଁନ୍ତି । ଚାହିଁଥିବା ବିଲେଇ, କାଉଗୁଡ଼ାଙ୍କୁ ହୁରୁଡ଼ାଇ ଦିଅନ୍ତି । କାଳିଆକୁ ଡାକ ଛାଡ଼ନ୍ତି । ବାବୁଲି, ଟୁକୁନାକୁ ପଠାନ୍ତି କାଳିଆକୁ ଖୋଜି ଆଣିବାପାଇଁ; ଗାଳି ଦିଅନ୍ତୁ ମଧ୍ୟ । ଏକୁଟିଆବେଳେ ମୁହଁକୁ କାନ୍ଧ ଉପରେ ଥୋଇ ଗେଲ କରନ୍ତି । ଧୂଳି ଝାଡ଼ିଦିଅନ୍ତି କାଳିଆ ମସିଆ ଦେହରୁ । ଟିଙ୍କ ଟାଣି ଗୋଡ଼ରେ ମାରି ଭୂଇଁରେ ଛେପ ପକାନ୍ତି । ଅମାନିଆ କାଳିଆ ମାଡ଼ ଖାଏ, ଉପଦେଶ ଶୁଣେ । ଅଭିଯୋଗ କି ଆପତ୍ତି କରେ ନାହିଁ । ବସିଥିବା ଦାଗକୁ ଭୁଲିଯାଇ ଲାଙ୍ଗୁଳ ହଲାଏ । ପଛରେ ଗୋଡ଼ାଏ । ଜଗି ବସେ ପୋଖରୀ ତୁଠରେ ସଞ୍ଜବେଳେ । ଅନ୍ଧାରରେ ସେ ସମସ୍ତିଙ୍କୁ ସାହସ ଦିଏ । ଡାକିଲେ ସାଥି ସାଥି ବାହାରିଯାଏ । ଭୂତ, ପ୍ରେତ ତାକୁ ଦେଖି ପଳାଇ ଯାଆନ୍ତି । ନିଶୂନ୍ ରାତିରେ ଗାଁ ମୁଣ୍ଡ ମଶାଣୀ ଦଣ୍ଡାକୁ ଏକା ଏକା ଚିହିଁକିଯାଏ । ରାତି ନାହିଁ, ବେଳ ଅବେଳ କିଛି ମାନେ ନାହିଁ, ଡର ଭୟ ନାହିଁ, ଲଙ୍ଗଳା କାଳିଆ ବାହାରି ପଡ଼େ ଅଜଣା ସ୍ଥାନକୁ । ମନା କଲେ ମାନେ ନାହିଁ । ବାଡ଼େଇଲେ ରହିଯାଇ ପୁଣି ପଛରେ ଧାଏଁ । କେଉଁଠୁ ଲେଉଟେ କାହାକୁ ଡରେ ତାହା ମାଈକୁତୀକୁ ଅଗୋଚର । ମା’ ହୋଇ ଶିଖାଇ ନାହିଁ କି ଆକଟ କରିନାହିଁ ନିଜ ପେଟର ପିଲାକୁ । ଖାଲି ଯାହା ମୁହଁ ଉଠାଇ ଚିହ୍ନାଇ ଦେଇଥିଲା ପଡ଼ିଦାତା ମୁନିବକୁ । କହିଥିଲା କାନେ କାନେ ପଦେ ଦୁଇପଦ ।

 

ଦିନକୁ ଦିନ କାଳିଆ ଭୁଲିଯାଇଥିଲା ଛୋଟ ପରିବେଶ । ଘର ବାହାର, ଅନ୍ୟଘର ପାଖଆଖ ଗାଁରେ କାଳିଆ ହାକିମୀ ନ କଲେ ସୁଦ୍ଧା ଅବାଧରେ ପଶିଯାଉଥିଲା । କାମୁଡ଼ା ଆମ୍ପୁଡ଼ା ଖାଇଥିଲେ ମଧ୍ୟ ସାହସର ସହିତ ମୁକାବିଲା କରୁଥିଲା । କାଳିଆ ଦେହରେ ତାହାର ପ୍ରମାଣ ଛାପ ଆଜି ସୁଦ୍ଧା ରହିଯାଇଛି । ଉଡ଼ୁଥିବା ମାଛିଗୁଡ଼ାକୁ କାଳିଆ ବୁଲିପଡ଼ି କାମୁଡ଼େ । ଶୋଇପଡ଼ି ଦୁଇ ଗୋଡ଼ରେ ବିତାଡ଼ିତ କରିବାକୁ ଚେଷ୍ଟାକରେ । ବଡ଼ ବଡ଼ ଦାନ୍ତରେ ଖଣ୍ଡିଆ କରିଦିଏ । ବାଲିରେ ଗଡ଼େ । ରାଗରେ ବିଲେଇ, କାଉ, ଗୋରୁମାନଙ୍କୁ ଡରାଏ । ନଜରରେ ପଡ଼ୁଥିବା ପରାଜିତ କୁକୁର ଦଳଙ୍କୁ ଖେଙ୍କାରୀ ହୁଏ । ଅନ୍ୟଠାରୁ ପରାସ୍ତ ହେଲେ ଗାଉଁ ଗାଉଁ ହୋଇ ଘରେ ପଶିଯାଏ । ପୁଣି ଜାକି ଜୁକି ହୋଇ ଶୋଇପଡ଼େ । ମୁହଁ ଉଠାଇ କାନ ଡେରେ । ମାଙ୍କଡ଼ ଦେଖିଲେ ଦାଣ୍ଡ ବାରି ହୁଏ-। ସଞ୍ଜ ହେଲେ ବିଲୁଆମାନଙ୍କ ସଙ୍ଗେ ପାଳି ଧରେ । ଦାଣ୍ଡଘରଠାରୁ ଦୁଆର କାଳିଆକୁ କିଛି ମନା ନାହିଁ । ପିଲା ଦିନରୁ ଖୁବ୍ ପରିଚିତ, ଅତି ଆପଣାର । ସବୁଥିରେ ସେ ଯେପରି ଚଳି ଆସିଛି । ବାରଣ ସ୍ଥାନଗୁଡ଼ିକ ତାର ମନେ ରହିଲାଣି । ସ୍ଵରଗୁଡ଼ିକ ସଙ୍ଗେ ସେ ଖୁବ୍ ସଜାଗ ହୋଇଯାଇଛି । ବେଳ, ଅବେଳରେ ପୁରୁଣା ଅଭ୍ୟାସ ମନେଥିଲେ ସୁଦ୍ଧା ମଣିଷ ପାଟିରେ ସେ ଯେପରି ଚେଇଁ ଉଠେ । ଓହରି ଆସେ ନିଜର ଭୂଇଁକୁ । ଗୋଡ଼ଦେଇ ଶୋଇ ରହେ । ମୁଣ୍ଡ ଟେକି ଆଖି ପକାଏ, ଜିଭ କାଢ଼େ । ଚାହିଁରହେ ପରବର୍ତ୍ତୀ ଡାକକୁ । ପିଲା ଦିନର ଅବାରିତ ପଶିଯିବା ଘରଗୁଡ଼ିକ କାଳକ୍ରମେ ବନ୍ଦ ହୋଇଆସିଛି । ବୟସ ସଙ୍ଗେ ତାହା ଯେପରି ସଙ୍କୋଚି ଆସିଛି ।

 

ସେଦିନ କାଳିଆର ପ୍ରଶଂସା ଗାଁ ସାରା ବିଛାଡ଼ି ହୋଇଯାଇଥିଲା । କାଳିଆର ସାହସ ବଡ଼ ଅପେକ୍ଷା ଛୋଟ ପିଲାଙ୍କ ମଧ୍ୟରେ ଗୋଳି ହୋଇ ରହିଥିଲା । ଯୁଦ୍ଧକ୍ଷେତ୍ରରୁ ନେଉଟିଲା ପରେ କାଳିଆ ବଡ଼ ଆଉଁସା ଘଷା, ଖାଦ୍ୟ ପାନୀୟ ପାଇଥିଲା । ସମସ୍ତେ ଆଦର କରିଥିଲେ । ପିଲାମାନେ ଭୁଜା, ଉଖୁଡ଼ା ଦେଇଥିଲେ । ବିଲୁଆ କାମୁଡ଼ାରୁ ବୁଢ଼ୀ, ତାର ପିଲା ବଞ୍ଚିଯାଇଥିଲେ ସେଦିନ । ପାଗଳା ବିଲୁଆ ବିଷ କମ୍ ନୁହେଁ । ମରିବାବେଳେ ବିଲୁଆପରି ବୋବାଳୀ ଛାଡ଼ିବାକୁ ପଡ଼େ । ବିଷ ସହଜରେ ଛାଡ଼େ ନାହିଁ । ମାସେ ନୁହେଁ ବର୍ଷ ବର୍ଷ ଧରି ରହିଥାଏ । ସତିଆ ମା’କୁ ପାଗଳା ବିଲୁଆ କାମୁଡ଼ିବା କଥା ରଘୁଆ ମା’ ଅନିଭୋଗ କରିଛି । ବୁଢ଼ୀ ସେହି ଘାତରେ ମରି ଯାଇଥିଲା ଶେଷରେ ନିଜର ପୁଅ ଝିଅ କାହାରିକୁ ଚିହ୍ନି ପାରିଲା ନାହିଁ । ବିଲୁଆ ପରି ବୋବାଳି ଛାଡ଼ିଥିଲା କିଛି ଓଷଧି ମହିଷଧି କାଟୁ କରି ନଥିଲା । ପାଟିରୁ ଲାଳ ଗଳିଥିଲା । ଶକତିଆ ବୁଢ଼ୀ ଚାହୁଁ ଚାହୁଁ ମାସ ଛ’ଟାରେ ଶେଷ । ମଲା ବିଲୁଆ ଉପରେ ବୁଢ଼ୀ ଗାଧୋଇ ଥିଲା । ହେଲେ ବିଷ ବୁଢ଼ୀ ଦେହକୁ ଚହଟି ଆସିଥିଲା । ଗୁଣିଆର କିଛି ମନ୍ତର ଯନ୍ତର କାଟୁ କଲାନାହିଁ । ଦିଅଁଙ୍କ ବିଭୂତି ଆଡ଼ ହୋଇଗଲା । ସବୁଗୁଡ଼ାକ ଡେଉଁରିଆ ଭାଁ ଭାଁ ଉଡ଼ିଗଲା । ପୂର୍ବରେ କେଉଁ ପାପ କରିଥିଲା ଶେଷରେ ଢିଙ୍କିଶାଳରେ ପଡ଼ି ପଡ଼ି ମଲା ।

 

ସାଧୁଆ ମା’ ଭୋଗରାଗ କଲା । ବାସୁଳେଇ ଠାକୁରାଣୀଙ୍କୁ ବୋଦାବଳି ଯାଚିଲା । କାକଟେଇ ମଙ୍ଗଳାଙ୍କୁ କୁକୁଡ଼ା ଦେବାକୁ ସ୍ଥିର କଲା । ଗରୁଡ଼େଇଙ୍କୁ କଦଳୀ ମାନସିଲା । ବାବାଜୀଙ୍କ ହୁକୁମ ପକ୍ଷେ ଖାଇଥିଲା । ଏକହାଣ୍ଡିରେ ଏକଘରକିଆ ମାସେ ହେଲା । ଡେଉଁରିଆ ପିନ୍ଧିଥିଲା । ପିତା କେଳୁଣୀ ପାଖେ ଗୋଡ଼ ଦଗାଇଲା । ଦିଅଁଙ୍କର ବଡ଼ ସାହା । ଦିଅଁଙ୍କ ସଞ୍ଜ ଦେବାକୁ ଯାଉଥିଲା । ସେ ରଖିବେନିତ ଆଉ କିଏ ରଖିବ । କେତେ ବିପଦ ଆପଦରୁ ତାରିଛନ୍ତି । ତାଙ୍କ ଦୟାରୁ କାହିଁ କେତେ ଅନ୍ତେ ନାତି ଚାଖଣ୍ଡେ ପାଇଛି । ଅଖଣ୍ଡଳମଣି ତା’ କଥା ଶୁଣିବେନିତ କାହା କଥା ଶୁଣିବେ । ସଞ୍ଜ ଦେବାବେଳେ ବିଲୁଆ କାହିଁ କେଉଁଠୁ ଥିଲା ଗୋଡ଼ାଇ ଆସିଲା । ପଛରେ ରାହାଧରି ଧାଉଁଥିବା ପିଲା କାଉଳି ଖାଇ ଉଠିଲା । ସାଧୁଆ ମା’ ସଞ୍ଜ ଛାଡ଼ି ନାତିକୁ କୁଣ୍ଢାଇ ପକାଇଥିଲା । ବିଲୁଆ ଖେଙ୍କି ଉଠି କାମୁଡ଼ିଲା ବେଳକୁ କାଳିଆ ମାଡ଼ି ବସିଲା । ଚାଲିଲା ଦୁଇଜଣଙ୍କର ଯୁଦ୍ଧ । ଆଉ ସବୁ ଗାଁ କୁକୁର ଜୁଟିଗଲେ । ଲୋକମାନେ ପିଟି ପିଟି ବିଲୁଆକୁ ମାରିଦେଲେ । ସାଧୁଆ ମା’ର ଚେତା ବୁଡ଼ି ଯାଇଥିଲା । ବିଲୁଆ ଆମ୍ପୁଡ଼ାରେ ନାଲି ଟିକିଏ ବୋହି ପଡ଼ିଥିଲା । ପିଲା ଖଣ୍ଡିକ ତଟସ୍ଥ ହୋଇ ଛିଡ଼ା ହୋଇଥିଲା ।

 

ବିଲୁଆ କାମୁଡ଼ାରେ କାଳିଆ ଦେହଯାକ ରକ୍ତ ବୋହିଯାଇଥାଏ । ବିଲୁଆ ମଲା ପଛକେ କାଳିଆ ତାକୁ କାମୁଡ଼ୁଥାଏ । ରାଗରେ ଭିଡ଼ୁଥାଏ । ଚାରିପଟେ ଦୌଡ଼ୁଥାଏ । ବାଲିରେ ଗଡ଼ି କାଳିଆ ଫୁଲି ଯାଇଥାଏ । ସମସ୍ତଙ୍କ ମୁହଁରେ କାଳିଆ କଥା । ଚାହୁଁ ଚାହୁଁ ପାଞ୍ଚଖଣ୍ଡି ଗାଁରେ ପାଗଳା ବିଲୁଆ କଥା ପ୍ରଚାର ହୋଇଗଲା । ଦାଣ୍ଡରେ ଚାଲିଯିବା ଲୋକ ଆଖି ନଚାଇ ଚାହିଁଥିଲେ କାଳିଆକୁ । ବୁଢ଼ା ଅଜା ଦିଅଁଙ୍କ ପାଦୁକା ବୋଳିଥିଲେ କାଳିଆର ବିଲୁଆ କାମୁଡ଼ା ଦେହରେ । ପଶୁଡାକ୍ତରଖାନାକୁ କାଳିଆକୁ ବାଧ୍ୟ କରି ନିଆଯାଇଥିଲା । ଦିନ ଦଶ ପନ୍ଦରଟିରେ ଘା ଶୁଖି ଆସିଥିଲା ।

 

ସବୁଦିନ ପରି କାଳିଆ ମୁହଁ ଉଠାଇ ଦେଖୁଥିଲା । କଳା ରୁମ ଚନ୍ଦା ହୋଇଯାଇଥାଏ । ଠାଏ ଠାଏ ଘା’ମାନ ନାଲି ଚହ ଚହ ପଡ଼ିଯାଇଥାଏ । କଳା ମିଚି ମିଚି ରୁମ ଘସରା ପଡ଼ିଯାଇଛି । ମାଛି ସାଲୁବାଲୁ ହେଉଥାନ୍ତି ଦେହଯାକ । ରାତିଯାକ ସଁ ସଁ ଖେଁ ଖେଁ ରେ ନିଶ୍ଵାସ ପ୍ରଶ୍ଵାସ ଆସୁଥାଏ-। ମୁହଁ ବିକଟାଳ ପଡ଼ି ଯାଇଥାଏ । ଲାଙ୍ଗୁଳ ଛିଡ଼ିଯାଇଛି । ଶୋଇଲେ ଦଶଥର ପକାଉଠା ହେଉଥାଏ ।

 

ଘରଛାଡ଼ି କାଳିଆ ବାରିକୁ ଚାଲିଯାଇଥାଏ । ମାଈକୁତୀର ପରିଚିତ ପାଉଁଶ ଗଦା । ଖୋଳା ଗାତରେ କାଳିଆ ଦିନରାତି ଶୋଇରହେ । ରାତିରେ ଭୁକି ଉଠି ଗଁ ଗଁ ହୁଏ । ଘାଗଡ଼ା ସ୍ଵରଟା ଦବାଇଦିଏ ସମସ୍ତିଙ୍କୁ । ଅନ୍ୟମାନେ ଡରନ୍ତି । ପାଖକୁ ଆସିବାକୁ କେହି ସାହସ କରନ୍ତିନି । କାଳିଆ ହାବୁଡ଼େ ପଡ଼ିଲେ ଭୟରେ ଦୌଡ଼ି ପଳାନ୍ତି । ବାଡ଼ ସେପାଖୁ ଲେଉଟି ଚାହାଁନ୍ତି । କାନ ଡେରି ଶୁଣନ୍ତି । ଆଖି ନଇଁ ଚାହାନ୍ତି କାଳିଆର ବୁଢ଼ା ବୁଢ଼ା ଦାନ୍ତକୁ । ବାଟ ଛାଡ଼ିଦିଅନ୍ତି ମାଈକୁତୀ ପାଖକୁ । ଛେଲୁଆ ପାଖେ ଭରସି ପଶନ୍ତି ନାହିଁ ।

 

ସେଦିନ ଛୁଆ କୁକୁରଟି ପଶି ଆସିଥିଲା । ଅଜାଣତରେ ଖାଲି ପଡ଼ିଥିବା ଛେଲୁଆକୁ ଚାଟିଥିଲା । କାଳିଆର ବୀର ମୂର୍ତ୍ତିରେ ତଳେପଡ଼ି କାକୁତି ମିନତି ହୋଇଥିଲା । ଆଖି ବୁଜି ଶୋଇଥିଲା । ଟିକି ଲାଙ୍ଗୁଳଟି ହଲାଇଥିଲା । ପୁରା ତଳେ ପଡ଼ି ଗୋଡ଼ ଦୁଇଟି ହଲହଲ କରିଥିଲା । କାଳିଆର ବୁଢ଼ା ଗୋଡ଼କୁ ଶୁଙ୍ଘିଥିଲା । କ୍ଷମା ଭିକ୍ଷା ମାଗିଥିଲା । କାଳିଆ ଛେଲୁଆ ପାଖକୁ ଚାଲି ଆସିଥିଲା । ଛୋଟ କୁକୁରଟି ଫେରି ଯାଇଥିଲା ପଛକୁ । ଖଣ୍ଡେ ଦୂରରେ ଚାହିଁଥିଲା । ଆସ୍ତେ ଆସ୍ତେ ପୁଣି ପାଖକୁ ଯାଇଥିଲା । ଛାଡ଼ିଥିବା ଖାଲି ଛେଲୁଆକୁ ଛୋଟ କଅଁଳ ଜିଭରେ ଚାଟିଥିଲା । କାଳିଆ ସମ୍ଭାଳି ପାରି ନ ଥିଲା । ପୁଣି ଗାଉଁ ଗାଉଁ ହୋଇ ଗୋଡ଼ାଇ ଆସିଲା । ଛୋଟ ଜୀବଟି ଡରରେ ବାଡ଼ ସେପାଖୁ ଚାହିଁଥିଲା । ଫେରି ଯାଇଥିଲା ତା’ ବାଟରେ ।

 

ଛେଲୁଆ ଦେଇ ଟର୍ଚ୍ଚଟି ଜଳି ଉଠିଲା । ତୋରାଣୀ ମିଶା ଭାତ କେତୋଟି ପଡ଼ିଥିଲା ମାତ୍ର । ସଜନା ଛୁଇଁ ଚୋପା ଖଣ୍ଡେ ଖଣ୍ଡେ ଭାସୁଛି । ଭୂଇଁ ଦେଇ ଭାତ ଖେଳାଇ ହୋଇ ପଡ଼ିଥାଏ-। ବେଙ୍ଗ କେତୋଟି ଫକ୍ ଫକ୍ ହୋଇ ଛେଲୁଆରୁ ଡେଇଁ ଚାଲିଯାଉଥିଲେ । ଛେଲୁଆଟି ଅଣେଇ ହୋଇ ତୋରାଣୀ ଧାର ବୋହି ଯାଉଥିଲା ଶୁଖିଲା ବାଟକୁ । ପାଉଁଶ ଗଦା ଗାତଟିରେ ଛାଇ ଖଣ୍ଡେ ପଡ଼ି ରହିଲା । ଜଳୁ ଜଳୁ ଆଖି ଦୁଇଟି ଅନାଇ ରହିଥାଏ ଏକ ଲୟରେ ।

Image

 

Unknown

ଦେବଦାସୀ

 

ବାହାଘର ଉତ୍ତର-ଦକ୍ଷିଣ । ଶନି ଅନ୍ତର-ବୃହସ୍ପତିଙ୍କ ଶୁଭଦୃଷ୍ଟି । ଅନ୍ୟାନ୍ୟ ଗ୍ରହମାନଙ୍କର ଖୁବ୍ ମଙ୍ଗଳ ପଦ ଅଛି । ଆଗକୁ ତିଥି ଅଛି । ବାହାଘର ଯାତ୍ରା ଫିଟିଯାଇଛି । ଯେତେ ଯାହା କଲେ କେହି ରଖିପାରିବେ ନାହିଁ । ବିଦ୍ୟା, ବୁଦ୍ଧି, ଧନ-ଧାନ, ଯାନ-ଯୌତୁକ କୌଣସିରେ ଊଣା ନାହିଁ । କନ୍ୟାଟି ଉତ୍ତମା ବୁଦ୍ଧିମତୀ ଘର କରଣା । ଘରେ ଗୋଡ଼ ଦେଲେ ସବୁ ଅଭାବ ମେଣ୍ଟିଯିବ । ଦେଖୁନ ସମ୍ବନ୍ଧ ପଡ଼ିବାମାତ୍ରେ କିପରି ସବୁ ଆପେ ଆପେ ହୋଇଯାଉଛି । ପୁଅ ବୋହୂର କି ଭେଟ । ପୁଣି ଶ୍ରୀକ୍ଷେତ୍ରରେ । ମା’, ଶତ୍ରୁମାନେ ବଳହୀନ ହୋଇ ଚାହିଁଛନ୍ତି । ବଳେ ବଳେ ଆପଣାର ହୋଇଯିବେ । କେଉଁଆଡ଼କୁ ପାଦ କାଢ଼ିବାକୁ ପଡ଼ିବନି । ଘରେ ବସିଲେ ସୁଦ୍ଧା ସବୁ ହୋଇଯିବ । ଦେଖ, ଜରିସି ଗାଈଟା ମାଈ ବାଛୁରୀ ପକାଇଲାଣି । ଆଉ ସେ ଆର ବଡ଼ ଗାଈର କିମିତି ଶୋଫଲୀ ଛୁଆ । ମା’ ଗୋ-କନ୍ୟା କାହାକୁ ମିଳେ । ଭାଗ୍ୟରେ ଥିଲେ ଜୁଟିଯିବ ସିନା । ଆଉ ନ ଥିଲାବେଳେ ଯେତେ ଯାହା କଲେ କିଛି କେଉଁଆଡ଼ୁ ହେବନାହିଁ । ତୋର ମା’ ଚାରି ଦିଗରେ ବଢ଼ତି ହେବ । ଆଉ କହିବୁ ସେତେବେଳେ । ଲୋକ ପଠାଇବୁ ଯେ । ମୁଁ କହିବାକୁ ପଡ଼ିବନି । ବଳେ ବଳେ ତୁ କାନିରେ ବାନ୍ଧିଦେବୁ । ଏହା ଯଦି ନ ହୋଇଛି ମୋ ନାମରେ କୁକୁର ପାଳିବୁ । ସତ ସତ କିପରି ସବୁ ଘଟୁଛି । ସତ ସତିଆ କ’ଣ ମିଛରେ କହିଛି । ଦଇବ ଯୋଗ ନ ଥିଲେ ଏସବୁ ଭୋଗ ହେବ ନାହିଁ । କଥାରେ କହିଛି ନା, ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ । ନ ହେଲେ ତୋ କପାଳରେ ଏପରି ବୋହୂ ସମ୍ଭବ ହେବ । କି ମାନ ଖାତିର ଘର । ଟଙ୍କା, ସୁନାରେ ପୋତିଦେବ । ବୋହୂ ଚାକିରିଆ । ପୁଣି ଡାକ୍ତରୀ ପାଶ୍ କରିଛି । ଶହ ଶହ ଟଙ୍କା ଗୋଡ଼ିପରି କମାଉଛି । ରାତି ପାହିଲେ କାହିଁରୁ କେତେ ଲୋକ । ଏ ପିଣ୍ଡାରୁ ସେ ପିଣ୍ଡାଯାଏ ହାଉଯାଉ ହେଉଥିବେ । ମଲା ମଣିଷକୁ ବଞ୍ଚାଉଛି । କି ଧନନ୍ତ୍ଵରୀ ବୁଦ୍ଧି । କି ପାଠ । ବାପରେ ବାପ କି କଳ ଜିନିଷ । ସବୁ ତା ବାପ ସୁକୃତି ଫଳ । ଆଉ ତୋ ଗ୍ରହ । ନ ହେଲେ ଏମିତ ବୋହୂ କାହାକୁ ମିଳେ । ସାତ ସାଇରେ ଏମିତି କିଏ ପଢ଼ିଛି । ଆଉ ଖୁଣ ଥିଲେ ଗୁଣ ଚନ୍ଦ୍ରରେ କଳଙ୍କ ଅଛି । ନ ହେଲେ କି ଶୋଭା ପାଆନ୍ତା । ପ୍ରଭୁ କାଶୀନାଥଙ୍କର ଷଣ୍ଢ ବାହନ, ମଶାଣୀରେ ଘର । ଗଙ୍ଗା ପରି କଳିହୁଡ଼ୀ ମାଇକିନିଆ । ସେଥିରେ କ’ଣ ଭୋଳାନାଥେ ଡରି ଯାଇଛନ୍ତି । ରାତି ଦିନ ଶୁଭାଙ୍ଗିନୀ ଗାଙ୍ଗୀକୁ ମୁଣ୍ଡରେ ମୁଣ୍ଡାଇଛନ୍ତି । ଗଣେଶ ପରି ପୁଅକୁ ମୂଷା ବାହନ ଦେଇଛନ୍ତି । ହେଉ ମା’ ଥା, ବେଳ ବହୁତ ହେଲାଣି । ପରେ ମୁଁ ଆସିବି । ଲୋକ ପଠାଇବା ଦରକାର ନାହିଁ । ଜାଣିବୁ ପରେ ମୁଁ କ’ଣ କହୁଥିଲି ।

 

ପୁରୀ ଯିବାରେ ଉଦ୍ଦେଶ୍ୟ ଥାଉ କି ନ ଥାଉ ବଡ଼ ଦେଉଳ ଦେଖିବା ପରେ ଆଖି ଦୁଇଟି ଘୂରି ଆସିଲା ଫର ଫର ଉଡ଼ୁଥିବା ପତାକା ଦେଇ । ମାସେ ନୁହେଁ କି ବର୍ଷେ ନୁହେଁ ଦୁଇବର୍ଷ ପରେ ଶ୍ରୀକ୍ଷେତ୍ରରେ ପାଦ ପଡ଼ିଥିଲା । ଭୁଲି ଯାଇଥିବା ବଡ଼ଦାଣ୍ଡ । ବଡ଼ ବଡ଼ ଗଢ଼ା ହୋଇଥିବା ରଥ ଚକ-। ବିନ୍ଧାଣୀର କାମକଳା ପୁଣି ଥରେ ଫେରାଇ ଆଣିଲା କେଉଁ ଏକ ସୁଦୀର୍ଘ ଅତୀତକୁ । ଇତିହାସର ପୃଷ୍ଠାଗୁଡ଼ିକ ଓଲଟାଇଲି । ଥରେ ନୁହେଁ ବାରବାର ଖୋଜିଲି—ହେଲେ ମନେପଡ଼ିଲା ନାହିଁ । ସେ ସବୁ ଯେପରି ମସିଆ ହୋଇ ଛିଡ଼ି ଉଡ଼ିଯାଇଛି । ପଙ୍କରୁ ପଦ୍ମ ଜନ୍ମିଲା ପରି—ସେହି ବଡ଼ ଦେଉଳ ଉଡ଼ନ୍ତା ପତାକା ଆଉ ମନ ଲୋଭାଣିଆ ଅଭଡ଼ା କଥା ମନେ ପଡ଼ି ଯାଉଥାଏ । ଦୁଇପଟେ ଧାଡ଼ି ଲଗା ଦୋକାନରୁ ଡାକରା ସାଲୁବାଲୁ ତେଲୁଣୀ ପୋକପରି ଲୋକବାକ, ରିକ୍‌ସାମାଳ । ଆଗରେ ପଛରେ ଘଣ୍ଟି ଶବ୍ଦ । ପୁଣି ସେଇ ରିକ୍‌ସାବାଲାର ଡାମ୍ଫଣ ଆଖି । ତରକା ଚାହାଣୀ । ପଣ୍ଡାମାନଙ୍କର ଗୋଡ଼ାଣିଆ ଡାକ । ଆଖି ଦୁଇଟି ତିନ୍ତୁଳୀ କାଠ ପରି ଜଳି ଉଠୁଥିଲା, ହୃଦୟରେ ସେହି ଡର । ଶ୍ରୀକ୍ଷେତ୍ର ମହାତୀର୍ଥ ବଡ଼ ଦେଉଳ, ଜଗା କାଳିଆ ବିରାଜ ସ୍ଥଳୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କ ଚଉଷଠୀ ଭଣ୍ଡାର । ବଡ଼ଦାଣ୍ଡ, କୋଟି କୋଟି ଭକ୍ତ ପ୍ରାଣର ଆଧାର କ୍ଷେତ୍ର । ପୁରାଣରୁ ରାମାୟଣ । ବାପାଠାରୁ ଜେଜେବାପା କହିଲେ ସରୁ ନ ଥିଲା ଗୁଣ ଗାରିମା । ପରିଶେଷରେ ଠାକୁର ରାଜା ଲକ୍ଷେ ରାଜାର ମଉଡ଼ମଣି । ଡାକିଲେ ଠାକୁର ‘ଓ’ କରୁଥିଲେ । ନ ହେଲେ କି ଧଳା କଳା ଘୋଡ଼ାରେ ଠାକୁର ବିଜେ କରିଥାନ୍ତେ । ପଦ୍ମାବତୀପରି ସତୀ-ସୁନ୍ଦରୀ ସ୍ତ୍ରୀକୁ ଚଣ୍ଡାଳ ହାତରେ ସଅଁପିଥାନ୍ତେ । ଏସବୁ ସେହି ଜଗା କାଳିଆର ମାୟା । ଯାହାର ଆଜ୍ଞାରେ ପଥର ଭାସେ ଦାରୁରୂପେ ସ୍ଵୟଂ ବିଷ୍ଣୁ ବିରାଜମାନ କରନ୍ତି । ଗୋଟିଏ ଦେଶର ନାଥ ନୁହଁନ୍ତି—ସାରା ଦେଶର ଠାକୁର, ଜଗନ୍ନାଥ ତ୍ରିଭୁବନର ପାଳନକର୍ତ୍ତା । ସୃଷ୍ଟି ବିଲୟର ହର୍ତ୍ତା କର୍ତ୍ତା ଦଇବି ବିଧାତା । ଠିଆ ମୁଣ୍ଡଟି ନଇଁ ନ ଥିଲେ ସୁଦ୍ଧା ମନ ମୁନ ବଳେ ବଳେ ମୁଦିହୋଇ ଆସୁଥିଲା । ଅନ୍ତର ଦେଇ ବାହାରେ ସେହି ଠାକୁର । ସେହି ଧଳା କଳା ଚିତ୍ରିତ ତିନିମୂର୍ତ୍ତି । ଶୁଭ ଶଙ୍ଖଧ୍ଵନି । ଜଗାକାଳିଆ ଡାକ-

 

ଚମକିପଡ଼ି ପଛକୁ ଚାହିଁଲି । ବଡ଼ ରାଗ ଲାଗିଲା ଗେଡ଼ କାଳିଆ ଷଣ୍ଢ ଉପରେ । ମନ ହେଉଥିଲା କିଛି ଗୋଟାଏ ଥିଲେ ପାହାରେ ଦୁଇ ପାହାରେ ଆଚ୍ଛାତରେ ଦିଅନ୍ତି । ଉଚ୍ଚତା ଦୁଇଫୁଟ ହେବ କି ନାହିଁ ଦମ କମ୍ ନୁହେଁ । ପଟେ ଭଙ୍ଗା ଶିଙ୍ଗରେ ଲାଙ୍ଗୁଳ ଖଣ୍ଡି । କାଳିଆ ଦେହକୁ ଆଜେ ବାଜେ ଅସଣା ସାରା ଶରୀର । ମାଛିଗୁଡ଼ାକ ଆଖିରୁ ନାକଯାଏ ଏପଟ ସେପଟ ହେଉଥାନ୍ତି । ନାହି ତଳେ ପଣେ ଡାଉଁସ । ସେଥିରେ ବିଶା କାଠି ବାଳହୀନ ଲାଙ୍ଗୁଳକୁ ବିଶା ଶହଥର ହଲାଉଛି । ପେଣ୍ଟ୍‍କୁ ସାପ ବେଢ଼ିଲାପରି ଛକ ବସାଇଦେଲା । ଏକ ଲୟରେ ଚାହିଁଛି କ୍ଷୀରମୋହନକୁ । ଗୋଟିଏ ହାତରେ ତଡ଼ିବାକୁ ଚେଷ୍ଟା କଲି । ନଛୋଡ଼ ବନ୍ଧା । ଦୋକାନୀ ପକଡ଼ି ଦୁଇଖଣ୍ଡ ପକାଇଲେ । ଚାକରଟି ଗିଲାସ ଧୂଆ ପାଣି ଦୁଇଗିଲାସ ଛାଟିଦେଲା । ଖଣ୍ଡେ ଦୂର ପଛକୁ ଯାଇ ପୁଣି ଚାହିଁଥାଏ ।

 

ବଡ଼ଦାଣ୍ଡ । ଓସାରରେ ପାଞ୍ଚ ସାତଟି ରଥ ଏକାବେଳକେ କଟାକଟି ହୋଇଯିବେ । ଆଖି ପାଉ ନଥାଏ ସେ ମୁଣ୍ଡଯାଏ । ଯାତରା ପରି ଲୋକ । ଗାଡ଼ି ଘୋଡ଼ା, ଆଗରେ ପଛରେ ପାଟିତୁଣ୍ଡ । ସମୁଦ୍ର ପରିକା ହୁରି ପଡ଼ିଯାଉଛି । ଦଳ ଦଳ ଚିତା ଚଇତନ ସୁନ୍ଦରମରା ଯାତ୍ରୀ । କେଉଁ ଦିଗକୁ ଯିବି । କହିଥିବା ବନ୍ଧୁଙ୍କ ସମୟ ହୋଇନାହିଁ । ବନ୍ଧୁଙ୍କ ପାଖେ ଘର ଚାବିକାଠି । କେତେବେଳେ ଆସିବେ । ଭାରତୀୟ ସମୟକୁ ଆମପରି ଅଦିନିଆ କୁଣିଆ । ମନେପଡ଼ିଲେ ହେଲା—ନ ହେଲେତ ଧର୍ମଶାଳା ଅଛି । ଏତେ ଯାତ୍ରୀଙ୍କ ସ୍ଥାନ ସଂରକ୍ଷଣ ଥିବାବେଳେ–ଆମପରି ଅଯାତ୍ରୀ କେଉଁ ଭାସି ଯାଉଛନ୍ତି । ଚିନ୍ତା ଭାଙ୍ଗିଲା ପତଳା କୁରୁତାରେ ଗୋମୂତ୍ର ଛାନ୍ଦପରି ଧାଡ଼ିଏ ବଡ଼ଦାଣ୍ଡ ପାଣି । ଝିପିଝିପି ବର୍ଷା କୋହଲା ପବନ । ଆଗକୁ ଚାହିଁଲାବେଳକୁ ରିକ୍‌ସାଟି ବଳାଇ ଗଲାଣି କେତେ ହାତ । ପଛରୁ ପରଦା ଟେକି ହସି ଉଠିଲେ ଦୁଇଜଣ ସୁନ୍ଦରୀ ନାରୀ ରତନ । ପେଣ୍ଟ୍ ଟେକି ଗୋଡ଼ ବଢ଼ାଇଲି ଆଗକୁ ।

 

ମନେପଡ଼ିଲା ବହୁ ଦିନର ପ୍ରବାଦ । ସୋମନାଥ ମନ୍ଦିରର ମାର୍ବଲ ଉପରେ ଗୋରା ପାଦ ଦୁଇଟି ରୁଣୁଝୁଣୁ ନୂପୁର ଦେଇ ଖେଳି ବୁଲୁଥିଲା । ନୃତ୍ୟରତା ଦେବଦାସୀର ସଙ୍ଗୀତ ମୂର୍ଚ୍ଛନାରେ ଯୁବରାଜ ଘୋଡ଼ା ଛୁଟାଇ ତୀର ବେଗରେ ଛୁଟି ଆସୁଥିଲେ ସେହି ଦିଗକୁ । ହୃଦୟର ପ୍ରତ୍ୟେକ ତନ୍ତ୍ରୀରେ ସେ ଅନୁଭବ କରୁଥିଲେ ଏକ ବିଦଗ୍‍ଧ ଯନ୍ତ୍ରଣା । କଣ୍ଟକିତ ମନ ଦୁର୍ବାର କାମନାରେ ଛଟପଟ ହେଉଥିଲା ଏକ ମିଳନ ନେଇ । ଚିତ୍ରିତ ଦେବଦାସୀର ସୁନ୍ଦର ଠାଣୀମାରେ ଯୁବରାଜ ମନ୍ତ୍ରମୁଗ୍‌ଧ ପରି ରହିଯାଇଥିଲେ କେତେ କ୍ଷଣ । ସ୍ଥାଣୁ ପଦଯୁଗଳ ଚଞ୍ଚଳ ହୋଇ ଉଠିଲା ବିନମ୍ର ପ୍ରଣାମରେ । ପାହାଚ ପରେ ପାହାଚ ଦେଇ ଯୁବରାଜ ଉଠି ଆସୁଥିଲେ ନାଟ୍ୟମଣ୍ଡପକୁ । ବୀର ପୁରୁଷଙ୍କ ଉନ୍ନତ ବାହୁଯୁଗଳ ଲମ୍ବି ଆସୁଥିଲା ସୁନ୍ଦରୀ ଦେବଦାସୀର କୋମଳ ଲଳିତ ହସ୍ତ ପାଖକୁ । ଦୋଳାୟିତ ପୁଷ୍ପିତ କବରୀ ପରେ ନିଜକୁ ସ୍ଥାପନ କରି ସେ ଆଘ୍ରାଣ କରି ଚାଲିଥିଲେ ପ୍ରତ୍ୟେକ କୁସୁମିତ ଅଙ୍ଗକୁ । ପରିସ୍ଥିତି ସମୟକୁ ଭୁଲି ଯୁବରାଜ ତୋଳି ନେଇଥିଲେ କୋମଳ ଲଳନା ଦେବଦାସୀକୁ । ଦୂରରେ ମିଳାଇଗଲା ଘୋଡ଼ା ଟାପୁର ଶବ୍ଦ । ସମୁଦ୍ରର ଲଘୁ ତରଙ୍ଗରେ ମଧୁର ମୂର୍ଚ୍ଛନା ମିଳାଇ ଯାଉଥିଲା । ଦୁଇଟି ପ୍ରାଣର ମିଳନ ନେଇ ଓହ୍ଲାଇ ଯାଉଥିଲେ ପବିତ୍ର ମନ୍ଦିର ପୀଠରୁ । ହେଲେ ଭୁଲିପାରି ନ ଥିଲେ ନିଜର ଆରାଧ୍ୟ ଦେବତାକୁ । କାମନାର ଲାଳସା ନୁହେଁ, କି ହୃଦୟର ଉତ୍ତପ୍ତତା ନୁହେଁ, ସ୍ନେହ ମାୟା ବନ୍ଧନର ପ୍ରସ୍ଥର ମୂର୍ତ୍ତି । ରାତ୍ରର କେଉଁ ଅଜଣା ପ୍ରହରରେ ଦେବଦାସୀର ମଧୁର ସଙ୍ଗୀତ, ସୁସଜ୍ଜିତ ବେଶ ଯୁବରାଜଙ୍କୁ ନରମ ଶଯ୍ୟାରୁ ଉଠାଇ ନେଉଥିଲା । ଘୋଟକ ଛୁଟାଇ ଦେଇଥିଲେ ସେହି ଦିଗକୁ । କିଏ ସେହି ଦେବଦାସୀ । କିଏ ତାର ପ୍ରଭୁ !! ଏହାହିଁ ଥିଲା ଦେବଦାସୀ ପ୍ରଥାର ଏକ ଅଜଣା ପ୍ରବାଦ ସୋମନାଥ ମନ୍ଦିରର ଅନେକ ଗୁଜବ ଭିତରେ ।

 

କାମାକ୍ଷୀ ମନ୍ଦିରର ବହୁ ଅଜବ କାହାଣୀ ଉପରେ ନୃତ୍ୟରତା ଫୁଲ ସୁନ୍ଦରୀଙ୍କୁ ଭୁଲାଇ ନ ଥିଲା । ମନ କିଣି ନେଇଥିଲେ ପ୍ରତ୍ୟକ୍ଷ ବୀର ଶ୍ରେଷ୍ଠ ରାଜାଙ୍କ ହୃଦୟକୁ । ସହସ୍ର ଚପଳ ଛନ୍ଦରେ ସେଦିନ ହସି ଉଠିଥିଲା ରାଜାଙ୍କ ପ୍ରାସାଦ । ଶାସିତ ଚକ୍ଷୁରେ ନୁହେଁ ଫୁଲରାଣୀଙ୍କ ଆଦେଶରେ କାମାକ୍ଷୀ ମନ୍ଦିରର ଦେବଦାସୀ ପ୍ରଥା ଖୋଲିଯାଇଥିଲା । ଗୋଟିଏ ଦିନ ପାଇଁ ନୁହେଁ—ଏକ ସୁଦୀର୍ଘ ପର୍ଯ୍ୟାୟ ଦେଇ । ତନ୍ତ୍ରପୀଠର ଆରାଧ୍ୟ ଦେବୀ ସୁରା ସୁନ୍ଦରୀରେ ହସି ଉଠୁଥିଲେ । ଆଉ ଫୁଲରାଣୀ ବିଦାୟ ନେଇଥିଲେ ପ୍ରାସାଦରୁ ପ୍ରାସାଦ ଚୂଳକୁ ।

 

ଅନେକ ଦୂର ଚକ୍ଷୁ ଲମ୍ବିଯାଏ—ସୁଦୂର ତିରୁପତିକୁ । ମାଳ ମାଳ କାହାଣୀ ଭିତରେ ଦକ୍ଷିଣୀ ଦେଶର କଳା ଭାସ୍କର୍ଯ୍ୟ । ନୃତ୍ୟରତା ସଖୀ ନୁହେଁ, ଜୀବନ୍ତ ରକ୍ତ ମାଂସ ଦେହଧାରୀ ସୁନ୍ଦରୀର ଅଜସ୍ର ଚଳ ଚଞ୍ଚଳତାରେ । କିଏ ସେହି ଦେବଦାସୀ ! ଆଉ ଉତ୍କଳରେ ଦକ୍ଷିଣୀ କଳାର ଅଭ୍ୟୁଦୟ !! ଚଳି ଆସୁଥିବା ସମୟେ ସମୟେ ସେହି ଦେବଦାସୀର ସଙ୍ଗୀତ । ସତ୍ୟ କିଏ, ମିଥ୍ୟା କ’ଣ—ଠିକ୍ କରି ବିଚାର କରିବା—ଆଜିର ଜଗନ୍ନାଥ ତତ୍ତ୍ଵପରି ମନେ ହୁଏ । ଅଜଗର ପରି ଶୋଇଥିବା ମାଦଳାପାଞ୍ଜି । କି ନିଜର ଶାଶ୍ଵତ ଧର୍ମକୁ ବିକୁଥିବା ପଣ୍ଡିତ ପ୍ରବର । ଜଗା କାଳିଆ ତୁମେ ହିଁ ତାର ସାକ୍ଷୀ । ତୁମକୁ ଛାଡ଼ି ଲେଖନୀ ଚଳାଇବା ଯେପରି କଷ୍ଟ, ତୁମକୁ ନେଇ ଘରଣୀ ବାଛିବା ସେହିପରି ବିଷମ ।

 

ଗୋଟିଏ ଦିନ ପରେ ଆମେ ଫେରି ଆସୁଥିଲୁ ସମୁଦ୍ର ବେଳାକୁ । ପୋତି ହୋଇ ପଡ଼ିଥିବା ବାଲିର ଦେଉଳକୁ ବାଲିରୁ ଉଠାଇବାକୁ । ଗାଲମାଧବ ପରାସ୍ତ ହୋଇ ନଥିଲେ । କ୍ଷମାଭିକ୍ଷା ମାଗିଥିଲେ ଇନ୍ଦ୍ରଦ୍ୟୁମ୍ନ ନିକଟରେ । ସାକ୍ଷୀ ତାର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ବାସ କରୁଥିବା କଚ୍ଛପଦଳ । ବଡ଼ ଦୀର୍ଘଜୀବୀ ଏମାନେ । ବଡ଼ ଦେଉଳ ପଥର ବୋହି ବୋହି କଚ୍ଛପ ପାଲଟିଗଲେ କ’ଣ ହେବ, ବଡ଼ ସତ୍ୟବାଦୀ । ନିଜର ରାଜାଙ୍କୁ ବଞ୍ଚାଇଥିଲେ ଆଜିର ସମାଲୋଚକମାନଙ୍କ ବେଦପରି ପ୍ରମାଣ ଦେଇ । ବଡ଼ ଆଶ୍ଚର୍ଯ୍ୟ ଲାଗିଲା ବିଦଗ୍‌ଧ ପଣ୍ଡିତମାନଙ୍କ ଅକାଟ୍ୟ ଯୁକ୍ତିରେ । ଅନେକ ପ୍ରବାଦ ତଳେ ଏମାନେ ନିଜକୁ ଆବିଷ୍କାର କରନ୍ତି—ସାବ୍ୟସ୍ତ କରନ୍ତି ନିଜକୁ । ମାନିବାକୁ ପଡ଼ିବ ଆମେ ସେ ସହରରେ କେତେ ଘଣ୍ଟାର ଯାତ୍ରୀ । ତୁମକୁ ସ୍ଵୀକାର କରିବାକୁ ପଡ଼ିବ ତୁମେ ଜରା ଶବରପରି ପ୍ରଭୁଭକ୍ତ ନୁହଁ । ଅର୍ଥ ବିନିମୟରେ ତୁମକୁ ତୀର୍ଥ କରିବାକୁ ପଡ଼ିବ—ପୁଣ୍ୟ ନେବା ଦରକାର ସେ ଦେବଦାସୀ ହିଁ ଆମ ସଂସ୍କୃତିର ପରିଚୟ ।

 

ଲତା ସଙ୍ଗେ ପରିଚୟ ଠିକ୍ ଦେବଦାସୀର ଏକ ଅସଜଡ଼ା ଭିତରୁ । ଯାଯାବର ଜୀବନରେ ପଥ ଅନେକ ଆସିଛି, ପଥିକ ଅନେକ ଯାଇଛନ୍ତି । ଚିହ୍ନା ପରିଚୟ କେଇ ଘଣ୍ଟା ମାତ୍ର ସେହି ଧର୍ମଶାଳା ଭିତରେ । ଟିପା ଖାତାରେ ନାମ ଠିକଣା ଥିଲେ ମଧ୍ୟ ଘନିଷ୍ଠତା ନଈବଢ଼ି ପରି । ତଥାପି ଫେରିଆସିବା ପରେ ମନେପଡ଼େ ମୁଁ ବି ଜଣେ ଯାତ୍ରୀ । ପଚରା ଉଚରା ଚିହ୍ନା ପରିଚୟ କ’ଣ ମିଳିବ । ଏମିତି କେତେ ଆସିଛନ୍ତି—ଯାଇଛନ୍ତି । ସେମାନଙ୍କ ଭିତରେ ଏମାନେ ବି ଜଣେ । ମନେ ରଖିବା କଷ୍ଟ—ଅଡ଼ୁଆ ସୂତାକୁ ସଜାଡ଼ିବା ପରି । କଥାକୁ ଆଗକୁ ନ ବଢ଼ାଇ ମୁଁ ଚାଲିଥିଲି ସେହି ବଡ଼ଦାଣ୍ଡରେ । ଯେଉଁଠାକୁ ସମସ୍ତେ ପୂଣ୍ୟଭୂମି କହି ମୁଣ୍ଡରେ ମାରିଛନ୍ତି—ଆଖି ମେଲି ଚାହିଁଛନ୍ତି । ସେ କ’ଣ ସରି ଯାଉଛି ନା ଯିବ । କେଉଁ ଯୁଗରୁ ପଡ଼ିଛି ତ—ସେହିପରି ପଡ଼ିଥିବ । କିଏ ଭୁଲିଛି ସବୁଦିନ ସେହିପରି । ରାଜା ଗଲେ ରାଇଜ ଗଲା ହେଲେ ବଡ଼ଦାଣ୍ଡ ପଡ଼ି ରହିଛି । ସେହିପରି ଆବୁଖାବୁଆ, କୋତରା ମୋତରା, ପାଣି ଖାଲେ ଖାଲେ । ଆଉ ଜଗା କାଳିଆ ।

 

ଲତା ସଙ୍ଗେ ମୋର ବିବାହ ଆଗରୁ ପଡ଼ିଥିଲା ତାହା ନୁହେଁ—ଖୁବ୍ ଅକସ୍ମାତ୍‌ । ସେ ମଧ୍ୟ ବିସ୍ମିତ ହୋଇଯାଇଥିଲେ ଅତୀତର ବସନ୍ତଗୁଡ଼ିକୁ ଏକାଠି କରୁକରୁ । ମନେ ମନେ ନିଜକୁ ସଜାଡ଼ି ନେଇଥିଲେ ଭବିଷ୍ୟତ ପାଇଁ । ସେ କିଛି ଅର୍ଥ ଗଚ୍ଛିତ କରିଦେଲେ ସେ ଚାକିରିରୁ ମୁକ୍ତି ନେବେ । ଜଟିଳ ଦୁନିଆ ତାଙ୍କୁ ସମୟେ ସମୟେ ଅବୋଧ ପରି ମନେ ହେଉଥିଲା । ବାସ୍ତବ ଜଗତ ସତେ ଯେପରି ମରି ଯାଇଥିଲା ଝରିପଡ଼ିଥିବା ଗୋଲାପ ପାଖୁଡ଼ା ପରି । ନିଜର ନୀଡ଼କୁ ବାନ୍ଧିବାପାଇଁ ସେ ପରିବାରର ସମସ୍ତଙ୍କୁ ସୁଖୀ କରାଉଥିଲେ । ଆଶ୍ରା ପାଇଁ ସେ ସମ୍ବନ୍ଧ ଯୋଡ଼ୁଥିଲେ । ଆପଣାର କରି ନେଇଥିଲେ ନିଜର ସ୍ନେହ, ମମତା ଦିନରାତି ପରିଶ୍ରମ ଦେଇ ଆଣୁଥିବା ଅର୍ଥରେ । ତିଳ ତିଳ ହୋଇ ଦଗ୍‍ଧ ହେଉଥିଲେ ଖସି ପଡ଼ୁଥିବା ରଙ୍ଗିନୀ ବୟସରେ । ରାତିଦିନ ସୁଖ ଦୁଃଖ ଭିତରେ ସେ ଯେପରି ଅଣନିଶ୍ଵାସୀ ହୋଇ ଯାଉଥିଲେ । ଅତୀତ ପାଇଁ ଦୀର୍ଘ ନିଶ୍ଵାସ ଛାଡ଼ି ସେ ଚାହିଁଥିଲେ ସେଦିନ ଦୂର ଆକାଶକୁ । ଭସା ଚକ୍ଷୁର ସାଇତି ରଖିଥିବା ଆଶା ସବୁ ଧୀରେ ଧୀରେ ରୂପ ନେବାକୁ ବସୁଥିଲା । ଆଉ ସେ ଲେଖି ଚାଲିଥିଲେ ଚିଠି ପରେ ଚିଠି—ସତେ ଯେପରି ତାର ଶେଷ ନାହିଁ ।

 

ଲତା କହି ଚାଲିଥିଲେ । ଗୋଟିଏ ନୁହେଁ । ଅସୁମାରୀ କଥାର କାହାଣୀ ବୁଝାଇଥିଲେ ଅନେକ । ପାହାଚ ପରେ ପାହାଚ । ଆମେ ଅତିକ୍ରମ କରି ଯାଉଥିଲୁ ବାଇଶି ପାହାଚ । ସେ ପଛକୁ ଫେରି ଚାହୁଁଥାନ୍ତି । ଧାଡ଼ି ଧାଡ଼ି ଦିଅଁଙ୍କୁ କ’ଣ କହୁଥାନ୍ତି—ତାହା ଅତି ନୀରବ । ପଥର ଦିଅଁ କ’ଣ ଶୁଣୁଥିଲେ । ମନେ ମନେ ସେ କ’ଣ ଭାବୁଥିଲେ—ତାହା ମୁଁ ଭୁଲି ଯାଇଥିଲି ଦେବଦାସୀର ଅନୁସନ୍ଧାନରେ । ପ୍ରତ୍ୟେକ ସ୍ଥାନରେ ମୁଁ ଖୋଜି ଚାଲିଥିଲି ସେହି କଳା, ଭାସ୍କର୍ଯ୍ୟ—ଅତୀତର ଲିଭି ଆସୁଥିବା ମସିଆ ଚିତ୍ରରେ । ସେ ଖୁବ୍ ପଛରେ ନ ଥିଲେ ମଧ୍ୟ ପଛକୁ ଚାହୁଁଥାନ୍ତି; ଆମ ସଙ୍ଗେ ଅନୁଗମନ କରୁଥିବା ତୃତୀୟ ପୁରୁଷକୁ । ସେହି ହିଁ ଆମରି ଜୀବନ୍ତ ସାକ୍ଷୀ, ମୂକ ଦେଉଳର ତିନୋଟି ଦୀପ ସଙ୍ଗେ । ନିଜକୁ ସେ ବୁଝାଇ ପାରିଥିଲେ । କହିଥିଲେ ହୃଦୟ ଭରି “ପ୍ରଭୁ ହେ; ଯାହା ମୁଁ ପାଇବାକୁ ଯାଉଛି ତାହା ତୁମର ଦାନ, ତେଣୁ ତାହା ଭଲ ହେଉ ବା ମନ୍ଦ ହେଉ ମୁଁ ଗ୍ରହଣ କରି ନେଉଛି । ସେମିତି ଯାହା ହେବ ସବୁ ତୁମ ଉପରେ ଛାଡ଼ି ଦେଉଛି ।”

 

ଦେବଦାସୀର ନୂପୁର ଝଙ୍କାର ଷୋଡ଼ଶ ଶତାବ୍ଦୀରେ ଅନୁରଣିତ ହୋଇଥିଲା ତାହା ନୁହେଁ । ଜୟଦେବଙ୍କ ବିରହୀ ରାଧା—ଶ୍ରୀକୃଷ୍ଣଙ୍କ ମଥାରେ ପାଦ ରଖି ଅଭିସାରିକା ସଜାଇଥିଲେ । ଯମୁନାର କୁଞ୍ଜେ କୁଞ୍ଜେ ବହୁଥିଲା ମଧୁର ପୁଲକ । ସୁନ୍ଦରୀ ରାଧା ଖୋଜି ଚାଲିଥିଲେ ଭାରତୀୟ ସାହିତ୍ୟର ପ୍ରତ୍ୟେକ ପୁରକୁ । ମହାନୁଭବ ଗଜପତି ପ୍ରତାପ ଦେବ ଯୁଦ୍ଧରେ କୃଷ୍ଣଦେବଙ୍କଠାରୁ ପରାସ୍ତ ହୋଇ ପୁତ୍ର ବଧୂକୁ ବଞ୍ଚାଇବା ପାଇଁ ନିଜର ସୁନ୍ଦରୀ ଗୁଣବତୀ କନ୍ୟା ରାଜଲକ୍ଷ୍ମୀଙ୍କୁ ଟେକି ଦେଇଥିଲେ ଶତ୍ରୁ ହସ୍ତରେ । ଉତ୍କଳର ବିଜୟ ଧ୍ଵଜା ସେଦିନ ଖସି ପଡ଼ିଥିଲା । ପରକୀୟା ପ୍ରେମର ନାୟକ ଶ୍ରୀ ଚୈତନ୍ୟ ପ୍ରେମରେ ଠାକୁର ରାଜା ମନ୍ଦିର ଦ୍ଵାର ଉନ୍ମୁକ୍ତ କରି ଦେଇଥିଲେ । ଇତିହାସ ପୃଷ୍ଠାରେ ଦେବଦାସୀ ନାଚି ଚାଲିଥିଲେ ଗଙ୍ଗବଂଶରୁ ଏକ ମଧୁର ସଙ୍ଗୀତ ଗାଇ । ସେ ଥିଲେ ଦେବତାଙ୍କ ପାଇଁ ଉଦ୍ଦିଷ୍ଟା । ଦେବ ଭକ୍ତିରେ ସେଦିନ ଦେବଦାସୀ ରୁଣୁଝୁଣୁ ନୂପୁର ଝଙ୍କାରରେ ସ୍ଵାମୀଙ୍କ ପ୍ରାଣ ମୋହିତ କରିଥିଲେ । ମନ୍ତ୍ରମୁଗ୍‌ଧ ଦେବତା ଟାଣି ହୋଇ ଆସିଥିଲେ—ଭକ୍ତର ବାଲି ରଥକୁ । ସ୍ଵପ୍ନାବିଷ୍ଟ ରାଜା କ୍ଷମାଭିକ୍ଷା ମାଗି ଫେରାଇଥିଲେ ଭକ୍ତଙ୍କୁ ବାଲି ମୁହାଣୀରୁ । ଗୁଜବ ହିଁ ଆଜି ଦେବଦାସୀର ପ୍ରକୃତ ସାକ୍ଷୀ । ଆଉ ସେ ପଥର ଦେଉଳ ।

 

ଲତା ନିଜକୁ ବଡ଼ ସଙ୍କୋଚ କରି ଆଣୁଥିଲେ ଲାଜକୁଳୀ ଝାଉଁଳୀ ପଡ଼ିଥିବା ଲତା ପରି-। ପ୍ରଶ୍ନର ଉତ୍ତର ଏକ ପରେ ଦୁଇ—ତାହା ଯେପରି ଶେଷ କିମ୍ବା ଆରମ୍ଭ ନାହିଁ । ମନେ ମନେ ଲତା ରାଗୁଥିଲେ ମୋ ଉପରେ, କିନ୍ତୁ ବାହାର ହସରେ ତାହା ମିଳାଇ ଯାଉଥିଲା କେଉଁଆଡ଼େ । କୁନିମୁନି ଏପଟ ସେପଟ ହୋଇ ଗେହ୍ଲା ହେଉଥାଏ । ଆଉ ସେ କରେଇ କରେଇ ଚାହୁଁଥାନ୍ତି । ଧୀର ବାତାବରଣକୁ ଭୟଙ୍କରଭାବେ ତୋଳିଥିଲା ବର୍ଷା ଦିନର ଝଡ଼ । ମୁକୁଳା ବାତାୟନ ଦେଇ ଆମେ ଆରମ୍ଭ କରିଦେଇଥିଲୁ ଦୁଇଟି ବିଚ୍ଛିନ୍ନ ଜୀବନକୁ । ଦୁଇଟି ଅମୁହାଁ ନଈ । ବହି ଚାଲିଥିଲା ଅନେକ ଆଶା ଆକାଙ୍‌କ୍ଷା ନେଇ । ସ୍ରୋତରେ ଦୁହେଁ ବୁଡ଼ି ଯାଉଥିଲେ ମଧ୍ୟ ଶୁଖିଲା କାଠ ଗରଣ୍ଡା ପରି ଭାସି ଚାଲିଥିଲୁ ଅନେକ ଦୂର, ସୀମାହୀନ ଜାଗା ଅଜାଗା—ନୂଆ ମୂଲକକୁ ।

 

କଥାର ମୋଡ଼ ବୁଲାଇ ଲତା ଚାଲି ଯାଉଥିଲେ । ସେହି ଅଡ଼ୁଆ ସୂତାରେ ମୁଁ ଛନ୍ଦି ହୋଇ ଯାଉଥିଲି । ନିଃସଙ୍ଗ ନକ୍ଷତ୍ର, ଦିନ, ମାସ, ବର୍ଷ ଗଡ଼ି ଚାଲିଥିଲା ଅନର୍ଦ୍ଦିଷ୍ଟ ପଥରେ । ମୁକ୍ତ ବିହଙ୍ଗ ପଞ୍ଜରାର ସ୍ଵପ୍ନ ଦେଖିବା କି କଷ୍ଟ । ନରକର ଭାବନା । ଅସଜଡ଼ା ସଂସାରର ତେଲ ଲୁଣ ପରିବାର । ସ୍ଵପ୍ନ ବାସ୍ତବତାର ସଂଗ୍ରାମ । ସବୁ ଆନନ୍ଦ ନିରାନନ୍ଦରେ ପରିଣତ ହୋଇ ବ୍ୟସ୍ତ କରୁଥିଲା । ବିରହୀ ରାଧାର ସନ୍ଦେଶ ନେଇ ସେ ଚାଲିଯାଉଥିଲେ । ଲେଖି ଚାଲିଥିଲେ ମୋ ଉତ୍ତର-

 

ଦେବଦାସୀଠାରୁ ମୁଁ ଦୂରେଇ ଆସୁଥିଲି । ଶୁଣୁଥିଲି ରୁଣୁଝୁଣୁ ନୂପୁର । ଝରଣାର ସ୍ମୃତି ମଧୁର ସଙ୍ଗୀତ । ମନ ଭୁଲାଣିଆ ବେଶରେ ସେ ନାଚି ଯାଉଥିଲେ ପାହାଚ ପରେ ପାହାଚ । ନିର୍ଜ୍ଜନ ବେଳାରେ ସେ ସବୁ ଯେପରି ବିସ୍ମୃତି ହୋଇ ଯାଉଥିଲା । ଅସ୍ତଗାମୀ ସୂର୍ଯ୍ୟରେ ସେ ଆହୁରି ସୁନ୍ଦର ଦେଖାଯାଉଥିଲା । ରାତିର ପ୍ରୀତିଭରା ପୁଷ୍ପଧନୁରେ ସେ ସଜ୍ଜାଇଥିଲେ ନିଜକୁ । ପୁଣି ସେହି ଝରଣା, ପୁଷ୍ପରାଣୀର କମନୀୟ କାନ୍ତି । ଧୀରେ ଧୀରେ ସେ ଚାଲିଯାଉଥିଲେ ଚକ୍ଷୁର କେଉଁ ଅପର ପାର୍ଶ୍ଵକୁ । ଆଉ—ଦେବଦାସୀ....

Image

 

ହିନ୍ଦୁସ୍ଥାନ ଟାଇମ୍‌ସ

 

ମୀରାର ବିବାହଘର କମଳେଶ ସଙ୍ଗେ ଠିକ୍ ହୋଇଯାଇଥିଲା । ଡାକ୍ତରୀ ଜୀବନରେ କିଛି ମୋଟା ଆକାରରେ ପଇସା ନ କମାଇଲେ ଭବିଷ୍ୟତ ମୂଲ୍ୟବୋଧ ରହେ ନାହିଁ । କେତୋଟି ବର୍ଷ ଆମେ ଇଂଲଣ୍ଡ କି ଆରବ ଯାଇ ଟଙ୍କା ଜମା କରିଦେଲେ ଅବଶିଷ୍ଟ ସମୟ ଭାରତରେ ବସି ଚଳିଯାଇ ପାରିବା । ତାହାପରେ ଘରେ ବସି ରୋଜଗାରରୁ ଯାହା ମିଳିବ—ସେଥିରେ ସମାଜରେ ମୁଣ୍ଡ ନଇଁବାକୁ ପଡ଼ିବ ନାହିଁ । ହୁଏତେ କଷ୍ଟ ପଡ଼ିପାରେ ସେ ସମୟତକ । ତେବେ ସବୁଦିନ ଆର୍ଥିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ । ଆଉ ତୁମେ ସମସ୍ତିଙ୍କ ଆଖିରେ ପ୍ରତିଷ୍ଠିତ ହୋଇ ଗଣା ଯାଇ ପାରିବ । କମଳେଶ କଥାଟି ମୀରା ମନକୁ ସେଦିନ ବେଶ୍ ପାଇଥିଲା ।

 

ମୀରାର ଜମିଥିବା ଅବିଶ୍ଵାସଗୁଡ଼ିକ ଧୀରେ ଧୀରେ ବିଶ୍ଵାସରେ ପରିଣତ ହେଲା । କମଳେଶ କଥା ପ୍ରତି ସେ ଆତ୍ମପ୍ରତ୍ୟୟତା ଆଣିଥିଲା । ବନ୍ଧନକୁ ସୁଦୃଢ଼ କରି ବାନ୍ଧିବା ପାଇଁ ମୀରା ଏକାନ୍ତରେ କମଳେଶ ସହିତ ମିଶିଥିଲା । ଜମାଟ ବାନ୍ଧିଥିବା ଗୋପନ ସନ୍ଦେଶଗୁଡ଼ିକ ଖୋଲିଯାଇଥିଲା ଦୁଇଜଣଙ୍କ ହୃଦୟରେ । ପାରିବାରିକ ଜୀବନରୁ ମୁକ୍ତ ହୋଇ ମୀରା କମଳେଶକୁ ଧୀରେ ଧୀରେ ବାନ୍ଧିବାକୁ ଚେଷ୍ଟା କରିଥିଲା । କମଳେଶ ସାଙ୍ଗମାନଙ୍କ ସହିତ ନିଜକୁ ସୁଦୃଢ଼ ଭାବେ ପରିଚୟ କରାଇଥିଲା ।

 

ସକାଳୁ ହିନ୍ଦୁସ୍ଥାନ ଟାଇମ୍‌ସ କାଗଜ ଉପରେ ଆଖି ବୁଲାଉ ବୁଲାଉ ମୀରା ସ୍ଥିର ହୋଇ ରହିଯାଇଥିଲା । ଭାରତରେ ଅଶୀ ହଜାର ଡାକ୍ତର ବେକାର ହୋଇ ପଡ଼ିଛନ୍ତି । ସେହି ବେକାର ଡାକ୍ତରମାନଙ୍କୁ ସଂସ୍ଥା ଯୋଗାଇବା ପାଇଁ ସରକାର ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ତାହା ଆଗତ କୋଡ଼ିଏ ବର୍ଷ ଉପରେ ସୁଧୁରିପାରେ ।

 

ମୀରାର ସମସ୍ତ ଭାବନାଗୁଡ଼ିକ ଛିନ୍ନ ଭିନ୍ନ ହୋଇଗଲା । ଆଗରେ ଉଠୁଥିବା ମାଳମାଳ ଅଟ୍ଟାଳିକା । ସୁନ୍ଦର ସୁନ୍ଦର ଫୁଲ ବଗିଚା, ଚକମକିଆ କାର୍‍ । ଖୋଲୁଥିବା ଦରଜାର ଦରୱାନ ଗୋଟି ଗୋଟି ହୋଇ ଆଖିରୁ ଲିଭିଗଲା । ଲକ୍ଷ ଲକ୍ଷ ଟଙ୍କାର ଥାକ ହାତରୁ ଖସି କେତେଗୁଡ଼ାଏ ଛିଣ୍ଡା ଅଚଳନ୍ତି ଟଙ୍କାରେ ପରିଣତ ହୋଇଗଲା । ସ୍ଵାସ୍ଥ୍ୟବାନ ଝିଅଟି ବିକଳାଙ୍ଗ ହୋଇଗଲା । ସ୍ଥିର ପାଣିରେ ନିଜର ବେଶଭୂଷା ଦେଖି ମୀରା ଚମକି ପଡ଼ିଲେ । କମଳେଶ ବହୁତ ବଢ଼ି ଯାଇଥିଲେ । କଳା କଳା ବାଳରେ ଧଳା ବାଳଗୁଡ଼ିକ ଉଠି ଆସୁଥିଲା । ମୋଟା ଚଷମାଟି ମସିଆ ପଡ଼ିଯାଇଥିଲା-। କମଳେଶ ଇସ୍ତ୍ରୀ ପେଣ୍ଟଟି ଲୋଚା କୋଚା ହୋଇ ଛିଡ଼ି ଆସୁଥିଲା । ଛିଣ୍ଡା ଜୋତାରୁ ରଙ୍ଗ ଉଡ଼ି ଯାଇଥିଲା । ବଢ଼ି ଆସୁଥିବା ସନ୍ତାନଗୁଡ଼ିକ ରୂପ ପରିବର୍ତ୍ତନ କରି ପେଟ ମୁଣ୍ଡ କ୍ରମଶଃ ଖୁବ୍ ମୋଟା ହୋଇଯାଇଥିଲା ।

 

କାଗଜକୁ ଦୂରକୁ ଫିଙ୍ଗି ଦେଇ ମୀରା ଚିତ୍କାର କରି ଉଠିଲେ । ସମସ୍ତ ରାଗ ଅଭିମାନ କମଳେଶ ଉପରେ ଏକଜୁଟ ହେବାକୁ ଲାଗିଲା । ଘୃଣାରେ ସରୁପତଳା ନାକଟି କୁଞ୍ଚିତ ହୋଇ ଆସିଲା । କ୍ରୋଧରେ ଭସାଣିଆ ଚକ୍ଷୁ ଦୁଇଟି ଆରକ୍ତ ପଡ଼ିଯାଇଥିଲା । କମଳେଶ କଥାରେ ସେ ଯେପରି ଭାସି ଯାଇଥିଲେ ସୁଦୂର ବିଦେଶକୁ । ବିଦେଶୀ ବ୍ୟାଙ୍କରେ ଛିଡ଼ା ହୋଇଥିବା ଦରୱାନ । ଉଚ୍ଚ କୋଠାରୁ ମନମତାଣିଆ ସାଜସଜିରେ ମୀରା କମଳେଶକୁ କିଛି କହିପାରିଲେ ନାହିଁ । ମାସକୁ ହଜାର ହଜାର ଟଙ୍କା ବ୍ୟାଙ୍କରେ ଗଚ୍ଛିତ ହୋଇଯିବ । ଦଶଟି ବର୍ଷ ଚାକିରି କଲେ ଯଥେଷ୍ଟ । ତାହାପରେ କୋଠା ବାଡ଼ି—ଖର୍ଚ୍ଚର କିଛି ଅଭାବ ରହିବ ନାହିଁ । ମନଇଚ୍ଛା ଅବଶିଷ୍ଟ ଦିନଗୁଡ଼ିକ ବୁଲା ବୁଲି କରି ଆନନ୍ଦରେ କଟାଇ ପାରିବ । ସମୁଦ୍ର ବେଳାରେ ବସି କମଳେଶ ମୀରାକୁ ଦେଖାଇଥିଲେ ସେ ବିଦେଶୀ ଡାକ୍ତରଙ୍କୁ । ପାଖରେ ଦୁଇଜଣ ସୁନ୍ଦରୀ ତରୁଣୀ । ଖୁବ୍ ପରିପାଟିରେ ସଜାଇ ହୋଇଥାନ୍ତି । ହସ ଖୁସିରେ ବସି ବରାଦ କରୁଥାନ୍ତି । ଡାକ୍ତର ଜଣକ ଦେଖିବାକୁ ଖୁବ୍ ସୁନ୍ଦର । ଦେହରେ ବିଦେଶୀ ପୋଷାକ । ମୁଣ୍ଡର ବାଳଗୁଡ଼ାକ କହରା ପଡ଼ିଯାଇଛି ।

 

ସୁନିତାର କଥାଗୁଡ଼ିକ ମୀରା ଖୁବ୍ ମନଦେଇ ଶୁଣିଥିଲେ । ସୁନିତା ସ୍ଵାମୀ ବିଦେଶରେ ଚାକିରି କରନ୍ତି । ମାସକୁ କୋଡ଼ିଏ ହଜାର ଟଙ୍କା ଦରମା । ବିବାହ ବେଳେ ବହୁକଥା କହୁଥିଲେ । ଘଣ୍ଟାଏ ପାଖରୁ ଛାଡ଼ୁ ନ ଥିଲେ । ଭାରତରୁ ଡାକ୍ତରୀ ପାଶ୍ କରି ବିଦେଶ ଯାଇଥିଲେ ଅର୍ଥ କମାଇବାକୁ । ମାସେ ଦୁଇମାସେ ନିୟମିତଭାବେ ଚିଠି ପତ୍ର ଦେଇଥିଲେ । ପରେ ପରେ ଚିଠିଦେବା କମି ଆସିଥିଲା । ଆଜକୁ ପାଞ୍ଚବର୍ଷ ହେବ କୌଣସି କିଛି ସନ୍ଦେଶ ନାହିଁ କି ଭାରତକୁ ଫେରିନାହାନ୍ତି । ଶୁଣାଯାଏ ସେ ସେଠାରେ ବିବାହ ହୋଇଯାଇଛନ୍ତି । ଗତ ଦୁଇବର୍ଷ ତଳେ କିଛି ଟଙ୍କା ପାଇଁ ବାବାଙ୍କ ପାଖକୁ ଲେଖିଥିଲେ । ବାବା ସାଫେ ସାଫେ ମନା କରି ଦେଇଥିଲେ ।

 

ସୁଜନ ମଉସାଙ୍କ କଥା ମୀରା ସେପଟ ଘରୁ ଥାଇ ଶୁଣୁଥିଲେ । ପୁଅଟାକୁ କେତେ ପଇସା ଦେଇ ଡାକ୍ତରୀ ପଢ଼ାଇଲି ସବୁ ବେକାର । ବଡ଼ ଭାଇ କିରାଣୀ ଚାକିରି କରି ଘର ତୋଳିଲା-। ପାଞ୍ଚ ପାଞ୍ଚଟା ପିଲାଙ୍କୁ ଶିକ୍ଷିତ କଲା । ନିଜ ପରିବାର, ଘର ହାନିଲାଭ କଥା ସବୁ ବୁଝେ । ହେଲେ ଡାକ୍ତରୀ ପୁଅ ଗୋଟିଏ ପଇସାକୁ ଯୋଗ୍ୟର ନୁହନ୍ତି । ଡାକ୍ତରୀ ପାଶ୍‍ କରି ଦୁଇ ବର୍ଷ ହେଲାଣି ନିଜର ଖର୍ଚ୍ଚ ଉଠାଇ ପାରୁନାହିଁ । ବଡ଼ ଭାଇ ଖଟଣୀରେ ଚଳୁଛି । ମୁଠା ମୁଠା ପଇସା ସବୁ ପାଣିରେ ପଡ଼ିଗଲା । କିରାଣୀଟିଏ ହୋଇଥିଲେ ଖୁବ୍ ଭଲ । କାମ ବାଦେ ଖଟଣୀରେ କିଛି ପଇସା କମାଇ ପାରିବ । ଯେଉଁଠି ମାନ ସେଠି ରହିପାରିବ । ଯାହାର ଟିକିଏ କାମ କରିଦେଲେ କିଛି ଖାଇବା ଖର୍ଚ୍ଚ ଉଠିଯିବ । ଆଉ ଡାକ୍ତରୀ ପୁଅକୁ ରୋଗୀ ଗନ୍ଧାଉଛନ୍ତି । ସେ କ’ଣ ପଇସା କମାଇବ । କାନ ମୋଡ଼ି ହୋଇ ଯାବୁଡ଼ା ଖାଇଛି ଦିନେ ହେଲେ ସେ ବିଦ୍ୟା କାହାରିକୁ ଶିଖାଇବାକୁ ଛାଡ଼ିବେନି । ଘରେ ଚାଷ କରିଥିଲେ ଭଲ ।

 

ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଆଜକୁ ଏକମାସ ହୋଇଗଲାଣି । ଆଜି ବୋଟ୍ କ୍ଲବ୍ ତ କାଲି ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ଧାରଣା—ତା’ ପରଦିନ ପ୍ରଧାନମନ୍ତ୍ରୀଙ୍କୁ ତାଗିଦ ପତ୍ର । କାଲିଠାରୁ ସମସ୍ତ ମେଡ଼ିକାଲ କଲେଜ ବନ୍ଦ । ସିନିୟର ଡାକ୍ତରମାନେ ଏଥିରେ ଯୋଗ ଦେବାପାଇଁ ସମ୍ମତି ହୋଇଛନ୍ତି । କେତେଜଣ ଲୋକସଭା ଗୃହ ସମ୍ମୁଖରେ ଅନାହାରା ପଡ଼ିଛନ୍ତି । ଖବର କାଗଜରେ ନିତିନିତି ବଡ଼ ବଡ଼ ଅକ୍ଷରରେ ବାହାରୁଥିଲେ ସୁଦ୍ଧା ମାସେ ହେବ ତାର କିଛି ସମାଧାନ ହୋଇପାରୁ ନାହିଁ । ସବୁବେଳେ ବିଚାରାଧୀନ ହୋଇ ରହିଛି, କେତେକ ଆନ୍ଦୋଳନକାରୀଙ୍କୁ ଅଟକ ବନ୍ଦିରେ ନିଆଗଲାଣି । ଆଇନ ଅମାନ୍ୟ ଆନ୍ଦୋଳନକାରୀମାନଙ୍କୁ ଧମକ ଦିଆଗଲାଣି–ରୋଗୀମାନଙ୍କ ଚିକିତ୍ସାରେ ବ୍ୟାଘାତ କଲେ ଦଣ୍ଡ ସୁନିଶ୍ଚିତ । କାମ ବନ୍ଦ କଲେ ଦରମା କାହାରିକୁ ମିଳିବ ନାହିଁ । ଏହି ଆଇନ ସମସ୍ତଙ୍କ ପାଇଁ ନିଶ୍ଚୟ ଲାଗୁ ହେବ । ବାର ବାର ଏହି ବ୍ୟବସ୍ଥା କରିଯାଇଥିଲେ ମଧ୍ୟ–ପୂର୍ବପରି ତାହା ଆଗେଇ ଚାଲିଛି ।

 

ମୀରା ଆଜକୁ ଆଠଦିନ ହେବ କମଳେଶ ଗୃହକୁ ଯାଇ ଫେରିଲାଣି । ଥରେ ମାତ୍ର ସାକ୍ଷାତ୍‌ ହୋଇପାରୁ ନାହିଁ । ରାତି ଦିନ ଫୋନ୍ କରୁଥିଲେ ମଧ୍ୟ ତାହାର କୌଣସି ଉତ୍ତର ସେ ପାଉନାହିଁ । ଅସ୍ଥିରତାରେ ମୀରା ଚା’ କପ୍‌କୁ ବାହାରେ ରଖିଦେଇ ବଗିଚାକୁ ଚାଲି ଆସିଲେ । ଧାଡ଼ି ଧାଡ଼ି ଗୋଲାପ ଗଛର ମଉଳା ଫୁଲଗୁଡ଼ାକୁ ଛିଣ୍ଡାଉ ଛିଣ୍ଡାଉ କେତୋଟି କଢ଼ ମଧ୍ୟ ଛିଣ୍ଡାଇ ବାହାରକୁ ଫିଙ୍ଗିଦେଲେ । ପାଖରେ ପଡ଼ିଥିବା ବେତ ଚୌକିଟିକୁ ପାଖକୁ ଭିଡ଼ି ଆଣିଲେ । ଓଲଟାଇ ଚାଲିଲେ ଅତୀତ-ଭବିଷ୍ୟତର କେତୋଟି ପୁରୁଣା ଚିତ୍ର । ଅତୀତଟା ଭବିଷ୍ୟତ ଅନ୍ଧାରୀ ଘରେ ଥାଇ ଚିତ୍କାର କରି ଉଠିଲା । ଭୟଙ୍କର ଭୂତର ବିକଟ ରୂପରେ ସେ ଶିହରୀ ଉଠିଲେ । ଅନାହାର ମୃତ୍ୟୁର ବିକଳ କ୍ରନ୍ଦନରେ ସେ ଥରି ଉଠୁଥିଲେ ଗୋଟିପଣେ । କୋମଳ ମନଟି ଶୋଇ ଯାଉଥିଲା ଲମ୍ବିଥିବା ବେତ ଚୌକିରେ ।

 

ନା, ମା, ଜୀବନକୁ ଏପରି ବ୍ୟସ୍ତତା ଭିତରେ ଛାଡ଼ିଦେବା କି ଦରକାର । ଥରେ ଯେଉଁ କଳ୍ପନା ମନ ଭିତରେ ରୂପ ନିଏ ତାହା ପୂରଣ ନ ହେଲେ ଦ୍ଵିତୀୟଟି କୌଣସି ବାସ୍ତବ ଭିତ୍ତିଭୂମି ଉପରେ ସାବ୍ୟସ୍ତ କରିବା କାଠିକର ପାଠ । ଜୀବନର ସମସ୍ତ ସ୍ତରରେ ବାଧା ବିଘ୍ନ ଅଛି । କର୍ମମୟ ଜୀବନ ସରଳରେଖା ନୁହେଁ, ପାହାଡ଼ ପର୍ବତର ଉଠାଣୀ ଗଡ଼ାଣୀ ନୁହେଁ । ପ୍ରତ୍ୟେକ କ୍ଷେତ୍ରରେ ଆଶା ନିରାଶାର ଅନେକ ଛାୟା ଆସେ । ସମୟ ସାଥିରେ ପୁଣି ମିଶିଯାଏ । ଜୀବନର ଉଠାଣୀ ଗଡ଼ାଣୀରେ ତୁ ବେଶୀ ଅନୁଭବ କରିନାହୁଁ । ତେଣୁ ତୁ ସ୍ଵପ୍ନରେ ଭାସିଯାଇଛୁ । ବାସ୍ତବ ଦୁନିଆକୁ ସବୁ କିଛି ପଢ଼ିକରି ସବୁ କିଛି ସତ୍ୟତା ଥାଏ—ତାହାର କିଛି ମାନେ ନାହିଁ । ସ୍ଵପ୍ନ ସହିତ ଭବିଷ୍ୟତର କିଛି ନା କିଛି ଆଙ୍ଗିକ ଘନିଷ୍ଠତା ଥାଏ । ଯାହା ଭିତରେ ମନୁଷ୍ୟ ପ୍ରେରଣା ପାଇଥାଏ ଏକ ନୂତନ ଦୁନିଆର । ମନୁଷ୍ୟ ମନର ପ୍ରତ୍ୟେକ ଭାବନାଗୁଡ଼ିକ ସତ୍ୟ ହେଲେ ମଧ୍ୟ—ଚେତନ ମନର କାର୍ଯ୍ୟକଳାପକୁ ବିଶେଷ ସାହାଯ୍ୟ କରେ । ଭବିଷ୍ୟତ ସଜାଡ଼ିବାକୁ ପଥ ଦେଖାଏ । କଳ୍ପନା–ବାସ୍ତବ ଭିତରେ ଆକାଶ ପାତାଳ ତଫାତ୍ ଥାଏ । ତଥାପି ସେହି ଶୂନ୍ୟତା ଭିତରେ—ମନୁଷ୍ୟ ଦୁଇଟିକୁ ମଧ୍ୟରେ ସଂଯୋଗ ଆଣେ । ସେହି ଯୋଗାଯୋଗ ପାଇଁ ମନର ସାହସ ଦରକାର । ନ ହେଲେ ଦୁନିଆର ବାସ୍ତବ କ୍ଷେତ୍ରରେ ତୁମେ ଦୁହେଁ ପରାସ୍ତ ହୋଇଯିବ । ସମୟ ଆସିବ ତୁମେ ଦୁଇଜଣ ସେଥିରେ ବିଜୟ ନିଶ୍ଚୟ ହେବ । ତେଣୁ କମଳେଶ କହିଥିବା କଥାଗୁଡ଼ିକ ଅଳିକ ଧରା ଯାଇପାରିବ ନାହିଁ । ହୁଏତ ଆଜି ସେ ବେକାର ଅଛି । ସବୁ ଦିନ ଏହି—ପରିସ୍ଥିତିରେ ସେ ଥିବ ଏହାର କିଛି କାରଣ ନାହିଁ । କାଲି ସମୟ ବଦଳି ଯାଇପାରେ । ତୁମର ଗଢ଼ିଥିବା ସ୍ଵପ୍ନ ସତ୍ୟ ହୋଇପାରେ । ଭାରତର ହଜାର ହଜାର ଗ୍ରାମରେ ମେଡ଼ିକାଲ ଖୋଲା ଯାଇପାରେ । ଆଉ କମଳେଶ ବୁଦ୍ଧିମାନ ତଥା ପରିଶ୍ରମୀ । ଯାହାକି ଡାକ୍ତର ଜୀବନର ପ୍ରଧାନ ଲକ୍ଷ୍ୟ । ଅର୍ଥ ଉପାର୍ଜ୍ଜନରେ ସେବା ମନୋବୃତ୍ତିକୁ ବାଦ୍ ଦିଆଯାଇ ନ ପାରେ । ଜ୍ଞାନର ପ୍ରକୃତ ମାର୍ଗ ହେଉଛି ତ୍ୟାଗ । ହାସଲ କରିଥିବା ଉପାଧିଗୁଡ଼ିକର ଅର୍ଥ ନୁହେଁ ପଇସା କମାଇବା । ଜ୍ଞାନର ଅନ୍ୟ ଏକ ଦିଗ ପ୍ରତିଷ୍ଠିତ ହେବା । ମନୁଷ୍ୟ ଚିରଦିନ ଦେଶବାସୀଙ୍କ ପାଖେ ଆଦର୍ଶ ହୋଇ ରହିପାରେ । ବିଜ୍ଞାନର ଛାତ୍ରୀ ହୋଇ ପୁରାଣ-ସାହିତ୍ୟ-ଦର୍ଶନକୁ ଅସ୍ଵୀକାର କଲେ ଚଳିବନି । ତାହା ହିଁ ହେଉଛି ଭାରତୀୟ ସଂସ୍କୃତିର ମୂଳଧାରା । ସଭ୍ୟତାର ପ୍ରତ୍ୟେକ ଦିଗ ସେହି ଆଦି ସାହିତ୍ୟରୁ ନିଃସୃତ । ତେଣୁ ମା’ କମଳେଶକୁ ତୁ ଭୁଲ୍‍ ବୁଝିବା ଯୁକ୍ତିଯୁକ୍ତ ନୁହେଁ । ଆଜି ଯେଉଁ ହିନ୍ଦୁସ୍ଥାନ ଟାଇମ୍‌ସ ତୋତେ ଭ୍ରାନ୍ତ ଧାରଣା ଦେଇଛି କାଲି ମଧ୍ୟ ତାହା ବଦଳାଇ ଦେଇପାରେ ।

 

ମୀରା ବାବାଙ୍କ କଥାକୁ ମନଯୋଗ ସହକାର ଶୁଣୁଥିଲେ । କୌଣସି କଥାରେ ଉତ୍ତର ଦେଇପାରି ନ ଥିଲେ । ଅସଂଖ୍ୟ ଅନୁରଣିତ ଭାବନାରେ ସେ ଛଟପଟ ହେବାକୁ ଲାଗିଲେ । ବାସ୍ତବ ସହିତ ଆଦର୍ଶ ଯେ କିପରି ତଫାତ୍ ତାହା ବାବାଙ୍କ ଦାର୍ଶନିକତାରେ ଥାଇପାରେ । ଦର୍ଶନର ପ୍ରଫେସର ହୋଇ ବାବା ସବୁଦିନ ଏହିପରି । ପିଲାଦିନୁ ମୀରା ମା’ଙ୍କୁ ହରାଇଥିଲେ । ବାବାଙ୍କ ଦର୍ଶନ ଚିନ୍ତାର ସୂକ୍ଷ୍ମ ଧାରଣା ପ୍ରତି ସମୟେ ସମୟେ ବିମୁଖ ହୋଇଯାଉଥିଲେ । ଧାଡ଼ି ଧାଡ଼ି ଅକ୍ଷର ଭିତରେ ସେ ବାବାଙ୍କୁ ଘୃଣା କରିଥିଲେ । ଆଉ ମନେ ମନେ ପ୍ରତିଜ୍ଞା କରିଥିଲେ ସେ ଚାକିରି କରିବେ ପଛେ ବାବାଙ୍କ ଅର୍ଥରେ ପଢ଼ିବେ ନାହିଁ । ସବୁଦିନ ସେହି ଆଦର୍ଶ ପଛରେ ଥାଇ ମା’ ନାଟ୍ୟ ଜଗତରୁ ବିଦାୟ ନେଇଥିଲେ । ଆଉ ରାଗରେ ମନାକରି ଦେଇଥିଲେ ଜୀବନରେ କେବେ ହେଲେ କୌଣସି ଭୂମିକାରେ ଅବତୀର୍ଣ୍ଣ ହେବେ ନାହିଁ ବୋଲି । ସମୟ ବଢ଼ିବା ସଙ୍ଗେ ସଙ୍ଗେ ମା’ ଶରବିଦ୍ଧ ହରିଣୀ ପରି ଛଟପଟ ହୋଇଥିଲେ ଏକ ଅଜଣା ଯନ୍ତ୍ରଣାରେ । ଗୋଟିଏ ଦିନ ସେ ଛାଡ଼ି ଚାଲିଯାଇଥିଲେ ସେ ଅଦେଖା ପୁରକୁ । ସେ ଥିଲେ ଖୁବ୍ ଛୋଟ । ତାହା ପରେ ବାବା ଆଉ ବିବାହ କରିନାହାନ୍ତି । ପାରିବାରିକ ଜୀବନ ପ୍ରତି ଆସକ୍ତି ହୋଇନାହାନ୍ତି । ଅବଶିଷ୍ଟାଂଶ ଜୀବନକୁ କଟାଇ ଦେଇଛନ୍ତି ଏକ ନିସ୍ତରଙ୍ଗ ଦର୍ଶନ ଭିତରେ । ଥାକ ଥାକ ବହି ଭିତରେ ବାବା ଆନନ୍ଦ ପାଉଥିଲେ କି ଅତୀତକୁ ଭୁଲି ଯାଉଥିଲେ ସେ ଜାଣିପାରି ନାହାନ୍ତି । ଛାତ୍ରୀ ଜୀବନ ସେ କଟାଇ ଦେଇଛନ୍ତି ବାହାରେ । ଅବସର ସମୟରେ ବାବାଙ୍କ ସଙ୍ଗେ ଦେଖା ହେଉଥିଲେ ମଧ୍ୟ ତାହା କେତୋଟି ଘଣ୍ଟା ମାତ୍ର । ନୀରବ ପରିବେଶରେ ରହିବାକୁ ବାବା ଖୁବ୍ ପସନ୍ଦ କରୁଥିଲେ । ତେଣୁ ଚାକିରିରୁ ଅବ୍ୟାହତି ପରେ ସେ ଚାଲି ଆସିଥିଲେ ତାଙ୍କର ସୁଦୂର ନିର୍ଜ୍ଜନ ବଙ୍ଗଳାକୁ ।

 

ମୀରା ପ୍ରତ୍ୟେକ କଥାକୁ ଏପଟ ସେପଟ କରି ତଉଲିବାକୁ ଲାଗିଲେ । ବାସ୍ତବ ଜୀବନର ପ୍ରତ୍ୟେକ ଦିଗକୁ ଦାର୍ଶନିକ ଭିତ୍ତିଭୂମି ଉପରେ ରଖି ବିଚାର କରିବାକୁ ମୀରା ଆଉ ପସନ୍ଦ କରୁ ନ ଥିଲେ । ଯାହାର ମୂଲ୍ୟବୋଧ ଭବିଷ୍ୟତ ପାଇଁ ଅମୂଲ୍ୟ ହେଲେ ମଧ୍ୟ ଯୌବନର ପ୍ରତ୍ୟେକ ସଂପଦ ଝରା କାକର ପରି ଝରିଯିବ । ଦାର୍ଶନିକ ମନର ପୋଖତ ବିଚାରରେ ମୀରା ବାବାଙ୍କ କଥାରେ ଏକମତ ହୋଇପାରୁ ନ ଥିଲେ । ଆଜି ନୁହେଁ—ସବୁଦିନ ବାବାଙ୍କର ଏହିପରି ଯୁକ୍ତି । କମଳେଶ ସଙ୍ଗେ ପ୍ରଥମ ସାକ୍ଷାତରେ ବାବା ହସିଥିଲେ । ଦୁଇଜଣଙ୍କର ବିବାହ ବନ୍ଧନକୁ ସମର୍ଥନ କି ଅସ୍ଵୀକାର କରିପାରି ନ ଥିଲେ । କୌଣସି ଦିନ ମନା କରିପାରି ନ ଥିଲେ କି ଅବିଶ୍ଵାସ କରିନାହାନ୍ତି କମଳେଶ ଚରିତ୍ରରେ । ବିଜ୍ଞାନର ଜଣେ ଅଧ୍ୟାପିକା ହୋଇ ନ ଥିଲେ ତାଙ୍କ ଜୀବନ ଅନ୍ୟ ପ୍ରକାର ହୋଇଥାନ୍ତା । ଆଉ କମଳେଶ କଥାକୁ ଅସ୍ଵୀକାର କରାଯାଇ ପାରିନଥାନ୍ତା । ସେହି ଆଦର୍ଶର ଦିଗକୁ ଜାବୋଡ଼ି ଧରି ବାବା ସବୁକିଛି ହରାଇ ଆସିଛନ୍ତି । ଯୌବନ ସମୟରେ ମା’ଙ୍କ ବାସ୍ତବତାକୁ ଭୁଲ୍ ବୁଝିଛନ୍ତି । ପ୍ରତ୍ୟାଖ୍ୟାନ କରିଛନ୍ତି ମା’ଙ୍କୁ ନିଷ୍ଠୁରଭାବେ । କୋମଳ ହୃଦୟରେ ବାର ବାର ଆଘାତ ଦେଇଛନ୍ତି ।

 

କାନ୍ଥରେ ଟଙ୍ଗା ହୋଇଥିବା ଏକ ସୁନ୍ଦରୀ ନୃତ୍ୟରତା ଛବିକୁ ମୀରା ସକରୁଣ ଦୃଷ୍ଟିରେ ଚାହିଁଲେ । ଅପୂର୍ବ କମନୀୟ କାନ୍ତି ପ୍ରତ୍ୟେକ ଅଙ୍ଗରେ ଫୁଟି ଉଠୁଛି । ସୁନ୍ଦର ନର୍ତ୍ତକୀ ପରିପାଟୀ, ପାଦରେ ନୂପୁର । ମୁଖରେ ଶୋଭା ପଦ୍ମଫୁଲ ପରି ବିକଶିତ ହେଉଛି । ଚିତ୍ରିତ କପାଳରେ ଚୁନିଚୁନି ବାଳ ଦୋଳାୟିତ ହେଉଥାଏ । ନାୟିକା ରାଧାର ଭୂମିକାରେ ମା’ ଅବତୀର୍ଣ୍ଣ ହୋଇଥାନ୍ତି । କି ସୁନ୍ଦର ! କମନୀୟ କାନ୍ତି !! ନର୍ତ୍ତକୀର ଠାଣୀ !!!

 

କାଚ ଆଲମାରୀରେ ଧାଡ଼ି ଧାଡ଼ି ସଜାଇ ହୋଇଥିବା କପ୍‍ଗୁଡ଼ାକୁ ମୀରା ଗୋଟି ଗୋଟି କରି ଆଖି ବୁଲାଇ ନେଲେ । ସ୍କୁଲଠାରୁ କଲେଜ ଜୀବନରେ ଅସଂଖ୍ୟ ପୁରସ୍କାର ମା’ ପାଇଥିଲେ ଆଜି ମଧ୍ୟ ଅସଂଖ୍ୟ ଗୁଜବ ମା’ଙ୍କ ସୌନ୍ଦର୍ଯ୍ୟ ନେଇ ଏ ସହରରେ ଘୂରି ବୁଲେ । ଯେଉଁଥିପାଇଁ ସେ ଦିନେ ମଧ୍ୟ ଇଂରେଜୀ ନାଟକର ନାୟିକା ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ପୁରଷ୍କାର ପାଇଥିଲେ । ସଭାପତି ଆନନ୍ଦରେ ବିହ୍ଵଳିତ ହୋଇ ଯାଇଥିଲେ ମା’ଙ୍କ କଥା ଶୁଣି । ଦଶ ମିନିଟ୍ ଧରି ମା’ଙ୍କ ବିଷୟରେ କହିଥିଲେ ।

 

ବାସ୍ତବ ଜୀବନ ସଙ୍ଗେ ଦର୍ଶନ । ଜୀବିକା ସହିତ କମଳେଶ । ବେକାର ଡାକ୍ତର ଜୀବନର ରାତିଦିନ ଚିତ୍କାର, ହରିତାଳ । ବଢ଼ୁଥିବା ଅଶୀ ହଜାର ଡାକ୍ତରମାନଙ୍କ ସମସ୍ୟାକୁ ସମୀକରଣ—ତାହା କେଭେ ସମ୍ଭବ ହେବ । ନିକଟ ଭବିଷ୍ୟତରେ କମଳେଶ ଚାକିରି ପାଇପାରେ-। ଅର୍ଥ ଉପାର୍ଜ୍ଜନ କରିବାକୁ ବିଦେଶ ଯାଇପାରେ । ପ୍ରତିଷ୍ଠିତ ହୋଇପାରେ ସବୁଦିନ ପାଇଁ-। ସବୁଗୁଡ଼ାକ କିପରି ସମ୍ଭବ ହେବ । ଦୁଇଟିଯାକ ନିକଟରେ ସମାଧାନ ହେବାପରି ଜଣାପଡ଼ୁନାହିଁ-। ପରିଶେଷରେ କମଳେଶର ଭବିଷ୍ୟତ ପ୍ରତିଷ୍ଠା । ସାମାଜିକ ମୂଲ୍ୟବୋଧ, କିଛିଦିନ ହରିତାଳ କଲେ କ’ଣ ହେବ । ବିଦେଶ ଯିବା ଦୂରେ ଥାଉ ଚାକିରି ଖଣ୍ଡେ ନାହିଁ । ତାହାପରେ ସେହି ଅନାଟନ ଅଭାବ । ବିବାହ ପରେ ଦୁଇଟି ଜୀବନ ଚଳାଇବା ମୁସ୍କିଲ ହୋଇପଡ଼ିବ । ଭବିଷ୍ୟତର ସ୍ଵପ୍ନ ଖସିପଡ଼ିବ ଗୋଟି ଗୋଟି ହୋଇ ସମସ୍ୟାର ସମାଧାନ କଲାବେଳକୁ ।

 

ସେଦିନ ମୀରା ପଛକୁ ମୁହଁ ଫେରାଇ କମଳେଶକୁ ସଫା ମନା କରି ଦେଇଥିଲେ ଆଗ ତିଥିରେ ବିବାହଘର ହୋଇପାରିବ ନାହିଁ । ବିବାହ ପାଇଁ ସେ ପ୍ରସ୍ତୁତ ଅଛନ୍ତି ଯେତେବେଳେ ତୁମେ ବେକାର ସମସ୍ୟାକୁ ଦୂରୀକରଣ କରିପାରିବ । ମୁଁ ମଧ୍ୟ ସେହି ଦିନକୁ ଅପେକ୍ଷା କରିଛି । ଦୀର୍ଘ ନିଶ୍ଵାସ ତ୍ୟାଗକରି ମୀରା ଉଠି ଯାଇଥିଲେ କମଳେଶ ସାମନାରୁ ।

Image

 

ପଟାଦାର

 

ଦିଲ୍ଲୀରେ କେତୋଟି ବର୍ଷ କଟାଇବା ପରେ ନିଶିକାନ୍ତ ବିଚାର କରିଥିଲେ । ସାଙ୍ଗସାଥି ବଢ଼ିବା ସଙ୍ଗେ ସଙ୍ଗେ କିଛିଟା ଆକର୍ଷଣ ବଢ଼ିଯାଇଥିଲା । ସୁନ୍ଦର କୋଠା ବାଡ଼ିରେ ନୁହେଁ—ସମସ୍ତଙ୍କର ଆଖି ଯେପରି ଏହି ସୁସଜ୍ଜିତ ନଗରୀ ଉପରେ ସୀମାବଦ୍ଧ । ରାଜନୀତି, ବ୍ୟବସାୟର କେନ୍ଦ୍ରସ୍ଥଳୀ, ଶିକ୍ଷା, ସଂସ୍କୃତି—ଭିନ୍ନ ଭିନ୍ନ ରୀତି-ନୀତି ଗୋଷ୍ଠୀ ଲୋକମାନଙ୍କର ଭିଡ଼ ଦିନକୁ ଦିନ ବଢ଼ି ଯାଉଥିଲା । କୋଠାପରେ କୋଠା, ବଜାର, ରାସ୍ତା, କଳ କାରଖାନା ଗୋଟିକ ପରେ ଗୋଟିଏ ଆଖି ଖୋଲିବାମାତ୍ରେ ଉଠି ଯାଉଥିଲା । ଘର ବାହାର ଦୋକାନ ବଜାରକୁ ଚାହିଁଲେ ଆଖି ଖୋସି ହୋଇଯାଏ । ସବୁ ମିଳିବ ଖୋଜିବାରେ ଅସୁବିଧା ନାହିଁ । ପୁଅ-ଝିଅମାନେ ଖୁବ୍ ସୁନ୍ଦର ମାର୍ଜ୍ଜିତ ବ୍ୟବହାର ଅଭିଭାବକମାନେ ଭଦ୍ର । ଶିଖିଯିବ ଅନେକ, ଜାଣିପାରିବ ସମୟର ମୂଲ୍ୟବୋଧ, ବିଚାର ବୁଦ୍ଧି ସୀମାତୀତ ଭାବେ ବଢ଼ିଯିବ । ରହିବାକୁ ପଡ଼ିବ, ସଂଗ୍ରାମ କରିବାକୁ ହେବ । ଖଟିବାକୁ ପଡ଼ିବ । ଟଙ୍କା ଦରକାର ଜୀବନର ଏକମାତ୍ର ମାନଦଣ୍ଡ । ଗୁଣବାନ ବ୍ୟକ୍ତିର ବିଚାର କର୍ମତତ୍ପରତା ସବୁ କିଛି ନିର୍ଭର କରେ ।

 

ସମସ୍ୟା ଲାଗି ରହିଛି । ଭାବିଲେ ତାହାର ଶେଷ ନାହିଁ, ଆରମ୍ଭ କେଉଁଠି । ଧରିବାକୁ ପଡ଼ିବ ପ୍ରଥମଟି କିଏ । ତେବେ ସେହି ସୂତ୍ର ଭିତରେ ପକାଇଲେ ଖାଦ୍ୟକୁ ବାଦ୍ ଦେଲେ ଚଳିବନି । କିଛିଦିନ ଯାହା ମାନ ତାହା ଖାଇଦେଲେ କିଛି ଯାଏ ଆସେ ନାହିଁ । ଅନେକ ଶସ୍ତା ହୋଟେଲ ଅଛି-। ଖାଇବାଟା କିଏ ଦେଖୁଛି ନା ହିସାବ କିତାବ ପରି ଲେଖାଯାଉଛି । ରୁଟି ଚାରିଖଣ୍ଡ ଟଙ୍କାଏ–ଆଉ ତରକାରୀ ପ୍ଲେଟ ସତୁରୀ ପଇସା ହାରାହାରି ଦୁଇଟଙ୍କା ଦୁଇବେଳାରେ ଚାରିଟଙ୍କା-। ତାହାପରେ ଗୋଟିଏ ଟଙ୍କା ଅନ୍ୟାନ୍ୟ—ମାନେ ସବୁ କିଛି । ଚଳେଇବାକୁ ପଡ଼ିବ । ଦିନ କଟାଇବାକୁ ପଡ଼ିବ-। କିଏ ନ ଚଳୁଅଛି । କିନ୍ତୁ ପୋଷାକ ଖଣ୍ଡିକ ଠିକ୍ ଥିବା ଦରକାର । ପାଞ୍ଚଜଣଙ୍କ ସଙ୍ଗେ ବସିବାକୁ ପଡ଼ିବ । ବାଗେଇ ସାଗେଇ କହିବା ଦରକାର । ମିଶିବାକୁ ପଡ଼ିବ । ଭେକ ନ ଥିଲେ କେହି ଆଡ଼ ଆଖିରେ ପଚାରିବେ ନାହିଁ । ଦିନେ ଦୁଇଦିନରେ କେହି ଧରାଛୁଆଁ ଦେବେ ନାହିଁ-। ପୁଣି ସେହି ସମସ୍ୟା—ଗୋଟିଏ ପାହାଚ ଛାଡ଼ି ତଳ ପାହାଚକୁ ଖସିବାକୁ ପଡ଼ିବ ।

 

ନିଯୁକ୍ତି ପତ୍ର ପାଇସାରିବା ପରେ ନିଶିକାନ୍ତ ନିଶ୍ଵାସ ମାରିଲେ । ମନ୍ଦ ନୁହେଁ ମାସିକ ଚାରିଶହ ଟଙ୍କା ଦରମା ଖାଇବାକୁ ହୋଇଯିବ । ରହିବାକୁ ଚିନ୍ତା । ଛୋଟ ବସା ଖଣ୍ଡେ ଦେଢ଼ଶହ ଦୁଇଶହ ଭିତରେ ନେଇଗଲେ ଚଳିବ । ଖାଇବା ପରେ ଦେଖିବା । ପରୀକ୍ଷାଫଳ ବାହାରିବାକୁ ଦୁଇମାସ ଅଛି । ଆଇ.ଏ.ଏସ୍. ପରୀକ୍ଷା ଆଗରେ । ରହିବା ଖାଇବା ଚଳିଯିବ । ତାହାପରେ ପଢ଼ିବା କଥା । ଏଥରକ ନ ହେଲେ ଆହୁରି ତିନିଥର ଅଛି । ବାଜି ଯାଇପାରେ—ଯେ କୌଣସି ଖଣ୍ଡିଏ ବଡ଼ ଚାକିରି । ଆଜି ନ ହେଲେ କାଲି—ବେଶୀ ହେଲେ ଦୁଇବର୍ଷ ଭିତରେ ।

 

ନିଶିକାନ୍ତ ତଳକୁ ଚାହିଁଲେ । ଜୋତାର ତଳିପା ଘୋରି ହୋଇଗଲାଣି । ମାସେ ହେବ ରଙ୍ଗ ଦିଆଯାଇ ନାହିଁ । ଫିତାରୁ ସୂତା ଉତୁରି ଗଲାଣି । ତଳି କଣ୍ଟା ଉପରକୁ ଫୁଟି ବାହାରି ଆସିଲାଣି । ସାର୍ଟ ପେଣ୍ଟ ଦୁଇ ସପ୍ତାହ ହେବ ସଫା ହୋଇନାହିଁ । ଝାଳୁଆ ଗନ୍ଧ ବାହାରୁଛି । ଆଉ ଦୁଇହଳ ସେହିପରି ଅଛି । ସମୟ ଅଭାବ । ରବିବାର ଛୁଟି ଦିନ ଘର ଖୋଜିବାରେ ଯାଉଛି । ଅଫିସ୍ କାମ ନଅଟାରୁ—ଛଅଟା । ଖାଇବା ପରେ ଶୋଇବା ଚିନ୍ତା । ସାଙ୍ଗ ଜଣକ ବ୍ୟସ୍ତ ହୋଇଗଲେଣି । ଛାତ୍ରାବାସରେ ଦୁଇଜଣ ରହିବାର ନିୟମ ନାହିଁ । ସେ ଆଉ ଛାତ୍ର ନୁହେଁ–ଚାକିରିଆ । ଜାଣିଲେ ବନ୍ଧୁଙ୍କ ଅବସ୍ଥା ଶୋଚନୀୟ ହୋଇଯିବ । ବାହାର କରିଦେଲେ କେହି ପିଠିରେ ପଡ଼ିବେ ନାହିଁ । ପଚାରେ କିଏ । ନାକ ଟେକୁଛନ୍ତି ପ୍ରଦେଶ ନାଁ କହିଲେ । ପୁରାତନ ଜାତି ଭାଇମାନଙ୍କ କଥା ସୀମା ବାହାରେ । ଭୋଟ ସରିବା ପରେ ଦେଖା ମିଳିବା କଷ୍ଟ । କଦବା କେଉଁଠି ଦେଖା ମିଳିଗଲେ—ହାଲୋ, ହାୟରେ କାମ ସରେ । ଭୁଲିଗଲେଣି ନିଜ ଭାଷା ଜାତିଭାଇ ଗନ୍ଧ ବାରିଲେ ଖଣ୍ଡେ ବାଟରେ ପଛକୁ ଚାହାନ୍ତି । ଦୁଇବର୍ଷ କଟେଇଥିବା ଛାତ୍ରାବାସରେ ଦିନ କେତୋଟି ଲୁଚି ଲୁଚି କଟେଇବାକୁ ସଙ୍କୋଚ ଲାଗୁଛି । ପୁରାତନ ଗୋଷ୍ଠୀରେ ମୁହଁ ଦେଖାଇବାକୁ ଅଡ଼ୁଆ ଅଡ଼ୁଆ ବୋଧ ହେଉଛି । ଆଗତ ସମସ୍ୟା କଥା ମନକୁ ଆଣି ନିଶିକାନ୍ତ ନୀରବ ରହିଲେ । ଖୋଜିବାକୁ ପଡ଼ିବ—କେଉଁଠି ହେଲେ, ଯେମିତି ହେଲେ ଘର ଖଣ୍ଡିଏ ନେବାକୁ ହେବ ।

 

ଘର ମାଲିକାଣୀ ମୁହଁ ବୁଲାଇଲେ । ହସିଲା ମୁହଁର ରେଖାଗୁଡ଼ିକ କୁଞ୍ଚିତ ହୋଇ ଆସିଲା । ବେଶଭୂଷାକୁ ନିରେଖି ଚାହିଁଲେ । ନିଜେ ନ ଯାଇ ଚାକରକୁ କହିଲେ ଘର ଦେଖାଇ ଦେବାପାଇଁ । ଗ୍ୟାରେଜ୍‍କୁ ଲାଗି ବଖରେ ଘର । ପାଖରେ ଚାକର ଶୋଇବା ଘର । ପାଖରୁ ବିଲାତି କୁକୁରଟି ଭୁକି ଉଠିଲା । ଗୋଟିଏ କୋଣରେ କେତେ ଭଙ୍ଗା ଜିନିଷପତ୍ର ଗଦା ହୋଇଛି । ଗାଧୋଇବା ପାଇଖାନା ଅଛି । ବିଜୁଳୀ, ପଙ୍ଖା ସବୁ ଅଛି । ଦଉଡ଼ିଆ ଖଟିଆ । ଛାତ୍ରାବାସପରି ନ ହେଲେ ମଧ୍ୟ ଅସୁବିଧା କିଛି ନାହିଁ । ଚାକର ସେପଟେ ଶୁଏ । କ’ଣ ଯାଏ ଆସେ । କୁକୁର ଅଛି ଜଗିବାକୁ । କେଉଁବା ମୂଲ୍ୟବାନ ଜିନିଷ ଅଛି । ଗାଧୋଇବା ଖାଇବା ହେଲେ ଚଳିଯିବ । ରୋଷେଇ କଥା ଦେଖିବା ପରେ । ଆର ମାସକୁ ଦରମା ମିଳିଲେ ଯେଉଁ କଥା । ପ୍ରଥମେ ନେଇଯିବା ଦରକାର ।

 

ଚାକିରି କରିଛ ? ଦରମା ମାସକୁ କେତେ ? ପଢ଼ିଛ କେଉଁଯାଏ ? କ’ଣ ଭବିଷ୍ୟତରେ କରିବ ? କଥାଗୁଡ଼ିକର ଉତ୍ତର ନିଶିକାନ୍ତ ସଂକ୍ଷିପ୍ତରେ କହିଲେ । ହେଲେ ମାସକୁ ତିନିଶହ ପଚାଶ-। ବିଜୁଳି, ପାଣି ଖର୍ଚ୍ଚ ତୁମର । ମିଟର ଅଲଗା ଅଛି । କିନ୍ତୁ ଦେଖ ଦୁଇଜଣରୁ ବେଶୀ ରହିଲେ ଅନ୍ୟ ଜାଗା ଦେଖ ।

 

ମାଲକାଣୀ ବୋମା ବାକ୍ୟଗୁଡ଼ିକରେ ସ୍ଵର୍ଗରୁ ପଡ଼ିବାପରି ଲାଗିଲା । ତିନିଶହ ପଚାଶ; ସେଥିରେ ପୁଣି ବିଜୁଳି ଖର୍ଚ୍ଚ ଦେବାକୁ ପଡ଼ିବ । ଚାରିଶହ ଦରମାରୁ ମୋଟେ ତିନିଶହ ଅଛି । ହୋଟେଲରେ ଶହେ ଟଙ୍କା ଯାଇଛି । ତେବେ ହେବ କ’ଣ । ଘର ଭଡ଼ାରେ ସବୁ ଚାଲିଯିବ । ଚଳିବି କିପରି ?

 

ନିଶିକାନ୍ତ ଗୋଟିଏ ଘରରୁ ଅନ୍ୟ ରାସ୍ତା, ଗୋଟିଏ ବଜାରରୁ ଅନ୍ୟ ସହର ଉପକଣ୍ଠ ପାରି ହୋଇଯାଉଥିଲେ । ସେହି ଗୋଟିଏ କଥା ଦୁଇଶହରୁ କମ୍ ନାହିଁ । ଟଙ୍କା କମ୍ ଥିଲେ, ଗାଧୋଇବା, ଝାଡ଼ା ଯିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ । ରୋଷେଇ କଥା ଛାଡ଼ । ଅଫିସ୍‌ଠାରୁ ଦୂରରେ-। ବସ୍ ଖର୍ଚ୍ଚ ଦିନକୁ ଦୁଇଟଙ୍କା । ସାଙ୍ଗ ଜଣକ ଅଭିମାନ, ରାଗରେ କିଛି କହୁନାହାନ୍ତି । ଦିନେ ଥିଲେ ଅନ୍ୟ ଦିନ ଚାବି ଦେଇ କେଉଁଆଡ଼େ ଚାଲିଯାଉଛନ୍ତି । ରାତି ଡେରି କଲେ ଶୋଇ ପଡ଼ୁଛନ୍ତି—କବାଟ ବାଡ଼େଇବାକୁ ପଡ଼ୁଛି । ପ୍ରତ୍ୟେକ ଦିନ କାଲି ଯିବାପାଇଁ କହିଥିଲେ ମଧ୍ୟ—କାଲି ହିଁ ଘର ଖୋଜିବାରେ ରହିଯାଉଛି ।

 

ବୁଟ ଶହେ କିଣି ନିଶିକାନ୍ତ ଟାଉନ୍ ବସ୍ ଧରିଲେ । ଷ୍ଟେସନ୍ ବସ୍ ଠେଲା ପେଲାରେ ଖୁବ୍ ଭିଡ଼ିଥାଏ । ଆଜେ ବାଜେ ବ୍ୟବସାୟୀ ବାହାର ଯାତ୍ରୀମାନଙ୍କ ବୋଝରେ ବୋଝେଇ ହୋଇଥାଏ । ଗୋଡ଼ ବଢ଼େଇଲେ ପରୀକ୍ଷାକରିବା ଦରକାର । ମୁହଁ ବୁଲାଇଲେ ଅନିଶ୍ଚିତ ଧକ୍‌କା । ଝାଳୁଆ ଜାମା ଖଣ୍ଡିକ ମଇଳା ହୋଇଗଲାଣି । କାଲି ସେହିଥିରେ ଅଫିସ୍ ଯିବାକୁ ପଡ଼ିବ । ଆଉ ସବୁ ଛାତ୍ରାବାସରେ । ଆଣିବା କଷ୍ଟ । ସାଙ୍ଗ ଜଣକ ବାହାରକୁ ଯିବାକୁ କହୁଥିଲେ । ତତ୍ତ୍ଵାବଧକ ଆଜି ଘର ଦେଖିବେ । ଅତିଥି ରଖିବା କଷ୍ଟ । ଗୋଟିଏ ରାତି କେଉଁଠି କଟାଇ ଦେଲେ ଚଳିବ । କିଏ ଦେଖୁଛି ନା ଜାଣିବ । ଅଚିହ୍ନା ସହର । ଅଦେଖା ମଣିଷ । ଅବୁଝା ସ୍ଵର । ସମୟ ଅଭାବ । ପଚାରି ବୁଝିବାକୁ କିଏ ବା ଆସୁଛି । ଭିତରେ କିଏ ଦେଖାହେଲେ କହିଦେବ ସେ ବି ଜଣେ ଯାତ୍ରୀ ।

 

ଘଣ୍ଟାରେ ଦଶଟା ବାଜିଲା । ଟ୍ରେନ୍‍ଟି ଶେଷଥର ପାଇଁ ଘଣ୍ଟି ଦେଲାଣି । ନୀଳ ଆଲୁଅ ଜଳି ଉଠିଲା । ରଡ଼ିଛାଡ଼ି ଟ୍ରେନ୍ ଧୀରେ ଧୀରେ ଆଗେଇଲା । ନିଶିକାନ୍ତ ମୁଣ୍ଡରେ ହାତ ମାରିଲେ । ତିରିଶ ପଇସା ପ୍ଲାଟଫର୍ମ ଟିକେଟ୍ । ପରବାୟେ ନାହିଁ ଗୋଟିଏ ରାତି ପାଇଁ ନିଶ୍ଚିନ୍ତ । ଆଉ ଦୁଇଘଣ୍ଟା ଗଲେ ବିନା ଛାଏଁ ଥଣ୍ଡା ପଡ଼ିଯିବ । ଭିଡ଼ କମିଯିବ । ମାଡ୍ରାସ୍ କଲିକତା ଟ୍ରେନ୍ ସଦାବେଳେ ଭିଡ଼ । ଏଗାରଟା ତିରିଶିରେ ଛାଡ଼ିବ । ତାହାପରେ ଯେଉଁ କଥାକୁ ସେଇଆ । ଅଧିକା ଯାତ୍ରୀମାନେ ଶୋଇଯିବେ । ରାତି ଯାତ୍ରୀ ଯିଏ ଯେମିତି ହେଲେ ଗପିବେ ନହେଲେ ଖେଳିବେ । ପୋଲିସ୍ ଅଛି । ମୁଣ୍ଡ ଉପରେ ପଙ୍ଖା, ଆଲୁଅ ଅଛି । ମଶା ଲାଗିବାର ଡର ନାହିଁ । ଗରମ ନାହିଁ । ସକାଳୁ ଝାଡ଼ା, ଗାଧୋଇବାର ବ୍ୟବସ୍ଥା ଅଛି । ଦିନରେ ଅଫିସରେ ଦଶଘଣ୍ଟା କଟିଯିବ । ଆଜି କଥା ଚିନ୍ତା କରିବା କି ଦରକାର ଅଛି । କେଉଁ ପଳେଇ ଯାଉଛି । ଅବସ୍ଥାକୁ ଦେଖି ବ୍ୟବସ୍ଥା କରିବା ।

 

କାଠ ବେଞ୍ଚରେ ବସିବା ସ୍ଥାନ ମିଳିଗଲା । ଦୁଇପାଖେ ଦୁଇଟି ଲୋକ । ଅଧା ଶୋଇପଡ଼ିଲେଣି । ଗୋଡ଼ ତଳେ ଦୁଇ ଗଣ୍ଠିଳା । ବୋଧହୁଏ ସେହି ଗାଡ଼ିକୁ ଅପେକ୍ଷା କରିଛନ୍ତି । ଆଉ ଅଧଘଣ୍ଟା ପରେ ଛାଡ଼ିବ । ସିଗାରେଟ୍‍ ଖଣ୍ଡିଏ ସରିଲାବେଳକୁ ହୋଇଯାଇଥିବ । ଚାରିଆଡ଼କୁ ନିଶିକାନ୍ତ ଚାହିଁଲେ । ଖାଲି ଥିବାପରି ଜଣାଯାଉ ନାହିଁ । କେଉଁଥିରେ ଦୁଇଜଣ ଲେଖାଏଁ ଶୋଇପଡ଼ିଲେଣି । ଏହିଟି ସୁବିଧା । ଦୁଇଜଣଙ୍କ ବୋଝ ଗୋଡ଼ତଳେ ଅଛି । ନିଶ୍ଚୟ ଟ୍ରେନ୍‌କୁ ଅପେକ୍ଷା କରିଛନ୍ତି । ଅଧଘଣ୍ଟା ପରେ ଚାଲିଗଲେ ସାରା ବେଞ୍ଚଟି ମିଳଯିବ । ଆଉ ଭିଡ଼ ହେବାର ଭୟ ନାହିଁ । ତାହାପରେ ରାତି ସାଢ଼େ ଚାରିଟା । ଟ୍ରେନ୍‌ ଆସିବ । ଆସିବା ଯାତ୍ରୀ ବସିବେ ନାହିଁ । ଯିଏ ଯେଉଁଆଡ଼େ ହେଲେ ଚାଲିଯିବେ ।

 

ପୋଲିସ୍ ଡାକରେ ନିଶିକାନ୍ତ ଉଠିପଡ଼ିଲେ । ରାତି ପାହିଯାଇଛି । ତରତରରେ ପକେଟ୍‍ ଦୁଇଟି ଦେଖିନେଇ ନିଶିକାନ୍ତ ଗାଧୁଆଘର ଭିତରକୁ ପଶିଗଲେ । ଧାଡ଼ିରେ ପନ୍ଦର ମିନିଟ୍ ଛିଡ଼ାହେବା ପରେ ସେ ପାଇଖାନା ଘରଟି ପାଇଗଲେ । ପାଇପିରୁ ପାଣି ଗଡ଼ି ଆସୁଥାଏ । ଅଧା ସିଗାରେଟ୍ ଏପଟ ସେପଟ ହୋଇପଡ଼ିଛି । ଡିଆସିଲି ଖୋଳ । ଛିଣ୍ଡାକନା । ନାକ ଚିପି ଚିପି ନିଶିକାନ୍ତ ପାଇଖାନା ଗାଧୁଆ କାମ ସାରି ବାହାରକୁ ବାହାରିପଡ଼ିଲେ । ହାତରେ ଦୁଇଘଣ୍ଟା ସମୟ ଅଛି । କଟାଇବାକୁ ପଡ଼ିବ । ଅଫିସ୍ ଖୋଲିବ ଠିକ୍ ସମୟରେ ।

 

ଏମ୍.ପି.ଙ୍କ କୋଠରୀଗୁଡ଼ିକ ଦେଖି ନିଶିକାନ୍ତ ନିଶ୍ଵାସ ମାଇଲେ । ଲୋକସଭା ଭୋଟ ପରେ ନେତା ସାହେବଙ୍କ ଦେଖା ଦରଶନ ନାହିଁ । ଆସି ପାରନ୍ତି, ଆଜି ନୁହେଁ, କି ମାସକ ଭିତରେ ନୁହେଁ । ଅନେକ ଦିନ ଅଛି । ଚାକର ପିଲାକୁ ଡର ମାଡ଼ୁଥାଏ ଏଡ଼େ ବଡ଼ କୋଠରୀରେ ଏକା ରହିବା ପାଇଁ । ନେତା ସାହେବଙ୍କ ଅନୁମତି ପତ୍ରରେ ନିଶିକାନ୍ତ ତା ଆରଦିନ ବିଛଣା ପତ୍ର ନେଇ ହାଜର । ବଡ଼ ବଡ଼ କୋଠରୀ, ବୈଠକଖାନା, ଗାଧୋଇବା, ରୋଷେଇଘର । ଆଗରେ ବଡ଼ ବଗିଚା । କୌଣସିଥିରେ ଅଭାବ ନାହିଁ । ନିଶିକାନ୍ତ ଆନନ୍ଦରେ କୁରୂଳି ଉଠିଲେ । ମନେ ମନେ ଅର୍ଥନୈତିକ ଦିଗକୁ ବିଚାର କରିବାକୁ ଲାଗିଲେ । ସଞ୍ଚୟ ହୋଇଯିବ କିଛି ଟଙ୍କା । ତାହାପରେ ଦେଖାଯିବ ଯେଉଁଠି ହେଲେ ଖଣ୍ଡିଏ ଘର ନେଲେ ଚଳିବ ।

 

ବାବୁ ଆପଣଙ୍କ ଘର ଓଡ଼ିଶା ? କେଉଁ ଦଳର ଲୋକ ? ନିଶ୍ଚୟ ଆମ ଗୋଷ୍ଠୀର ହୋଇଥିବେ । କିଛି ପରବାୟ ନାହିଁ । ଟିକିଏ ଆମକୁ ଦିଲ୍ଲୀ ଦେଖାଇ ପାରିବେ । ଆମେ ସବୁ ଦେବୁ ଆମ ସଙ୍ଗରେ ରହିଲେ ଖୁସୀ ହେବୁ । ଆମେତ ନୂଆ ଏଠାରେ । ସେଥିରେ ଏମାନେ କ’ଣ କହୁଛନ୍ତି ବୁଝି ହେଉନି । ଯେଉଁଆଡ଼େ ଯାଉଛୁ ସବୁ ନୂଆ ଲାଗୁଛି । ନିଶିକାନ୍ତ କିଛି କହିପାରିଲେ ନାହିଁ । ନିଜ ସୁଟକେସ ପୋଷାକ ପତ୍ର ଅବସ୍ଥା ଦେଖି ମନେ ମନେ ରାଗିଲେ ସୁଦ୍ଧା ବାହାରକୁ ଟିକିଏ ହସିଲେ । ଶୋଇବାକୁ ସ୍ଥାନ ନାହିଁ । ସବୁବେଳେ ଲୋକ ହାଉଯାଉ । ହାଟପରି ପାଟିଗୋଳ-। ଭାତଥିଲେ ଡାଲି ନାହିଁ । ବିଛଣା ଚଦର ଦୁଇଦିନ ହେବ ଦେଖାନାହିଁ । ସେ ନେତାବାବୁ ମାଣ୍ଡିକୁ ଦୁଇଦିନ ହେବ ନେଇଛନ୍ତି । କହିଲେ ହସି ଦେଇ ଚାଲି ଯାଉଛନ୍ତି । ପକେଟ୍‍ରୁ ଟଙ୍କା କୋଡ଼ିଏ କିଏ ନେଇ ଗଲେଣି । ଏତେ ଲୋକରେ କାହାକୁ ଦୋଷ ଦେବ ।

 

ବହୁ କଷ୍ଟରେ ନିଶିକାନ୍ତ ଘର ଖଣ୍ଡିଏ ପାଇଲେ । ଛୋଟ ହେଲେ ମଧ୍ୟ ରୋଷେଇ ଘର ଅଛି । ଗାଧୋଇବା, ପାଇଖାନା ସ୍ଵତନ୍ତ୍ର ନଥିଲେ ମଧ୍ୟ ପରିବାର ଲୋକ ଖୁବ୍ କମ୍ । ବିଶେଷ ଅସୁବିଧା ନୁହେଁ । ମାଲିକାଣୀ ଖୁବ୍ ଭଦ୍ର । ସ୍ଵାମୀ ଶିକ୍ଷକ ଚାକିରି କରନ୍ତି । ଝିଅ ଦୁଇଟି ଉଚ୍ଚ ଶିକ୍ଷିତା । ବଡ଼ ଝିଅ ଚାକିରି କରେ । କଥା ଭାଷାରେ ମାର୍ଜିତ । ଲେଖାପଢ଼ାରେ ଜ୍ଞାନ ଥିବାପରି ଜଣା ପଡ଼ୁଛି । ସାନ ଝିଅ କଲେଜରେ ପଢ଼ୁଛି ରାଜନୀତି ବିଜ୍ଞାନ । ଆଇ.ଏ.ଏସ୍ ଦେଉଥିବା କଥା ଶୁଣି ସାନ ଝିଅଟି ଖୁସୀ ହୋଇଗଲେ । ନିଜେ ସେଥିପାଇଁ ପ୍ରସ୍ତୁତ ହେଉଛନ୍ତି । ଯଦି ଏକାଠି ପଢ଼ାପଢ଼ି କରନ୍ତି ତେବେ ଉତ୍ତମ ।

 

ବାବୁ କାର୍ଡ଼ ଅଛି । ନ ହେଲେ ଚିନି କିଲୋ ଆଠ ଟଙ୍କା । କିରୋସିନୀ ମିଳିବ ନାହିଁ । ଆପଣଙ୍କୁ କାର୍ଡ଼ କରିବାକୁ ପଡ଼ିବ । ନ ହେଲେ ଦୁଇଟଙ୍କା ଦିଅ, କିନ୍ତୁ ଏକ ଲିଟରେ ମିଳିବ । ବେଶୀ ଆମ ପାଖରେ ନାହିଁ । ପୁଣି କିଛିଦିନ ଗଲେ । ଚା’ ପକେଟ୍ ଧରି ନିଶିକାନ୍ତ ଭାବିଲେ କିରୋସିନୀ, ଚିନି ନିହାତି ଦରକାର—ନେବାକୁ ପଡ଼ିବ । ସକାଳୁ ଉଠି ବାହାରେ ଚା’ ଖାଇବା ମୁସ୍କୁଲି । ସେଥିରେ ଅଧ ମାଇଲେ ଚାଲିବାକୁ ପଡ଼ିବ । କାର୍ଡ଼ଗୁଡ଼ାକ ଦେଖି ନିଶିକାନ୍ତ ନିଶ୍ଵାସ ମାରି ଫେରିଲେ ।

 

ଦରମା ଆଜି ନାହିଁ । ଦଶ ତାରିଖ ପରେ ଆସିପାରେ । ଏ କମ୍ପାନୀରେ ଏତେ ଶୀଘ୍ର ଦରମା କାହାକୁ ମିଳେ ନାହିଁ । ନିଶିକାନ୍ତ ଉପରକୁ ଚାହିଁଲେ । ଘର ମାଲିକାଣୀ କାଲି ଟଙ୍କା ମାଗୁଥିଲେ । ସାନ ଝିଅର ଦରମା, ପରୀକ୍ଷା ଫିସ୍ ଦିଆଯିବ । ହୋଟେଲ୍ ମାଲିକ କହିଲାଣି ଦୁଇ ତାରିଖ ସୁଦ୍ଧା ଖାତା ଶୁଝିବାକୁ ପଡ଼ିବ । ପୁଣି ନୂଆ ଖାତା । ପକେଟ୍‍ ଅଣ୍ଡାଳିଲେ ନିଶିକାନ୍ତ । ବସ୍ ଖର୍ଚ୍ଚ ବାଦେ ପଚାଶେ ପଇସା ଅଧିକା ଅଛି । ଅଫିସ୍ କାର୍ଯ୍ୟ ନ’ଟାରୁ ସାଢ଼େ ଛଅଟା ପରେ ମୁଣ୍ଡଟା କେମିତି କେମିତି ବୁଲାଇଲା ପରି ଲାଗିଲା । ଚା’ ଦୋକାନରୁ ବାହାରି ନିଶିକାନ୍ତ ବସ୍ ଧରିଲେ ।

 

ସକାଳୁ ସକାଳୁ ପାଟିଶୁଣି ନିଶିକାନ୍ତ ମନେ ମନେ ରାଗି ଉଠିଲେ । ଷ୍ଟୋଭ ଲଗାଇ ଚିନି ଖୋଜିଲେ । କାଲି ଆଣିବାକୁ ମନେ ନାହିଁ । ପକେଟ୍, ଅଣ୍ଡାଳିଲେ, ଗୋଟିଏ ମାତ୍ର ଟଙ୍କା । ଅଫିସ୍ ଯିବା ଆସିବା ବସ୍ ଭଡ଼ା ଅଶୀ ପଇସା । ବାହାରକୁ ଚାହିଁଲେ ଦୁଧ ବୋତଲ ଥୁଆ ହୋଇଛି, ପାଖକୁ ଲାଗି ଆହୁରି ଦୁଇଟି । ଝିଅ ଦୁଇଟି ଦୁଇକପ୍ ଚା’ଧରି ପତ୍ରିକା ଓଲଟାଉଛନ୍ତି । ପାଖରେ ଧଳାକୁତୀ । ସାମନା ଘରେ ନୀଳ କାର୍‌ଟି ବେଲ୍ ଦେଲା । ଦରୱାନ୍ ଗେଟ୍ ଦୁଇଟି ଦୁଇପଟକୁ ଆଡ଼େଇ ଦେଉଛି । ସ୍ଵାମୀ-ସ୍ତ୍ରୀ ବାଲକୋନୀରେ ପାଖକୁପାଖ ବସି ଚା’ପିଉଥାନ୍ତି । ଚାକରଟି ପାଖରେ ଛିଡ଼ା ହୋଇଛି । ଆଖିଦେଇ ଲମ୍ବିଗଲା ଧାଡ଼ି ଧାଡ଼ି କୋଠା । ଅନେକ ରଙ୍ଗ ବିଭିନ୍ନ ଫୁଲରେ ଭରି ଯାଇଛି । ସକାଳର ରେଡ଼ିଓ ସଙ୍ଗୀତ । ଷ୍ଟୋଭ ଲିଭାଇ ନିଶିକାନ୍ତ କ୍ୟାଲେଣ୍ଡରକୁ ଚାହିଁଲେ । ଦରମା ଦଶ ତାରିଖ ପରେ ମିଳିବ ।

 

ସନ୍ଧ୍ୟାରେ ଗେଟ୍ ଛୁଇଁଲାପରେ ନିଶିକାନ୍ତଙ୍କ ଛାତି ପଡ଼ିବାକୁ ଲାଗିଲା । ପାଦ ଦୁଇଟି ବଳେ ବଳେ ଅଟକି ଗଲାପରି ମନେ ହେଲା । ଘର ଭିତରକୁ ଚାହିଁଲେ । ବୈଠକଖାନାରେ କେହି ପଢ଼ୁଥିବା ପରି ମନେହେଲା । ଗୃହଟି ଖୁବ୍ ନୀରବ । କେହି ନାହାନ୍ତି ବୋଧେ । ସନ୍ଧ୍ୟାବେଳେ ଭ୍ରମଣରେ ଯାଇଥିବେ । ହେଉ ଦୁଇ ଚାରିଦିନ ପରେ ଭଡ଼ା ଦେଇଦେଲେ ଯିବ । ଏତେ ଡରିଲେ କ’ଣ ହେବ । ପଇସା ତ କମିବ ନାହିଁ । ସେଥିରେ ପହିଲା ହେଲେ ତାଗିଦ୍ । ଛାଡ଼ି ପଳାଇ ଯାଉଛି କ’ଣ । ବାହାରୁ ଆସିଲେ କ’ଣ ଚୋରି କରିଛି । ଚାକିରି କରିଛି, ଦରମା ମିଳିନାହିଁ । ଦେବି ବା କେଉଁଠୁ । ଆଜି ନ ହେଲେ ଚାରିଦିନ ଡେରି ହୋଇ ଯାଇପାରେ । ମାସ କେଉଁ ସରି ଯାଉଛି ନା, ମୋ ଉପରେ ଅଧିକା କିଛି ଅଛି । ସମସ୍ତେ ଚାକିରିଆ । ଦରମା ନ ପାଇଲେ ଦେବୁ ବା କେଉଁଠୁ । ବ୍ୟବସାୟ କରିଛୁ ଯେ ଟଙ୍କା ବାନ୍ଧି କରି ରଖିଛୁ ।

 

ଚିଠି ଖଣ୍ଡେ ଦେଖି ନିଶିକାନ୍ତ ଖୁସୀ ହୋଇଗଲେ । ଘରୁ ଆସିଥିବ । ମା’ ନ ହେଲେ ଛୋଟ ଭଉଣୀ ଦେଇଥିବେ । ଦୁଇବର୍ଷ ହେଲା ଯାଇନାହିଁ । ଛୁଟିରେ ଯିବାକୁ କହିଲେ ସୁଦ୍ଧା ଯାଇପାରି ନାହିଁ । ଭଲ ପେଣ୍ଟ ସାର୍ଟ ଖଣ୍ଡେ ନାହିଁ । ତାହାପରେ ମାସେ ଦୁଇମାସ ଚାକିରିରେ ଛୁଟି କିପରି ମିଳିବ । ଯାଉ କିଛିଦିନ । ଦେଖିବା ଦରମାରୁ କିଛି ମିଳିଲେ ଯାଇ ଯେଉଁକଥା । ଏତେ ଦିନରେ ଯିବାକୁ ହେଲେ ଖାଲି ହାତରେ ଯିବା ଭଲ ନୁହେଁ । ଅତି କମରେ ହଜାର ଟଙ୍କା ଦରକାର-। ଚମକି ପଡ଼ିଲେ ନିଶିକାନ୍ତ । ଆସିବ କେଉଁଠୁ ! ଦେବ ବା କିଏ । ଘରଭଡ଼ା ଖାଇବାକୁ ତ ଅଣ୍ଟୁନାହିଁ । ଦଶ ତାରିଖ ପରେ ଦରମା ମିଳିବ । ଘରଭଡ଼ା ଅଛି । ହୋଟେଲରେ ଦେବାକୁ ପଡ଼ିବ-

 

ଚିଠିଟି ପଡ଼ି ନିଶିକାନ୍ତ କୁରୁଳି ଉଠିଲେ । ଝିଅଟି ସୁନ୍ଦରୀ, ଶିକ୍ଷିତା । ଧନୀଘର ସନ୍ତାନ । ବାପା ଜଣେ ଉଚ୍ଚକୋଟୀର ଚାକିରିଆ । ଯୌତୁକ ଅନେକ । କାର୍ ଦେବେ । ବିବାହ ସରିଲେ ତୁମେ ଝିଅକୁ ପାଖକୁ ନେଇଯିବ । ସେ ସେଠାରେ ରହି ପଢ଼ିବ । ସାନ ଭଉଣୀ ଲେଖିଛି, ଗଲାବେଳେ ତା’ ପାଇଁ ଖଣ୍ଡେ ଶାଢ଼ୀ, ଭାଉଜଙ୍କ ପାଇଁ ଶାଲ୍, ନିଟୁ ପାଇଁ ନିଶ୍ଚୟ ପୋଷାକ, ବାପାଙ୍କ ପାଇଁ.... ।

 

ଆକାଶରୁ ପଡ଼ିବା ପରି ଲାଗିଲା । ତାଲା ବନ୍ଦ । ଚିଠିଖଣ୍ଡେ ଲେଖାଯାଇଛି । କାଲି ସକାଳୁ ଘର ଛାଡ଼ନ୍ତୁ । ନ ହେଲେ ଆଜି ଭଡ଼ା ସମ୍ପୂର୍ଣ୍ଣ କରନ୍ତୁ । ନିଶିକାନ୍ତ ଧୀରେ ଧୀରେ ଗେଟ୍ ଡେଇଁ ବାହାରି ଆସୁଥିଲେ । ପଛରୁ କୁକୁର ଭୁକି ଉଠିଲା ।

Image

 

କଇଦୀ-ଖାନା

 

ଉଚ୍ଛବା ଜେଲ୍‌ରୁ ବାହାରି ଚାରିଆଡ଼କୁ ଚାହିଁଲା । ଦେହ ମୁଣ୍ଡ, ଗୋଡ଼ ହାତ ବାରମ୍ବାର ନିରୀକ୍ଷଣ କଲା । ବଳା ପିନ୍ଧିଥିବା ହାତ ଦୁଇଟିକୁ ଘଡ଼ିଏ ଭଲ କରି ପରୀକ୍ଷା କରିନେଲା । ଛକ ଦାଗଟି ଗୋଲେଇ ହୋଇ ରହି ଯାଇଛି । ତେବେବି ବେଶୀ ନୁହେଁ । ସାର୍ଟ ଭିତରେ ଲୁଚି ଯାଉଛି । ବାହାରକୁ ଦେଖା ଯାଉନାହିଁ । ପାଞ୍ଚବର୍ଷ ତଳେ ପିନ୍ଧିକରି ଆସିଥିବା ସେହି କଳା ଜିନ୍ ପେଣ୍ଟ, ଛକ ପକା ସାର୍ଟ । ପୋଲିସ୍ ବାଲା ବଡ଼ କାଇଦାରେ ରଖିଥିଲେ ବୋଧେ । ସଫା ହେଲାପରି ଜଣା ପଡ଼ୁ ନ ଥାଏ । ଜେଲ୍‌କୁ ଆସିବା ବେଳେ ପୋଲିସ୍ କନେଷ୍ଟବଳ ଚାରୋଟି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଆଣିଥିଲେ । ପେଣ୍ଟ ପଛରେ ଠାଏ ଠାଏ ଆମ୍ପୁଡ଼ା ଦାଗ ରହି ଯାଇଛି । ଚଳିବ, କିଏ ଭଲ କରି ଦେଖୁଛି ନା ପଛ କଥାକୁ ଧରି ବସିଛି ।

 

ଉଚ୍ଛବା ଜଳଖିଆ ଦୋକାନରେ ପଶି ପେଟେ ଖାଇ ସାରିବା ପରେ ନିଶ୍ଵାସ ମାରିଲା । ଦୋକାନୀ ଦୁଇ ଚାରିଥର ଅନେଇଲାଣି । କ’ଣ କେଉଁଠି ଦେଖିଥିଲା ନା କ’ଣ । ଏ ଛୋଟିଆ ଦୋକାନୀ ସଙ୍ଗେ ପରିଚୟ ହେବାପରି ମନେ ହେଉନାହିଁ । ହୋଇପାରିଥାଏ କେତେବେଳେ କେଉଁଠି ଦେଖିଥିବ । କେଉଁ ବେଶରେ ଚୋରି କଲାବେଳେ ନା ଛବିକୁ ଖବର କାଗଜରେ ଦେଖିଛି-। ପୋଲିସ୍ ଗାଡ଼ିଟା ଏହି ବାଟ ଦେଇ ଯାଇଥିଲା ସେଦିନ । ପୋଲିସ୍‍ବାଲା ଏଠାରେ ଚା’ ଖାଇଥିଲେ । ତାକୁ ଗୋଟିଏ ଗ୍ଲାସ ପାଣି ଦେଇଥିଲେ । ସେତ ବହୁଦିନର କଥା । ଏକୁ ଦେଖିଲା ପରି ମନେ ହେଉନାହିଁ । ଉଚ୍ଛବା ପଇସା ଗଣିଲାବେଳେ ଗୋଡ଼କୁ ଚାହିଁଲା । ମୋଜାଟି ତଳକୁ ଖସି ଆସିଛି । କଳା ଛକଟି ପଦାକୁ ଦିଶୁଥାଏ । ତରବରରେ ପଇସା ଦେଇ ଦୋକାନରୁ ବାହାରି ଆସିଲା । ଦୋକାନୀ କ’ଣ କହୁଥିଲା ସେ ପଛରୁ ଶୁଣି ପାରିଲା ନାହିଁ ।

 

କଳରୁ ପାଣି ପିଇ ଉଚ୍ଛବା ରାସ୍ତାକୁ ଅନେଇଲା । ସ୍ତ୍ରୀ ଦୁଇ-ତିନିବର୍ଷର ଝିଅକୁ ଧରି ପାଣିପାଇଁ ଆସୁଛି । ଥିରି ଥିରି ପାଟିରେ ଛୁଆଟି ମା’କୁ କ’ଣ କହୁଥାଏ । ମା’ ଝିଅର ମୁଣ୍ଡବାଳକୁ ସାଉଁଳେଇ ଦେଇ ଚୁମାଟିଏ ଆଙ୍କିଦେଲା । ଝିଅ ଖୁସୀରେ ମା’କୁ ଜାବୋଡ଼ି ଧରିଥାଏ । ହାତରେ ଧରିଥିବା ଗୋଲାପ ଫୁଲକୁ ଦେଖି ଝିଅ ପଛକୁ ଚାହିଁଲା । ଉଚ୍ଛବା ଦେବ କି ନାହିଁ ଭାବି ପାରିଲା ନାହିଁ । ପଛରୁ ଫୁଲ ଦେଖାଇଲା । ଛୁଆଟି ଟିକି ହାତକୁ ବଢ଼ାଇ ଥାଏ । ଏକ ଲୟରେ ଚାହିଁଥାଏ ତାକୁ । ଉଚ୍ଛବା ଦୁଇ ପାଦ ଆଗକୁ ଯାଇ ପାଦକୁ ଲକ୍ଷ୍ୟ କଲା । ଫୁଙ୍ଗୁଳା ମୋଜା ପାଦ ତଳକୁ ଖସି ଯାଇଛି । କଳା ଛକକୁ ଚାହିଁ ଉଚ୍ଛବା ରାସ୍ତା ଧରିଲା ।

 

ସପ୍ତାହେ କାମ କରିବା ପରେ ଉଚ୍ଛବା କୁଲି ସର୍ଦ୍ଦାରକୁ ପଇସା ମାଗିଲା । ବେଶୀ ନ ହେଲେ କିଛି ଦେବାକୁ କାକୁତି ମିନତି ହେଲା । ପିନ୍ଧିବା କଥା ଛାଡ଼ ଖାଇବାକୁ ଗୋଟିଏ ହେଲେ ପଇସା ନାହିଁ । କାଲିଠାରୁ ଉପାସ । ସେଥିରେ ଦିନଯାକ ମାଟିହଣା ପରିଶ୍ରମ । ଦରକାର ପଡ଼ିଲେ ବୋହିବାକୁ ପଡ଼ୁଛି ।

 

କୁଲି ସର୍ଦ୍ଦାର ଛପା କାଗଜକୁ ଦେଖାଇ କଡ଼ା ଗଳାରେ କହିଲା, କିରେ ଏଇଟା କ’ଣ ତୋ ଘର ହୋଇଛି ନା ଜେଲ୍‌ଖାନା । ସରକାରୀ ନିୟମ କାନୋନ୍ ତୋତେ ଜଣା ନାଇଁ ନା କ’ଣ । ତୁ ନୂଆ ଭୁଆ ଲୋକ । ଚୋର କି ବଦମାସ କିଏ ଜାଣେ । ପଛରେ ଆମକୁ ହଇରାଣ ହେବାକୁ ପଡ଼ିବ । ନିୟମ ଅଛି ନୂଆ ଲୋକର ହପ୍ତାଏ ପଇସା ଆମ ପାଖେ ରହିବ । ତାହାପରେ ନିତିଦିନ ଯେତିକି ଯେତିକି କରିବ ସବୁ ମିଳିଯିବ—କମିଶନ ବାଦେ । ସେ ହପ୍ତାକ ପଇସା କାମ ଛାଡ଼ିଲେ ମିଳିବ । ଦେଖୁନୁ ବର୍ତ୍ତମାନ କାନ ତରାଟିବାବୁ ଆସିଥିଲେ । କେତେ ଘୁଷା ହୋଉଥିଲେ ମୋ ଉପରେ । ଯେଉଁ ଶଳାକୁ ଟିକିଏ ବିଶ୍ଵାସ କରିବ ସେ ପଟି ମାରି ପଳାଉଛି । ସେଥିରେ ବଡ଼ବାବୁ ଆଗେ ଛଅକୁ ନଅ ଲଗାଇ କହୁଛି । ଆଉ ତୁ ସେହି ଭାଡ଼ିର ପାରା ହୋଇଥିବୁ । ଖାଇବାକୁ ମିଳିଲେ ତୋ ଗାଣ୍ଡି ଚେରାଇ ଯିବ । ବାର ଠା ମୁହଁ ମାରିବୁ । ଯା ଯା ଆଜି ନାହିଁ, କାଲିଠାରୁ ତୋତେ ନିତିଦିନ ପଇସା ମିଳିବ ।

 

ବରଗଛ ଛାଇଟା ଗଛମୂଳକୁ ଘେରି ରହିଥିଲା । ନିଛାଟିଆ ଗହୀରରୁ ଝାଞ୍ଜି ପବନ ବୋହି ଆସୁଛି । ଗାମୁଛାକୁ ଖରାରେ ଶୁଖାଇ ଉଚ୍ଛବା ଆଖି ବୁଜିଲା । ଉପାସିଆ ପେଟ ପଶି ଯାଉଥାଏ ଭିତରକୁ । ଭୋକିଲା ପେଟରେ ପାଣି ମୁଦାକ କଳ କଳ ହେଉଛି । ବୁଲାଇ ଆସୁଥିବା ମୁଣ୍ଡ ଛାଇରେ ଥକି ଯାଇ ଆଖି ଦୁଇଟି ମୁଦି ହୋଇ ଆସିଲା ।

 

ଦଶବର୍ଷ ଜେଲ୍ । ଅପରାଧ ଅନେକ । ଚୋରୀ କେବଳ ନୁହେଁ; ସେ ଖୁଣୀ । ମଣିଷ ନ ମାଇଲେ ମଧ୍ୟ ତା’ ନାଁରେ ଅନେକ ହତ୍ୟାକାଣ୍ଡ ଯୋଡ଼ା ଯାଇଛି । ଆଗରୁ ଜେଲ୍ ଖଟିଥିବାରୁ ଏଥରକ ସାମାନ୍ୟ କମିଗଲା । ଖୁଣୀ କେଶ୍‌ଟା ଚୋରୀରେ ବିଚାର ହୋଇଗଲା । ସେ ଲୋକ ମାରିଛି । ସେ କିପରି ପୋଲିସ୍‌କୁ କହିବ । କିଏ ତା’ କଥା ବିଚାର କରିବ । ଦୁଇ ଆଖିରେ କିଏ କ’ଣ ଦେଖିଛି ନା ଦୁଇ କାନରେ ଶୁଣିଛି । ମହାଜନ ବଡ଼ପୁଅ ମୋତେ ବାଡ଼େଇବାକୁ ଯାଇ ସାନ ଭାଇ ମୁଣ୍ଡରେ ଠେଙ୍ଗା ବସିଲା । ଡାକ୍ତରଖାନାରେ ସେ ମଲା । ସେଥିପାଇଁ ସେ କାହିଁକି ଦୋଷୀ ହେବ । ସେ ଟଙ୍କା ପାଞ୍ଚଶହ, ଲୁଗା, ଅଳଙ୍କାର ଆଣିଥିଲା । ଥାନା ବାବୁ ସବୁ ନେଲେ । ମହାଜନ ପୁଅ ଲୁଗା ଅଳଙ୍କାର ଫେରି ପାଇଥିଲା । ହେଲେ ଦଶବର୍ଷ ଜେଲ୍ ସେ ଭୋଗିଲା ।

 

ଜମିଦାର ବାବୁଙ୍କ ଛେଳି ଦୁଇଟା କିଏ ମାରି ଖାଇଲା । ସେ ପଡ଼ିଥିବା ଛାଲ ଦୁଇଟା ବଜାରରେ ବିକିଥିଲା । ଧରା ପଡ଼ିଲା । ମାଡ଼କୁ ମାଡ଼ ଖାଇଲା । ଜୋରିମାନା ଦେଲା । ମାଇପିଟା ଗାଁ ମଝିରେ ବେଜିତି ହେଲା । କୋଳର ପିଲା ଗୋଇଠା ମାଡ଼ ଖାଇଲା । ଆଉ ଶେଷରେ ସେ ଜେଲ୍‌ ଯାଇଥିଲା । ସରପଞ୍ଚ ବାବୁ, ୱାର୍ଡ ମେମ୍ବର ସେଥିରେ ସାକ୍ଷୀ । ଜଜ୍ ସାହେବ କଲମରେ ଦୁଇଧାଡ଼ି ଲେଖି ଦେଇଥିଲେ । ଦୁଇବର୍ଷ କାଳ ସେ କତା ବାଡ଼େଇ ବାଡ଼େଇ ହାତ ବିଣ୍ଡି ପଡ଼ି ଯାଇଛି ।

 

ଆଉ ସୁରମା ବୁଡ଼ି ମରିବା କଥା କିଏ ନ ଜାଣେ । ଥାନା ବାବୁ ବିନା ଦୋଷରେ ଚାରି ରାତିକାଳ ଥାନାରେ ରଖିଲେ । କାହାରିକୁ ଦେଖିବାକୁ ଛାଡ଼ିଲେ ନାହିଁ । ଚେୟାରମ୍ୟାନ ବାବୁ, ଏମ୍.ଏଲ୍.ଏ. ବାବୁ ମାସେ କାଳ ଆଣି ବଙ୍ଗଳାରେ ରଖିଥିଲେ । ଦୁଇ ଆଖିରେ ନ ଦେଖିଲେ ଦୁଇ କାନରେ ସମସ୍ତେ ଶୁଣିଛନ୍ତି । ମଲା ବେଳେ ତା’ କଣ୍ଠିହାରଟା ସେ ପାଇଥିଲା । ସେ ମଡ଼ର୍ କେସରେ ଧରାଗଲା । ସୁରମା ଗର୍ଭଦୋଷ ତା ମୁଣ୍ଡରେ ଗଲା । ଜେଲ୍ ଖାଲି ନୁହେଁ ଦିନ ରାତି ଘଣାପେଲା । ବେତ ମାଡ଼ରେ ତା ପିଠି ଦାଗ ବସି ଯାଇଛି ।

 

କିଆ କନ୍ଦା ଦୁଇଟି ଚୋବାଉ ଚୋବାଉ କଣ୍ଟାଟେ ଜିଭରେ ଗଳିଗଲା । ଉଚ୍ଛବା ଭିଡ଼ି ଆଣିଲା ଦୁଇ ନଖରେ । ରକତକୁ ହାତରେ ପୋଛି ପାଣି ଆଞ୍ଜୁଳାଏ ପିଇଲା । କାମ କଲେ ଖାଇବାକୁ ମିଳିବ ବୋଲି ଜେଲର ବାବୁ କହୁଥିଲେ । ଜେଲରେ ଥିବାବେଳେ ପେଟ ଉପାସ ରହିନାହିଁ । ଉଷଧ, ଡାକ୍ତର ଟିକିଏ ଦେହ କ’ଣ ହେଲେ କେତେ ବ୍ୟବସ୍ଥା । ଶୋଇବା ପିନ୍ଧିବାରେ ଅଭାବ ନାହିଁ । ପୋଲିସ୍‌ବାବୁ ଖୁସୀ ହେଲେ କାମ ନ କଲେ ଚଳିବ । ବାବୁଘରେ କାମ କରିଦେଲେ ବିଡ଼ି, ଗୁଡ଼ାଖୁ ମିଳି ଯାଉଥିଲା । ଅଧିକା କାମ କଲେ ପଇସା ମିଳେ । ମେଳା ମଉଛବ ଅଛି । ମାଛ, ମାଂସ ହପ୍ତାକୁ ହପ୍ତା ଖଞ୍ଜା ଯାଇଥିଲା । କେଉଁଥିରେ ଅଭାବ ନାହିଁ । ଭାବିବାକୁ ନ ଥିଲା । ଦେହ ଭଲଥିଲେ ସବୁ ମିଳି ଯାଉଥିଲା । କେଉଁଦିନ ଉପାସ ପଡ଼ିନାହିଁ କାମକରି । ଚୋରି କିଏ ନ କରୁଛି । ବଡ଼ ସାହେବଠାରୁ ଦାରୋଗା ଯାଏ । ଯିଏ ଯେଉଁଠୁ ପାଇଲେ ମାରି ପିଟି ବୋହି ନେଉଛନ୍ତି ।

 

ସୁମା ବଡ଼ ହୋଇଯିବଣି । ଦୁଇ ବରଷର ହୋଇଥିଲା । ଦଶବର୍ଷ ହେବ ଦେଖା ଚାହାଁ ନାହିଁ । ଖାଲି ହାତରେ ଯାଇ କେଉଁ ବହପରେ ମୁହଁ ଦେଖାଇବ । ମା’ ମୂଲ ପାଇଟିରେ ଚଳି ଯାଉଥିବ । ସେ ଗଲେ ସେହି ହଇରାଣ—ବାର ହିନସ୍ତା । ଭୁଲି ଯାଇଥିବା ସାଇ ପଡ଼ିଶା ଛାଇ ମାଡ଼ିଲେ ବାର କଥା କହିବେ । କାମଥିଲେ ମନା କରିଦେବେ । ଘରେ ଥିଲେ କାହିଁ କେତେ ଅବିଶ୍ଵାସ । ଗଲା ଅଇଲା ଲୋକ ଘଡ଼ିଏ ବଖାଣିବେ । ଭଲ ହେଇଛି ସମସ୍ତେ ତାକୁ ଭୁଲି ଯାଇଛନ୍ତି-। ଟଙ୍କା ହେଲେ ଯାଇ ରାତି ଅଧରେ ଝିଅଟାକୁ ଦେଖି କିଛି ଦେଇ ଆସିବ । ମାଇପିଟା ଘରେ ପଶୁ ପଶୁ କାମରେ କଣ୍ଟାମାଳ ହୋଇଗଲା । ତଥାପି ଦିନେ ପାଟି ଫିଟାଇ ବି ନାହିଁ । ମରଦ ହୋଇ ସେ ତାର କିଛି କରି ପାରିଲା ନାହିଁ । ବରଂ ଲୋକହସା ସେ ସାଇ ପଡ଼ିଶାରେ ହେଲା । ମାଡ଼ ଖାଇଲା ତା’ ପାଇଁ । ଯିଏ ନାହିଁ ସିଏ ତୁଚ୍ଛାଟାରେ ଉଲୁଗୁଣା ଦେଲା । ଆଉ ଜୀବଦଶା ଥିବା ଯାକେ ସେ ଏ ବିଦ୍ୟା କରିବ ନାହିଁ । ମାଟି ବୋହିବ । କୁଲି ହେବ । ମେହନତ କରିବ ଟଙ୍କା ଚାରିଟା ପାଇଁ । ହେଲେ ସେ ଜେଲ୍ ଦୁଆର ମୁହଁ ଆଉ ଦେଖିବନି । ଜାତିପତିର କିଛି ବାଛ ବିଚାର ନାହିଁ । ପାଣଠୁ ପଠାଣ ଯାକେ ସବୁ ସେହିଠାରେ । ଆଜି ନାହିଁ କାଲି ସୁମା ବାହା ହେବ । ପୁଣି ସେହି ଛି ଛାକରା କରିବେ । ଟଙ୍କା କମାଇଲେ ସେ ସୁମା ପାଇଁ ଅଳଙ୍କାର କରିବ । ଭଲ ବରହ୍ମପୁରୀ ଶାଢ଼ୀ ଦେବ । ଭଲରେ ଭଲରେ ସାଇ ଭାଇଙ୍କୁ ଖାଇବାକୁ ଦେବ । ବ୍ରାହ୍ମଣ ଗୋସାଇଁ ଡାକି ମୁକତ ହେବ । ପୁରୀ ଯାଇ ମହାପ୍ରଭୁଙ୍କ ପାଖେ ଦୋଷ ମାନିବ । ଭୋଗ ରାଗ କରିବ । କାମ କଲେ କେଉଁ ପେଟ ପାଟଣା ଉପାସ ରହିବ ।

 

କୁଲି ସର୍ଦ୍ଦାର ଘରୁ ଚୋରି କଥା ଶୁଣି ଉଚ୍ଛବା ଛାତି ଥରି ଉଠିଲା । ଭୁଆସୁଣୀ ଝିଅର ମୁହଁ ବାନ୍ଧି ବେକରୁ କିଏ ସୁନାହାର ନେଇ ଯାଇଛି । କଥାଟା ସକାଳ ହେବାକ୍ଷଣି ସାରା ମଜୁରିଆ ବସ୍ତିରେ ଖେଳିଗଲା । କାମିକାମାନେ ସର୍ଦ୍ଦାର ଘରକୁ ଧାଡ଼ି ଲାଗିଲେ । କେତେ ଟୁପ୍ ଟାପ କଥାବାର୍ତ୍ତା । କେହି କିଛି କାହାକୁ ଭରସି କରି କହିପାରୁ ନଥିଲେ । ଲୋକମାନଙ୍କ ଅବିଶ୍ଵାସ ଆଖି ଚାରିପଟେ ଘୂରି ବୁଲିଲା ।

 

ଟୋକେଇ କୋଦାଳ ଖସିପଡ଼ିଲା । ଉଚ୍ଛବାର ଛାତିଟା ଧଡ଼ ଧଡ଼ ହୋଇ ପଡ଼ିବାକୁ ଲାଗିଲା । ଗୋଡ଼ ଯୋଡ଼ିକ ଅଟକିଗଲା ସେହି ଘାସ ପଡ଼ିଆରେ । ଆଖି ଯୋଡ଼ିକ ସ୍ଥିର ହୋଇ ରହିଲା ଥାନା ବାବୁଙ୍କ ମାଟିଆ ଟୋପିକୁ ଦେଖି । ଦଶ ବର୍ଷ ତଳେ ଦେଖିଥିବା ବାବୁ କିପରି ତାକୁ ଚିହ୍ନିପାରିଲେ । ସେ ଗୋରାବାବୁ ଜଣକ ଚାଲିଯାଇ ତା ଆଗରେ ଶକତିଆ ମୋଡ଼ାନିଶ ବାବୁ ଜଣକ ଆଗେଇ ଆସୁଥିଲେ । ଲୁହା ଜଞ୍ଜରୀଟି ହାତରେ ବେଢ଼ି ଯାଇଥିଲା କେତେବେଳୁ । ଜିପ୍‌ଟା ଧୂଳି ଉଡ଼ାଇ ଆଗକୁ ଚାଲିଲା ।

Image

 

ଗୋଟିଏ ରାତି

 

ଘର ଖୋଜିବା ଏକ ଅଭ୍ୟାସରେ ପଡ଼ିଯାଇଥିଲା । ଦଲାଲକୁ ଟଙ୍କା ଦେଇ ନୁହେଁ, ସାଙ୍ଗମାନଙ୍କୁ ଦୁଃଖ ଜଣାଇ । ଉଚ୍ଚ ମହଲରେ ଦିନେ ଅଧେ ଦେଖା ଶିଖା ବନ୍ଧୁମାନଙ୍କୁ କାକୁତି ମିନତି ହୋଇ । ନଜରରେ ଥାଇପାରେ । ନିଜ ଦେଖାରେ ନ ଥିଲେ, କେହି କହୁଥିବେ, ଭବିଷ୍ୟତ ପାଇଁ ଶସ୍ତାରେ ଆଖି ବୁଲାଇଥିବେ । ସଂସାର ଥିବା ଯାକେ ଲୋଭ ଅଛି । ଆଜି ନାହିଁ ଦିନେ ନା ଦିନେ ଅସୁବିଧା ଆସିପାରେ । ସେତେବେଳକୁ ସଜାଗ ହେବା ଦରକାର । ଠାଏ ନାହିଁ ତିନିଠା ଦେଖିଥିବା ଭଲ । ପିଲା କବିଲା ଘର ସଂସାର, କାଳେ କେଉଁ କଥା ହୋଇପାରେ । ଘର ମାଲିକ ସଙ୍ଗେ ଭଲ ମନ୍ଦରେ କିଛି କହିପାରେ । ନିର୍ଦ୍ଦିଷ୍ଟ ଦିନରେ ଛାଡ଼ିବାକୁ ଆଦେଶ ଦେଇପାରେ । କ’ଣ କରିବେ ନିଅଣ୍ଟିଆ ବଜେଟ୍ ନେଇ । ତେଣୁ ହାତେ ମାପି ଚାଖଣ୍ଡେ ନ ଚାଲିଲେ ତେଲ ଲୁଣ ସଂସାର ସହଜ ନୁହେଁ । ସାଇ ପଡ଼ିଶା ହସିବେ । ପିଲାମାନେ ବାର ନରଖର ହେବେ । ଗୁଣ ମଣିଙ୍କ କଥା ଛାଡ଼ନ୍ତୁ, ଯାଉଁ ଆସୁ, ଶୋଇଲେ ବସିଲେ ସେହି ଅଧା ରାମାୟଣର ଆବୃତ୍ତି ।

 

ପାଣି ପିଇସାରି ମୁକୁନ୍ଦ ବାବୁ ନିଶ୍ଵାସ ମାରିଲେ । ଦେହରୁ ବୋହିପଡ଼ୁଥିବା ଝାଳ ପୋଛିଲେ । ଛିଣ୍ଡା ଗଞ୍ଜିରୁ ଭିଜି ଯାଇଥିବା ସାର୍ଟକୁ ଟେରାଇ ଚାହିଁଲେ । ପଇସା ଅଭାବରୁ ଟେରିକଟ୍ ଜମା ଖଣ୍ଡିକ ଛିଡ଼ିଯିବ । କରିବା ମୁଷ୍କଲି ଏ ଯୁଗରେ । ହାଉ ହାଉ ସବୁ ଦର ବଢ଼ି ଚାଲିଥିବାବେଳେ ଗଞ୍ଜିପାଇଁ ଭାବିଥିଲେ ମଧ୍ୟ ଦୁଇମାସ ଅଳସୁଆମୀରେ ଗଡ଼ିଯାଇଛି । ହଁ, କେତେ ଅବା ପଇସା । ଦେଖିବା ବାହାର ରାସ୍ତାରେ କେଉଁଠୁ ମିଳିଗଲେ କରିଦେବା । ଦୁଇଥର ଟଙ୍କା ନେଇ ଯାଇଥିଲେ ମଧ୍ୟ କରିପାରି ନାହାନ୍ତି । ହଁ, ଆଜି କାଲି ଯେତେବେଳେ ହେଲେ ହୋଇପାରିବ-। କେଉଁ ବଡ଼ କଥା ନା—ଶହେ ଦୁଇଶହ ପଡ଼ୁଛି ଖୋଜିବାକୁ ପଡ଼ିବ । କାଲି ଚାହିଁଲେ ପରଦିନ ହେବ । ଚଳିଯାଉଛି । କିଏ ଦେଖୁଛି ନା, ଜାଣିପାରିବ ଭିତରେ କ’ଣ ଅଛି କି ନାହିଁ । ମଇଳା ଅଛି କି ସଫା ସୁତରା ଅଛି । କେଉଁ ନିହାତି ଦରକାର ବସ୍ତୁ । ନହେଲେ ନ ଚଳେ । କୁରୁତାର ରକ୍ଷାକାରୀ କବଚ । ଯୁଦ୍ଧ ହେଉଛି ଯେ ତୀରଗୁଡ଼ାକ ଏପଟ ସେପଟ ପଶିଯାଉଛି । ଦେଖିବା, ରହିବା, ଖାଇବା ତ ବଡ଼ କଥା । ଏ ପର୍ଯ୍ୟନ୍ତ ଠିକ୍ ହୋଇପାରିଲା ନାହିଁ । ଘରବାଲୀ ଦୁଇଥର କହିଲାଣି । ପହିଲାକୁ କଣ୍ଟ ଦେଇଛି । ମଝିରେ ମଝିରେ ଅଜ୍ଞାତରେ ଶୁଣାଇ ସାରିଲାଣି । ଦୁଇମାସର ବାକି ପଡ଼ିଥିବା ଟଙ୍କା ଦେବାକୁ ପଡ଼ିବ । ସାବିତ୍ରୀର ବାହାରକୁ ଯିବାକୁ ଭଲ ଶାଢ଼ି ଖଣ୍ଡିଏ ନାହିଁ । ଏ ମାସ ସେ ମାସ ହୋଇ ଭୁଲାଉଛି । ପିଲାମାନଙ୍କର ସ୍କୁଲ ଖର୍ଚ୍ଚକୁ, ବହିପତ୍ର, ନାମଲେଖା ଶେଷରେ ଟିଉସନ୍ ନ ହେଲେ ନ ଚଳେ । ଘୋଡ଼ା ଦୌଡ଼ ପରି ଖର୍ଚ୍ଚ । କାହାରିକୁ କିସ୍ତିରେ ଦେଲେ ହେବନାହିଁ । ଏକାବେଳକେ । ଗୋଟିଏ ପଇସା ଊଣା ହେଲେ ଚଳିବ ନାହିଁ । ପ୍ରାଦେଶିକ ସରକାରଙ୍କ ଦରମା ଗଣ୍ଡାକ ମିଳିବାକୁ କାହିଁ କେତେ ଦୌଡ଼, ଅଣ୍ଟା ଗୁଞ୍ଜା, ଖୋସାମତ–ସେଥିରେ ଏ ମାସର ଦରମା ସେ ମାସରେ । ବିଲ୍ ଆସିନାହିଁ । ବାବୁ ନାହାନ୍ତି । କାଲି ବ୍ୟାଙ୍କ୍‌ ବନ୍ଦ–ପରଦିନ ଆନ୍ଦୋଳନ–କାହିଁରେ କେତେ କ’ଣ ।

 

ମୁକୁନ୍ଦ ବାବୁ ଉପରକୁ ଚାହିଁଲେ । କଳାହାଣ୍ଡିଆ ମେଘ ମାଡ଼ି ଆସୁଛି । ଉତ୍ତରା ପବନ ହେଲାଣି । ମେଘ ସୁନିଶ୍ଚିତ । ବର୍ଷା ଦିନିଆ ମେଘ ଗାଳୁଥିବ ଓଳିଆରୁ ଗାଳିଲା ପରି । ଛାଡ଼ିବାକୁ ଦୁଇଘଣ୍ଟା—ନ ହେଲେ ଲାଗିଥିବ ଝୁପୁ ଝୁପୁ ହୋଇ କିଏ ଜାଣେ । ଅଫିସ୍ ପୋଷାକ ବୋଲି ହଳେ ଦୁଇହଳ । ଆର କୁରୁତାରେ ବୋତାମ ନାହିଁ । ମାସେ ହେବ ସଫା ହୋଇନାହିଁ । ବର୍ଷାଦିନ ଶୁଖିବାକୁ ଦୁଇଦିନ । ସଫା କରିବାକୁ ହେଲେ ନିଜେ । ସାବିତ୍ରୀର ରୋଷେଇ ବାସ ପିଲାମାନଙ୍କ ହଟଗୋଳରେ ଦିନ ଯାଉଛି । ବଜାର ସଉଦାଠାରୁ ଘର ବୁଝିବା ପର୍ଯ୍ୟନ୍ତ ସମସ୍ତ କାମ କରିବାକୁ ପଡ଼ୁଛି । ଦିନେ ଓଳିଏ କେମିତି କମିଗଲେ ଠୁକ ବନ୍ଦ । ଘରେ ପଶିବା କାଠିକର ପାଠ । ଗୋଟିଏ ସମସ୍ୟା ଦୂରୀକରଣ କରିବାକୁ ଯାଇ ପାଞ୍ଚଟି ମାଡ଼ିଆସୁଛି । ଆଚ୍ଛା ଏ ସମସ୍ୟା ଯୁଗ । କି ସରକାର ହେଲା—ମଣିଷକୁ ସମସ୍ୟାର ମୂଳ ଉତ୍ପାଟନ କରିହେଲା ନାହିଁ ।

 

ମୁକୁନ୍ଦ ବାବୁ ଘଣ୍ଟାକୁ ଚାହିଁଲେ । ଗୋଟି ଗୋଟି ହୋଇ ବସ୍ ଚାଲି ଯାଉଛି ଆଖି ଆଗରୁ । କେଉଁଥିରେ ପାନ ବୋଝପରି ଯାତ୍ରୀତ, କାହିଁରେ ପଶିବାକୁ ଠେଲା ପେଲା ଲାଗିଛି । ଆଗକୁ ପଛକୁ ଚାହିଁଲେ । ଯେତେ ଯାଉଛନ୍ତି ପୁଣି ସେତିକି । ବସି ବସି ଦୁଇଘଣ୍ଟା ହେଲାଣି । କେଉଁଥିରେ ପଶିବାକୁ ଟିକିଏ ସହଜରେ ସ୍ଥାନ ନାହିଁ । ବସିବା ଦୂରେ ଥାଉ, କର ଆଡ଼େଇ ହେବାକୁ ରାସ୍ତା ନାହିଁ । ମନେ ମନେ ରାଗି ଉଠିଲେ ବସ୍ ଉପରେ । ଭୋଟ ଦେଇଥିବା ସରକାରଙ୍କ ନୀତି ନିୟମକୁ ବାରମ୍ବାର ପଢ଼ିଲେ । ସବୁ ଲେଖାଯାଇଛି ବାଇବେଲ ଛପା ପରି । ହେଲେ କାମ ବେଳକୁ ସବୁ ଓଲଟା । ଭୋଟବେଳେ କେତେ କାକୁତି ମିନତି । ସତେ ଯେପରି ସାଇ ପଡ଼ିଶା ଭାଇ । ଭାଷଣ ଦେବାବେଳକୁ ପାଟିରେ ବାଟୁଳି ବାଜୁନାହିଁ । ପାଣିପରି ବୋହି ଚାଲିଛି । ଟିକିଏ ଯିବା ଆସିବାରେ ସୁବିଧା ନାହିଁ । କେଉଁ ମାଗଣା କିଏ ଯାଉଛି । ସବୁ ଶଳା ଚୋର, ବଦମାସ୍, ଜୁଆଚୋର । ନିଜର ପେଟ ପୂରିଲେ ଗଲା । ପଚାରେ କିଏ ଏ ହିନସ୍ତା ଛୋଟ ଲୋକଙ୍କୁ । ଦେଖିଲେ ନ ଜାଣିଲାପରି ଆଡ଼େଇ ହୋଇଯିବେ । ନ ଜାଣିଲା ପରି ଏପଟ ସେପଟ ଚାହିଁବେ । ହେଉ ବାବା, ଏକା ମାଘକେ ଶୀତ ଯାଉଛି ନା, ତୁମ ସରକାର ରହୁଛି । ଆଜି ନ ହେଲେ ପୁଣି ପାଞ୍ଚବର୍ଷ ପରେ ।

 

ସିଗାରେଟ୍‍ଟିଏ ଲଗାଇ ମୁକୁନ୍ଦ ବାବୁ ଦୁଇଦମ୍ ଟାଣି ନେଲେ । ଆଗରେ ପଛରେ ଧାଡ଼ି ଧାଡ଼ି ସୁନ୍ଦର କୋଠା । ଦର୍ପଣପରି ମୁହଁ ଦେଖାଯାଉଛି । ଧଳା, କଳା ମାର୍ବଲରେ ହସି ଉଠୁଛି । ସୁନ୍ଦର ସୁନ୍ଦର ସଜାଇ ହୋଇ ରହିଥିବା ଫୁଲ ଗଛ । ତଳକୁ ଲମ୍ବି ଯାଇଥିବା ଦେବଦାରୁ, ଆଉ କେତେ ବିଦେଶୀ ଫୁଲ, ପତ୍ର ଗଛ । ପରିଷ୍କାର କାଚ ଦରଜା । ଦାମିକା ପରଦା, ବିଭିନ୍ନ ରଙ୍ଗଫୁଟି ଦିଶୁଥାଏ ବାହାରକୁ ।

 

କାର୍‍, ସ୍କୁଟର ଗୋଟେ ଗୋଟେ ପଶି ବାହାରି ଯାଉଥାଏ । ଦରୱାନ ଗେଟ୍ ଖୋଲୁଅଛି-। ଧଳାକୁତୀ ଆଗ ପଛ ହୋଇ ଦୌଡ଼ୁଥାଏ । ବଡ଼ ସଫା ସୁତୁରା ପୁଅ ଝିଅମାନେ ଏପଟ ସେପଟ ହୋଇ ଖେଳୁଥାନ୍ତି । ଆଗ ବାଲକୋନୀରେ ଚାକର ହସ୍ତରେ ଦାମିକା ଚା’କପ୍, ଦୁଇଟି ପ୍ଲେଟରେ ଖାଇବା ଜିନିଷ । ଦେହରେ ଧଳା ଖାକି ପୋଷାକ, ମୁଣ୍ଡରେ ଟୋପି । ସେପଟ କୋଠାର ସୁନ୍ଦରୀ ମହିଳା ଜଣକ ନୂଆ ଗାଡ଼ି ନେଇ ପଶିଯାଉଛନ୍ତି । ଚାକରଟି ହାତ ଉଠାଇ ଗେଟ୍ ଖୋଲିଦେଲା । ପୁଅ ଝିଅମାନେ ଖୁବ୍ ପାଖାପାଖି ହୋଇ କଥାବାର୍ତ୍ତା ହେଉଥାନ୍ତି । ମୁଣ୍ଡ ଦେହରେ ଦାମିକା ସେଣ୍ଟ । ଆଖି ଝଲସିଆ ପୋଷାକ । ବଡ଼ ଘରର ପରି ଜଣାପଡ଼ୁଥାନ୍ତି, କଥାବାର୍ତ୍ତାରୁ । ପଦ ପଦକେ ଇଂରେଜୀ । ଟଣା ଓଟରା—ଗେଲ ଟାପରା । ଗୋରା ଝିଅଟି ଛୋଟ ସାଇକେଲରେ ଏମୁଣ୍ଡ ସେମୁଣ୍ଡ ଘୂରି ଆସୁଛି । ପୁଅ ଜଣକ ପେଣ୍ଡୁଟିଏ ଧରି ଖେଳୁଥାଏ । ପାଖରେ ଚାକରାଣୀ ସେପଟ ଘର ଟେରୀକଟା ଲୋକ ସଙ୍ଗେ କଥାବାର୍ତ୍ତା ହେଉଛି । ସିଗାରେଟ୍ ଫୋପାଡ଼ି ଦେଉ ଦେଉ ମୁକୁନ୍ଦ ବାବୁ ଚିଡ଼ି ଉଠିଲେ ଦୋକାନୀ ଉପରକୁ । ସିଗାରେଟରେ ବି ଭେଜାଲ । ଶେଷ ଆଡ଼କୁ ଟାଣି ହେଉନାହିଁ । ଗୋଡ଼ିପରି ହେଉଛି । କେଉଁ କାଳର ହେବ । କି ପୁରୁଣା ମାଲ ରିହାତିରେ ପାଇଛି । ଧୂଆଁଗୁଡ଼ାକ ଟାଣିଲାବେଳକୁ ବଡ଼ ପିତା ଲାଗୁଛି । ଦଶରୁ ବଢ଼ି ବଢ଼ି ପନ୍ଦର ହେଲାଣି, ସେଥିରେ ବାଛିବାକୁ ପଡ଼ିବ । ହେବ ନାହିଁ, କାହାରି ଉପରେ ବିଶ୍ଵାସ କଲେ ଚଳି ହେବନାହିଁ । ସମସ୍ତେ ଏକା ଭାଡ଼ିର ପାରା ।

 

ମୁକୁନ୍ଦବାବୁ ପାର୍କ ସିମେଣ୍ଟ ବେଞ୍ଚ ଉପରେ ବସି ଆଖି ବୁଲାଇ ଆଣିଲେ ଚାରିଆଡ଼େ । ମନ୍ଦ ନୁହେଁ । ବସି ହେବ ନିଶ୍ଚିନ୍ତରେ । ଦରକାର ପଡ଼ିଲେ ଶୋଇ ପଡ଼ିଲେ ଚଳିବ । ଏକ ମଛା ଘାସ ଚାରିଦିଗକୁ ଘେରି ଯାଇଛି । ବିଦେଶୀ ଗୋଲାପ ବିଭିନ୍ନ ରଙ୍ଗରେ ଧାଡ଼ି ହୋଇ ଫୁଟିଛି । ଚଲା ସରୁ ରାସ୍ତାଗୁଡ଼ିକ ବଡ଼ ପରିଷ୍କାର । ଚାରିକଡ଼ରେ ଇଉକାଲିପଟାସ, ଦେବଦାରୁ, ସରୁ ସରୁ ଝାଉଁଗଛ । ମନ ଲୋଭାଇ ଆସୁଥାଏ । ବେଶୀ ସେପରି ଲୋକବାକ ଗହଳ ଚହଳ ନାହିଁ । ବୁଢ଼ା ବୁଢ଼ୀ ଦୁଇ ଚାରି ପଞ୍ଝା; ବେଶୀ ହେଲେ ପୁଅଝିଅ ଦଶ ବାରଜଣ ଖେଳୁଥାନ୍ତି । ଥଣ୍ଡା ପବନରେ ମୁକୁନ୍ଦ ବାବୁ ଶୋଇବାକୁ ଚେଷ୍ଟା କଲେ । ପକେଟ୍‍ରୁ ରୁମାଲ୍ କାଢ଼ି ଧଳା ମଖମଲ ଚଟାଣ ଝାଡ଼ିଦେଲେ । ତଳି ଗୋଇଠିରୁ ସରି ଯାଇଥିବା ଯୋତାକୁ କିଛିକ୍ଷଣ ଚାହିଁ ଭାବିଲେ ତାହା ଖୋଲିବେ କି ନାହିଁ । ମନରେ ଭୟ ଥାଏ କାଳେ ଯଦି ତାକୁ କିଏ ନେଇଯାଏ—ତେବେ ଏ ଦଶାରୁ ସେ ଦଶା ବଳିପଡ଼ିବ । ଆକାଶରେ ଗୋଟି ଗୋଟି ତାରା ଉଇଁ ଆସୁଥାନ୍ତି । ବାହାର ଆଲୁଅରେ ପାର୍କଟି ଅଧା ଆଲୁଅ ଅଧା ଅନ୍ଧାର ଦେଖା ଯାଉଥାଏ । ଜହ୍ନ ଉଇଁବାକୁ ଡେରି ଅଛି ।

 

ମୁଣ୍ଡ ନୁଆଁଣିଆ ଦୋକାନ ଭିତରକୁ ପଶି ମୁକୁନ୍ଦ ବାବୁ କଣ ଘଡ଼ିଏ ଖୋଜିଲେ । ଆଉ ଥରେ ପକେଟରେ ହାତ ମାରିଲେ । ମନରେ ନିଶ୍ଚିନ୍ତ ହୋଇ ପିଲାଟାକୁ ବରାଦ ଦେଲେ କିଛି ସାମାନ୍ୟ ଜଳଖିଆ ପାଇଁ । ପାଖରେ ବସିଥିବା ଲୋକମାନଙ୍କୁ ଥରେ ଚାହିଁ ନୀରବରେ ଶୁଣିବାକୁ ଲାଗିଲେ ସେମାନଙ୍କର କଥାବାର୍ତ୍ତା । ମଝିରେ ମଝିରେ ଲକ୍ଷ୍ୟ କରୁଥିଲେ ସେମାନଙ୍କ କାର୍ଯ୍ୟକଳାପ-। ଡେଙ୍ଗା ଲୋକଟି କହି ଚାଲିଥାନ୍ତି ଅନର୍ଗଳ । ଦେହରେ ଲମ୍ବା ସଫା ଖଦଡ଼ୀ । ଆଖିରେ ଚଷମା । ହାତରେ ଧରିଥାନ୍ତି ଗାନ୍ଧୀ ଟୋପି । ଅନ୍ୟ ତିନିଜଣ ତାଙ୍କୁ ଏକ ଲୟରେ ଚାହିଁଥାନ୍ତି । ‘‘ଜାଣ ଏଠାରେ ବି ଦିନେ ଖୁବ୍‌ ଘଞ୍ଚ ଜଙ୍ଗଲ ଥିଲା । ସଞ୍ଜ ହେଲେ ଏଇ ବାଟରେ ଆସିବାକୁ କେହି ସାହସ କରୁ ନଥିଲେ । ଗାନ୍ଧୀ ଆନ୍ଦୋଳନ ବେଳେ ହିନ୍ଦୁ, ମୁସଲମାନ ଗଣ୍ଡଗୋଳରେ ଏ ସ୍ଥାନରେ ରକ୍ତ ନଦୀ ଭାସି ଯାଇଛି । କି ହଣାକଟା ମାରଧର । ଏ ଖରୀ ବଣରେ କି ନାରୀ ଅତ୍ୟାଚାର, ଧର୍ଷଣ ନ ହୋଇଛି । ଗଣ୍ଡା ଗଣ୍ଡା ନାଲି ପଗଡ଼ି ମାଟିରେ ମିଶି ଯାଇଛନ୍ତି । ରାଜା ସାହେବଙ୍କ କନ୍ୟା ଜୟଶ୍ରୀକୁ ମଧ୍ୟ ଏହିଠାରେ ହତ୍ୟା କରାଯାଇଥିଲା । ବ୍ରିଟିଶ୍ ସରକାର ପାଦ ଚାଟୁଥିବା ରାଜା ସାହେବ ନିଜ କନ୍ୟାର ମୃତ୍ୟୁରେ ଦେହତ୍ୟାଗ କରିଥିଲେ । ସେଥିପାଇଁ ମୃତ୍ୟୁ ଶଯ୍ୟାରେ ସେ ତାଙ୍କର ରାଜ ଉଆସକୁ ନିଜର କନ୍ୟା ନାମରେ ମେଡ଼ିକାଲ୍‌କୁ ଦାନ କରି ଯାଇଛନ୍ତି । ଆଉ ଜାଣ, ସେହି ରାଣୀ ମହଲରେ ଆଜି ସୁଦ୍ଧା କେହି ରହିପାରନ୍ତି ନାହିଁ । ନିର୍ଜ୍ଜନ ରାତିରେ ଅନେକ ବିଳାପ ରାଣୀ ଉଆସରେ ଶୁଣାଯାଏ । ଗୋରା ସାହେବ ଡାକ୍ତର ସେଠାରେ ରକ୍ତବାନ୍ତି କରି ମରିଥିଲା । ଆଉ ତାର ମେମ୍ ସାହେବ ଉଆସକୁ ସବୁଦିନ ପାଇଁ ଛାଡ଼ି ତା ଦେଶକୁ ଚାଲି ଯାଇଥିଲା । ସେହି ଦିନଠୁ କେହି ଜଣେ ହେଲେ ସେଠାରେ ରହି ପାରନ୍ତି ନାହିଁ । ରାଜା ଯୁବାବେଳେ ବଡ଼ ନୃଶଂସ ଅତ୍ୟାଚାରୀ ଥିଲେ । ରାଣୀମା’ କି ସୁନ୍ଦର ପତିଭକ୍ତି ଥାଇ ସୁଦ୍ଧା ରାଜ୍ୟ ଯିବାପରେ ରାଜା ସାହେବ ସୁରା ସାକୀରେ ମାତି ଯାଇଥିଲେ । ରାତି ହେଲେ ନୂଆ ଉଆସରେ କେତେ କ୍ରନ୍ଦନ ଧ୍ୱନି ଭାସିଆସେ । ଆଉ ଗୋରା ସାହେବ ରାଜାଙ୍କୁ ଖୁବ୍‌ ଭଲ ପାଉଥିଲେ । ରାତି ହେଲେ ଗୋରା ସାହେବଙ୍କ ଆଡ଼ା ସେଠାରେ ଥିଲା । ଗଣ୍ଡା ଗଣ୍ଡା କାର୍, ପଣ ପଣ ବନ୍ଧୁକଧରା ପ୍ରହରୀ ଦିନରାତି କଡ଼ା ନଜର ରଖିଥାନ୍ତି । ବିନା ଅନୁମତିରେ କେହି ଉଆସକୁ ଯାଇ ପାରିବେ ନାହିଁ ।

 

ଶୁଣାଯାଏ—ରାଜକନ୍ୟାଙ୍କ ହତ୍ୟାରେ ଗୋରା ସାହେବଙ୍କ ହସ୍ତ ଥିଲା । ଗୋରା ସାହେବ ଜୟଶ୍ରୀଙ୍କ ରୂପରେ ମୁଗ୍‌ଧ ହୋଇ ବିବାହ ହେବାକୁ ପ୍ରସ୍ତାବ ପକାଇଥିଲେ । କିନ୍ତୁ ରାଜା ସାହେବ ଏଥିରେ ସମ୍ମତି ଦେଇପାରି ନ ଥିଲେ । ସେହି ଆନ୍ଦୋଳନବେଳେ ଜୟଶ୍ରୀ ଶିକାରରୁ ଫେରୁଥିବାବେଳେ ସେ ଅପହୃତା ହୋଇଯାଇଥିଲେ । ବହୁତ ଦିନ ପର୍ଯ୍ୟନ୍ତ ତାଙ୍କର କିଛି ଖୋଜଖବର ମିଳି ନ ଥିଲା । ପରେ ଗୋଟିଏ ଅନ୍ଧାର କୂପ ଭିତରୁ ତାଙ୍କର ମୂଲ୍ୟବାନ ପୋଷାକ, ଗହଣା ମିଳିଥିଲା । ରାଜା ସାହେବ ଝୁରି ଝୁରି ଶେଷରେ ଶଯ୍ୟାଶାୟୀ ହୋଇଯାଇଥିଲେ । ବହୁତ ଦିନରୁ ରାଣୀ ସାହେବା ମରିଯାଇଥିଲେ । ରାଣୀ ସାହେବାଙ୍କ ମୃତ୍ୟୁରେ ରାଜା ସାହେବ ଟିକିଏ ହେଲେ ଚିନ୍ତା କରି ନ ଥିଲେ । କିନ୍ତୁ ଯାହା କୁହ ପୂର୍ବ କର୍ମର ଫଳ ଭୋଗିବାକୁ ପଡ଼ିବ । ସବୁ ଏଇଠାରେ । ସ୍ଵର୍ଗ ନର୍କ କ’ଣ ମିଛରେ କୁହାଯାଇଛି । ଯିଏ ଯାହା କରିବ ଦଇବ ଆଖିରୁ କେହି ବାଦ୍ ଯିବ ନାହିଁ । ତାହା ଏହି ଜୀବନରେ ହିଁ ଅସୁଲ ହୋଇଯିବ ।” ମୁକୁନ୍ଦ ବାବୁ ପଇସା ଦେଇ ଦୋକାନରୁ ବାହାରି ଆସୁଥିଲେ । ପଛରେ ଶୁଣୁଥିଲେ କେତୋଟି କଣ୍ଠର ଚାପାହସ ।

 

ଆନ୍ଦୋଳନକାରୀମାନେ ମୁକୁନ୍ଦ ବାବୁଙ୍କ ଆଗ ଦେଇ ଚାଲିଗଲେ । ଧାଡ଼ି ବହୁତ ଦୂର ଯାଏ ଲମ୍ବି ଯାଇଥିଲା । ସେ ଛକ ମୁଣ୍ଡରେ ଆନ୍ଦୋଳନକାରୀମାନେ ଲୁଚିଯିବା ପରେ ମଧ୍ୟ ଜିନ୍ଦାବାଦ୍ ଶୁଣା ଯାଉଥିଲା । ମୁକୁନ୍ଦ ବାବୁ ରାସ୍ତା କଳରୁ ପାଣି ପିଇ ଆଗକୁ ମାଡ଼ି ଚାଲିଥାନ୍ତି । ଦୁଇ ନାକର ନିଶ୍ଵାସକୁ ଦୁଇଥର ପରୀକ୍ଷା କରିନେଲେ । ଦୋକାନ ମୁହଁରେ ବିଲେଇକୁ ଦେଖି କିଛିକ୍ଷଣ ଗୁମ୍ ମାରି ବାଁ କଡ଼ ମାଡ଼ି ଚାଲିଲେ । ବଡ଼ ରାସ୍ତା ପାର ହୋଇ ଗଳି ରାସ୍ତାରେ ପଶିଲେ । ମିନିଟ୍ କେତୋଟିରେ ବଡ଼ ବଡ଼ କୋଠାଗୁଡ଼ିକ ଆଖିରୁ ପାର ହୋଇଗଲା । ଅସଣା ଅଳିଆ ଗଦା ହୋଇଥିବା ପାଣିନାଳ ପାଖେ ଘୁଷୁରୀ ଛୁଆ ଦୁଇଟି ମଇଳାକୁ ଘାଣ୍ଟୁଥାନ୍ତି । ସେପଟ ଛୋଟ ଅଧା ସିମେଣ୍ଟ ବାରଣ୍ଡାରେ ଦୁଇ ପଞ୍ଝା ଲୋକ ଖେଳୁଥାନ୍ତି । ଦଳେ ଲୋକ ସେମାନଙ୍କ ଚାରିପଟେ ବେଢ଼ିଥାନ୍ତି । ଟିକିଏ ଛାଡ଼ି ବୁଢ଼ା ଲୋକଟି ହୁକା ଟାଣୁଥାଏ । ପାନ ଦୋକାନୀଟି ଗୁଆ କାଟୁଛି । ପିଲା ଦଳେ ରାସ୍ତାରେ ଏପଟ ସେପଟ ହୋଇ ଖେଳୁଥାନ୍ତି । ଅନ୍ଧ ଭିକାରୀଟି ରାସ୍ତାରେ ହାତ ପତାଇ ପଇସା ମାଗୁଛି । ମୁକୁନ୍ଦ ବାବୁ ଗଳି ସେମୁଣ୍ଡକୁ ଯାଇ ପଛକୁ ଚାହିଁଲେ । ଅଚିହ୍ନା ଲୋକମାନଙ୍କୁ ଦେଖି ପଚାରିବେ କି ନାହିଁ ଭାବିପାରିଲେ ନାହିଁ । ଦେଖି ଆସିଥିବା କୋଠାମାଳର ଏକ କରୁଣ ବିଳାପ । ଆଖି ଝଲସାଇ ଚାଲିଯାଉଥିବା ମନର ଏକ ଭଗ୍ନ ସ୍ତୂପ । ଅଜଣା ପୁଲକରେ ଭାସି ଯାଉଥିବା ଜୀବନର କବରଖାନା । ଦୁଇଟି ଲଗାଲଗି ଜୀବନର କେତେ ତଫାତ୍ । ସ୍ଵପ୍ନ ଆଉ ବାସ୍ତବ ଟଣା ଓଟରାର ଏକ ଜୁଆର ଭଟ୍ଟା । ମୁକୁନ୍ଦ ବାବୁ ସେହି ପରିଚିତ ରାସ୍ତାରେ ପାଦ ବଢ଼ାଇଲେ ।

 

ମନର ସନ୍ଦେହ ଦୂରକରି ମୁକୁନ୍ଦ ବାବୁ ପୁଣି ଥରେ ଅନାଇଲେ । ପୁଅ ଝିଅ ଦୁଇଟି ଖୁବ୍ ଲଗାଲଗି ହୋଇ ବସିଥାନ୍ତି । ସ୍ଵାମୀ ସ୍ତ୍ରୀ ହେବେ ବୋଧେ । ନୂଆ ହୋଇ ବିବାହ ହୋଇ ଥାଇପାରିଥାନ୍ତି । ସ୍ତ୍ରୀଟିର ମୁଣ୍ଡରେ ନାଲି ଟିପା । ବାଁ ହାତର ଘଣ୍ଟା ନେଇ ଚାରିପଟ ସୁନାକାଚ । ପଟେ ଧଳା ଶଙ୍ଖା । ମୁଣ୍ଡରେ ଲମ୍ବା କେଶ, ଛପା ଶାଢ଼ୀ ଦେଇ ଲମ୍ବିଯାଇଛି । ଶାଢ଼ୀ ସଙ୍ଗେ ମିଶିଯାଉଥିବା ବ୍ଲାଉଜ । ବେକରେ ଚାରିସରି ମାଳୀ । ନାଲି ଓଠରେ ଗୋଲାପୀ ରଙ୍ଗର ଲିପଷ୍ଟିକ୍ । ସରୁ ସାଇଜି ଭ୍ରୂଲତା । କଳା ଦେଇ ଆହୁରି ସୁନ୍ଦର ଦେଖା ଯାଉଥାଏ । ଗୋରା ମୁହଁକୁ ତୀକ୍ଷ୍‍ଣ ନାକ । ଲମ୍ବା ହାତ ଗାଲରେ ଭରାଦେଇ ତରୁଣୀ ଜଣକ ଯୁବକକୁ ଏକ ଦୃଷ୍ଟିରେ ଚାହିଁ ରହିଥିଲେ । ମଝିରେ ମଝିରେ ହସି ଉଠୁଥାନ୍ତି । ଯୁବକ ଜଣକ ଡାହାଣ କର ମାଡ଼ି ଘାସରେ ଶୋଇ ଗପୁଥାନ୍ତି । ସିଗାରେଟ୍ ବାଁ ହାତରେ ଜଳି ଯାଉଥାଏ । ଥରେ ଥରେ ଆଗକୁ ପଛକୁ ଚାହୁଁଥିଲେ । ମୁକୁନ୍ଦ ବାବୁ ଥରେ ନିଜର ପୋଷାକକୁ ଚାହିଁ ଆଖି ଫେରାଇଲେ । ଆହୁରି ଥରେ ଦୁଇପଟ ଦେଖିନେଇ ସାମନା ରାସ୍ତାକୁ ଅନାଇ ରହିଲେ ଆସୁଥିବା ଦଳଦଳ ପୁଅ ଝିଅମାନଙ୍କୁ । କେହି ତାଙ୍କର ପରିଚିତପରି ନଜରରେ ଆସିଲେ ନାହିଁ । ସବୁଦିନ ପରି ସେହି ପରିଚିତ ଦେଖାଶୁଣା ମୁହଁର କଥାବାର୍ତ୍ତା । ଶୁଣି ଆସିଥିବା ହସ ଖେଳର ପାରାମିଡ଼ି । ଅତୀତ ବର୍ତ୍ତମାନର ଅସରନ୍ତି କଥା । ସବୁ ପୁରୁଣା ନୂଆର ଏକ ଅଜଗର । ପୂର୍ବ ପଶ୍ଚିମ ସବୁଦିନ ସୂର୍ଯ୍ୟର ଟଣାରଥ । ଚେଇଁଲା ଆଖିରେ ମୁକୁନ୍ଦ ବାବୁ ଶୋଇ ଯାଉଥିଲେ ।

 

ବାର ଘଣ୍ଟା ଲମ୍ବା ରାତିଟା କେଉଁଆଡ଼େ ଉଭାଇ ଯାଇଥିଲା । ମୁକୁନ୍ଦ ବାବୁ ଚମକି ଉଠିଲେ କୁଲି ଡାକରେ । ଗାଡ଼ି ଏହିଠାରେ ରହିବ । ଆଗକୁ କି ପଛକୁ ଯିବାକୁ ରାସ୍ତା ନାହିଁ । ଖୋଜିବାକୁ ପଡ଼ିବ, ଏ ନୂଆ ସହରରେ ଅନେକ ଘର ଥିବ । ଚିହ୍ନା ପରିଚିତ ହେବାକୁ ପଡ଼ିବ । ବନ୍ଧୁତ୍ଵ ଯୋଡ଼ିବାକୁ ହେବ । ନୂଆ ସଂସାର ଗଢ଼ିବାକୁ ହେବ । ଟଙ୍କା କମାଇବାକୁ ପଡ଼ିବ ବଞ୍ଚିବା ଯାକେ । ପିଲାମାନଙ୍କୁ ମଣିଷ କରିବାକୁ ହେବ । ପତିତ୍ଵର ଆସନରେ ବସିଥିବା ପର୍ଯ୍ୟନ୍ତ ସାବିତ୍ରୀ ମୁହଁରେ ହସ ଫୁଟାଇବାକୁ ପଡ଼ିବ–ସେ ତାହାର ରକ୍ଷାକାରୀ କବଚ । ବର୍ତ୍ତମାନ ଭବିଷ୍ୟତର ଆରାଧ୍ୟ ଦେବତା । ଧୀରେ ଧୀରେ ମୁକୁନ୍ଦ ବାବୁ ଗାଡ଼ିରୁ ଗୋଡ଼ ବଢ଼ାଇ ସହର ଅଭିମୁଖରେ ପାଦ ଦେଲେ ।

Image

 

Unknown

ନିଶୂନ ଘର

 

ବାଇଆ ମନାକରି ପାରିଲା ନାହିଁ । ସୁନାକୁ ଚାହିଁଲା । ନାଗସାପ ପରି ହଳଦୀ ଗୁଲଗୁଲ ହାତ ଗୋଡ଼, ମୁହଁଟି ଚାନ୍ଦପରି ଗୋଲ । ମଲ୍ଲୀଫୁଲ ପରି ଦାନ୍ତ । ଲମ୍ବା ଲମ୍ବା ବାଳରେ କଳା ଭଅଁର ଲହଡ଼ି ଖେଳୁଛି । ମୁହଁ ଫୁଲାଇ ଖାଲି ତୋ ପାଇଁ ସୁନା, ନ ହେଲେ ମୋ ଭଳି ଲୋକ ପାଣିରେ ପଶେ । ଏ ଯେଉଁ ପଦ୍ମ ବଣ । ଶକତିଆ ମରଦ ଛନ୍ଦି ହୋଇ ମରିଯିବ । ଯେଉଁ ଛନ୍ଦର ମନ୍ଦର ହୋଇ ନାଡ଼ଗୁଡ଼ାକ ଥିବ । ଏପଟୁ ଯାଇ ସେପଟେ ପହଞ୍ଚିଲାବେଳକୁ ନାକପାଣି ତାଲୁକାରେ ଉଠିଯିବ । ପହଲା ପୁଅଟା ହଚକୁ ହୁଚା ଅଣନିଶ୍ଵାସୀ ହୋଇ ଢୋକ ଢୋକ କରି ପାଣି ପିଇଗଲା । ଖନୀ ଥିଲା ବୋଲି ସିନା ନ ହେଲେ ପୁଅ ଆଲ୍ଲା ଭଜିଥାନ୍ତା । ବାଇଆ ତୋ ସକାଶେ ମୁଁ ସିନା ଅଇଲି । ନ ହେଲେ କାହିଁକି ଏ ଖରାବେଳଟାରେ ଆସିଥାନ୍ତି । ପୁଷ୍କର ଦୁଇଟା ଖାଇବାକୁ ଭାରି ଇଚ୍ଛା ହେଉଛି । ସୁନା ବାଇଆ ପାଖକୁ ଲାଗି ଆସୁଥିଲା ।

 

ଜାଣୁନା ସୁନା ସେ ପଦ୍ମବଣ ପାଖେ ଅଥଳ ଗଣ୍ଡ ଅଛି । ଟିକିଏ ଗୋଡ଼ ଖସିଲେ ରସାତଳ । କାହିଁ କେତେ ଖରାଦିନେ ସୁଦ୍ଧା ଗଣ୍ଡରେ ତାଳେ ପାଣି । ମାଛଗୁଡ଼ାକ ସେଥିରେ ବିବର କରି ରହିଥାନ୍ତି । ସେ ଗଣ୍ଡଟା ପାତାଳକୁ କେଉଁଠି ଲାଗିଛି । ସେ ବର୍ଷ ମାଛୁଆମାନେ ସବୁଠୁ ମାଛ ମାରିନେଲେ । ହେଲେ ସେଥିରୁ ପାଇଲେ କି । ଖାଡ଼ିଆ ଖଣ୍ଡେ ଧରିପାରିଲେ ପାଞ୍ଚଥର ଜାଲ ପକାଇ । ବାସୁଳେଇ ଗଣ୍ଡ ସେଇଟା । ଦିଅଁଙ୍କ ଖଟଣୀ ବ୍ରାହ୍ମଣ ନନା କହୁଥିଲା, ମାଛଗୁଡ଼ାକ ଦିଅଁଙ୍କ ପାଦତଳକୁ ଗାତ କରି ରହିଛନ୍ତି । ଦେଖୁନୁ ପାତାଳ ଫୁଟା ମହାଦେବଙ୍କୁ । କେଉଁଠୁ ସେ ପାଣି ଆସେ । ଯେତେ ବୋହିଲେ ଶୁଖିବ ନାହିଁ । ମଣିଷ ତାକୁ ଛାର । ଦିଅଁଙ୍କ ମହିମା ବ୍ରହ୍ମାଙ୍କୁ ଅଗୋଚର । କେଉଟ ଦେଖିଲେ ମାଛଗୁଡ଼ାକ ଦିଅଁଙ୍କ ପାଖେ ଶରଣ ପଶନ୍ତି । ସେହି ବିଲ ବାଟେ ପାତାଳକୁ ଚାଲିଯାଆନ୍ତି । ଜାଣୁନା ରାମଦୂତ ହନୁମାନଙ୍କୁ ଦେଖି ରାକ୍ଷସମାନେ ପାତାଳରେ ଯାଇ ଲୁଚିଥିଲେ । ସେହି କାଳରୁ ସେହି ବିବରଟା ସେହିପରି ଅଛି । ସୁନା ତୁ ଏଇଠି ବସିଥା । ତଳକୁ ଖସିବୁନି । ଗୋଡ଼ ଖସିଯିବ । ତଳ ପଥରରେ ଶିଉଳି ଲାଗିଛି । ମୁଁ ତୋ ପାଇଁ ପଦ୍ମଫୁଲ ଆଉ ପୁଷ୍କର ଆଣିବି । ମଞ୍ଜି ଗୁଡ଼ାକ ଭାରି ଭଲ ଲାଗେ ଯେ ।

 

ବାଇଆ ବସାଇ ଥିବା ପଥର ତଳକୁ ସୁନା ବାଡ଼ି ମାରିଲା । ବାଁ ହାତରେ ଦରାଣ୍ଡିଲା । ସାଉଁଳିଆ ଲାଗୁଥାଏ । ଖରାରେ ତାତି ଯାଇଛି । ଛାଇଟା ସେ ଯାଏ ଯାଇ ନାହିଁ ବୋଧେ । ଆହୁରି ଘଣ୍ଟାଏ ଦୁଇ ଘଣ୍ଟା ଲାଗିପାରେ । ବାଇଆ ଚାଲି ଗଲାଣି । ତା’ ପାଟି ଆଉ ଶୁଭୁ ନାହିଁ । ଅଥଳ ପାଣି । ଖରା ଦିନେ ହାତ ଗୋଡ଼ ପାଏ ନାହିଁ । ସେ ଗାଧୋଇଲା ବେଳେ ମା’ ସଙ୍ଗେ ଆସେ । ଦୁଇଟି ପଥରରୁ ସେପଟ ଯାଏ ନାହିଁ । ସବୁ ଦିନ ତାକୁ ବାରଣ କରାଯାଇଛି । ଘରଠୁ ପୋଖରୀ କେତେ ଖେପାର ବାଟ । ଏକୁଟିଆ ସେ ଚାଲି ଆସିବ । ଯିବା ଆସିବାରେ ବାଡ଼ି ଖଣ୍ଡେ ଥିଲେ ସେ କାହାକୁ ଖୋଜେ ନାହିଁ । ସବୁଦିନ ପରି ସେ ତାର ନିତିଦିନ କାମ କରିଯାଏ । ପିଲାଦିନର ଅଭ୍ୟାସ-। କେତେ ସୁନ୍ଦର ସେ ପାଣି । ପଦ୍ମ ଫୁଲ ବାସ୍ନା । ବାଇଆ ଖୁବ୍ ଭଲ ପିଲା । କାମିକା-। ଯାହା କହିବ କେଉଁଥିରେ ବାରଣ କରିବ ନାହିଁ । ବରଷା ଦିନେ ସେ କେତେ ଫୁଲ ଦେଇଛି । ଯେଉଁଠି ଯାହା ଆଣିଥିବ ଗୋଟେ ଅଧେ ନିଶ୍ଚୟ ଦେବ । ଖରା ବେଳଠୁ ସଞ୍ଜଯାଏ ଏହିଠାରେ ବସିଥିବ-। ଯେତେ ଯାହା କଲେ ମାଛ ନ ହେଲେ ଭାତ ଯାଏ ନାହିଁ । ବାପ ମା’ର କୋଳପୋଛା ପୁଅ-। ଚାରି ଚାରିଟା କାମିକା ଭାଇ । ଜମି ଅଛି । ବଳଦ ହଡ଼ା ଅଛି । ବାଇଆ ସବୁ କହେ । ତାଙ୍କର କ’ଣ ହୋଇଥିଲା । ଗାଁର କିଏ କ’ଣ କରୁଛି, କାହାର କେତେ ଜମି; କିଏ ଚାକିରିଆ, କିଏ ବିଦେଶ ଗଲା, ସବୁ ଖବର ସେ ରଖେ ।

 

ପାଣି ଚବ ଚବ ହେଉଥିବା ଦିଗକୁ ସୁନା ଅନାଇ ରହିଲା । ବାଇଆ ଆସୁଥିବ । ବନିଶୀଟା ତା’ ହାତକୁ ଦେଇ ଯାଇଛି । ମାଛ ପଡ଼ିଥିଲେ ନିଶ୍ଚୟେ ଭିଡ଼ିଥାନ୍ତେ । ଦୁଇ ଥର ଥୋପ ଦେଖି ସାରିଲାଣି । ସେହିପରି ଅଛି । ଟିକିଏ ଖଣ୍ଡିଆ ହୋଇ ନାହିଁ । ମାଛ ହାଣିଲେ ଜଣା ପଡ଼ିଯିବ-। ବନିଶୀ ଥରିବ । ବାଇଆ ତାକୁ ସବୁ ବତାଇ ଦେଇଛି । ମାଛ ମାରିବା କଥା ତାକୁ ଖୁବ୍ ଜଣା । ହେଲେ ସେ ମାଛ ନିଏ ନାହିଁ । ବାଇଆ ଯାଚେ । କ’ଣ ହେବ ତାର । ମା’ତ ଆଇଁଷ ଛୁଏଁ ନାହିଁ । ତା’ ପେଇଁ କାହିଁକି ହଇରାଣ ହେବ । ଦିନେ ଦିନେ ବାଇଆ ମାଛ ତରକାରୀ ଆଣେ । ବଳେଇ ଖୁଆଏ । ମା’ ମନା କରିପାରେ ନାହିଁ । ବାଇଆ ପିଲା ଦିନର ସାଙ୍ଗ । ତାକୁ ପାଠ ଶିଖାଇଛି । ଗଳ୍ପ କହେ । କେତେ ରାଇଜର କଥା । କେତେ ରଜାପୁଅ, ରଜାଝିଅ କାହାଣୀ । ସାଧବ ପୁଅ କଥା । ଖୁଦୁରୀକୁଣୀ ଗୀତ ସେ ବୋଲେ । କେତେ ଖବର ବାଇଆ ଜାଣିଛି । କଥା କହିଲେ ରାତି ପାହିଯିବ । ମା’ ମନା ନକଲା ଯାଏ ବାଇଆ ଯିବ ନାହିଁ । ପାଖେ ପାଖେ ବସିଥିବ । ବାଇଆ ଖୁବ୍ ବଡ଼ ହୋଇ ଯିବଣି । ବାଇଆର ବାଁ ଗୋଡ଼ ଟିକିଏ ଛୋଟା । ହେଲେ ଆଖି ଅଛି ତ । ସବୁ ଦେଖି ପାରୁଛି ତ । ପଢ଼ି ପାରୁଛି । ଗୀତ ବୋଲି ପାରୁଛି । ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇପାରୁଛି । କେତେ ଭଲ ଜିନିଷ ଆଣି ପାରୁଛି । ସତେ ବାଇଆ ଖୁବ୍ ଭାଗ୍ୟବାନ । ଆଖି ଥିବାରୁ ବହୁତ ପଢ଼ି ପାରୁଛି ।

 

ସୁନା ବଡ଼ ପାଟିରେ ଡାକ ପକାଇଲା । ମାଛଟା ଉପରକୁ ଉଠି ଆସିଛି । ବନିଶୀଟା ଓଜନିଆ ଲାଗୁଛି । ବଡ଼ ମାଛଟାଏ ହେବ ବୋଧେ । ବାଇଆ ଦେଖିଲେ ଖୁସୀ ହେବ । ବେଶୀ କରି ଫୁଲ ଦେବ, ପୁଷ୍କର ଖୁଆଇବ, ସଞ୍ଜବେଳେ ଗପ କହିବ । ବାଇଆ ଗାଡ଼ିଆ ମଝିରୁ ପାଟିକରି ଉଠିଲା । ହେ ସୁନା, ରହ ଅପେକ୍ଷା କର । ମୁଁ ଯାଉଛି । ବନଶୀ ସେମିତି ଥାଉ । ସୁନା ବାଇଆ ପାଟିରୁ ଜାଣିପାରିଲା ସେ ବହୁତ ଦୂରରେ ଅଛି । ଆସିବାକୁ ସମୟ ଲାଗିବ । ହାତ ଅଣ୍ଡାଳୀ ବନିଶୀ ପାଖକୁ ଆଣି ଖାଳେଇକୁ ପାଖକୁ ଆଣିଲା । ଲମ୍ବିଥିବା ବନିଶୀକୁ ପାଖକୁ ଭିଡ଼ି ଆଣିଲା । ଲମ୍ବା ମାଛଟି ହାତରେ ବାଜିବାରୁ ସୁନା ଖୁସୀ ହେଲା । କଣ୍ଟାରୁ କାଢ଼ିବାକୁ ଚେଷ୍ଟା କଲା-। ମାଛଟା ବଡ଼ ଲମ୍ବା—ଲାଳୁଆ ଲାଗୁଛି । ଭଲ ଜାତିଆ ମାଛ ହୋଇଥିବ । କାଢ଼ୁ କାଢ଼ୁ ସୁନା ଚିତ୍କାର କରି ଉଠିଲା ।

 

ବାଇଆ ଫୁଲ ଗୋଛାକ କୂଳରେ ଫୋପାଡ଼ି ଦେଇ ସୁନା ପାଖକୁ ଦୌଡ଼ି ଆସିଲା । ସୁନାର ବିଶି ଆଙ୍ଗୁଠିରୁ ଧାର ଧାର ରକ୍ତ ବୋହି ଯାଇଥାଏ । ପାଖରେ ବଡ଼ ରତା ମାଛଟି ଛଟ ପଟ ହେଉଥାଏ । ସଙ୍ଗେ ସଙ୍ଗେ ବାଇଆ ସୁନାର ହାତକୁ ଶୋଷି ନେଲା । ମୁଠା ପାଖରୁ ଜୋରରେ ଦାବି ବସିଲା । ବାଇଆ ସୁନାର କଳା କଳା ମୁଣ୍ଡବାଳକୁ ଶାଉଁଳି ମଥାରେ ପାଣି ଛାଟି ଦେଲା ।

 

ନିଝୁମ ଖରାବେଳ । ଚାରିଆଡ଼େ ଶୂନ୍‌ଶାନ । ଗହରୀଆ କ୍ଷେତ୍ରରୁ ଝାଞ୍ଜି ପବନ ବୋହି ଆସୁଥାଏ । ବରଗଛ ଛାଇରେ ସୁନା ବାଇଆ ଜଙ୍ଘରେ ମୁଣ୍ଡ ଦେଇ ଶୋଇଥାଏ । ବାଇଆ ସୁନା ମୁଣ୍ଡରେ ଗୋଟିଏ ହାତ ଖେଳାଉ ଥାଏ । ପୁଷ୍କର ଛଡ଼ାଇ ଗେହ୍ଲାରେ ଖୋଇ ଦେଉଥାଏ । ଆଣିଥିବା ପଦ୍ମଫୁଲ ଦୁଇଟି ସୁନା ଧରି ଏପଟ ସେପଟ କରୁଥାଏ । ପବନରେ ସୁନାର ଖୋଲା ଦେହରୁ ଲୁଗା ଉଡ଼ି ଆସି ବାଇଆ ମୁହଁରେ ପିଟି ହେଉଛି । ଗୋରା ତକ ତକ ସୁନା ଫୁଲ ଦେହ । ଫୁଲ ପରି ନରମ । କଅଁଳ ପଦ୍ମ ପାଖୁଡ଼ା ଓଠ । ସିଧା ନାକ । କଳାଭଅଁର ଲମ୍ବା ବାଳ ପିଠି ଦେଇ ବାଇଆ ଜଙ୍ଘରେ ଲମ୍ବି ଯାଇଥାଏ । କଳା କଳା ଆଖିପତା ଦୁଇଟି ଚିକଣିଆ ଦେଖାଯାଉଛି । ପୂରିଲା ପୂରିଲା ତୁଳା ଦେହ । ବୁଜିଲା ଆଖିରେ ସୁନା ସୁନ୍ଦର ଦେଖାଯାଉଛି । ଧୋବ ଫର ଫର ଛୋଟ ଛୋଟ ଦାନ୍ତ । ସୁନାର ଶୋଇଲା ଦେହକୁ ବାଇଆ ନିରେଖି ଚାହିଁଲା । ପିଲାଦିନର ସୁନା ଖୁବ୍ ବଢ଼ି ଯାଇଛି । ବୟସର କାଉଁରୀକାଠିରେ ସୁନା ଜୀଅଁନ୍ତା ଦେବୀପରି ଦେଖାଯାଉଛି । ସୁନାକୁ ଉଠିବାକୁ କହିବା ପାଇଁ ବାଇଆ ତୁଣ୍ଡ ଲେଉଟିଲା ନାହିଁ । ଦେହ ସାରା ଯେପରି ସେ ଏକ ଶିହରଣ ଅନୁଭବ କଲା । ସମୟ ଗଡ଼ି ଚାଲିବା ପରେ ସୁନା ବାଡ଼ି ହାତରେ ଫେରୁଥିଲା ତାରି ପରିଚିତ ରାସ୍ତାରେ ।

 

ସହରରୁ ଫେରି ବାଇଆ ସୁନାକୁ ଖୋଜିଲା । ଚାରି ଦିନ ସହର ଯିବାରେ ସେ ଭୁଲି ଯାଇଥିଲା ସୁନାକୁ । ସୁନା ପାଇଁ ଆଣିଥିବା ମୁଣ୍ଡ ଫିତା, ଝୁମ୍ପା, ବାସନା ସାବୁନ ଦେବାକୁ ବାଇଆ ଅସ୍ଥିର ହୋଇପଡ଼ିଲା । ଖୋଜି ଖୋଜି ସେ ସୁନାକୁ ବରଗଛ ତଳେ ଦେଖିଲା । ସୁନା ସବୁଦିନର ପଥର ପାହାଚ ଉପରେ ବସି ବାଡ଼ି କରକୁ ଲମ୍ବାଇ ଦେଇଛି । ଚାହିଁ ରହିଛି ସେପଟ ଫୁଲ ଫୁଟା ଦିଗକୁ । ଉଦାସ ମୁହଁରେ ସୁନା ପଥର ଦିଅଁପରି ସ୍ଥିର ହୋଇ ବସିଛି । ମୁହଁରେ ପ୍ରଫୁଲ୍ଲତା ନ ଥିଲା କି ବିଷାଦ ନ ଥିଲା । ଶରତ୍‌ ଆକାଶ ପରି ଗମ୍ଭୀର । ଧୋବଲା ପଣତକାନି ମାଟିରେ ଘୁଷୁରୁ ଥିଲା-। ନୀରବତାରେ ସୁନା ଯେପରି ଭାବୁଛି । ଫିଟି ଯାଇଥିବା ମୁକୁଳା ବେଣୀରୁ ଦୁଇ କେରା ବାଳ ଉଡ଼ି ଆସୁଥିଲା ଆଗକୁ । ମୁଣ୍ଡ ଉପର ଦେଇ ମହୁମାଛି କେତୋଟି ଖେଳୁଥିଲେ । ସୁନା ନୀରବ ନିଶ୍ଚଳ ପଥର ପ୍ରତିମାପରି ବସି ରହିଥିଲା । ଗଡ଼ି ଆସୁଥିବା ଲୁହକୁ ପୋଛି ବାଇଆ ସୁନା ନିକଟକୁ ଲାଗି ଆସୁଥିଲା । ଅସଂଖ୍ୟ ପ୍ରଶ୍ନରେ ବାଇଆ ସୁନାର ନିକଟକୁ ଲାଗିଯାଇ ଚାହିଁଲା ଖୁବ୍ ନିକଟରେ ହୋଇ ।

 

ବାଇଆ ତୁ ସହରକୁ ଯାଇ ଥିଲୁ ନା ? ସହର ଭାରି ଭଲ ନା ? ଲୋକଗୁଡ଼ାକ ଭାରି ସୁନ୍ଦର ନା ? ସୁନାର ଆଖି ଦୁଇଟି ଉଠି ଆସୁଥାଏ ।

 

ବାଇଆ ସୁନାକୁ ଉପର ପାହାଚକୁ ଉଠାଇ ଆଣି କହିଲା, ହଁ ସୁନା ସହର ଭାରି ବଡ଼ । ବୁଲି ବୁଲି ଗୋଡ଼ ହାତ ଥକିଗଲା । ତଥାପି ସହର ଶେଷ ହେଲା ନାହିଁ । ଭାଇ କହୁଥିଲା ଆହୁରି ମାସେ ଲାଗିବ । ବଡ଼ ବଡ଼ ରଙ୍ଗ ବେରଙ୍ଗ ଘର । ମୁଁ ଏମିତି କେଉଁଠି ଦେଖିନାହିଁ । କାଚରେ ଝରକା, କବାଟ । କି ଘର ଲୋ ସୁନା । ଦେଖିଲେ ତୁ କାବା ହୋଇଯିବୁ । ସହରରେ ଯେଉଁ ସୁନ୍ଦର ସୁନ୍ଦର ଫୁଲ ଫୁଟିଛି । ସମସ୍ତେ ଫୁଲ ଲଗାଇଛନ୍ତି । ଆମ ଗାଁର ଯେଉଁ ଭଗିଆ ମାଳୀ ସେ ଫୁଲ ବିକି ଶହ ଶହ ଟଙ୍କା କମାଉଛି । ଦେଖୁନି ବାହା ସାହା ହୋଇ କେତେ ଟଙ୍କା ଆଣିଛି । ରେଡ଼ିଓ କରିଛି । ଇଟା ଘର । ସିମେଣ୍ଟ କୂଅ । କି ପୋଷାକ ପିନ୍ଧୁଛି । ଖାଲି ଫୁଲ ବିକି । ଭାଇ କହୁଥିଲା ସେ ସହରରେ ଘର କରିବ । ବାବାରେ ବାବା କି ଟଙ୍କା କମାଉଛି । ପଇସାଗୁଡ଼ାକ ମାଟି ଗୋଡ଼ପରି କମାଉଛି । ମୋତେ ସେଦିନ ଦେଖା ହୋଇଗଲା । କି ଖାଇବାକୁ ଦେଲା । ଘରକୁ ଡାକୁଥିଲା । ଭାଇ ମନା କଲେ ବୋଲି ଗଲିନାହିଁ । ସିନେମା ଯାଇଥିଲି । ଭାରି ସୁନ୍ଦରିଆ ସୁନ୍ଦରିଆ ଛବି । ହସୁଛନ୍ତି, ଖେଳୁଛନ୍ତି, ମଟର ଘୋଡ଼ାଗାଡ଼ିରେ ବୁଲୁଛନ୍ତି । କି ସୁନ୍ଦର ସୁନ୍ଦର ପୁଅ ଝିଅ । ଯେଉଁ ବେଶଭୂଷା ନା । ଦେଖିଲେ ତୁ ହସିବୁ । ତୋ ପରି ଭାରି ସୁନ୍ଦର । ସ୍ଵର୍ଗର ଅପସରୀ ।

 

ସୁନା ଲାଜେଇ ଉଠି କହିଲା, ମୁଁ କ’ଣ ତାଙ୍କପରି ସୁନ୍ଦର । ହଁ ଲୋ ସୁନା ତୁ ଭାରି ସୁନ୍ଦର । ତୋତେ ସେମିତି ସଜେଇଦେଲେ ତୁ ଦେଖିବାକୁ ସରଗ ଅପସରୀ ପରି ଦେଖାଯିବୁ ।

 

ବାଇଆ ସୁନା ପାଖକୁ ଲାଗିଯାଇ କହିଲା, ଏ ଦେଖିଲୁ ମୁଁ ତୋ ପାଇଁ କ’ଣ ଆଣିଛି । ସୁନା ହାତରେ ନେଇ କହିଲା ବାଇଆ ଏଗୁଡ଼ିକ କ’ଣ ?

 

ବାଇଆ ସାବୁନକୁ ଖୋଲି ସୁନା ନାକରେ ଟିକିଏ ମାରିଦେଲା । ସୁନା ଉଲ୍ଲସି ଉଠିଲା । ବାଇଆ ଏ ତ ଭାରି ବାସନା ? ବହୁତ ପଇସା ନା ? ବାଇଆ ସୁନା ଗୋଡ଼ରେ ମୁଦିଟି ପିନ୍ଧାଇ କହିଲା, ସୁନା ମୁଦିଟି ତୋ ଗୋଡ଼କୁ ଖୁବ୍ ମାନୁଛି । ସୁନା ଗୋଡ଼ରେ ହାତ ମାରିଲା ।

ଏଇଟା ଦେଖିବାକୁ କେମିତି ?

ଠିକ୍ ମଲ୍ଲୀଫୁଲ ପରି ଧଳା । ତାରକସି କାମ କରାଯାଇଛି । ଚିତା କୁଟେଇଲା ପରି ହୋଇଛି । ଚାନ୍ଦି ରୂପାରେ ଗଢ଼ା । ସେ ଦୋକାନରେ କେତେ ରକମର ଥୁଆ ହୋଇଛି । ଦେଖିଲେ ତୋର ଲୋଭ ବସିଯିବ । ମନେ ହେଉ ଥିଲା ଗୁଡ଼ାଏ ଘେନି ଆସିବାକୁ ।

ବାଇଆ, ଚାନ୍ଦିରୂପା କ’ଣ ମଲ୍ଲୀଫୁଲ ପରି ଧଳା ?

ହଁ ସୁନା, ଠିକ୍ ତୋ ଦାନ୍ତ ପରି ।

ମୋ ଦାନ୍ତ କ’ଣ ଚାନ୍ଦିରୂପା ପରି ଧଳା ?

ତା’ଠାରୁ ଆହୁରି ସୁନ୍ଦର । ହସିଲେ ସତେ ସୁନା ଭାରି ସୁନ୍ଦର ଦେଖାଯାଏ । ସରଗ ତରାପରି ତୋ ଦାନ୍ତଗୁଡ଼ାକ । ଠିକ୍ ତୋ ଶାଢ଼ି ପରି ।

ସରଗ ତାରା ସବୁ କ’ଣ ଧଳା ? କ’ଣ ମୋ ଶାଢ଼ି ରଙ୍ଗପରି ! ତାରା ଗୁଡ଼ାକ ଭାରି ନରମ ହୋଇଥିବେ ନା ? ଆଚ୍ଛା ବାଇଆ । ସକାଳେ ତାରା ଗୁଡ଼ାକ କେଉଁଆଡ଼େ ଯାଆନ୍ତି । ସେମାନଙ୍କର କ’ଣ ଘର ଅଛି ଆମ ପରି ? ସେମାନଙ୍କ ଗୋଡ଼ ହାତ ଅଛି ମଣିଷ ପରି ?

ସେ ପରା ସରଗରେ ରୁହନ୍ତି । ସମସ୍ତେ ବାହନ ଚଢ଼ି ଯା’ ଆସ କରନ୍ତି । ଦେଖିବାକୁ ଆମଠୁ ଭାରି ସୁନ୍ଦର । ବିଜୁଳିବତୀ କନ୍ୟା ପରି ।

 

ବିଜୁଳିରେ କ’ଣ ନିଆଁ ଥାଏ ?

 

ବିଜୁଳି ମାରିଲେ କେମିତି ଆଲୁଅ ହୁଏ । ସାରା ସଂସାର ଦେଖାଯାଏ । ଜାଣିଛୁନା, କୃଷ୍ଣ ଜନ୍ମବେଳେ ଅନ୍ଧାରରେ ବିଜୁଳି କନ୍ୟା ବସୁଦେବଙ୍କୁ ବାଟ କଢ଼ାଇ ଥିଲା । ବିଜୁଳି ନ ଥିଲେ ମେଘ ଅନ୍ଧାରରେ ଆଲୁଅ ହେବ ନାହିଁ ।

 

ବିଜୁଳି କ’ଣ ନିଆଁ ପରି ?

 

ହଁ ଲୋ ସୁନା, ଖୁବ୍ ନାଲି, ଠିକ୍ ତୋ ଦିହ ରଙ୍ଗପରି ।

 

ମୋ ଦିହ କ’ଣ ବିଜୁଳି ପରି ନାଲି ?

 

ବାଇଆ ସୁନା ପାଖକୁ ଆସି ଖୋଲା ପିଠିରେ ଓହଳା କାନିକୁ ଘୋଡ଼ାଇ ଆଣିଲା । ସୁନା ବାଇଆ ପାଖକୁ ଖୁବ୍ ଲାଗି ଆସୁଥିଲା ।

 

ବାଇଆ ବେଳ କେତେ ଅଛି ?

 

ବହୁତ ଅଛି ବେଳ ବୁଡ଼ିବାକୁ ।

 

ସୁନା, ମକୁ ଭାଇ କହିଛି ମୁଁ ସହରରେ ଚାକିରି କରିବି । ତା’ କଳରେ ସେ ମୋତେ ରଖି ଦେବ । ବାବୁ କହିଛନ୍ତି, ଆସନ୍ତା ମାସରେ ମୋର ଚାକିରି ହୋଇଯିବ । ବାବୁ ଘରେ ମକୁ ଭାଇ କାମ କରେ । ତାର ସୁନ୍ଦର ସୁନ୍ଦର ପୁଅ ଝିଅ ଦୁଇଟି । ଆମ ବାରି କାକୁଡ଼ି ଦେଖି ଭାରୀ ଖୁସୀ ହୋଇଗଲେ । କହିଛନ୍ତି ପୁଣି ନେବାକୁ । ସେମାନେ ଖୁବ୍ ମେଳାପୀ । ଭାରି ସୁନ୍ଦର ସୁନ୍ଦର ପୋଷାକ ପିନ୍ଧନ୍ତି । ମୋଟର ଗାଡ଼ିରେ ନିତି ପଢ଼ିବାକୁ ଯାଆନ୍ତି ।

 

ସୁନା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ସତରେ ବାଇଆ ତୁ ମୋତେ ଛାଡ଼ି ଚାଲିଯିବୁ ? ଏ ଗାଁକୁ ଆଉ ଆସିବୁନି । ମୁଁ ଶୁଣିଛି ସେ ରାଇଜରେ ମାଇପେମାନେ ଭାରି କୁହୁକ ଜାଣନ୍ତି । ଯେ ଯାଏ ସେ ଫେରେ ନାହିଁ । ସେମାନେ ମନ୍ତର କରି ପୁରୁଷକୁ ରଖିଦିଅନ୍ତି । ତୁ ଗଲେ ଆଉ ଫେରିବୁଟି ? ସୁନା ମୁହଁରେ ଉଦାସ—ବିଷାଦର ଛାୟା । ହସିଲା ମୁହଁଟି ହଠାତ୍ ବନ୍ଦ ହୋଇଗଲା-। ଲମ୍ବା ନିଶ୍ଵାସ ପକାଇ ସୁନା ନୀରବ ହୋଇଗଲା ।

 

ବାଇଆ ସୁନାର ଲୁହବୋଳା ମୁହଁକୁ ଦେଖି କହିଲା, ନା, ସୁନା ମୁଁ କ’ଣ ତୋତେ ଛାଡ଼ି ଚାଲିଯାଉଛି । ଗଲେ ମୁଁ ତ ସବୁ ମାସରେ ଆସିବି । କେତେ ବାଟ ଯେ ସକାଳେ ବସିଲେ ସଞ୍ଜରେ ଘରେ ପହଞ୍ଚିଯିବି । ଫି ମାସରେ ତୋ ପାଇଁ ଭଲ ଜିନିଷ ଆଣିବି । ଜାଣୁନା, ମୁଁ ଟଙ୍କା ରଖିଲେ ତୋତେ ଡାକ୍ତର ଦେଖାଇ ତୋ ଆଖିକୁ ଭଲ କରିଦେବି । ତୁ ସବୁ ଦେଖିପାରିବୁ ।

 

ସୁନା ଆନନ୍ଦରେ କୁରୁଳି ଉଠିଲା । ବାଇଆ ହାତକୁ ଜାବୁଡ଼ିଧରି କହିଲା, ସତେ ମୁଁ କ’ଣ ତୋପରି ସବୁ ଦେଖିପାରିବି । ଆଖି କ’ଣ ସତରେ ଫେରି ଆସେ ? ମୁଁ ସହର ଯିବି ନା ? ସେଠାରେ ସବୁ ଦେଖିପାରିବି ନା ? ସେଠାରେ ସବୁ ଅଛି ନା ? ମୋ ଆଖି କ’ଣ କଢ଼ାହୋଇ ନୂଆ ଲାଗିବ ?

 

ହଁ ସୁନା ତୁ ସବୁ ଦେଖିପାରିବୁ । ଥରେ ଦେଖିଲେ ତୁ ସହରକୁ ଆସିବାକୁ ଇଚ୍ଛା କରିବୁନି । ସହରଟା କେତେ ଭଲ । କେତେ ରକମର ଲୋକ ଅଛନ୍ତି । ଭାଇ କହୁଥିଲା ପାଞ୍ଚଶହ ଟଙ୍କା ହୋଇଗଲେ ସବୁ ହୋଇଯିବ । ସୁନା ଏତେ ଟଙ୍କା କଥା ଶୁଣି ନୀରବ ହୋଇଗଲା ।

 

ଧୀରେ ଧୀରେ କହିଲା, ପାଞ୍ଚଶହ ! କେତେ ଟଙ୍କାରେ ? ତୁ କେଉଁଠୁ ଆଣିବୁ ? କେମିତି କମାଇବୁ ?

 

ତୁ ସୁନା କାହିଁକି ବ୍ୟସ୍ତ ହେଉଛୁ । ମୁଁ ମାସକୁ କୋଡ଼ିଏ ଟଙ୍କା କରି ରଖିଲେ ଦୁଇ ତିନି ବର୍ଷରେ ହୋଇଯିବ । ତାହାପରେ ମୁଁ ତୋତେ ସହରକୁ ନେଇଯିବି । ଆଉ ତୁ ଭଲ ହୋଇଗଲେ ମୋ ପାଇଁ ରାନ୍ଧିବୁ । ଘର ଜଗିବୁ । ଜାମା ପେଣ୍ଟ ସଫା କରିବୁ । ସେଠାରେ ସିନେମା ଦେଖିବା । ଗାଡ଼ି ଘୋଡ଼ା କେତେ ଯେ ତୋ ଆଖି ଖୋସି ହୋଇଯିବ ।

 

ହଁ ବାଇଆ ଏତେଗୁଡ଼େ ଦିନ ମୁଁ କ’ଣ କରିବି । ଏକୁଟିଆ ଖାଲି ବସିଥିବି । କିଏ ମୋତେ ଗପ କହିବ । ଫୁଲ ଦେବ ।

 

ତୁ ବ୍ୟସ୍ତ ହୁଅନା । ସବୁ ହୋଇଯିବ । ମୁଁ ଯେମିତି ଯାଇଥିଲି ତୁ ତ ଚଳୁଥିଲୁ । ସେହିପରି ଚଳିଯିବୁ । ମୁଁ ତ ପ୍ରତ୍ୟେକ ମାସରେ ଥରେ ଦୁଇଥର ଆସିବି । ଟଙ୍କା ରଖିଲେ ତୁ ତ ଭଲ ହୋଇଯିବୁ ।

 

ସୁନେଲି ଆକାଶର ତାରା ବଡ଼ ଚିକ୍ ଚିକ୍ ଦେଖା ଯାଉଥିଲେ । ମଲ୍ଲୀ ଫୁଲିଆ ଗନ୍ଧ । ପକ୍ଷୀଗୁଡ଼ାକ ବଡ଼ ସ୍ଵରରେ ଗାଇ ଉଠିଲେ । କୁକୁଡ଼ା ନୁହେଁ କି କାଉ ନୁହେଁ । ମଣିଷ ସ୍ଵର ଶବ୍ଦ ନାହିଁ-। ମିଶି ଯାଇଥିଲେ ପାହାନ୍ତିଆ ଡାକରେ । ସତ୍ତ୍ଵା ଲିଭି ଯାଇଥିଲା କେଉଁ ଅନ୍ଧାର ପଣତ ତଳେ-। ଆଖିବସା ଅନ୍ଧାରରେ ସବୁ ନିଶ୍ଚିହ୍ନ, ନିଶବ୍ଦ । ଜହ୍ନଟା ଜଳୁଥିଲା କି ଶୋଇ ପଡ଼ିଥିଲା, ତା’ ଚଲା ବାଟରେ କିଏ ଜାଣେ ।

 

କି ସୁନ୍ଦର ଦୁନିଆ । କ୍ଷେତି, ବାଡ଼ି, ଗଛ ନଦନଦୀ ମେଲି ଯାଇଥିଲା ବହୁତ ଦୂରକୁ । ଛୋଟ ଆଖିଟା ଦୂରକୁ ଆଉ ପାଉନାହିଁ । ଦେଖିଲେ ସବୁ ଯେପରି ଅନ୍ଧାରରେ ମିଶି ଯାଇଛି ଆଉ ଏକ ଗୋଲ ଦୁନିଆରେ । ସବୁଜ ପତ୍ରଗୁଡ଼ାକ ହଲି ହଲି ପବନରେ ଖେଳୁ ଥିଲା । ମହୁମାଛିଗୁଡ଼ାକ ଉଡ଼ି ଯାଉଥିଲେ ଗୋଟିଏ ଫୁଲରୁ ଫୁଟିଥିବା ଅନେକ ଫୁଲକୁ । ଧାଡ଼ି ଧାଡ଼ି କୋଠା । ଆଲୁଅରେ ଜଳି ଉଠିଛି । ଭାରି ସୁନ୍ଦର ଝରକା ଦୁଆର ମୁହଁ । କାନ୍ଥଗୁଡ଼ାକ ପଦ୍ମଫୁଲ ପରି ପାଲିସି । ଆଖି ଚକମକ କରି ଉଠୁଛି । କେଡ଼େ ସୁନ୍ଦର ଫୁଲ ବଗିଚା । ଗଣ୍ଡା ଗଣ୍ଡା ମାଳୀ, ଚାକର, ପୋଇଲି ।

 

ସୁନା ଥିରି ଥିରି ପାଦ ପକାଇଲା । ଡରି ଡରି ଚାରିଆଡ଼କୁ ଚାହିଁଲା । ପଛକୁ ଯିବ କି ଆଗକୁ, ଭାବି ପାରିଲା ନାହିଁ । ପଚାରିବି କି ନାହିଁ ମୁହଁ ଟେକି ପାରିଲା ନାହିଁ । ପାଖରେ କେହି ନାହାନ୍ତି । ପଚାରୁ ନାହାନ୍ତି ତାକୁ କେହି କିଛି । ବସିବାକୁ କହୁ ନାହାନ୍ତି । ସମସ୍ତଙ୍କ ପାଟି ଯେପରି ବନ୍ଦ ହୋଇଯାଇଛି । ନା ଏଗୁଡ଼ାକ କାଲା, ମୂକ, କଥା କହି ପାରନ୍ତି ନାହିଁ । ଦେଖିପାରୁ ନାହାନ୍ତି । ଅନ୍ଧ ହୋଇଥିବେ । ଆଶ୍ଚର୍ଯ୍ୟ ଲାଗିଲା ଏମାନେ କିପରି କାମ କରୁଛନ୍ତି । ଦୟା ମାୟା ଟିକିଏ ନାହିଁ-। ଏମାନେ ମଣିଷ ନା କଳରୁ ବାହାରିଛନ୍ତି । ବିଶ୍ଵାସ ଆଖିଟି ଅବିଶ୍ଵାସ କରି ଉଠିଲା । ସତେ ଯେପରି ଏମାନେ ରାକ୍ଷସ । ଏଡ଼େ ସୁନ୍ଦର ବେଶ ଭୂଷା ହୋଇ ରାକ୍ଷସ ହୋଇପାରିବେ ? ଏଡ଼େ ସୁନ୍ଦର ସହରରେ ବାସକରି ଏମାନେ ଅବିଶ୍ଵାସ କରିପାରିବେ ? ନା ତାହା କଦାପି ହୋଇ ନ ପାରେ । ପ୍ରଚଣ୍ଡ ଧକ୍‌କା ଖାଇ ସୁନା ପାହାଚ ତଳକୁ ଗଡ଼ି ପଡ଼ୁଥିଲା । ଡର ଲାଗିଲା ଆଉ ଥରେ ଚାହିଁବାକୁ । ପାଟି ଫିଟାଇ କହିବାକୁ ସାହସ ହେଲା ନାହିଁ । ଏମାନେ ପୁଣି ଧରି ନେଇଯିବେ ସେ ଅବିଶ୍ଵାସ ସହରକୁ । ପୁଣି ଯନ୍ତ୍ରଣା ଦେବେ ।

 

ସୁନା ଗାଡ଼ିରୁ ଓହ୍ଲାଇ ସହରକୁ ଗଲା । ପାଖରେ ପରିଚିତ ବାଇଆ । ଖୁବ୍ ପରିଚିତ । ପିଲାଦିନର ସାଙ୍ଗ । ମନର ମଣିଷ । ଦୁଃଖ ବୁଝିଛି । ପାଖେ ପାଖେ ରହିଛି । ବୁଝାଇଛି ସବୁଦିନ ପାଇଁ ରଖିବାକୁ । ଟଙ୍କା କମାଇଛି । ଘର କରିଛି । ବିଡ଼ା ବିଡ଼ା ଟଙ୍କା ସିନ୍ଦୁକରେ । ସୁନା ବିଭୋର ହୋଇ ବାଇଆକୁ କୁଣ୍ଢାଇ ପକାଇଲା । ଗହଣାଗୁଡ଼ିକ ଦେଖି ସୁନା ଆଖି ବୁଜିଦେଲା । ଲୁଗାର ପାହାଡ଼ । ସୁନ୍ଦର ଫୁଲ ବଗିଚା । ନୂଆ ଜିନିଷଗୁଡ଼ିକ ସୁନା ବୁଝି ପାରିଲା ନାହିଁ । ଶୁଣିଲେ ସୁଦ୍ଧା ମନେ ରଖି ପାରିଲା ନାହିଁ । ଦେଖି ଦେଖି ସେ ଥକି ଯାଇଥିଲା । ପଚାରି ପଚାରି ତଣ୍ଟି ତାର ଅଠା ହୋଇ ଯାଇଥିଲା । ଧୀରେ ଧୀରେ ଆଖି ବୁଜି ଶୋଇ ପଡ଼ିଲା ।

 

ସୁନା ନିଜ ଦେହକୁ ଚାହିଁଲା । ସୁନାପରି ଦେହ । ଭଅଁର ପରି ଲମ୍ବା ବାଳ । ଦାନ୍ତଗୁଡ଼ାକ ମଲ୍ଲୀଫୁଲ । ଦେହ ସାରା ଅଳଙ୍କାର କି ବେଶ । ସରଗପରୀ ପରି ଦେଖାଯାଉଛି । ନିଜର ଛବିକୁ ଦେଖି ସୁନା ବିଶ୍ଵାସ କରିପାରିଲା ନାହିଁ । ବାର ବାର ଚାହିଁ ରହିଲା ସେହି ଦର୍ପଣଆଡ଼େ । ଥୁଆ ହୋଇଥିବା ଗୋଟି ଗୋଟି ଜିନିଷକୁ ସେ ଖଞ୍ଜିବାକୁ ଲାଗିଲା । ତାହାର ଯେପରି ଶେଷ ନାହିଁ । ସେ ଆରମ୍ଭକୁ ଏକାବେଳକେ ପାଶୋରି ଯାଇଥିଲା । ମନେ ନାହିଁ କେଉଁ ଜିନିଷ କେଉଁଠି ଖଞ୍ଜିଥିଲା । ପଚାରିବାକୁ ଲାଜ ମାଡ଼ୁଥାଏ । ଜିଭ ନେଉଟିଲା ନାହିଁ । ନିଶୂନ୍ ଘରଟାରେ କେହି ନାହାନ୍ତି । ବିଲେଇ କୁକୁର ଚୁପ୍‌ଚାପ୍‌ । ଆଖି ବୁଲାଇଲା ଚାରିଆଡ଼େ । ବାହାରକୁ ଆସି ଦେଖିଲା ଲୋକମାନେ କାମ କରୁଛନ୍ତି । କଳପରି ଚାଲ ବୁଲ କରୁଛନ୍ତି । ଖୁବ୍ ଧୀରେ । ପତର ପଡ଼ିଲେ ଶବ୍ଦ ହେବ । କାନ ଡେରିଲେ ସବୁ ଶୁଣାଯିବ । ସେମାନେ କ’ଣ କରୁଛନ୍ତି ।

 

ମନେ ମନେ ସୁନା କୁରୁଳି ଉଠିଲା । ଲାଜୁଆ ଛୋଟ ଛୋଟ ଆଖି ଦୁଇଟି ଟେକି ସେ ଚାହିଁ ପାରିଲା ନାହିଁ । ନାଲି ଓଠ ଦୁଇଟି ଥରି ଉଠିଲା । ସରୁ ସରୁ ଆଙ୍ଗୁଳିରେ ସେ କାଟି ଚାଲିଲା କେତେ ରେଖା । ଗୁଳା ଗୁଳା ଗାରଗୁଡ଼ିକ ମିଶି ଯାଉଥିଲା ଏଣେ ତେଣେ । ଲମ୍ବିଥିବା କଳାବେଣୀ ଦୁଇଟିରୁ ଖସି ପଡ଼ୁଥିଲା ପାଖୁଡ଼ା ପାଖୁଡ଼ା ନାନା ଜାତିର ସୁନ୍ଦର ଫୁଲ । ବଡ଼ ମହକ ସେ ଝରା ଫୁଲ । ଆଗରେ ବାଇଆ । ପୋଷାକରେ ଜଳି ଉଠୁଥିଲା ସାରା ଦେହ । ଗୋରା ତକ ତକ ପାଞ୍ଚହାତିଆ ମରଦ । କି ସୁନ୍ଦର କୁଞ୍ଚିକୁଞ୍ଚିଆ ବାଳ । ଗୋଲ ମୁହଁ । ତୀକ୍ଷ୍‌ଣ ନାକ । ଉଚ୍ଚ କପାଳ । ଜରିଲଗା ସରୁ ଲୁଗା । ଜରି ପୋଷାକ । ଠିକ୍ ରଜା ପୁଅପରି । ବାଇଆ ମିଛିମିଛିକା ହସୁଥିଲା । ମିଠା ମିଠା କଥା କହୁଥାଏ । ସୁନ୍ଦର ସୁନ୍ଦର ଫୁଲ ବାଳରେ ଖୋସି ଦେଉଥାଏ ।

 

କଳା ରାତିର ନିଝୁମ୍‍ ଝଡ଼ରେ ଘରଟି କମ୍ପିବାକୁ ଲାଗିଲା । ଚାରିଆଡ଼େ ଅନ୍ଧାର । ବାହାରେ ଘୋର ବର୍ଷା, ପବନ । ଗଛମାନ ଉପୁଡ଼ି ପଡ଼ୁଛି । ଗୃହଟି କମ୍ପିବାକୁ ଲାଗିଲା । ଭୂମିକମ୍ପ । ଚାରିଆଡ଼େ ସେହି ଚିତ୍କାର । କାନ୍ଦଣା ସ୍ଵରଗୁଡ଼ିକ ମିଳାଇ ଯାଉଥିଲା ଦୂରରେ । ପବନ ଧକ୍‌କାରେ କାଚ ଝରକାଗୁଡ଼ିକ ମଡ଼ ମଡ଼ ହୋଇ ଭାଙ୍ଗିଗଲା । ଖଣ୍ଡ ଖଣ୍ଡ କାଚ ଶରଭଳି ଦେହରେ ଗଳି ଯାଉଛି । ବାଇଆ ଆଖିରେ ଦୁଇଟି କାଚ ଗଳିଯାଇ ରକ୍ତର ସୁଅ ଛୁଟି ଚାଲିଲା । ସୁନା ଚିତ୍କାର କରି ଉଠିଲା । ବନ୍ଧା ଯାଇଥିବା ଆଖିର ପଟିରେ ସୁନା କିଛି ଦେଖି ପାରିଲା ନାହିଁ । ଶୁଣି ପାରିଲା ନାହିଁ ନିଶୂନ୍‍ ରାତିରେ । ସବୁଆଡ଼େ ସେହିପରି ସ୍ଥିର, ନିଶବ୍ଦ । ଲୁହା ଖଟିଆରୁ ଗଡ଼ି ପଡ଼ି ତାର ଚେତା ବୁଡ଼ି ଆସୁଥିଲା । ଡାକିବାକୁ ପାଟି ଖୋଲିଲା ନାହିଁ । ଦୁଇ ଚାରୋଟି ଖଟିଆ ଛାଡ଼ି ଶୋଇଥିବା ଅନ୍ଧଟି ଚିତ୍କାର କରି ଉଠିଲା । ସକାଳର ଅନ୍ଧାର ଧୀରେ ଧୀରେ ଫିଟି ଆସୁଥିଲା । ଥଣ୍ଡା ପବନ ବାଜିବା ପୂର୍ବରୁ ଦେହଟି ବରଫ ପାଲଟି ଯାଇଥିଲା । ଡାକ୍ତର ଫେରି ଯାଉଥିଲେ ଇଞ୍ଜେକ୍‌ସିନ୍‌ ହାତରେ । ଉଠିଥିବା ନମ୍ବରଟି ନିଶୂନ୍‍ ହୋଇ ଧଳା ଦେହରେ ମିଶି ଯାଇଥିଲା ।

Image

 

ଅଭିଶପ୍ତ-କବର

 

ଧୀରେ ଧୀରେ ରାତିଟି ବଢ଼ୁଥିଲା ମସିଆ ଜହ୍ନରେ । ଆଗ-ପଛରେ ଜନଶୂନ୍ୟ ରାସ୍ତାଟି ଦୁଇପଟୁ ମିଶିଯାଇ ଥିଲା ମୋ ପାଦ ଦୁଇଟିରେ । ଠକ୍‌ ଠକ୍‌ ଯୋତା ଶବ୍ଦଗୁଡ଼ିକ କାନରେ ପଶି ମୋତେ ଭିଡ଼ୁଥିଲା ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ । ଚାଲିଥିବା ବାଟ ମୋର ଖୁବ୍‌ ପରିଚିତ । ପିଲାଦିନର ନ ହେଲେ ମଧ୍ୟ–ଛାଡ଼ି ଥିବା ସ୍କୁଲ ଦିନଗୁଡ଼ିକରେ ଅତି ନିବିଡ଼ ସଂପର୍କ ଥିଲା । ଆଜି ନୁହେଁ, ବହୁ ବର୍ଷ ତଳେ ଆମେ ଶୁଣି ଆସୁଥିଲୁ ଅନେକ କଥା । ଘଣ୍ଟା ଘଣ୍ଟା ଆଲୋଚନା ସମାଲୋଚନା କରିଥିଲୁ କୌଣସି ଦିନ ତାହାକୁ ପରୀକ୍ଷା କରିବାକୁ । ବର୍ଷ ଗଡ଼ି ଯିବା ପରେ ଆମେ ପଛେଇ ଆସିଥିଲୁ ସେ ପରୀକ୍ଷା ଗୃହରୁ । ସେ ନିର୍ଜ୍ଜନ ସ୍ଥାନଟି ସେହିପରି ପଡ଼ି ରହିଥିଲା ଆମ ଆଖି ଆଗରେ । ନିର୍ଜ୍ଜନତାରେ ଛାତି ଥରାଇ ଦେଉଥିଲେ ମଧ୍ୟ ଆମେ କେହି ସାହସ କରି ନ ଥିଲୁ ଏକାକୀ ସେହି ବିପଦକୁ ବରଣ କରିବାକୁ ।

 

କଳା ବଉଦରେ ଜହ୍ନ ଆହୁରି ମସିଆ ହୋଇଗଲା । ଝାପ୍‍ସା କଳାରାସ୍ତା କୃଷ୍ଣ ସର୍ପ ପରି ଦେଖାଗଲା । ଠିକ୍‌ ରୂପେ ବାରି ହେଲା ନାହିଁ ଦୁଇପଟ ମାଟି ରାସ୍ତା । ଲିଭି ଯାଉଥିବା ସହର ଶୋଇ ଯାଇଥିଲା ନିଘୋଡ଼ ନିଦରେ । ନିଶବ୍ଦରେ ଛାତି ଥରାଇ ଥରେ ଥରେ ସେହି ବୁଲା କୁକୁରର ଚିତ୍କାର; ସମୟ ଅସମୟରେ ବାରି ହେଉ ନ ଥିବା ଶବ୍ଦଗୁଡ଼ାକ କାନରେ ପଶି ଛାତି ଥରାଇ ଦେଉଥାଏ । ପରମୁହୂର୍ତ୍ତରେ ଜୋତାର ଶବ୍ଦରେ ମିଶିଯାଇ ମନରେ ସାହସ ଆସୁଥିଲା—ମୁଁ ଏ ସହରର ବାସିନ୍ଦା । ଗାଁ-ଗଣ୍ଡା, ସହର-ବଜାର, ରାସ୍ତା ଘାଟ ସବୁ ଥିରେ ମୁଁ ଥିଲି ଖୁବ୍‌ ପରିଚିତ । କେତୋଟି ଏପଟ ସେପଟ ହୋଇ ବଦଳି ଯାଇଥିଲେ ମଧ୍ୟ ଦେଖିଲେ ଚିହ୍ନି ହୋଇଯାଏ । କହିଲେ ସ୍ଵର ଜଣାପଡ଼େ । ପରିଚୟ ଦେଲେ ଆଶ୍ୱାସନା ମିଳେ ମୁଁ ସେମାନଙ୍କ ସଙ୍ଗେ ସମ୍ବନ୍ଧ ରଖିଥିଲି । ସେମାନେ ମୋତେ ଚିହ୍ନନ୍ତି ହେତୁ ପାଇବା ଦିନରୁ ।

 

ପାଦ ଦୁଇଟି ମିଶନ ପଡ଼ିଆ ସାମାନ୍ୟ ଦୂରରେ ଅଟକି ଯାଇଥିଲା ଏକ କାନ୍ଦଣା ସ୍ଵରରେ । ଧଳା ଚର୍ଚ୍ଚଟି ଠିକ୍‌ ହୋଇ ବାରି ହେଉ ନ ଥିଲା ଦୂରରୁ । ତଥାପି ପୁରୁଣା ଆଖିରେ ଏକ ରୂପକଳ୍ପ ଭିତରେ ଛିଡ଼ା ହୋଇଥିଲା ବହୁତ ଦିନରୁ । ଫାଦର ଜନ୍‌ଙ୍କ ମୃତ୍ୟୁ ପରେ କେହି ସେଠାରେ ରହିବାକୁ ସାହସ କରୁ ନ ଥିଲେ । ଦୀର୍ଘ ଦିନର ବିଦେଶୀ ଧର୍ମଯାଜକ ବାସିନ୍ଦାମାନଙ୍କ ପାଖେ ଖୁବ୍‌ ପରିଚିତ ଥିଲେ । ନିଜ ଭାଷା ରୀତିନୀତି ଛାଡ଼ି ସେ ଭାରତୀୟ ହୋଇ ଯାଇଥିଲେ । ନିଜ ଅର୍ଥରେ ସେ ମିଶନ, ଚର୍ଚ୍ଚ ସବୁ ଗଢ଼ାଇ ଥିଲେ । ନିରକ୍ଷର ଲୋକମାନଙ୍କୁ ଶିକ୍ଷା ଦେଇଥିଲେ । ଦୁର୍ଭିକ୍ଷ ବେଳେ ସାହାଯ୍ୟ କରିଥିଲେ । ଘରେ ଘରେ ବୁଲି ଭଗବାନ ଯୀଶୁଙ୍କ ବାଣୀ ପ୍ରଚାର କରିଥିଲେ । ଯୀଶୁଙ୍କ ଧର୍ମରେ ଦୀକ୍ଷିତ ସନ୍ତାନଙ୍କ ପାଇଁ ସେ ପ୍ରାଣ ଦେବାକୁ ପଛାଉ ନ ଥିଲେ । ଏତେ ବଡ଼ ନିର୍ଜ୍ଜନ ମହଲରେ ସେ ଏକା ରହି ଆସୁଥିଲେ ମଲା ପର୍ଯ୍ୟନ୍ତ ।

 

ଫାଦରଙ୍କ ରହସ୍ୟଜନକ ମୃତ୍ୟୁ କଥା ସାରା ସହରରେ ବ୍ୟାପୀ ଯାଇଥିଲା । ବଡ଼ ବଡ଼ ମହଲରେ ତନାଘନା ଭାବେ ତଦନ୍ତ କରାଯାଇଥିଲେ ମଧ୍ୟ ତାହା ଠିକ୍‌ ଭାବେ ଜଣା ପଡ଼ି ନ ଥିଲା-। ଆଉ ଫାଦରଙ୍କ ସଙ୍ଗେ ରହୁଥିବା ତାଙ୍କର ଯୁବତୀ କନ୍ୟାର ଖୋଜ ଖବର କିଛି ମିଳି ନ ଥିଲା ।

 

ମ୍ଳାନ ଆଲୋକରେ ଧୀରେ ଧୀରେ ମୁଁ ଆଗେଇ ଚାଲିଲି । ହୃଦୟର ସ୍ପନ୍ଦନ ସେତିକି ବଢ଼ିବାକୁ ଲାଗିଲା । ଜୋତାର ଶବ୍ଦ କମି ଆସୁଥିଲା ମୋର କ୍ରମାୟତ ଗତିରେ । ପଡ଼ିଥିବା କଳା ପିଚୁରାସ୍ତା ଛାଡ଼ି ମୁଁ ଆଗେଇ ଯାଇଥିଲି ଭାସି ଆସୁଥିବା ନାରୀ କଣ୍ଠର କ୍ରନ୍ଦନ ଭିତରକୁ । ଆଗରେ ଗୋଟି ଗୋଟି ଧଳା କବର । ଧାଡ଼ି ହୋଇ ଲମ୍ବି ଯାଇଥିଲା ଚର୍ଚ୍ଚଠାରୁ ବହୁ ଦୂରରେ । ଉଠିଥିବା ଉଚ୍ଚା କାନ୍ଥ ଦେହକୁ ଲାଗି ଅସଂଖ୍ୟ ଗହଳି ବୃକ୍ଷ । ଡାଳଗୁଡ଼ିକ ଶୋଇ ପଡ଼ିଥିଲା ଏପଟ ସେପଟ ହୋଇ କବର ଦେହରେ । ଚଲା ସରୁ ରାସ୍ତାର ଦୁଇ ପାଖରେ ବିଭିନ୍ନ ଜାତିର ଫୁଲ । ଚିହ୍ନି ହେଉ ନ ଥିଲା ସେହି ଝାପ୍‍ସା ଆଲୁଅରେ । ସୁବାସିତ ପୁଷ୍ପର ଗନ୍ଧ ନାକରେ ବାଜୁଥିଲେ ସୁଦ୍ଧା ଠିକ୍‌ କରି ବାରି ପାରୁ ନ ଥିଲି ସେ ଅସଜଡ଼ା କବରଖାନାକୁ । ଫାଦରଙ୍କ ମଲାପରେ ତାହା ଯେପରି ବିଶେଷ ବିଚ୍ଛିନ୍ନ ହୋଇ ଯାଇଥିଲା । ସନ୍ଧ୍ୟା ପରେ କାହାର ପାଦ ପଡ଼ୁଥିବା ପରି ମନେ ହୁଏନାହିଁ ।

 

ଚମକି ପଡ଼ିଲି ପାଖ ଗଛରୁ କେତୋଟି ପକ୍ଷୀ ଫଡ଼ ଫଡ଼ ହୋଇ ଉଡ଼ୁଥିଲେ । ମୁଣ୍ଡ ଦେଇ ମାଡ଼ି ଆସିଥିବା ଛାଇ କିଛି କ୍ଷଣ ଦୋହଲି ଯାଇ ସ୍ତବ୍‌ଧ ହୋଇ ଯାଇଥିଲା । ନିଜକୁ ସୁଦୃଢ଼ କରି ମୁଁ ଆଗେଇ ଚାଲିଲି ନିକଟରେ କାନ୍ଦଣା କବର ପାଖକୁ । ନାରୀ କଣ୍ଠ ଖୁବ୍‌ ସ୍ପଷ୍ଟ ରୂପେ ବାରି ହୋଇ ଯାଉଥିଲା ତିନି ଚାରୋଟି କବରକୁ ବାଦ୍‌ ଦେଇ ।

 

ବଡ଼ କବରଟି ଜଣା ପଡ଼ି ଯାଉଥିଲା ପାଖ କବରଗୁଡ଼ିକ ମଧ୍ୟରୁ । ବେଶୀ ଉଚ୍ଚ ନ ହେଲେ ମଧ୍ୟ ସ୍ଥାନଟି ପରିଷ୍କାର ଥିଲା । ଆଉ ନିଶୁଭ୍ର ବତୀଟି ଭିତରେ ଜଳୁଥିଲା ସିଧା ହୋଇ । ଧୂପର ଗନ୍ଧ । ପାଖରେ କେତେ ଗୋଟି ଫୁଲମାଳ । କେହି ଯେପରି ଆସିବା ପୂର୍ବରୁ ସ୍ଥାନକୁ ତ୍ୟାଗ କରିଛି । ବତୀଟି ବେଶୀ ସମୟ ଜଳିଥିବା ପରି ମନେ ହେଉ ନାହିଁ । ଚାହିଁଲି ଅନ୍ୟ କବରଗୁଡ଼ିକୁ । ସେହିପରି ନିଶବ୍ଦ । ନିର୍ଜ୍ଜନତାରେ ଭରି ଯାଇଥିଲା ସାରା କବରଖାନାଟି ।

 

ରୁଣୁ ଝୁଣୁ ଶବ୍ଦରେ ପଛକୁ ଚାହିଁଲି । ହଠାତ୍‌ ବିଶ୍ଵାସ କରିପାରିଲି ନାହିଁ ଚକ୍ଷୁ ଦୁଇଟିକୁ । ଦୁଇଥର ହାତରେ ପୋଛି ପୁଣି ଚାହିଁଲି । ନାରୀଟି ଏକ ଲୟରେ ମୋତେ ଅନାଇଛନ୍ତି । ଅବଗୁଣ୍ଠନର ଝୀନ ଉତ୍ତରୀୟ ଦେଇ ସୁନ୍ଦର ମୁହଁଟି ଦୀପ ଆଲୋକରେ ଝଲସି ଉଠୁଛି । ଥାଳୀରେ ଦୁଇଟି ଦୀପ, ଫୁଲମାଳ । ସରୁ ସରୁ ଗୋରା ଆଙ୍ଗୁଳିରେ ସ୍ଫଟିକ ଅଙ୍ଗୁରୀୟ । ଲମ୍ଵିଲା କଜ୍ଜଳ ଚକ୍ଷୁ ଦୁଇଟି ବୁଜିଥିବାପରି ମନେ ହେଲା । ନାଲି ଓଷ୍ଠରେ ଭୟ କି କାତରତା ଲେଶ ମାତ୍ର ଚିହ୍ନ ନାହିଁ । ଦାମିକା ଶାଢ଼ିଟି ଦୀପାଲୋକରେ ଚକମକ ହେଉଥିଲା । ନାରୀଟି ଆଗକୁ କି ପଛକୁ ଯିବାର ଚଞ୍ଚଳତା ଦେଖାଉ ନ ଥିଲେ । ମଥାରେ ନାଲି ସିନ୍ଦୁର ବିନ୍ଦୁ । ହାତରେ ଆଲୋକ ବାହାରୁଥିବା ଶଙ୍ଖା ଚୁଡ଼ି । ଆଙ୍କିଲା ଭ୍ରୂଲତା ଦୁଇଟି ସରୁ ହୋଇ ମିଶିଯାଇଛି ଆଖିପତା ଦେହରେ । ସୁଗୋଲ ମୁହଁରେ ପ୍ରସନ୍ନତା ଢେଉ ଖେଳୁଛି । ଅଜନ୍ତା ନୃତ୍ୟରତା ମୂର୍ତ୍ତିପରି ସେହି ଛିଡ଼ା ହୋଇ ରହିଥିଲେ ମୋଠାରୁ କେତେ ଫୁଟ ଦୂରରେ ।

 

ନିଶବ୍ଦତାକୁ କାଟି ସେ ପାଖେଇ ଆସିଲେ ସେହି ଉଚ୍ଚ କବର ପାଖକୁ । ଚକ୍ଷୁ ଦୁଇଟି ଘୂରି ଆସିଲା ଜ୍ଵଳନ୍ତା ଦୀପର ଗତିରେ । ଆଣ୍ଠୁମାଡ଼ି କବର ବେଦୀ ପାଖେ ବସି ମାଳା ଚଢ଼ାଇ ଧୂପ ଲଗାଇଲେ । ଆଲୁଅଟି ପାଖରେ ଜଳୁଥାଏ । କେତୋଟି ମିନିଟ୍‌ ସେ ଅତି ଆସ୍ତେ ଆସ୍ତେ କ’ଣ ଆବୃତ୍ତି କରୁଥିଲେ ମୋର ଖିଆଲ ନାହିଁ । ତାଙ୍କର ରକ୍ତାଭ ଓଷ୍ଠ ଦୁଇଟିକୁ ମୁଁ ଚାହିଁ ରହିଥିଲି କରୁଣ ନୟନରେ ।

 

ନାରୀ ମୂର୍ତ୍ତି ମୋର ଖୁବ୍‌ ନିକଟତର ହୋଇ ଚାହିଁଲେ ଆପାଦମସ୍ତକ । ଥରିଲା ଚିବୁକରେ କ’ଣ ଯେପରି କହିବାକୁ ଯାଉଥିଲେ ପରମୁହୂର୍ତ୍ତରେ ଥରିଲା ଓଷ୍ଠ ଦୁଇଟି ସ୍ତବ୍‌ଧ ହୋଇ ଯାଉଥିଲା । ସେ ଆଗେଇ ଯାଉଥିଲେ ସରୁ ରାସ୍ତାରେ । ପାଚେରୀ ସେପଟ ଝଙ୍କାଳିଆ ବୃକ୍ଷ ତଳେ ସେ ନିଶ୍ଚିହ୍ନ ହୋଇଗଲେ । ଝାପ୍‍ସା କିରଣରେ ଛାୟାଟି ମନେ ହେଲା ଖୁବ୍‌ ଦୂରେଇ ଯାଇଛି ।

 

ମନେ ନାହିଁ ମୁଁ ଆଗେଇ ଯାଇଥିଲି ସେ ପାଚେରୀ ପାଖକୁ । ନିରୀକ୍ଷଣ କଲି ଚାରିପଟେ । ନିବୁଜ ପାଚେରୀରେ ଖୋଜିଲି ବାହାରି ଥିବା ରାସ୍ତା । ଛାଡ଼ି ଆସିଥିବା ଇଟାରେ ହାତ ଦେଇ ଉଠିବାକୁ ଚେଷ୍ଟା କରିଥିଲି । ହଲୁଥିବା ବୃକ୍ଷଟି ଆହୁରି ବଢ଼ି ଯାଇଥିଲା ଦୂରକୁ କଳା ବାଦଲରେ । ଧରିଥିବା ଡାଳଟି ମଡ଼ ମଡ଼ ହୋଇ ଓହଳି ଆସୁଥିଲା ତଳକୁ । ନିର୍ଜ୍ଜନ କବରଖାନାଟି କ୍ଷଣିକ ପାଇଁ କୋଳାହଳ ହୋଇ ଉଠିଲା ଅସଂଖ୍ୟ ପକ୍ଷୀ ରାବରେ । ଉଠିଥିବା କବରଖାନା ତଳେ ମୁଁ ଶୋଇ ପଡ଼ିଥିଲି ଖୁବ୍‌ ଧୀରେ ।

 

ମନେ ନାହିଁ କେତୋଟି ଦିନ ପରେ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଯାଇଥିଲି । ପୁଣି ଏକ ନିର୍ଜ୍ଜନ ରାତିରେ ମୁଁ ବାହାରି ଆସିଥିଲି କାହାକୁ କିଛି ନ କହି ସେ ଡାକ୍ତରଖାନାରୁ । କଦର୍ଯ୍ୟ ଆବଷ୍ଟନୀ ଭିତରେ ମୁଁ ଯେପରି ଅଣନିଶ୍ଵାସୀ ହୋଇଯାଇଥିଲି କେତୋଟି ଦିନ । ମୁଣ୍ଡର ଆଘାତ ଯୋଗୁ ମୁଁ ଚଞ୍ଚଳ ଗତିରେ ଆସିପାରୁ ନଥିଲି ମୋର ନିର୍ଦ୍ଧିଷ୍ଟ ସ୍ଥଳୀକୁ । କଳା ପିଚୁ ପାର ହେବା ପରେ ମୁଁ କବରଖାନା ଭିତରକୁ ଆଗେଇଲି । ଆଗରେ ଦେଖାଯାଉଥିବା ବଡ଼ କବର ପାଖେ ଛିଡ଼ା ହେଲି । ପୂର୍ବପରି ନାରୀ ଜଣକ ନୀରବରେ ଆବୃତ୍ତି କରି ଚାଲିଥିଲେ । ସୁସଜ୍ଜିତ ମାଳାଗୁଡ଼ିକ ବଡ଼ ସୁନ୍ଦର ଦେଖାଯାଉଥାଏ ସେହି ଆଲୁଅରେ । ସୁନ୍ଦରୀ ସ୍ତ୍ରୀଟିର ବେଶଭୂଷା ବଡ଼ ମାର୍ଜ୍ଜିତ ଥିଲା । ଦେହରେ ସେହି ପତଳା ଝୀନ ଉତ୍ତରୀୟ । ମୁହଁରେ ପ୍ରସନ୍ନତା । ବୁଜିଲା ଚକ୍ଷୁ ଦୁଇଟି ସରୁ ଗାର ପରି ଟାଣି ହୋଇ ରହିଥିଲା । ଓଷ୍ଠ ଦୁଇଟି ଗୋଲାପ କଢ଼ ପରି ବୁଜି ହୋଇ ଯାଇଥିଲା ।

 

ନାରୀ ଛାୟାଟି ମୋ ଚକ୍ଷୁର ସାମନାକୁ ଆସି ଛିଡ଼ା ହେଲେ । ଉତ୍ତରୀୟ ଦେଇ ପ୍ରସନ୍ନତାରେ ଚାହିଁଲେ । ହସିଲା ଆଖି ଦୁଇଟି ଆକର୍ଷଣୀୟ ହୋଇ ଉଠୁଥିଲା । ଲମ୍ବିତ ଘନ କବରୀ ଦେଇ ପୁଷ୍ପର ମାଳା । ସୁଗନ୍ଧରେ ମୁଁ ବିଚଳିତ ହୋଇଯାଉଥିଲି । ବାହାରି ଆସୁଥିବା କଥା କଣ୍ଠରେ ଅଟକି ଯାଇଥିଲା । ହସିଲା ଓଷ୍ଠରେ ସେ ଚାଲି ଯାଉଥିଲେ ଧୀରେ ଧୀରେ । ନିକଟତ୍ତର ହେଉଥିବା ପାଚେରୀକୁ ଦେଖି ମୁଁ ପାଦ ବଢ଼ାଇଲି ତାଙ୍କ ପଛରେ । ଆଲୋକ ଅନ୍ଧାର ମିଳନ ରେଖାରେ ଥାଇ ସେ କ୍ଷଣେ ପଛକୁ ଅନାଇଲେ । ଚଳନ୍ତା ପାଦ ଦୁଇଟି ମୋର ଶୀଥିଳ ହୋଇଆସିଲା ସେହି ଚାହାଣୀରେ । ପଥର ମୂର୍ତ୍ତିପରି ମୁଁ ଛିଡ଼ା ହୋଇ ରହିଲି । ଆଖି ଦୁଇଟି ବୁଜି ହୋଇଗଲା କେତୋଟି ମିନିଟ୍‌ ପାଇଁ । ପୁଣି ଆଖି ଖୋଲିଲି ସେହି ମିଳନ ବିନ୍ଦୁକୁ । ସେ ଉଭେଇ ଯାଇଥିଲେ କେତେବେଳୁ ।

 

ଚର୍ଚ୍ଚ ପାଖ ଧର୍ମଶାଳାକୁ ମୁଁ ଫେରି ଆସିଥିଲି କେତୋଟି ଦିନ ପାଇଁ । ଲୋକଗହଳିଠାରୁ ଦୂରରେ । ସାମନାରେ ପ୍ରଶସ୍ତ କବର କିଲ୍ଲା । ଉଚ୍ଛା ଚର୍ଚ୍ଚ । ଆଖି ପାର ହୋଇ ଝାପ୍‌ସା ଦିଶୁଥିଲା ଜମିଦାରଙ୍କ ଉଆସ । ଇଂରେଜୀ ଯିବା ପରେ ପରେ ଜମିଦାର ସାହେବ ସହରରୁ ପଳେଇ ଯାଇଥିଲେ । ଦାନ କରି ଯାଇଥିଲେ ଫାଦରଙ୍କୁ ସମସ୍ତ ସମ୍ପତ୍ତି । ଭଗ୍ନ ପ୍ରାସାଦଟି ଦୂରରେ ମ୍ଳାନ ହୋଇ ଦିଶୁଥିଲେ ମଧ୍ୟ ତାହାର ପ୍ରକାଣ୍ଡତା ଅତି ଆକର୍ଷଣୀୟ ଥିଲା । ବିରାଟ ପଡ଼ିଆକୁ ନେଇ ସମଗ୍ର ପ୍ରାସାଦ ଦିନେ ଗଢ଼ି ଉଠିଥିବାର କାହାଣୀ ଶୁଣାଯାଏ । ନିକଟରେ ବହି ଯାଉଥିଲା ପୁଣ୍ୟତୋୟା ଯମୁନା । ଶୁଣାଯାଏ ଜମିଦାର ସାହେବ ଜଣେ ହିନ୍ଦୁରାଜାଙ୍କ ବଂଶଧର ଥିଲେ । ରାଜ୍ୟ ଯିବାପରେ ସେ ଇଂରେଜୀମାନଙ୍କଠାରୁ କର ଆଦାୟ ଦାୟିତ୍ଵ ନେଇଥିଲେ । ସେହି ବିଦେଶୀମାନଙ୍କ ପାଇଁ ଏହି ନିର୍ଜ୍ଜନ ପ୍ରାସାଦ ସର୍ବଦା ଉନ୍ମୁକ୍ତ ଥିଲା । କିନ୍ତୁ ବ୍ରିଟିଶ ଯିବାପରେ ଜମିଦାର କେଉଁଠିକୁ ଗଲେ ତାହା କେହି କହି ପାରିବେ ନାହିଁ । କେହି କୁହନ୍ତି ସେ ଇଂରେଜୀଙ୍କ, ସାଙ୍ଗରେ ତାଙ୍କ ଦେଶକୁ ଚାଲି ଯାଇଥିଲେ । ଉଆସରେ ରଖିଥିବା ବିଦେଶୀ ରମଣୀଙ୍କ ସଙ୍ଗେ ସେ ବିବାହ ହୋଇଥିଲେ । ଫାଦରଙ୍କ କନ୍ୟା ମଧ୍ୟ ସେହି ଉଆସରେ ଖୁବ୍‌ ସମ୍ପର୍କ ରଖିଥିଲେ । କିନ୍ତୁ ଫାଦରଙ୍କ ମୃତ୍ୟୁପରେ ତାହା ସଠିକ୍‌ ଭାବେ କିଛି ଜଣା ପଡ଼ିଲା ନାହିଁ ।

 

ଦିନର କୋଳାହଳ ଭିତରେ ମୁଁ ଚାହିଁ ରହିଥିଲି ସେ ଉଚ୍ଚ କବରକୁ । ତାହା ମୋ ରହୁଥିବା ଗୃହର ଥିଲା ଠିକ୍‌ ସାମନାରେ । ପାଚେରୀ ସେପଟେ ଜମିଦାର ଉଆସ ଲାଗି ରହିଥିଲା । ଆଉ ସେହି ଇଟା ଖସି ପଡ଼ିଥିବା ପାଚେରୀ ଉଆସର ପଛପାଖକୁ ଛିଡ଼ା ହୋଇଥିଲା । ଝାମ୍ପୁଲା କରଞ୍ଜଗଛ ଉଠିଯାଇଥିଲା ପାଚେରୀ ଉପରକୁ । ଡାଳ କେତୋଟି ନଇଁ ଯାଇଥିଲା ଜମିଦାର ଉଆସ ହତାକୁ । ଦିନର ଆଲୁଅ ତଳେ ମୁଁ ଦେଖୁଥିଲି ଦୂରରୁ ସେହି କବରକୁ । ନୂଆ ନ ହେଲେ ମଧ୍ୟ ବେଶୀ ପୁରାତନ ପରି ମନେ ହେଉ ନ ଥିଲା । ଚାରି ପଟେ ମଲ୍ଲୀ ତରାଟର ଗଛ । ଛୋଟ ଛୋଟ ଇଟା ବାଡ଼ ବେଢ଼ି ରହିଥିଲା ଚାରି ପାଖରେ ।

 

ଜହ୍ନର ଆଲୁଅ ଲିଭି ଯାଇଥିଲା ଅସଂଖ୍ୟ ନକ୍ଷତ୍ରରେ । ନିର୍ଜ୍ଜନତାରେ ମୁଁ ଚାହିଁ ରହିଥିଲି ମୋ ଗବାକ୍ଷ ଦେଇ । କ୍ରମେ କ୍ରମେ ଅନ୍ଧାର ଘନୀଭୂତ ହେଉଥିଲା । ଉଆସ ପଛ ଦେଇ ଏକ ଆଲୋକ ଦେଖା ଦେଇ ପୁଣି ପାଚେରୀ ପାଖେ ଲିଭି ଯାଇଥିଲା । ମୁଁ ପହଞ୍ଚି ଯାଇଥିଲି ସେହି କବର ନିକଟରେ । ସବୁଦିନ ପରି ଦୂରରେ ଛିଡ଼ା ନ ହୋଇ ମୁଁ ପାଖକୁ ଚାଲିଯାଇଥିଲି ନାରୀ ମୂର୍ତ୍ତିର । ନୀରବତାରେ ବସି ଚାହିଁଥିବା ସୁନ୍ଦରୀ ନାରୀର ଏକ ଫୁଟ ବ୍ୟବଧାନରେ ଛିଡ଼ା ହୋଇଥିଲି-। ଏକ ଗାଢ଼ କଳାରଙ୍ଗର ଶାଢ଼ିରେ ସେ ଆବୃତ ହୋଇଥିଲେ । ମସ୍ତକରେ କଳାଟିପା-। ମୁକୁଳିତ ଘନ କବରୀ ବିଛାଇ ହୋଇ ପଡ଼ିଥିଲା ପିଠିସାରା । ଗୋଲାପ ମାଳାଗୁଡ଼ିକ ସେ କବର ଉପରେ ଚଢ଼ାଇ ଚାଲିଥାନ୍ତି । ଥାଳୀରେ ଗୋଟିଏ ଦୀପ ନୁହେଁ—ତିନୋଟି ଥିଲା । ସବୁଦିନ ପ୍ରସନ୍ନ ଚକ୍ଷୁରୁ ବୋହି ପଡ଼ୁଥାଏ ଧାର ଧାର ଲୁହ । ଉଦିତ ସୂର୍ଯ୍ୟର ମୁଖଟି ରାହୁ ଗ୍ରାସରେ ମଳିନ ପଡ଼ିଯାଇଥାଏ । ତଟସ୍ଥ ହୋଇ ଚାହିଁ ରହିଥିଲି ସୁନ୍ଦରୀ ନାରୀର ପ୍ରତ୍ୟେକ କାର୍ଯ୍ୟକୁ ।

 

ପ୍ରାର୍ଥନା ସାରି ନାରୀଟି ମୋତେ ହାତ ଠାରିଲେ । ପଛରେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଲେ । ନିତି ଦିନର ସ୍ତମ୍ଭିଲା ପାଦ ଦୁଇଟି ଚଞ୍ଚଳ ହୋଇଉଠିଲା । ଆମେ ପହଞ୍ଚି ଯାଇଥିଲୁ ପାଚେରୀ ପାଖରେ । ପାଚେରୀ ଡେଇଁ ଲମ୍ଵିଥିବା ସିଡ଼ିରେ ସେ ଉଠିଯାଇ ପଛକୁ ଚାହିଁଲେ । ଆଦେଶ ପାଇବା ମାତ୍ରେ ମୁଁ ଉଠିଯାଇଥିଲି ପାଚେରୀ ଚୂଡ଼ାକୁ । ସିଡ଼ିଟି କ୍ରମେ କ୍ରମେ ବୁଲିଯାଇଥିଲା ଜମିଦାର ହତାକୁ । ଧୀରେ ଧୀରେ ଆମେ ଅବତରଣ କରିଥିଲୁ ସବୁଜ ପ୍ରାନ୍ତରରେ-

 

ଉଆସର ପଛପଟ ଦରଜା ପାଖେ ପହଞ୍ଚିବା କ୍ଷଣି ବିଶାଳ ଲୁହା ଦରଜା ମେଲି ଯାଇଥିଲା ଦୁଇ ପାଖକୁ । ଭିତରକୁ ପଶି ସେ ମୋତେ ଚାହିଁଲେ । ଦୁଇ ପଟକୁ ଚାହିଁ ମୁଁ ଆଗେଇ ଯାଇଥିଲି ତାଙ୍କ ପଛେ ପଛେ । ବିନା ଶବ୍ଦରେ ଦରଜା ପଡ଼ିଯାଇଥିଲା ।

 

ମାର୍ବଲ ଉଆସର ତୋରଣ ଦେଇ ଆମେ ଆଗେଇ ଯାଇଥିଲୁ କୋଠରୀ ପରେ କୋଠରୀ । ଦିନରେ ଦେଖିଥିବା ବାହାର ରୂପଟା ମୋର ସଙ୍ଗେ ସଙ୍ଗେ ବଦଳି ଯାଇଥିଲା । ଉଆସର ବିଚିତ୍ର ରଙ୍ଗରେ ମୁଁ ଛିଡ଼ାହୋଇ ଲକ୍ଷ୍ୟ କରୁଥିଲି ଚାରିଆଡ଼େ । ପ୍ରକାଣ୍ଡ ଗୋଲାଇ ପ୍ରାସାଦକୁ ଠିକ୍‌ ଭାବେ କଳନା କରିପାରୁ ନ ଥିଲି ଆରମ୍ଭ ତଥା ଶେଷର ସଙ୍କେତ । ଧୀରେ ଧୀରେ ନାରୀ ମୂର୍ତ୍ତି ଉପରକୁ ଉଠିଲେ । କିଛିକ୍ଷଣ ତଳମହଲା ଦେଖିଦେଇ ତାଙ୍କୁ ଅନୁସରଣ କରିଥିଲି । ଆଗେଇ ଯାଉଥିବା ଛାୟାକୁ ଦୂରେଇ ମୁଁ ବେଶୀକ୍ଷଣ ରହିପାରୁ ନ ଥିଲି ।

 

ଏକ ପିତଳ ଦରଜା କୋଠରୀ ପାଖରେ ସେ ଅଟକିଯାଇ ପଛକୁ ଚାହିଁଲେ । ଆଖି ପିଛାଡ଼କେ ଦରଜାଟି ମନକୁ ଖୋଲି ଯାଇଥିଲା । ଦରଜା ପାଖେ ଛିଡ଼ା ହୋଇ ଚମକି ପଡ଼ିଥିଲି ଗୃହଟିର ସାଜ ସଜି ଦେଖି । ଅସଂଖ୍ୟ ସୁନେଲି ଆଲୁଅରେ ଗୃହଟି ହସି ଉଠୁଥିଲା । ତଳେ ଦାମିକା କାଶ୍ମିରୀ ଗାଲିଚା । କାରୁକାର୍ଯ୍ୟରେ ମଣ୍ଡିତ ଦୁଇଟି ଗଜଦନ୍ତ ପଲଙ୍କ । ସେହିପରି ଦାମିକା ଶେଯ ମାଣ୍ଡିରେ ଭରିଯାଇଛି । ଗୃହର ଅନ୍ୟାନ୍ୟ ସଜାସଜି ଖୁବ୍‌ ସମ୍ଭ୍ରାନ୍ତ ପରି । ଏକ ତୈଳଚିତ୍ର ପାଖେ ନାରୀ ମୂର୍ତ୍ତି ଜଣକ ଅଟକି ଯାଇଥିଲେ ।

ସୁନ୍ଦର ବୀର ପୁରୁଷ । ଦେହରେ ରାଜକୀୟ ବେଶ ଭୂଷା । ମୁଣ୍ଡରେ ପଗଡ଼ି । ଅଣ୍ଟାରେ ତରବାରୀ । କାନ୍ଧରେ ବନ୍ଧୁକ । ମୁହଁରେ କଡ଼ା ନିଶ । ଉଚ୍ଚ କପାଳ । ବିଜୟୀଟିକା । ଉଜ୍ଜ୍ୱଳ ଚକ୍ଷୁ ।

ଧୀରେ ଧୀରେ ନାରୀ ଛାୟାଟି ଆଗେଇ ଯାଉଥିଲେ ଅନ୍ୟ ଏକ ଛବି ପାଖକୁ । ଆଶ୍ଚର୍ଯ୍ୟରେ ଚାହିଁ ରହିଲି । ସୌନ୍ଦର୍ଯ୍ୟର ଏକ ମୂର୍ତ୍ତିମନ୍ତ ଶୋଭା । ଅଭିଜାତ ବେଶଭୂଷା । ସୁନ୍ଦର କପାଳରେ ଚିତ୍ରିତ ଟିକା । ହୀରା ନୀଳା ଅଳଙ୍କାରରେ ନାରୀ ଛବିର ପ୍ରତ୍ୟେକ ଅଙ୍ଗ ଶୋଭାକୁ ଆହୁରି ବଢ଼ାଇ ଦେଉଥିଲା । ଗଣ୍ଡ ଦେଶରେ ଛୋଟ କଳାଯାଇଟି ଦେଖି ବିସ୍ମୟ ହୋଇ ଦଣ୍ଡାୟମାନ ନାରୀକୁ ଅନାଇଲି । ଲଜ୍ଜାରେ ସେ ମୁଣ୍ଡ ତଳକୁ ପୋତି ଦେଇଥାନ୍ତି । ଛବିର ସଦୃଶ୍ୟତା ତାଙ୍କଠାରେ ବେଶ୍‌ ଭାବେ ପରିସ୍ଫୁଟନ ହୋଇଥିଲା । ପ୍ରତିବିମ୍ବିତ ଦର୍ପଣରେ ମୁଁ ଚିହ୍ନିପାରିଲି ନାହିଁ ଦୁଇଟି ସାଦୃଶ୍ୟତାକୁ । ମୁଖ ଫେରାଇଲି ଛାୟା ମୂର୍ତ୍ତିଆଡ଼େ । ସେ ପାଖ ଗୃହକୁ ଯିବାକୁ ନିର୍ଦ୍ଦେଶ ଦେଲେ ।

ମହଲ ଶେଷର ଶୟନ କକ୍ଷରେ ଉପସ୍ଥିତ ହୋଇ ସେ କହି ଚାଲିଥିଲେ ଜମିଦାର ଉଆସର ଇତିହାସ । ଯାହା ରହସ୍ୟଜନକଭାବେ ରହି ଆସିଥିଲା ବର୍ଷ ବର୍ଷ ଧରି କାହାଣୀ ହୋଇ-। ସେ ଜମିଦାର ଉଆସକୁ ପାଦ ଦେବାମାତ୍ରେ ଏହି ତ୍ରିତଳ ପ୍ରାସାଦ ଦିନେ ହସି ଉଠିଥିଲା ଧନଧାନ୍ୟରେ ।

 

ଜମିଦାର ରଣଜିତ୍‌ ସିଂହ ପଞ୍ଜାର ରାଜବଂଶରୁ ଦିନେ ଅପହୃତ ହୋଇ ଆସିଥିଲେ ବିଦେଶୀ ଶତ୍ରୁମାନଙ୍କଦ୍ଵାରା । ରାଜଗାଦି ଚାଲିଗଲେ ମଧ୍ୟ ସେ ପାଇଥିଲେ ଏହି ଉତ୍ତରାଞ୍ଚଳର ଜମିଦାରୀ । ଅଭାବ ନ ଥିଲା କିଛି । ରାଜ ରକ୍ତରେ ପ୍ରବାହିତ ଜମିଦାର ସାହେବ ଏହି ତ୍ରିତଳ ପ୍ରାସାଦରେ ଶତ୍ରୁକୁ ମୁକାବିଲା କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । କିନ୍ତୁ ତାହା ଦିନେ ଇଂରେଜୀ କାନକୁ ଯାଇଥିଲା ।

 

ଅମାବାସ୍ୟର ଘନ ଅନ୍ଧକାରରେ ଏହି ଉଆସକୁ ଶତ୍ରୁ ଘେରାଉ କରି ଛିନ୍‍ଛତ୍ର କରି ଦେଇଥିଲେ । ଅସଂଖ୍ୟ ଉଆସ ରମଣୀକୁ ବଳତ୍କାର କାଢ଼ି ନିଆ ଯାଇଥିଲେ । ଧନଜନ ଲୁଣ୍ଠିତ ହୋଇଥିଲା । ଜମିଦାର ସାହେବ ବନ୍ଧୁକ ଧରି ଶତ୍ରୁକୁ ମୁକାବିଲା କରିଥିଲେ ସତ କିନ୍ତୁ ପର ମୁହୂର୍ତ୍ତରେ ବନ୍ଧୁକ ଚୋଟରେ ଆଘାତ ହୋଇ ତଳେ ପଡ଼ି ଯାଇଥିଲେ ।

 

ସ୍ଵାମୀଙ୍କ ମୃତ୍ୟୁ ତଥା ଶତ୍ରୁ ଅଧୀନ ଶୁଣି ମୁଁ ଅଗ୍ନିରେ ଝାସ ଦେଇଥିଲି । କିନ୍ତୁ ଜମିଦାର ସାହେବ ପ୍ରକୃତରେ ମରି ନଥିଲେ । ନିକଟରେ ରହୁଥିବା ଫାଦରଙ୍କ କନ୍ୟା ଜମିଦାରଙ୍କ ପ୍ରାଣ ବଞ୍ଚାଇ ଦେଇଥିଲେ । ଜମିଦାର ସାହେବଙ୍କୁ ଶତ୍ରୁ ମୁହଁରୁ ଲୁଚାଇ ନେଇ ଚାଲି ଯାଇଥିଲେ ।

 

ପରବର୍ତ୍ତୀ କେତୋଟି ବର୍ଷ ଜମିଦାର ସାହେବ ଫାଦରଙ୍କ କନ୍ୟାର ସେବାରେ ମୁଗ୍‌ଧ ହୋଇ ତାଙ୍କୁ ବିବାହ କରିଥିଲେ । ସମସ୍ତ ସମ୍ପତ୍ତି ଚର୍ଚ୍ଚକୁ ଦାନ କରି ଯାଇଥିଲେ । ତାହାର କିଛିବର୍ଷ ପରେ ସେ ମରି ଯାଇଥିଲେ । କିନ୍ତୁ ଫାଦର ତାଙ୍କୁ ଖ୍ରୀଷ୍ଟିୟାନ ପରି କବର ଦେଇଥିଲେ ।

 

ପ୍ରିୟର ବିଚ୍ଛେଦରେ ମୁଁ ମୁକ୍ତ ହୋଇ ପାରୁନାହିଁ । ପ୍ରତ୍ୟେକ ରାତ୍ରିର ନିସ୍ତବ୍‌ଧ ଭିତରେ ମୁଁ ଯାଏ ସେହି କବରଖାନାକୁ ଥରେ ମାତ୍ର ମିଳନ ପାଇଁ । ସେହି ବିଦେଶୀ କବରରେ ଅସଂଖ୍ୟ ଅମୋକ୍ଷ ପ୍ରେତ ରହିଛନ୍ତି । ମୋ ସ୍ଵାମୀଙ୍କ ମିଳନରେ ବାଧା ଦେଉଛନ୍ତି । ସେହିଦିନଠାରୁ ମୋ ଅମୋକ୍ଷ ଆତ୍ମା ଘୂରି ବୁଲୁଛି ସେହି କବରଖାନା ଭିତରେ । ଆଜି ସୁଦ୍ଧା ଏହି ପ୍ରାସାଦରେ କେହି ପାଦ ଦିଅନ୍ତି ନାହିଁ । ଫାଦରଙ୍କ ମୃତ୍ୟୁପରେ ତାହା ଆହୁରି ନିର୍ଜ୍ଜନ ହୋଇଯାଇଛି ।

 

କବର ଭିତରୁ ଅତି କଷ୍ଟରେ ମୁଁ ବାହାର କରିଥିଲି ଜମିଦାର ସାହେବଙ୍କ କଫିନ୍‌କୁ । ନିର୍ଦ୍ଦେଶିତ ଅଗ୍ନିକୁଣ୍ଡ ପାଖେ ପୋଡ଼ି ଦେଇଥିଲି । ଯାହାଥିଲା ଅମୋକ୍ଷ ନାରୀର ଏକ ଆତ୍ମଲିପି । ଯମୁନାର ପାଣି ସମାଧିରେ ଦେଇ ମୁଁ ଫେରି ଆସିଥିଲି ମୋ ଧର୍ମଶାଳାକୁ ସବୁଦିନ ପରି ।

 

ମନେ ନାହିଁ ତାହାପରେ କ’ଣ ହେଲା । ସବୁଦିନ ପାଇଁ ମୁଁ ପାଗଳ ଗାରଦରେ ବନ୍ଦୀ ହୋଇ ଯାଇଥିଲି । ଦେହକୁ ମୋର ସୁଦୃଢ଼ କରି ବାନ୍ଧି ଦିଆ ଯାଇଥିଲା । ତାହାପରେ ସେହି ଯନ୍ତ୍ରଣାର ନରକ ।

 

ଉଆସର ଦରୁୱାନ କଥାକୁ ଶେଷ କରି ବିଡ଼ିଟିଏ ଲଗାଇଲା । ଅଭିଶପ୍ତ ଜମିଦାର ପ୍ରାସାଦକୁ ବୁଲିସାରି ମୁଁ ଫେରି ଆସୁଥିଲି ସେହି ଧର୍ମଶାଳାକୁ । ଆଖି ଦେଇ ଲମ୍ବି ଯାଇଥିବା କବରଖାନାକୁ ଚାହିଁଥିଲି । ଚୂନ ଛାଡ଼ି ଯାଇଥିବା କବରଟି ଶୋଇ ଯାଇଥିଲା ଅନ୍ଧାର ତଳେ ।

Image

 

ଫୁଲରାଣୀ

 

ଫୁଲଝରାରୁ ଅନେକ ବାଟ ଚାଲି ଯାଇଥିଲୁ । ଗାଡ଼ି ଖରାପ ହେବାପରେ ବାଧ୍ୟ ହୋଇ ଚାଲିବାକୁ ପଡ଼ିଲା । ଆଖ ପାଖରେ ସେପରି କିଛି ପଡ଼ା ଥିବାପରି ମନେ ହେଲା ନାହିଁ । ରାସ୍ତାଟି ବହୁତ ଦୂରରେ । ଡ୍ରାଇଭର ଇଞ୍ଜିନ୍‌କୁ ଦେଖିବା ପରେ ସିଟରେ ବସିଗଲେ । ଦୀର୍ଘ ନିଶ୍ଵାସ ପକାଇ କହିଲେ, ଏହା ଆଉ ଏଠାରେ ମିଳିବ ନାହିଁ । ପାହାଡ଼ ଘାଟି ଡେଇଁଲେ ଯାଇ ଯେଉଁ କଥା । ଚାରିପଟେ ପାହାଡ଼ । ଦୂରରେ ଘଞ୍ଚ ଜଙ୍ଗଲ ଆକାଶକୁ ଭେଦି ରହିଛି । ରାସ୍ତାଟି ବଙ୍କେଇ ବଙ୍କେଇ ପାହାଡ଼ ଉପରକୁ ଉଠି ଯାଇଛି । ଭାଙ୍ଗ ଭାଙ୍ଗ ପାହାଡ଼ ମଥା ଦେଇ ବିଦାୟକାଳୀନ ସୂର୍ଯ୍ୟ ଖେଳାଇ ହୋଇ ପଡ଼ିଥାଏ ସାରା ଜଙ୍ଗଲରେ । ଖରାଦିନ ପବନ ଦେହକୁ ଖୁବ୍‌ ଆରାମ ଲାଗୁଛି ।

 

ସେଦିନ ବଙ୍ଗଳାକୁ ଯିବାକୁ ସମ୍ଭବ ହେଲାନାହିଁ । ରାସ୍ତାରେ ଯାନବାହନର ବିଶେଷ ସୁବିଧା ନଥାଏ । ସରକାରୀ ବସ୍‌ ଦୁଇଟି ସକାଳୁ ଯାଇ ସଂଧ୍ୟାରେ ଫେରିଆସେ । ବସ୍‌ ଛକରୁ ଛଅ ମାଇଲ ଦୂର ଚାଲିବାକୁ ପଡ଼ିବ । ଗୋରୁ ଗାଡ଼ିରେ ଘାଟିରାସ୍ତାଗୁଡ଼ିକ ପାର ହେବା ସମ୍ଭବ ନୁହେଁ । କେତେବେଳେ ପହଞ୍ଚିବ ତାହା ଠିକ୍‌ କରି କହି ହେଉନାହିଁ । ପକାଉଠା ରାସ୍ତା । ଜଙ୍ଗଲ ରାସ୍ତା ସଦାବେଳେ ନିରାପଦ ପରି ମନେ ହେଉନାହିଁ । ଗାଡ଼ିକୁ ସେଠାରେ ରଖି ଡ୍ରାଇଭର ବନ୍ଧୁକ ଧରି ଆଗରେ ଚାଲିଥାଏ । ଏପରି ରାସ୍ତାରେ ସେ ବହୁ ଦିନରୁ ପରିଚିତ । ବଙ୍ଗଳାକୁ ବହୁବାର ଆସିଛି । ସରକାରୀ ଜଙ୍ଗଲର ପ୍ରତ୍ୟେକ ବାବୁଙ୍କୁ ସଙ୍ଗରେ ବଙ୍ଗଳାକୁ ଆଣି ବୁଲାଇ ଦେଖାଇଛି । କେବଳ ଜଙ୍ଗଲ ତାର ଖୁବ୍‌ ପରିଚିତ ତାହା ନୁହେଁ; ଜଙ୍ଗଲୀ ଶିକାରୀ ଜନ୍ତୁଗୁଡ଼ାକୁ ସେ ଜାଣେ । ବନ୍ଧୁକ ଥିଲେ ସେ ରାତି ରାତି ଗାଡ଼ିଧରି ଘାଟି ପରେ ଘାଟି ପାର ହୋଇଯାଏ । ଆଉ ଜଙ୍ଗଲୀ ପଡ଼ାରେ କେଉଁଠି କ’ଣ ଅଛି ତାକୁ ସବୁ ଜଣା । କଣ୍ଡାକ୍‌ଟରମାନଙ୍କ ସହିତ ନୁହେଁ ସର୍ଦ୍ଦାରଠୁ ଆଦିବାସୀ ଝିଅ ବୋହୂ ଯେ ତାକୁ ସମସ୍ତେ କାଲୁ ଓସ୍ତାତ୍‌ ବୋଲି ଡାକନ୍ତି । ସେଥିପାଇଁ ନୂଆ ପୁରୁଣା ବାବୁମାନେ କାଲୁ ଡ୍ରାଇଭରକୁ ଆଦର । ବଙ୍ଗଳାରେ ସମୟ କଟାଇବାକୁ ନୁହେଁ–ଶିକାର କାରବାର ସୁରକ୍ଷା ପ୍ରତ୍ୟେକ କଥା କାଲୁ ଖୁବ୍‌ ବୁଝିପାରେ ।

 

ଘାଟିର ଅତିଥିଶାଳା ଯେପରି ପ୍ରଶସ୍ତ ସେହିପରି ମଜୁଭୁତ ଥିବାପରି ମନେ ହେଲା । ମୋଟା ମୋଟା ଜଙ୍ଗଲୀ କାଠ ଖୁମ୍ବ । ଚାରିପଟେ କାଠଖୁମ୍ବରେ ମାଟି ଛଟା ଯାଇଛି । ଉପରେ କାଠ ପଟାର ଛାତ । ତା’ ଉପରେ ଚାଳ ଛାଉଣୀ କରାଯାଇଛି । ପାଖରେ ଗୋଟିଏ ଛୋଟ ଘର । ଘରେ ଦୁଇଟି ଦଉଡ଼ିଆ ଖଟ ପଡ଼ିଥାଏ । ଟେବୁଲ ଗୋଟିଏ, ଦୁଇଟି କାଠଚୌକି । ବେତମୋଡ଼ା ଦୁଇଟି ମଇଳା ପଡ଼ି ଗଲାଣି । ଘାଟିବାଲା ଦୁଇଟଙ୍କା ପାଇ ଖୁସି ହୋଇଗଲା । କାଲୁ ଓସ୍ତାତ୍‌ ଗାଡ଼ିରୁ ଜିନିଷ ଧରି ଆସିଥାଏ । ବୁଢ଼ା ଜଣକ ପାଣି ସୋରାଏ, ଲ୍ୟାମ୍ପଟି ଲଗାଇ ଆର ଘରକୁ ଚାଲିଗଲା ।

 

ସକାଳ ଦଶଟାରେ ଗାଡ଼ି ଠିକ୍‌ ହୋଇ ଯାଇଥିଲା । ଗଡ଼ାଣି ଉଠାଣି ଦେଇ ଗାଡ଼ି ଆଗେଇ ଚାଲିଥାଏ । ଦୁଇପଟେ ଶ୍ୟାମଳ ଘଞ୍ଚ ଜଙ୍ଗଲ । ତଳେ ସରୁ ଝରଣାଟି ବହି ଯାଇଛି । ମଝିରେ ମଝିରେ ଅରଣ୍ୟ ଦେହରେ ଲୁଚିଯାଇ କଳକଳ ଶବ୍ଦ ଶୁଣା ଯାଉଛି । ଦୂରରେ କାଠ ହଣାର ଶବ୍ଦ । ଗଛର ମଡ଼ ମଡ଼ ଡାକ । ଥରେ ଥରେ ଲହରୀଆ ଗୀତ ଠିକ୍‌କରି ବାରି ହେଉ ନଥାଏ ଗାଡ଼ି ଶବ୍ଦରେ । ନାନା ଜାତି ପକ୍ଷୀ, ପଶୁ ଗାଡ଼ି ଶବ୍ଦରେ ପଳେଇ ଯାଇ ପଛକୁ ଚାହୁଁଥାନ୍ତି । ଦଳ ଦଳ ମାଙ୍କଡ଼ । ଆଖି ଦୁଇଟି ଚାରିଆଡ଼କୁ ବୁଲୁଥିଲେ ମଧ୍ୟ ହରିଣ, ମୃଗ ଦେଖାଯାଉ ନଥାନ୍ତି । ବନ୍ଧୁକକୁ ଗୋଡ଼ତଳେ ଥୋଇ ଚାହିଁ ରହିଲି ଦୂର ବନାନୀର ଅରଣ୍ୟ ଶୋଭାକୁ । ଖୁବ୍‌ ଦୂରରେ ମିଶି ଯାଇଛି ।

 

ଦ୍ଵିପହରରେ ଆମେ ଫୁଲଝରା ବଙ୍ଗଳାରେ ପହଞ୍ଚି ଯାଇଥିଲୁ । ଆଗରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଗାଡ଼ି ବେଲ୍‌ ଦେବା ପରେ ମାଳି ଗେଟ୍‌ ଖୋଲି ସଲାମ ବଜାଇଲା । କାଲୁ ସିଧା ବଙ୍ଗଳା ଦ୍ଵାରକୁ ଗାଡ଼ି ନେଇ ରୋକିଲା । ମାଳୀ ସଙ୍ଗେ ସଙ୍ଗେ ବଙ୍ଗଳା ଘର ଖୋଲି ବିଛଣା ପତ୍ର ଆଣି ଘରେ ଥୋଇ ଦେଲା । ସୁନ୍ଦର ବଙ୍ଗଳା । ଆଧୁନିକ ଧରଣର ସଜା ସଜି । ଶୋଇବା ଘର, ବୈଠକଖାନା, ଗାଧୋଇବା ଘର ସବୁ ଠିକ୍‌ ଅଛି । ଦାମିକା ସୋଫା, ସୁନ୍ଦର ପରଦା ଝରକା, ଦରଜାରେ ଦିଆଯାଇଛି । ବିଜୁଳିବତୀ । ପାହାଡ଼ ଉପରେ ବିରାଟ ଫୁଲହତା । ନିକଟରେ ଝରଣା ଦେଖାଯାଉଥାଏ । ଦୂରରେ ପାହାଡ଼ଗୁଡ଼ିକ ଥାକ ଥାକ ହୋଇ ଉପରକୁ ଉଠିଯାଉଛି ।

 

କାଠ ବ୍ୟବସାୟୀ ରଣଜିତ୍‌ ସିଂହ ନାମଜାଦା, ବହୁ କାଳର ପୁରୁଣା । ପୁରୁଷ ପୁରୁଷ ଧରି ସେମାନେ ଏ ଜଙ୍ଗଲର ପଟାଦାର । ସହରରେ କୋଠା, କଳକାରଖାନା ଅଛି । ଗୋଟିଏ ସହରରେ ନୁହେଁ ବିଭିନ୍ନ ସ୍ଥାନରେ । ଛୋଟ ଛୋଟ ଅନେକ ବ୍ୟବସାୟୀ ଠିକାଦାର । ରଣଜିତ୍‌ ସିଂହଙ୍କ ସଚୋଟ ପଣିଆ ସମସ୍ତଙ୍କଠାରୁ ସେଦିନ ଶୁଣିଥିଲି । ବଡ଼ପୁଅ ବିଦେଶରେ ଇଞ୍ଜିନିୟର । ମଝିଆ ପୁଅ ଆମେରିକାରେ ଡାକ୍ତର । ସାନ ପୁଅ ନିଜ ବ୍ୟବସାୟ ଦେଖାଶୁଣା କରୁଛି । ଜଙ୍ଗଲରେ ଅନେକ ସ୍ଥାନରେ କାଠ ଡିପୁ, ଅଫିସ୍‌ ଘର, ଚାକର, ମ୍ୟାନେଜର୍‌, ସର୍ଦ୍ଦାରଙ୍କ ଲାଗି ସ୍ଥାୟୀ ଘରମାନ ତିଆରି କରାଯାଇଛି । ନିଜେ ରହିବା ପାଇଁ ରଣଜିତ୍‌ ସିଂହ ବଙ୍ଗଳାଟି ତିଆରି କରାଇଛନ୍ତି । ବିପଦ ସଙ୍କୁଳ ଅରଣ୍ୟରେ ରଣଜିତ୍‌ ସିଂହ ମହାବଳବାଘ ପରି ବିଚରଣ କରୁଥିଲେ । ଜଙ୍ଗଲର ପ୍ରତ୍ୟେକ ଘାଟିରେ ତାଙ୍କ ଲୋକମାନଙ୍କ ପାଇଁ ରହିବା ଘର । କର୍ମଚାରୀମାନଙ୍କ ପାଇଁ ସ୍ଥାୟୀ ଅଫିସ୍‌ । ଠିକାଦାରଙ୍କ ପାଇଁ ବଡ଼ ବଡ଼ କାଠ ଗୋଦାମମାନ ଖୋଲାଯାଇଛି ।

 

ଫୁଲରାଣୀକୁ ଦେଖିବା ପରେ ଆଖି ଦୁଇଟି ବିସ୍ଫାରିତ ହୋଇଯାଇଥିଲା । କଳା କଳା ଚୂର୍ଣ୍ଣ କୁନ୍ତଳ । ଲମ୍ବିଲା ଚୂଡ଼ାଟି ପିଠି ଦେଇ ଲମ୍ବି ଯାଇଥିଲା । ମୁଣ୍ଡରେ ବଣଫୁଲ ମାଳ । ଟାଣିଲା କଜ୍ଜ୍ୱଳ ଆଖି । ସରୁ ଭ୍ରୂଲତା । ଛୋଟ ତୀକ୍ଷ୍ଣ ନାକ । ଗୋଲ ମୁହଁ । ଗୋରା ଦେହକୁ ସରୁ ଧଳା ସମ୍ବଲପୁରୀ ଶାଢ଼ୀଟି ଫୁଲରାଣୀକୁ ଖୁବ୍‌ ମାନୁଥାଏ । ଝରଣା କୂଳରୁ ଡେଇଁ ଡେଇଁ ଫୁଲରାଣୀ ଜଙ୍ଗଲରେ ହଜିଯାଉଥିଲା । ବଙ୍ଗଳା ସେ ପାଖ ଝରଣା କୂଳରେ ହାତ ଦୁଇଟି ଅଟକି ଯାଇଥିଲା । ବନ୍ଧୁକ ଆସ୍ତେ ଆସ୍ତେ ନଇଁ ଯାଇଥିଲା ତଳକୁ । ଧୀରେ ଧୀରେ ଝରଣା ଡେଇଁ ମୁଁ ଆଗେଇ ଯାଇଥିଲି ସେହି ସରୁ ରାସ୍ତାରେ ।

 

ରଣଜିତ୍‌ ବାବୁ ପଛରୁ ହସି ଉଠିଲେ । ପାଖକୁ ଆସି ଚାହିଁଲେ ମୋତେ । ଖୁବ୍‌ ଗଭୀର ଭାବେ ନିରୀକ୍ଷଣ କରିଥିଲେ ମୋ ଆଖି ଦୁଇଟିକୁ । ଭାସି ଯାଉଥିବା ଚଞ୍ଚଳ ଚକ୍ଷୁ ଦୁଇଟି ପୁଣି ଫେରି ଆସିଲା କ୍ଷଣିକ ପାଇଁ ନିକଟରେ ଥିବା ଉଚ୍ଚ ପ୍ରସ୍ତର ଶିଳା ନିକଟିକୁ ମୁଁ ଆଗେଇ ଯାଇଥିଲି । ଉଠିଥିବା ଗହଳ ଅରଣ୍ୟକୁ କିଛିକ୍ଷଣ ଚାହିଁ ପାହାଡ଼ ସମତଳ ଭୂଇଁରେ ମେଲିଥିବା ଘାସ ପଡ଼ିଆକୁ ଆଖି ବୁଲାଇଲି । ସାରାଦିନ ବୁଲିଥିବା ଅରଣ୍ୟରେ ମୁଁ କ୍ଳାନ୍ତ ଅନୁଭବ କରୁଥିଲି । ସଙ୍ଗରେ ଆସିଥିବା ଚାକରକୁ ବନ୍ଧୁକ ଦେଇ ଫେରିଲି ବଙ୍ଗଳାକୁ ।

 

ହରିଣଛୁଆ ଦୁଇଟି ବଙ୍ଗଳା ହତା ଭିତରକୁ ପଶି ଆସି ଚାହିଁଲେ ଚାରିଆଡ଼େ । ପଛରେ ଫୁଲରାଣୀ–ମା’ ହରିଣ ସାଥେ ବଙ୍ଗଳାକୁ ପଶି ଆସୁଥିଲା । ଛୁଆ ଦୁଇଟି ପୁଣି ଫେରି ମା’ ପାଖକୁ ଚାଲିଗଲେ । ହରିଣୀଟି ଫୁଲରାଣୀ ପାଖେ ପାଖେ ଚାଲିଥାଏ । ମଝିରେ ମଝିରେ ଅଟକି ପଛକୁ ଚାହୁଁଥାଏ । ଫୁଲରାଣୀ ହରିଣୀ ମୁଣ୍ଡ ସାଉଁଳେଇ ଦେଇ କ’ଣ କହୁଥାଏ । ମା’ ସହିତ ଛୁଆକୁ ବଙ୍ଗଳା ହତାକୁ ଠେଲିଦେଇ ଗେଟ୍‌ ବନ୍ଦ କରିଦେଲା । ହରିଣୀଟି ମୋତେ ଦେଖି ତଟସ୍ଥ ହୋଇ ଛିଡ଼ାହୋଇ ଯାଇଥିଲା । ଛୁଆ ଦୁଇଟି ଚାହିଁ ରହିଥିଲେ ।

 

—ଫୁଲରାଣୀ ପାଖକୁ ଆସି ପଚାରିଲା, ବାବୁ ଆଜି ଶିକାରକୁ ଯିବ ନାହିଁ ?

 

—ହଁ, କାଲୁ ଡ୍ରାଇଭର ଆସିଲେ ଯିବି ।

 

—କାହିଁକି ଆପଣଙ୍କୁ କ’ଣ ଡର ମାଡ଼ୁଛି ?

 

—ଜଙ୍ଗଲ ସାଥେ ମୁଁ ବିଶେଷ ପରିଚିତ ନୁହେଁ ।

 

—କାଲି ଆପଣ ଯାଇଥିଲେ ନା ?

 

—ହଁ, ତୁ କିପରି ଜାଣିଲୁ !

 

—ବଡ଼ ସାହେବ ଆପଣ ସଙ୍ଗେ କଥାବାର୍ତ୍ତା ହେଉଥିଲା ବେଳେ ମୁଁ ଗଛ ଉଢ଼ୁଳାରେ ଥାଇ ଶୁଣୁଥିଲି ।

 

—ଚେମୋ ସଙ୍ଗେ ବଣକୁ ଯିବେ ? ମୁଁ ଏ ଜଙ୍ଗଲ ଜୀବଗୁଡ଼ାକୁ ଖୁବ୍‌ ଚିହ୍ନେ ।

 

ଫୁଲରାଣୀ ହରିଣ ଛୁଆକୁ ଯାକି ଗେହ୍ଲା କରୁଥାଏ । ପାଖକୁ ଡାକିଲି । ଛୁଆଟି ମୋ ପାଖକୁ ଆସିବାକୁ ରାଜି ହେଉ ନଥାଏ । ଫୁଲରାଣୀକୁ ପାଖ ଚୌକିରେ ବସିବାକୁ କହିଲି । ସଙ୍କୋଚିତ ହୋଇ ଫୁଲରାଣୀ ପାଖ ଚୌକିରେ ବସି ହରିଣ ଛୁଆକୁ କୋଳରେ ଧରିଥାଏ । ଛୁଆଟି ତୋତେ ବଡ଼ ପୋଷା ମାନିଛି । ଏହାର ମା’ ସାହେବଙ୍କ ବଡ଼ ପ୍ରିୟ । ସାହେବଙ୍କୁ ଦେଖିଲେ କେଉଁଠି ରହିବନି । ଡାକିଦେଲେ ଯେଉଁଠି ଥାଉନା କାହିଁକି ପଳେଇ ଆସିବ ।

 

ଫୁଲରାଣୀ ଚା’ କପ୍‌ଟି ହାତକୁ ବଢ଼ାଇ ପାଖରେ ଛିଡ଼ା ହେଲା । ଭିତର ଘରୁ ସିଗାରେଟ୍‌ ଡିଆସିଲି ଆଣିବାକୁ କହିଲି ।

 

ଫୁଲରାଣୀ ତୁ ଏଠାରେ କେତେ ଦିନ ହେଲା ରହିଲୁଣି ?

 

ବାବୁ ପିଲାଦିନୁ ମା’ ସଙ୍ଗେ ଥିଲି । ମା’ ସାହେବଙ୍କ କୋଠିରେ ସଦାବେଳେ ଥାଏ । ମା’ ମଲା ପରେ ମୁଁ ଏକା ଅଛି ।

 

ତୋ ଘର କେଉଁଠି ?

 

ତାହା ମୋତେ ଜଣା ନାହିଁ । ମା’ ମୋତେ କିଛି କହି ନାହିଁ ।

 

ତୋ ବାପ ନାଁ କ’ଣ ?

 

ତାହା ବି ମୁଁ ଜାଣି ନାହିଁ ।

 

ରାତି ଅଧରେ କାନ୍ଦଣା ଶୁଣି ଉଠି ପଡ଼ିଲି । ଠିକ୍‌ କରି ବାରି ପାରିଲି ନାହିଁ ତାହା କେଉଁ ଘରୁ ଆସୁଛି । ବାହାରେ ଖୁବ୍‌ ଅନ୍ଧାର । ସୁଇଚ୍‌ ଟିପିଲି । ଆଲୁଅ ନାହିଁ । ଟର୍ଚ୍ଚ ଲାଇଟ୍‌ ବାହାର କଲି-। କବାଟ ଖୋଲି ବାହାରକୁ ଆସିଲି । କାନ ପାରିଲି ତାହା ଫୁଲରାଣୀ ଶୋଇବା ଘରୁ ଆସୁଥାଏ । ଆସ୍ତେ ଆସ୍ତେ ଚାଲିଲି ସେହି ଦିଗକୁ । ଦରଜା ପାଖରେ ଚୁପ୍‌ ହୋଇ ଛିଡ଼ା ହେଲି । କାନ୍ଦଣାଟି କମି ଯାଇଥିଲା । କବାଟ ବାଡ଼େଇଲି । ଘଡ଼ିକ ପରେ ଫୁଲରାଣୀ କବାଟ ଖୋଲିଲା ।

 

ଫୁଲରାଣୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଫୁଲରାଣୀ ମୋତେ ଦେଖି ଚମକି ପଡ଼ି ଛିଡ଼ା ହୋଇଗଲା । ଅସଜଡ଼ା ଲୁଗାକୁ ସଜାଡ଼ି ନେଇ ଥର ଥର ଗଳାରେ ପଚାରିଲା କ’ଣ ହେଲା କି ବାବୁ ?

 

ଫୁଲରାଣୀର କାନ୍ଦିଲା ଆଖି ଦୁଇଟି ଛଳ ଛଳ ହୋଇ ଆସୁଥିଲା । ଲୁହକୁ ଲୁଚାଇ ବାହାରକୁ ଆସିଲା । ବାହାରେ ସାଇଁ ସାଇଁ ପବନ ।

 

ଫୁଲରାଣୀ କିଛି ଶୁଣିଛୁ କେହି କାନ୍ଦୁଥିଲା ପରି ?

 

ଟିକିଏ ଛାଡ଼ି ଫୁଲରାଣୀ ମୁଣ୍ଡ ହଲାଇ ମନା କଲା ।

 

ଆଲୁଅ କେତେବେଳୁ ଗଲା କହି ପାରିବୁ ?

 

ନା, ମୁଁ ଜାଣି ନାହିଁ । ବର୍ତ୍ତମାନ ଦେଖିଲି, ନାହିଁ ।

 

ସାହେବ ଆସି ନାହାନ୍ତି ?

 

ଫୁଲରାଣୀ ମନା କଲା ।

 

ସେ ସହରକୁ ଯାଇଛନ୍ତି, ଫେରୁ ଫେରୁ କାଲି କି ପଅର ଦିନ ହୋଇପାରେ ।

 

ଏତେ ବଡ଼ ବଙ୍ଗଳାରେ ତୁ ଏକା ରହିଛୁ ଡର ଲାଗୁ ନାହିଁ ।

 

ବାବୁ ପିଲା ଦିନୁ ରହି ଆସିଛି, ଡର କ’ଣ ।

 

ଫୁଲରାଣୀ ଡେଇଁ ଡେଇଁ ଜଙ୍ଗଲରେ ଚାଲିଥାଏ । ଜୀବଟିଏ ଦେଖିଲେ ପାଖକୁ ଲାଗି ଆସି ଚୁପ୍‌ ହୋଇ ଠିଆ ହୋଇଥାଏ । ଚାହିଁ ରହେ ସେହି ଦିଗକୁ । ହାତରେ ଠାରି ଦିଏ । ପର ମୁହୂର୍ତ୍ତରେ ଜୀବଗୁଡ଼ାକ କେଉଁଆଡ଼େ ଅଦୃଶ୍ୟ ହୋଇଯାଆନ୍ତି । ଫୁଲରାଣୀ ଜଙ୍ଗଲ ଥରାଇ ହସିଉଠେ । ନାଲି ଓଠରେ ଫୁଲରାଣୀର ହସ ଖୁବ୍‌ ସୁନ୍ଦର ଦେଖାଯାଉଥାଏ । ଫୁଲ ଦେଖିଲେ ଅଟିକିଯାଏ । ଚାଙ୍ଗୁଡ଼ି ପୂର୍ଣ୍ଣ ହୋଇ ଗଲାଣି ବଣଫୁଲରେ । ତଥାପି ଫୁଲରାଣୀ ସୁନ୍ଦର ଫୁଲ ଦେଖି ଅଟକି ଚାହେଁ । ମନକୁ ମନ ହସେ । ବଣ ଫଳ ତୋଳି ଆଣେ । ଗୋଟି ଗୋଟି ପରୀକ୍ଷା କରି ଚାଲେ ।

 

ଝରଣା ସେ ପାଖେ ଆମେ ଅଟକି ଯାଇଥିଲୁ । କଳ କଳ ଝରଣା ବଙ୍କେଇ ବଙ୍କେଇ ବହି ଯାଇଛି ତଳକୁ । ଠାଏ ଠାଏ ଉଚ୍ଚା ଉଚ୍ଚା ଶିଳା ପଦାକୁ ବାହାରିଛି । ଦୁଇ ପାଖେ ଘଞ୍ଚ ଜଙ୍ଗଲ । ସୂର୍ଯ୍ୟ କିରଣ ତଳେ ପଡ଼ୁ ନ ଥାଏ । ସରୁ ରାସ୍ତାଟି ଝରଣା କୂଳରେ ମିଶିଯାଇଛି । ସେ ପଟ ପାହାଡ଼ ଦେଇ ଉପରକୁ ଉଠିଗଲା ପରି ମନେ ହେଉଛି । ଶିକାର ପାହାଡ଼ ସେ ପଟେ ମିଳିପାରେ । ପାରି ହେବାକୁ ପଡ଼ିବ । ଫୁଲରାଣୀ ଡେଇଁ ଡେଇଁ ପାଣିରେ ପଶି ପଛକୁ ଅନେଇଲା । କୂଳକୁ ଆସି କହିଲା ବାବୁ ବନ୍ଧୁକ ମୋତେ ଦିଅନ୍ତୁ । ମୋ ହାତ ଧରନ୍ତୁ ମୁଁ ନେଇଯିବି ।

 

ଦୂର ପାହାଡ଼ ମଥା ଦେଇ ସୂର୍ଯ୍ୟ ଗଡ଼ି ଯାଉଥିଲେ ତଳକୁ । ବିଛିଲା ନାଲି କିରଣ ସବୁଜ ଘାସରେ ବିଛାଡ଼ି ହୋଇ ଯାଇଥିଲା । ତଳେ ନିବିଡ଼ ଶ୍ୟାମଳ ବନାନୀ । ନୀଳ ସମୁଦ୍ର ପରି ନେଇ ଯାଇଥିଲା ଖୁବ୍‌ ଦୂରକୁ ! ପାହାଡ଼ର ଠାଏ ଠାଏ ଉଚ୍ଚା ଉଚ୍ଚା କଳା ଧଳା ଗିରି ଶୃଙ୍ଗ ଉପରକୁ ଉଠି ଆସିଛି । ଆର ପାହାଡ଼ ଘାଟିରେ ଆମ ବଙ୍ଗଳା । ଡାକେ ଖଣ୍ଡେ ବାଟ ହେବ । ଏ ପଟେ ଶବ୍ଦ କଲେ ସେ ପାହାଡ଼ ଥରି ଉଠୁଛି । ମଝିରେ ମଝିରେ ଗଛ ପଡ଼ିବା ଶବ୍ଦ । ମଡ଼ ମଡ଼ ଡାକରେ କାନ ଥରାଇ ଲିଭିଯାଉଛି ଖୁବ୍‌ ଦୂରରେ । ଦଳ ଦଳ ପକ୍ଷୀ ପାହାଡ଼ ଉପର ଦେଇ ଉଡ଼ି ଆସୁଥିଲେ ।

 

ଫୁଲରାଣୀ ପରିଷ୍କାର ଧୂସର ପଥର ଉପରେ ବସି ଫୁଲମାଳ ଗୁନ୍ଥୁଥାଏ । କଣ୍ଠରେ ତାର ସେହି ପରିଚିତ ଜଙ୍ଗଲୀ ଗୀତ । ଥରେ ଥରେ ଚାହୁଁଥାଏ ମୋତେ । ସିଗାରେଟ୍‌ ଧରାଇ ଶୋଇ ଯାଇଥାଏ ଲମ୍ବା ପ୍ରସ୍ଥର ଉପରେ । ବେଶ୍‌ ନିର୍ଜ୍ଜନ । ସମତଳ ନ ହେଲେ ସବୁଜରେ ଭରି ଯାଇଛି ଚତୁର୍ଦ୍ଦିଗ । ଗୋଟେ ଦୁଇଟା ଶିକାରୀ ଜୀବ ଦେଖା ଦେଇ ଲୁଚି ଯାଉଥାନ୍ତି ଜଙ୍ଗଲରେ ।

 

ଫୁଲରାଣୀ ସେଦିନ ମୋତେ ଦେଖି ଥକାହୋଇ ଛିଡ଼ାହୋଇ ରହିଥିଲା । ହରିଣୀ ଆଖି ଦୁଇଟି ବାରବାର ନିରୀକ୍ଷଣ କରୁଥାଏ । ଓଠରେ ବଣଫୁଲର ହସ । ସରୁ ଗୋଲ ମୁହଁ । କପାଳରେ କଳା ଟିପା । ବଡ଼ କମକୂଟ ହୋଇଛି । ହଳଦୀ ବସନ୍ତ ଦେହରେ ଗୁଡ଼ାଇ ହୋଇଥାଏ ନାଲି କସ୍ତା ଲୁଗାଖଣ୍ଡେ । ସବଳ ବାହୁ । ଅଧା ଫୁଙ୍ଗୁଳା ପିଠି । ଟାଣିଲା ଟାଣିଲା ଆଖି ଦୁଇଟିରେ ଅନେକ କଥାର ଲହରୀ । ନାଲି ଓଠ ଦୁଇଟି ତଳ ଉପର ହୋଇ ଥରି ଉଠୁଛି । କଳା ଲମ୍ଵିଲା ବେଣୀରେ ଧଳା ଫୁଲମାଳ ଚାରିସରି । ଗୋଟି ଗୋଟି ଫୁଲ କେତୋଟି ତଳକୁ ବାହାରି ଆସିଥାଏ-। ହାତରେ ମାଳେ ଲେଖାଏଁ କଳା କାଚ । ଆଙ୍ଗୁଠିରେ ନାଲି ପଥରବସା ମୁଦି । ଗୋଡ଼ ପାଦ ଆଙ୍ଗୁଠିରେ ଝୁଣ୍ଟିଆ । କଳା ମିଚିମିଚି କୁଞ୍ଚୁକୁଞ୍ଚିଆ ବାଳ କେରାଏ ମୁହଁ ଉପରକୁ ଝୁଲି ପଡ଼ିଛି । ଗୋଡ଼ରେ ପାଉଞ୍ଜି । ଝୁଣୁଝୁଣୁ ହେଉଥାଏ ଚାଲିଗଲେ ।

 

ଫୁଲରାଣୀ ହସି ଉଠିଲା । ବଡ଼ ବେପରୁଆ ହସ । ଝରଣାପରି ହସ ଗୁଡ଼ାକ ଖେଳିଗଲା ଶୂନ୍‌ଶାନ ବଙ୍ଗଳା ଦେଇ ଅରଣ୍ୟ ଭିତରେ । ଫୁଲରାଣୀ ପାଟିରେ ହାତଦେଇ ଝୁମୁଝୁମୁ ହୋଇ ଚାଲିଗଲା ପାଖରୁ । ଭିତର ଘରୁ ପାଣି ଗିଲାସଟି ଟେବୁଲ ଉପରେ ଥୋଇଦେଇ ଛିଡ଼ାହେଲା । ବଡ଼ ବଡ଼ ଆଖିରେ ଚାହିଁ ରହିଥିଲା ମୋର ଖୋଲୁଥିବା ସୁଟକେଶକୁ । ଭିତରକୁ ଡାକିଲି । ଶାଢ଼ୀ ଖଣ୍ଡିକ ବଢ଼ାଇ ଦେଲି ହାତକୁ । ଆବାକାବା ହୋଇ ଫୁଲରାଣୀ ଚାହିଁଲା । ଫିଟେଇ ଦେଖିଲା । ଆଖି ଦୁଇଟିରେ ବିସ୍ମୟର ଚାହାଁଣୀ । ମୁହଁରେ ହସ । ଚଞ୍ଚଳ ହାତ ଦୁଇଟି ଏପଟ ସେପଟ ଖେଳି ଯାଉଥାଏ ।

 

ଫୁଲରାଣୀ କଥାରେ ହସକୁ ଚାପି କହିଲି, ତୁ ସହରକୁ ଯିବୁ ?

 

ଫୁଲରାଣୀ ଦୁଇପଟକୁ ଚାହିଁ କହିଲା, ବାବୁ ତୁମେ ସହରରେ ରହୁଛ ନା ?

 

ହଁ ।

 

ସହର ଲୋକଗୁଡ଼ାକ ବଡ଼ ସୁନ୍ଦର ନା ବାବୁ ?

 

ହଁ ।

 

ସହରରେ ସାହେବଙ୍କ ପୁଅ ଝିଅ ଅଛନ୍ତି । ବାବାରେ କି ସୁନ୍ଦର ପୋଷାକ । ଭଳି ଭଳିକା ଜିନିଷ । ଝିଅ ମା’ ପରି ଦେଖାଯାଆନ୍ତି । ଆସିଲେ ଖାଲି ହସ, ଖେଳ, ଶିକାରୀ ପରି ବଣରେ ବୁଲନ୍ତି । ହାତରେ ଖାଇ ଆସେ ନାହିଁ । ଖାଇଲା ବେଳେ କେତେ କ’ଣ ଧରନ୍ତି । ଖାଇବେ ଯେ ଗୁଣ୍ଡେ କି ଦୁଇଗୁଣ୍ଡା । ବାବାରେ ବାବା ଯେଉଁ ସିଧି । ଚାରିଟା ଲୋକ ଦରକାର । କେତେ ଜିନିଷ ଆଣିଥାନ୍ତି । କି ସୁନ୍ଦର ସୁନ୍ଦର ଦରବ । ଆଖି ଖୋସି ହୋଇଯିବ । ବାବୁ ତୁମପରି କେତେ ଯେ କ’ଣ । ଗଣିଲେ ଦୁଇଦିନ ଲାଗିବ । ଗଲା ବେଳେ ମୋତେ ନାଲି ଜାମା ଖଣ୍ଡେ ଆଉ କେତେ କ’ଣ ଦେଇଥିଲେ । ହେଲେ ଶୋଇଲା ବେଳେ କେମିତି କେମିତି ଲାଗୁଛି । କାଠ ପେଡ଼ିରେ ରଖି ଦେଇଛି ।

 

ବାବୁ ତୁମ ରାଇଜରେ କ’ଣ ଏଗୁଡ଼ାକ ଗଢ଼ା ହେଉଛି ?

 

ଫୁଲରାଣୀ ଦେହକୁ ଲାଗି ମୁଣ୍ଡ ଫୁଟାଉ ଦେଉଥାଏ । ହାତରେ ନ ଫୁଟିଲେ ଦାନ୍ତରେ ଭିଡ଼ି ଦେଉଛି । ହଁ ଫୁଲରାଣୀ ସେବୁର ଯନ୍ତା ଅଛି ।

 

ସେ କେମିତି ବାବୁ ?

 

ତୁ ଗଲେ ଦେଖିବୁ ଯେ ।

 

ଫୁଲରାଣୀର ଚକ୍ଷୁ ଦୁଇଟି କ୍ଷଣିକ ପାଇଁ ଜଳି ଉଠିଲା । ପର ମୁହୂର୍ତ୍ତରେ ଆଖି ଦୁଇଟି ଛଳ ଛଳ ହୋଇ ଆସିଲା । ଟୋପା ଟୋପା ଲୁହ କେତେ ବିନ୍ଦୁ ଗଡ଼ି ଆସିଲା ଚିକ୍‌କଣ ଗାଲ ଉପରେ । ଆଖି ଫେରାଇ ନେଇ ଚାହିଁ ରହିଲା ଦୂର ଅରଣ୍ୟକୁ । କଳା କଳା ଚକ୍ଷୁ ଡୋଳା ଦୁଇଟି କରୁଣରେ ଭରିଗଲା ନିର୍ବାକ ହୋଇ ଚାହିଁ ରହିଲି କିଛି କ୍ଷଣ । ବୁଝି ପାରିଲି ନାହିଁ ଫୁଲରାଣୀର ହସିଲା ମୁହଁକୁ ମନେ ପକାଇ ।

 

କାନ୍ଦିଲୁ ଯେ ଫୁଲରାଣୀ ?

 

ନା ବାବୁ, ଛାଡ଼ନ୍ତୁ ସେ ପଛ କଥା । ଯେ ଯାଇଛି ସେ କ’ଣ ଫେରି ଆସିବ । ମନେ ପଡ଼ିଗଲା ଗୋଟିଏ କଥା । କ’ଣ ବାବୁ ମିଳିବ ?

 

ବାବୁ, ସହରର ସ୍ତ୍ରୀ ଲୋକଗୁଡ଼ାକ କ’ଣ କିମିଆ ଜାଣନ୍ତି ?

 

ଆଶ୍ଚର୍ଯ୍ୟ ହୋଇ ଚାହିଁ ପଚାରିଲି କ’ଣ ହେଲା ?

 

ଯୁଆନ ଟୋକା ଦେଖିଲେ ବଶ କରି ଦିଅନ୍ତି ନା ବାବୁ ?

 

କଥାଟି ଠିକ୍‌ କରି ଠଉରେଇ ପାରିଲି ନାହିଁ । ଫୁଲରାଣୀର ଏ ପ୍ରକାର ପ୍ରଶ୍ନରେ ମୁଁ କିଛି ସଙ୍ଗେ ସଙ୍ଗେ କହି ପାରିଲି ନାହିଁ । ମନେହେଲା ସରଳ ବାଳିକା ହୃଦୟରେ କେହି ଧୋକା ଦେଇ ପାରିଥାଏ ।

 

ସନ୍ଧ୍ୟାର ଏକ ମଉଳା ଖରାରେ ଆମେ ନିତିଦିନ ପାହାଡ଼ ଉପରକୁ ଉଠି ଯାଉଥିଲୁ । ସବୁଦିନ ପରି ଫୁଲରାଣୀ ତାର ମନୋନୀତ ଫୁଲଗୁଡ଼ିକ ସଂଗ୍ରହ କରି ଚାଲିଥାଏ । ପେନ୍ଥା ପେନ୍ଥା ଲଦି ହୋଇଥିବା ଫଳ ସଙ୍ଗେ ପରିଚୟ କରାଇ ଦେଉଥାଏ । ବାଟକୁ ନଇଁ ପଡ଼ିଥିବା ଡାହିଗୁଡ଼ାକୁ ହାତରେ ଭାଙ୍ଗି ଦୂରକୁ ଫୋପାଡ଼ି ଦେଉଛି । ମୁହଁରେ ଗୁଣୁଗୁଣୁ ଗୀତ । ନିତି ଦିନର ସରଳ ଚାହାଁଣୀ । ହସ ହସ ମୁହଁ । ମନ ଖୋଲା କଥାରେ ମୋ ନିର୍ଦ୍ଦିଷ୍ଟ ଦିନଟି ଖସି ଯାଉଥାଏ ଗୋଟିଏ ପରେ ଗୋଟିଏ । ହରିଣୀ ପରି ଫୁଲରାଣୀ ଡେଇଁ ଡେଇଁ ଆଗକୁ ମାଡ଼ି ଚାଲିଥାଏ । ପଛରେ ମୁଁ ଅନୁସରଣ କରୁଥାଏ ଲୁଚି ଯାଉଥିବା ଫୁଲରାଣୀକୁ ।

 

ଜଙ୍ଗଲରୁ ବହୁତ ଦୂର ଯିବାପରେ ମୁଁ ଥକି ଯାଇଥିଲି ଅଭ୍ୟାସରେ ପଡ଼ି ନଥିବା ଜଙ୍ଗଲ ରାସ୍ତାରେ । ବୋହି ଆସୁଥିବା ଝାଳକୁ ପୋଛି, ପଡ଼ି ଯାଇଥାଏ ଖୁବ୍‌ ପଛରେ । ଗୋରା ପାଦ ଦୁଇଟିରେ ରୁଣୁଝୁଣୁ ଘୁଙ୍ଗୁର । ଫୁଙ୍ଗୁଳା ଆଣ୍ଠୁ ଦୁଇଟି ଝୁଲୁଥାଏ ପଥର ତଳକୁ । ଫୁଲରାଣୀ ହାତ ବଢ଼ାଇ ଉଠାଇ ନେଲା ଉପରକୁ । ହସି ହସି କହିଲା କ’ଣ ବାବୁ ଥକିଗଲ ଏଇତକ ବାଟରେ । ଏ କ’ଣ ଆପଣଙ୍କ ଗାଡ଼ି ଘୋଡ଼ାର ସହର ହୋଇଛି ।

 

ଆଗରେ ଚାଲି ଯାଉଥିବା ହରିଣକୁ ଦେଖି ବନ୍ଧୁକ ଉଠାଇଲି । ମାରିଲା ବେଳକୁ ଫୁଲରାଣୀ ବନ୍ଧୁକକୁ ଉପରକୁ ଉଠାଇ ନେଲା । ବାବୁ ଏ ପରା ଦିଅଁଙ୍କ ସ୍ଥାନ । ଜୀବ ମାରିବା ମନା-। ଅଙ୍ଗିମା ସର୍ଦ୍ଦାର ଶୁଣିଲେ ବଡ଼ ରାଗିବ । ସବୁ କରିବ ବାବୁ, ହେଲେ ଏ ସ୍ଥାନରେ ଶୀକାର କରିବ ନାହିଁ । ଠାକୁରାଣୀ ରାତିଦିନ ଏ ଜଙ୍ଗଲକୁ ଜଗିଥାନ୍ତି । ରକ୍ତ ପଡ଼ିଲେ ରାତି ଗୋସାଣୀ ସମ୍ଭାଳି ହେବ ନାହିଁ । ଖାଲି ଭେଟିଦିନ ଯାହା ବଳି ଦିଆଯାଏ । ଗୋସାଣୀ ଦିଅଁ ବରଷକେ ଥରେ ମାତ୍ର ରକ୍ତ ଖାଆନ୍ତି । ଅନ୍ୟ ଦିନରେ କେହି ଏ ଜଙ୍ଗଲରେ ଶିକାର କରନ୍ତି ନାହିଁ କି ବୃକ୍ଷରୁ ଡାଳ ଖଣ୍ଡେ ଭାଙ୍ଗନ୍ତି ନାହିଁ । ଠାକୁରାଣୀ ସବୁବେଳେ ରୂପ ବଦଳାଇ ଜଗିଥାନ୍ତି । କେତେବେଳେ ବାଘ, ଭାଲୁ, ବିଲୁଆ, ସାପ କେହି କହି ପାରିବେ ନାହିଁ । ଆଉ ଅନ୍ୟାୟ ହେଲେ ସେ ସହି ପାରିବେ ନାହିଁ-। ଯେମିତି ହେଲେ ତାର କ୍ଷତି କରାଇଥାନ୍ତି ।

 

ନିଜାମ ସର୍ଦ୍ଦାର ପୁଅ ତାର ନୂଆ ମାଇକିନିଆ କଥାରେ ହରିଣଟିଏ ଶିକାର କରିଥିଲା । ସେ ମନା କରୁଥିଲା । ମାଇପିଟା ତାର ଲୋଭ ସମ୍ଭାଳି ପାରି ନଥିଲା । ବେଶୀ ବଳାଇବାରୁ ସେ ଶରଟିଏ ମାରିଥିଲା । ଯେମିତି ଭୂଇଁରେ ରକତ ପଡ଼ିଛି କେଉଁଠୁ ବୁଢ଼ା ଅଜଗର ସାପ ଥିଲା ତାକୁ ଗୋଟା ସୁଦ୍ଧା ଗିଳିଦେଲା । ଭୁଆସୁଣୀ ମାଇପ ତାର ଯେତେ କାକୁତି ମିନତି ହେଲା ହେଲେ ସାପରାଜା ଟିକିଏ ଶୁଣିଲା ନାହିଁ । ସେ ବର୍ଷ ଖରାଦିନ ମାଜଣାବେଳେ ଗୋଟେ ମୃଗଛୁଆ ଜଙ୍ଗଲରୁ ମାରି ଭୋଜି ହୋଇଥିଲା । କ’ଣ କହିବି ବାବୁ, ଦିନ ଆଠଟା ଦଶଟି ଯାଇଛି କି ନାହିଁ ଠାକୁରାଣୀ କାହିଁରେ କ’ଣ କଲେ । ମା’ ହୋଇ ଦଶଟା ମୁଣ୍ଡ ଖାଇଗଲେ । କାହିଁ କେତେ ଭୋଗ, ରାଗ ପୂଜା ପଣା ଖାଇବାରୁ ଯାଇ ଶାନ୍ତି ହେଲେ । ବାବୁ ତୁମେ ତ ବିଦେଶୀ ଲୋକ, ମୋ ରାଣ ବାବୁ–ଏ ଜଙ୍ଗଲ ଖଣ୍ଡକରୁ କିଛି ଶିକାର କରିବ ନାହିଁ । କାହିଁଠୁ କେତେ ଜଙ୍ଗଲ ପଡ଼ିଛି । କେଉଁ ଅଭାବ ଅଛି-। ଚାହିଁଲେ ତ ଆପେ ଆପେ ଗଦା ହୋଇଯିବ ।

 

ଆଉ ନିମିଜାନି ମା’ ଏଠାରେ ଡୁମା ହୋଇଛି । ବାଘ ମୁହଁରେ ଯାଇଛି । ରାତି ହେଲେ ଖାଲି ବାହୁନା ଛାଡ଼େ । ତା ଦିଅଁର ଖୁଡ଼ୁମା’କୁ ଡରାଏ । ପିଲା ଚେମେଟାକୁ ଘରୁ ଟେକି ନେଇଥିଲା-। ମାରି ପାରିଲା ନାହିଁ । ପିଲା ଦିହରେ ସାତକଟା ଡେଉଁରିଆ ଥିବାରୁ କିଛି ହେଲାନାହିଁ-। ଚଣ୍ଡୀଙ୍କ ବିଭୂତି ଥିଲା । ତାକୁ ଗୋସାଣୀ ଦଳ ବେଢ଼ି ଗଲେ ଖାଇବାକୁ । ହେଲେ ଦିଅଁଙ୍କ ଯୋଗୁ କିଛି ଖିନି ଖରାପ କରି ପାରିଲେ ନାହିଁ । ବାସୁଳେଇ ସାହା ହେଲେ ସେ ଅରକ୍ଷିତ ପିଲାକୁ-। ସାପରାଜା ଫଣାଟେକି ଜଗି ରହିଲା । ମା’ ଯାହାର ସହାୟ ହେବେ କୋଟି ଦେବତା ହେଲେ ତାର କିଛି କରି ପାରିବେ ନାହିଁ । ନିମିଜାନିଟା ଏବେ ସୁଦ୍ଧା ପ୍ରେତ ଅଛି । ମୋକ୍ଷ ହୋଇନାହିଁ । ଖୁଡ଼ୁମା ତାର ପ୍ରେତକାମ କରିନାହିଁ । ସାହି ଭାଇକୁ ଭାତ ଦେଇ ନାହିଁ । କ୍ରିୟା କର୍ମ କରି ପାରି ନାହିଁ । ସାହି ଭାଇଠାରୁ ଅପଡ଼ । ଏକଘରିଆ ହୋଇଅଛି । ବଡ଼ ସାହେବଙ୍କ ପାଖେ ବେଠି ଖଟୁଛି । ବାପ ମଲାବେଳେ ଟଙ୍କା ନେଇଥିଲା ସୁଝି ନାହିଁ ।

 

ପାଞ୍ଚ ବର୍ଷ ହେଲାଣି । ଏକୁ କେଉଁଠି ସୁଧ ହେଉଛି । ମାଇକିନିଆ ପିଲା ପାଞ୍ଚଟା ପୋଷୁଛି । ରାତିରେ ବେଠି ଖଟୁଛି । ପିଲାଗୁଡ଼ାକ କାଠ ବୋହୂଛନ୍ତି ମହାଜନର । ଦେହ ପା’ ଅଛି । ବୁଢ଼ା ଦିନକୁ ଟଙ୍କା ନେଇଛି । ମାଣ୍ଡିଆ ନେଇଛି ମା’ ପାଇଁ । ମହାଜନ ସେଦିନ ମାଡ଼ ଦେଇଥିଲା କାଠ ଚୋରି କରିଥିଲା ବୋଲି । ଦିଅଁଙ୍କ ଜଙ୍ଗଲରୁ କାଠ ହାଣିଥିଲା । ମୁଖିଆ ଜୋରିମାନା କରିଥିଲା । ସାତଘଣ୍ଟା ପାଣିଗରା ମୁଣ୍ଡେଇ ଜଙ୍ଗଲ ବୁଲେଇଥିଲା । ଦିଅଁଙ୍କୁ ଟଙ୍କା ଦେଇଥିଲା । ଖୁଡ଼ୁମା କ୍ଷମା ମାଗିଥିଲା । ତେବେ ଯାଇ ପାର ପଡ଼ିଲା । ନଇଲେ ବାସୁଳେଇ ଗୋଟା ସୁଦ୍ଧା ଖାଇ ଯାଇଥାନ୍ତା । ସାପ, ବାଘ ମୁହଁରେ ମା’ ମରି ଯାଇଥାନ୍ତା । ଅନୀତି କଲେ ବାବୁ କ’ଣ ମା’ ସହିବ । ନାହିଁ ନଥିଲାଠୁ ବିପତ୍ତି ପଡ଼ିଯିବ ।

 

ବଙ୍ଗଳା ଉପରେ ମଲାଜହ୍ନ । ଖଣ୍ଡେ ଖଣ୍ଡେ ଧଳା ବଉଦ ଭାସି ଯାଉଥାନ୍ତି ସେ ପଟେ ପାହାଡ଼ ପଛକୁ । ଫୁଲ ବାସନାରେ ବଙ୍ଗଳା ମହକି ଉଠୁଥାଏ । ଧାଡ଼ି ଧାଡ଼ି ଫୁଲ ଗଛରେ ସଂଖ୍ୟାହୀନ କଢ଼ି । ଫୁଟିଲା ଧଳା ଫୁଲର ପେନ୍ଥା । ମଳିନ ଆଲୁଅରେ ଜଙ୍ଗଲ ଶୋଇ ଯାଇଥିଲା ପରି ମନେ ହେଉଛି । ନିଶବ୍ଦ ଜଙ୍ଗଲର ନୀରବତା ସମୟେ ସମୟେ ଅସହ୍ୟ ପରି ମନେ ହେଉଛି । ଅଭ୍ୟାସର ସହରୀ ଦିନଗୁଡ଼ାକ ପୁଣି ମନେ ପକାଇ ଦେଉଥାଏ ଅତୀତକୁ । ଯାନ୍ତ୍ରିକ ଜୀବନ ଅଚଳ ହୋଇ ପଡ଼ୁଥାଏ ପ୍ରକୃତିର ବିରାଟ କର୍ମକ୍ଷେତ୍ରରେ । ଦିନ କେତୋଟି କଟି ଯିବା ପରେ ପୁଣି ସେହି ପ୍ରବୃତ୍ତି ମନ ପଛକୁ ଟାଣୁଥାଏ । ପରିଚିତ ମୁହଁ । ଆଲୋକିତ ଜୀବନର ସରସତା ସରଳ ଜଙ୍ଗଲବାସୀଙ୍କୁ ଡେଇଁ ବହୁଦୂର ଧାଇଁ ଯାଉଥାଏ । ଫୁଲରାଣୀ ଫେରି ଆସି ପାଖରେ ବସିଥାଏ । ବେଣୀରେ ବାନ୍ଧିଥିବା ଫୁଲମାଳକୁ ଫିଟାଇ ପୁଣି ଗୁଡ଼ାଇଥାଏ । ଦେଇଥିବା ଶାଢ଼ୀକୁ ଯାକିଯୁକି ଦେଇଥାଏ । ଥରେ ଥରେ ମୋତେ ଅନାଇ କ’ଣ କହିବାକୁ ଯାଇ ମୁହଁ ଖୋଲି ପାରୁ ନଥାଏ ।

 

ଫୁଲରାଣୀ ମୁଁ କାଲି ଯିବି । ଚମକି ପଡ଼ି ଫୁଲରାଣୀ ପାଖକୁ ଲାଗି ଆସିଲା । କିଛି ସମୟ ନୀରବ ରହି କହିଲା, ବାବୁ କ’ଣ ଘରକଥା ମନେ ପଡ଼ୁଛି ।

 

ନା ଫୁଲରାଣୀ ମୋର ଆଉ ଛୁଟି ନାହିଁ ।

 

ବାବୁ ତୁମେ ସବୁବେଳେ ସହରରେ ରହୁଛ ନା ?

 

ହଁ, କ’ଣ ହେଲା ।

 

ସୁମା ସଙ୍ଗେ ଆପଣଙ୍କର ଭେଟ ହୁଏ ନାହିଁ ?

 

ସୁମା ! ସେ କିଏ ?

 

ବଡ଼ ମୁଖିଆ ପୁଅ । ଯୁଆନ ଭେଣ୍ଡା । କି ବଳ ତା ଦିହରେ । ହାତ ଗୋଡ଼ଗୁଡ଼ାକ ଶାଳଗଛ ପରି ଶକତ । ସେ ବର୍ଷ ଯେଉଁ କାଗଜରେ ଛବି ବାହାରିଥିଲା ସେ ସେହି ସୁମା । ମଣିଷଖିଆ ବାଘକୁ ସେ ମାରିଥିଲା ଲଢ଼ିକରି । କି ବଳ ତା ଦେହରେ । କୁଣ୍ଢାଇ ଧରିଲେ ମୁଁ ଅଜୁନ୍ତୁରୀ ହୋଇଯାଏ । ଟାଙ୍ଗିଆ ଧରିଲେ ଗଛ ଥରେ । ଜନ୍ତୁଜୁନ୍ତାଗୁଡ଼ାକ ବାଟ ଛାଡ଼ି ଦିଅନ୍ତି । ଦେଖିବାକୁ ପାଞ୍ଚ ହାତିଆ ମରଦ । ବାଳଗୁଡ଼ାକ ଭାରି କୁଞ୍ଚକୁଞ୍ଚିଆ । ଦେହଟା ମୁଗୁନି ପଥର । ପାଣି ମାରିଲେ ଗଡ଼ିଯିବ । ଦୀର୍ଘ ନିଶ୍ଵାସ ପକାଇ ଫୁଲରାଣୀ ମୋତେ ଚାହିଁଲା । ମସିଆ ଖବର କାଗଜଟି ଫୁଲରାଣୀ ଟ୍ରଙ୍କରୁ କାଢ଼ି ଦେଖାଇଲା । ଟାଣୁଆ ଦେହରେ ଖୁନ୍ଦିଲା ପରି ମାଂସପେଶୀ । ବଡ଼ ମୁଣ୍ଡ । ଜୋରଦାର ମଣିଷ ପରି ଛବିରୁ ଅନୁମାନ କଲି । ମଣିଷଖିଆ ବାଘକୁ ମାରିଥିବାରୁ ସରକାର ଏକ ହଜାର ଟଙ୍କା ପୁରଷ୍କାର ଦେଇଛନ୍ତି । ସଂରକ୍ଷିତ ଜଙ୍ଗଲରେ ରକ୍ଷୀ ରୂପେ ନିଯୁକ୍ତି ପତ୍ର ମିଳିଥିଲା ।

 

ସୁମା ଫୁଲରାଣୀଠାରୁ ବିଦାୟ ନେଇଥିଲା ବହୁ କଷ୍ଟରେ । ସହରକୁ ଯାଇ ଟଙ୍କା କମାଇ ସାରିଲେ ଫୁଲରାଣୀକୁ ବାହାହେବାକୁ କଥା ଦେଇଥିଲା । ସବୁଦିନ ପାଇଁ ରଣଜିତ୍‌ ବାବୁଙ୍କ ଜଙ୍ଗଲରୁ ଚାକିରି ଛାଡ଼ି ଦେଇଥିଲା । ବର୍ଷ ପରେ ବର୍ଷ ଫୁଲରାଣୀ ଅପେକ୍ଷା କରି ଚାଲିଛି । ଚାହିଁ ରହିଛି ସୁମାର ଲେଉଟା ବେଳକୁ । ସୁମା ନିଶ୍ଚୟ ଫେରିବ । ନ ହେଲେ ତ ସେ ମଧ୍ୟ ଡୁମା ହୋଇଯିବ । ବାସୁଳେଇ ପାଖେ ତାକୁ ଫୁଲ ଦେଇଛି । ବଣରେ ଏକୁଟିଆ ବୁଲେଇଛି । ଶିକାର କରିଛି । ସାଥି ହୋଇ ନାଚିଛି । ମା’ ସତ୍ୟ କରିଛି ସୁମାକୁ ଜ୍ୱାଇଁ କରିବା ପାଇଁ । ନ ହେଲେ ତ ତା ଆତ୍ମା ପ୍ରେତ ହୋଇଯିବ । ନରକକୁ ଯିବ । ସେ ମଲେ ତାକୁ ପ୍ରେତମାନେ ମାରି ମାରି ଖାଇଯିବେ-। ଗୋସାଣୀ ଚଣ୍ଡୀମାନେ ରକ୍ତ ପିଇଯିବେ । ବାସୁଳେଇ ସିନ୍ଦୁର ତା ମୁଣ୍ଡରେ ମାରି ସୁମା କଥା ଦେଇଛି । ଆଜି ନ ହେଲେ ଦିନେ ନା ଦିନେ ଆସିବ । ସାଇ ଭାତ ଦେଇ ତାକୁ ନେବ । ଦିଅଁଙ୍କ ମାଜଣା ଟଙ୍କା ଦେବ । ସେ ସାହେବଙ୍କ ପାଖେ ରଖିଥିବା ଟଙ୍କାରେ ପାଲା କରିବେ । ଝରଣାରେ ଖେଳିବେ । ପୁଣି ନାଚିବେ । ସୁମାର ସାନ ଭଉଣୀ ମାଳିକା ତାକୁ ଟାହିକରେ । ବାପ ଘରକୁ ଆସିଲେ ତା ପାଖକୁ ଆସେ । କେତେ କଥା କୁହେ । ଘରକୁ ଡାକେ । ବାପ ତାର ସୁହାଗ କରେ । ଆଦରରେ ଖାଇବାକୁ ଡାକେ । ଲୁହ ଢାଳେ । ଦିଅଁଙ୍କ ପାଖେ ମାଜଣା କରେ । ସୁମା ତାର ଫେରିବ । ସେ ଫୁଲରାଣୀକୁ ସଙ୍ଖୋଳିବ । ସାଇ ଭାତ ଦେବ । ବାଜଣା ବଜାଇ ନାଚ ଗୀତ ଗାଇ ବୋହୂ କରିବ । ଅଲଗା ଘର କରିବ । ସୁମା ଟଙ୍କାରେ ସେ ସାଇ ଭାଇଙ୍କୁ ଆଚ୍ଛତରେ ଖାଇବା ପିଇବାକୁ ଦେବ । ସେ ମୁଖିଆ । ସୁମା ତାର ଗେହ୍ଲା ପୁଅ ।

 

ଜିପରେ ଜିନିଷ ପତ୍ର ଲଦା ସରିଥାଏ । ସକାଳ ଖାଇବା ପିଇବା ସରିଥାଏ । କାଲୁ ଓସ୍ତାଦ୍‌ ଗାଡ଼ି ପାଖେ ଏପଟ ସେପଟ ହେଉଛି । ଅନେକ ଦୂର । ପହଞ୍ଚୁ ପହଞ୍ଚୁ ରାତି ହୋଇ ପାରେ-। ପୁଣି ଟ୍ରେନ୍‌ ଧରିବାକୁ ପଡ଼ିବ । ଦୁଇଦିନ ଯାତ୍ରା । ଜଙ୍ଗଲ ପାର ହେଲେ ସେଣିକି ଭୟ ନାହିଁ ।

 

ଗାଡ଼ିରେ ବସିଲି । ଅପେକ୍ଷା କଲି ଫୁଲରାଣୀକୁ । ସକାଳୁ ଦେଖା ନାହିଁ । କାଲିଠୁ କହିଛି । ଚାହିଁଲି ଚାରିଆଡ଼େ । ଗାଡ଼ି ବେଲ୍‌ ଦେଲା । ଧୀରେ ଧୀରେ ଗେଟ୍‌ ପାଖକୁ ଆଗେଇଲା । କେତେ ଦିନର ନିଶୂନ୍‍ ବଙ୍ଗଳାକୁ ପୁଣି ଥରେ ଚାହିଁଲି । ଜିନିଷଗୁଡ଼ାକ ଉପରେ ଥରେ ଆଖି ବୁଲାଇ ନେଲି । ଫୁଲରାଣୀ ଝାଳ ନାଳ ହୋଇ ଦଉଡ଼ୁଛି । ଗାଡ଼ି ପାଖରେ ପହଞ୍ଚି ଧଇଁ ସଇଁ ହୋଇଗଲା । ମୁକୁଳା କେରି କେରି ବାଳ ଏଣେ ତେଣେ ଦୋଳି ଖେଳୁଛି । ଗୋରା ମୁହଁରୁ ଧାର ଧାର ଝାଳ ବୋହିଯାଉଛି । ବିଦାୟ ମାଗିଲି । ଫୁଲରାଣୀ ମୁଣ୍ଡରେ ସିନ୍ଦୁର ମାରି ଫୁଲମାଳ ବେକର ଦେଲା । ଛଳଛଳ ଆଖିରେ ବଢ଼ାଇ ଦେଲା ଏକ ବନ୍ଧା ଫୁଲତୋଡ଼ା । ଅସ୍ପଷ୍ଟ ସ୍ଵର ବାହାରି ପଡ଼ିଲା–ଏହା ମୋର ସୁମା ପାଇଁ– ।

 

ଗାଡ଼ି ଧୀରେ ଧୀରେ ତଳକୁ ଗଡ଼ି ଚାଲିଯାଇଥିଲା । ସୁନ୍ଦର ମୁହଁଟି କ୍ରମେ କ୍ରମେ ଲିଭି ଯାଉଥିଲା ମୋ ଦୃଷ୍ଟିରୁ ।

Image

 

ଟାଉନ୍‌ ବସ୍‌

 

ଗୋଟାଏ ଚାଳିଶ ।

ଦୁଇଥର ସମୟ ସୂଚନାକୁ ଦେଖିବାପରେ ମୁହଁ ବୁଲାଇଲି । ପାଖ ଖଦଡ଼ ଧୋତିପିନ୍ଧା ବାବୁ ଜଣକ ଅନ୍ୟ ଦୁଇ ବନ୍ଧୁମାନଙ୍କ ସଙ୍ଗେ ଗପ ଯୋଡ଼ି ଦେଇଥାନ୍ତି । ହାତରେ ଖଣ୍ଡେ ଖବର କାଗଜକୁ ଭାଙ୍ଗି ଭୁଙ୍ଗି ଧରିଥାନ୍ତି । ଅନ୍ୟ ଦୁଇଜଣ ଟେରୀକଟ୍‌ ପିନ୍ଧା ବାବୁମାନେ ଖଣ୍ଡିଏ ଖଣ୍ଡିଏ ସିଗାରେଟ୍‌ ପିଉଥାନ୍ତି । ସେପଟ ବେଞ୍ଚରେ ପାଞ୍ଚ ଜଣ କଲେଜ ବାବୁ ଖାତା ଖଣ୍ଡିଏ ଲେଖା ଧରି ଥଟ୍ଟା ତାମସାରେ ଲାଗିଯାଇଥାନ୍ତି । ସାମନା ଗଛ ଛାଇରେ ଛଅ ଜଣ ଝିଅ ମୋଟା ମୋଟା ବହି କେତେ ଖଣ୍ଡି ଓହଳାଇ ଶୁଭିଲା ପରି ପାଟିରେ ଆଳାପ କରୁଥାନ୍ତି ।

ବଡ଼ ପାଟିରେ ଖଦଡ଼ି ବାବୁ କହିଲେ, ଆଜି ସବୁଠୁ ବଡ଼ ତାଜା ଖବର କ’ଣ ଜାଣିଛ ନା-? ଦିନ ଦ୍ଵିପହରରେ ଦୁଇଜଣ ଯୁବକ ଜଣେ ଯୁବତୀଙ୍କୁ ଛୁରା ଦେଖାଇ ଶହେ ଟଙ୍କା ସହିତ ଦୁଇଭରି ଓଜନର ଗୋଟିଏ ସୁନା ଚେନ୍‌ ନେଇ ପଳାଇ ଯାଇଛନ୍ତି । ପୁଲିସ୍‌ ଏବେ ସୁଦ୍ଧା କାହାରିକୁ ଗିରଫ କରି ପାରିନାହିଁ । ଖଦଡ଼ିବାବୁ ଦୁଇଖଣ୍ଡ ବଡ଼ ବଡ଼ ଗୁଆ ପାନରୁ କାଢ଼ି ପାଟିରେ ପୂରାଇଲେ-। ବାଁ ପଟରେ ଛିଡ଼ା ହୋଇଥିବା ଟେରୀକଟ୍‌ ବାବୁ ଦୁଇଜଣଙ୍କ ମଧ୍ୟରୁ ଜଣେ କହିଲେ, ଛାଡ଼ ସେ କଥା, ଏ ପୁଲିସ୍‌ଗୁଡ଼ାକ ସବୁ ନିଆଁ ଗିଳା । ଏତେଲା ଦେବାର ଚାରିଘଣ୍ଟା ପରେ ଘଟଣାସ୍ଥଳକୁ ଆସି ଘେରାଏ ବୁଲି ଯାଉଛନ୍ତି । ଚୋର ଧରା ପଡ଼ିବ ନା ଚୋରଙ୍କ ଯୋତା ମିଳିବ । ଏ ଦୁର୍ନୀତିଗ୍ରସ୍ତ ଦେଶରେ ଚଳିବା ବଡ଼ କଷ୍ଟ । ଦିନରେ ପକେଟ୍‍ରୁ ଟଙ୍କା ହରଣଚାଳ । ପୁଲିସ୍‌କୁ ଜଣାଇବାରୁ ଚାରି ଘଣ୍ଟା ଥାନାରେ ଅଟକ । ସେଥିରେ ଜେରା ଯେ ଚୋରଠାରୁ ବଳେଇ । ଅନ୍ୟ ଟେରୀକଟ୍‌ ପିନ୍ଧା ବାବୁ ଜଣକ ସିଗାରେଟରେ ଦମ୍‌ ମାରି କହିଲେ, ଛାଡ଼ ଭାଇ ଏ ଦେଶର ଦରଦାମ୍‌ ଯାହା ହେଲାଣି ସେଥିରେ ଚଳିବା କଷ୍ଟ । ସବୁଗୁଡ଼ାକ କାମ ବେଳକୁ ଆଗ, କରିଲା ବେଳକୁ ବାଘ । ଦରଦାମ୍‌ ସବୁଥିରେ ହୁ ହୁ ହୋଇ ବଢ଼ିଲେ ସୁଦ୍ଧା ଦରମା ଗଣ୍ଡିକ ଠିକ୍‌ ସମୟରେ ମିଳୁନାହିଁ । ଖାଲି କଥା ଚାତର କରି କହିବା ସମସ୍ତଙ୍କର ଅଭ୍ୟାସ ହୋଇ ଗଲାଣି ।

ସମୟ ଦୁଇଟା ॥

ବାଣୀବିହାର ପାଣି ଟାଙ୍କି । ପାଣି ଟାଙ୍କି ଛାଇରେ ପିଲାଟିଏ ସିଗାରେଟ୍‌ ପାନ ବିକୁଥାଏ-। ଦୁଇ ଚାରୋଟି ପିଲା ପାଣି ଟାଙ୍କି ଉପରକୁ ଟେକା ଫିଙ୍ଗୁଥାନ୍ତି । ସମୟେ ସମୟେ ଟାଙ୍କି ଚାରିପଟେ ଦୌଡ଼ା ଦୌଡ଼ି କରୁଥାନ୍ତି । ବଡ଼ ପିଲାଟି ଦୁଇଥର ସମୟ ବୁଝି ତାର ସାଙ୍ଗମାନଙ୍କୁ ସତର୍କ କରି ଦେଲାଣି । ବସ୍‌ ବର୍ତ୍ତମାନ ଆସିଯିବ । ପହଞ୍ଚିବା ମାତ୍ରେ ମୁଁ ଆଗ ଭିତରକୁ ପଶିଯିବି । ତୁମମାନଙ୍କ ପାଇଁ ସିଟ୍‌ ରଖିଥିବି । ହେଇଟି ଶୁଣ, କଣ୍ଡକ୍ଟର ପଇସା ମାଗିଲେ କେହି ଦେବ ନାହିଁ । ସେ କଥା ମୁଁ ବୁଝିବି । ଏ ଅଜା ଗାଡ଼ିରେ ଯିବା ପାଇଁ ଆମେ ଏତେ ସମୟ ଅପେକ୍ଷା କଲୁଣି । ସେଥିରେ ସେ ବେଶୀ ହେଲେ ଦୁଇଥର ପଇସା ମାଗିବ । ତୁମେମାନେ କହିବ ଯେ ଦେବ । ମୋ ପାଖୁ ଆସିଲେ ମୁଁ ତାକୁ ଭୁତାଇ ଦେବି । ମୁଁ ତ ଏହିପରି ପ୍ରତିଦିନ ସ୍କୁଲରୁ ଆସୁଛି । ତୁମେ ମୋ ପରି ସ୍କୁଲ ପୋଷାକ ପିନ୍ଧିଥିଲେ ସେ କିଛି ମାଗି ନଥାନ୍ତା । ଯଦି ବେଶୀ ଜୋରଦାର କରେ ତେବେ ପନ୍ଦର ପଇସାରୁ ଅଧିକା ଦେବା ନାହିଁ । ସେ କ’ଣ ଆମକୁ ବସ୍‌ ଭିତରୁ ବାହାର କରି ଦେବ ନା ଜେଲ୍‌ ଦେବ । ଜାଣିଛନା ଛୋଟ ପିଲାମାନଙ୍କୁ ସବୁ ଦଣ୍ଡ ଛାଡ଼ ।

ଦୁଇଟା କୋଡ଼ିଏ ॥

ପୁଣି ଥରେ ସମୟ ସୂଚନାକୁ ଅନାଇଲି । ଦିଆଯାଇଥିବା ସମୟ ଅପେକ୍ଷା ତିରିଶ ମିନିଟ୍‌ ବଳି ପଡ଼ିଲାଣି । ଆହୁରି କେତେକ ପୁଅ ଝିଅ, ଭଦ୍ରଲୋକ ମନ୍ଦଲୋକ ପୂର୍ବ ସଂଖ୍ୟାରେ ଯୋଗ ହୋଇ ସାରିଲେଣି । ସେ ଚିତା-ଚୈତନ୍ୟ ନାଲି ଗାମୁଛା ପକା ଭାଇନା ଦୁଇଥର ସମୟ ବୁଝି ସାରି ବିଳମ୍ବ ଯୋଗୁ ବ୍ୟସ୍ତ ହେଉଥାନ୍ତି । ପଚାରିଲେ, ବାବୁ ଆପଣ କେତେ ସମୟ ହେବ ଛିଡ଼ା ହେଲେଣି । ସେତେବେଳଠୁ ବସ୍‌ ଆସିନାହିଁ । ନା ଆପଣ ଶୁଣିଛନ୍ତି ବସ୍‌ଟା ଚାଲିଯାଇଛି । କେଉଁ ଏ ସରକାରୀ ବସ୍‍କୁ ଲଗା ଅଛି ନା ପଘା ଅଛି । ବୁଲାଷଣ୍ଢପରି ଘେରାଏ ମାରି ଯାଉଛି । ଯୁନଥାଉ ପଛେ ଟାଣିବାକୁ ପାନ ବୋଝପରି ଖୁନ୍ଦି ଦେଉଛି । ମଣିଷଗୁଡ଼ାକ ମେଣ୍ଢା, ଛେଳିଠାରୁ ବଳି ପଡ଼ିଲେଣି । ସନ୍ଧା ଟିକିଏ ରଖୁନି ପିମ୍ପୁଡ଼ି ଗଳିବାକୁ । ପୁଅ ଝିଅ ସବୁ ସମାନ । କିଏ କାହାର ଉପରେ ତ, କିଏ କାହାର ଚୁଟି ଭିଡ଼ି ଦେଲାଣି । କହିଲେ ଶୁଣିବ କିଏ । ଶସ୍ତାରୁ ହିନସ୍ତା ହେବ କଥା-। ରିକ୍‌ସା କଲେ ତିନିଟଙ୍କାରୁ ପଇସାଟିଏ ଊଣା ହେବନି । ଦଇବାତ୍‌ ଦଶପଇସା କମ୍‌ ହୋଇଗଲେ ମୁହଁ ଗାରୁ ଗାରୁ କରି କ’ଣ କହିବେ ବେଦପତି ଠଉରେଇ ପାରିବେ ନାହିଁ । ପୁରୀ, କଟକିଆ ଅପେକ୍ଷା ଭୁବନେଶ୍ଵରିଆ ରିକ୍‌ସାବାଲାଗୁଡ଼ାକ ବଡ଼ ଠକ, ପାଜି ଆଉ ବଦମାସି ବୋଲି କହିଲେ ନ ସରେ । ଦାଢ଼େ ଛାଡ଼ିବେନି । ଯୁକ୍ତି ଯେ ଓକିଲ, ବାରିଷ୍ଟର ଯୁକ୍ତି । ହିଆପେ କେଉଁ ପଇସା ରଖୁଛନ୍ତି-। ଯେଉଁ ନିଅଣ୍ଟକୁ ସେଇ ଅଭାବ । ଦିନ ସାରା ଯାହା ଯେଉଁଠି କମାଇଲେ ରାତି ହେଲେ ସବୁ ସେଇ ମଦ ଭାଟିରେ ଯାଉଛି । ଏ ଟାଉନ୍‌ ବସ୍‌ ପରି ସବୁବେଳେ ଗାଣ୍ଡି ମୁଣ୍ଡ ମେଲା-। ଟ୍ରକ୍‌ଟି ଆଗ ରାସ୍ତା ଦେଇ ପାରି ହୋଇଗଲା । ମୁହଁ ଉଠାଇ ବାଙ୍କ ରାସ୍ତା ପର୍ଯ୍ୟନ୍ତ ଚାହିଁଲି-

ଦୁଇଟା ତିରିଶ ॥

କ୍ଷମା କରିବେ । ଟିକିଏ ସେପଟକୁ ଘୁଞ୍ଚିଯିବେ କି ?

ଚାହିଁଲି ମଳୟ ସୁଗନ୍ଧଯୁକ୍ତ ବାବୁ ଜଣକୁ । ବେଶ୍‌ ଡଉଲ ଡାଉଲ, ମୋଟା ସୋଟା ଦେଖିବାକୁ । ଉଚ୍ଚତା ପାଞ୍ଚ ଫୁଟ ଛଅ ଇଞ୍ଚରୁ ନିଶ୍ଚୟ ବେଶୀ ହେବ । ଗୋରାଦେହକୁ ପ୍ରଜାପତିଆ ନିଶ । ମୁଣ୍ଡରେ କୁଞ୍ଚ କୁଞ୍ଚିଆ ବାଳ ବେକ ଦେଇ ଲମ୍ବି ଆସିଛି । ବାଁ ହାତରେ କଳା ଫାଇଲି ତଥା ଇଂରେଜୀ ପତ୍ରିକା ଦୁଇଖଣ୍ଡି । ସଙ୍ଗରେ ଥିବା ମହିଳା ଜଣକ ମୋତେ ଚାହିଁ ମୁହଁ ବୁଲାଇ ଦେଲେ । ପତଳା ଦେହର କାନ୍ତି ଗୋରା ନ ହେଲେ ସୁଦ୍ଧା ନିଖୁଣ ଅଜନ୍ତା ପ୍ରତିମାଠାରୁ କେଉଁ ଗୁଣରେ କମ୍‌ଥିବା ପରି ମନେ ହେଲା ନାହିଁ । ଦେହରେ ଦାମିକା ଶାଢ଼ି । କାନ୍ଧରେ ନାଲି ଭେନିଟ୍‌ ବ୍ୟାଗ୍‌ । ପାଦରେ ଉଚ୍ଚା ହାଇହିଲି । ଓଷ୍ଠରେ ନାଲି ଲିପିଷ୍ଟିକ୍‌ । ବେକରେ ଧଳା ମୋଟା ମାଳି । ଗୋଟିଏ ହାତରେ ପଟିଏ କାଚ । ଆର ହସ୍ତରେ ସଦୃଶ ଘଣ୍ଟାଟିଏ । କଥା କହିବା ବେଳେ ଦାନ୍ତଗୁଡ଼ିକ ବେଶ୍‌ କଲଗେଟ୍‌ ପାଉଡ଼ର ପରି ଧଳା । ମହିଳାଙ୍କ ଚାହାଁଣୀ ତଥା ଦାମିକା କଥାରେ ଖରାଧାସ ପଟକୁ ଯିବାକୁ ବାଧ୍ୟ ହେଲି । ଛାଇରେ ଚିତାକଟା ଭାଇନା ଶୋଇ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରି ଦେଲେଣି-। ଗାଡ଼ି ଆସିଲେ ଉଠାଇ ଦେବାକୁ କହିଛନ୍ତି । ତାଙ୍କୁ ଏପାଖେ ଛାଡ଼ି ସେପାଖୁ ଯିବାକୁ ଅସଙ୍ଗତ ମନେ କଲି । କାଳେ ବସ୍‌ ଆସିବା ସଙ୍କେତ ତାଙ୍କୁ ଦେଇ ନପାରେ ।

 

ଦୁଇଟା ପଇଁଚାଳିଶ ॥

 

ଟାଉନ୍‌ ବସ୍‌ ଆଜି ବିଳମ୍ବ ଅଛି ନା ?

 

ହେଉ କ୍ଷତି କ’ଣ । ସିନେମା ସମୟ ଆହୁରି ଅଧଘଣ୍ଟାଏ ଅଛି । ଆରମ୍ଭ ହେଉ ହେଉ ଦଶ ମିନିଟ୍‌ ନିଶ୍ଚୟ ଯିବ । ଟିକେଟ ମିଳିଯିବ ଯେ । ବ୍ୟସ୍ତ ହେବାର କ’ଣ ଅଛି । ନ ହେଲେ ନାଇଟ୍‌ ସୋ ଯିବା । ଯୁବକ ଜଣକ ପୋଡ଼ା ସିଗାରେଟରେ ଦମେ ଟାଣି ଫୋପାଡ଼ି ଦେଲେ ।

 

ଆରେ ଜାଣନା, ତୁମପରି ମୁଁ କ’ଣ ଛାତ୍ରାବାସରେ ରହୁଛି ଯେ, ଯେତେବେଳେ ଆସିଲେ ଗଲେ କିଛି ଯାଏ ଆସେ ନାହିଁ । ବାବା ସାଢ଼େ ନଅଟା ସୁଦ୍ଧା ଫେରିବେ ଯେ । ମା’ ମନ୍ଦିରରୁ ଫେରି ମୋତେ ନିଶ୍ଚୟ ଖୋଜିବେ । ମୋର ଅଧିକାଂଶ ରାତ୍ରି ଏପରି ବିଳମ୍ବ ହୋଇଯାଉଛି । ରକ୍ଷା ପାଇ ଯାଉଛି ବାବା ଅଫିସ୍‌ରୁ ନଅଟା ପୂର୍ବରୁ ଫେରୁ ନାହାନ୍ତି । ତା’ପରେ ମୋର ଆଇ.ଏ.ଏସ୍‌ ପରୀକ୍ଷା ଆଗ ମାସରେ ଅଛି । ଏହିଟି ମୋର ତୃତୀୟ ଥର ନା, ସେଥିପାଇଁ ବାବା କିଛି କହୁ ନାହାନ୍ତି । ପଚାରିଲେ କହି ଦେଉଛି ପୁସ୍ତକାଳୟରେ ବସି ପଢ଼ୁଛି । କେଉଁଦିନ ଟାଉନ୍‌ ବସ୍‌ ବିଳମ୍ବ ଥିବାର କହି ଭୁଲାଇ ଦେଉଛି । ଆଉ ତୁମେ ଜାଣନା ସେଦିନ ସିନେମାରୁ ଫେରୁ ଫେରୁ ଆମେ ଧରାପଡ଼ି ଯାଇଥାନ୍ତେ । ରୀତା ଘର ପାଖରେ ଥିବାରୁ ତ୍ରାହି ମିଳିଗଲା । ନହେଲେ ତ କଥା ସରିଥାନ୍ତା । ବାବା ତ ନିଶ୍ଚୟ ଜାଣନ୍ତି ଟାଉନ୍‌ ବସ୍‌ କେବେ ଠିକ୍‌ ସମୟରେ ଆସେ ନାହିଁ । ରୁମାଲରେ ମୁହଁ ପୋଛି ମହିଳା ଜଣକ ଦମ୍‌ ନେଲେ ।

 

ସମୟ ତିନିଟା !!!

 

ଦୂରରୁ ଆସୁଥିବା ବସ୍‌କୁ ଦେଖି ଆମେ ଛିଡ଼ା ହୋଇଗଲୁ । ଚିତାକଟା ଭାଇନା ଝାଡ଼ିଝୁଡ଼ି ହୋଇ ଗଣ୍ଠିଲି ଦରାଣ୍ଡିଲେ । ନାଲି ଗାମୁଛାକୁ ଠିକ୍‌ କଲେ । ପାଟିରୁ ବୋହି ପଡ଼ିଥିବା ପାନଖୀପକୁ ହାତରେ ପୋଛି ଗାମୁଛାରେ ମୁହଁ ସଫା କରି ନେଲେ । ପୁଅ-ଝିଅମାନେ ଆଗରେ ଯାଇ ଧାଡ଼ିବାନ୍ଧି ଠିଆ ହେଲେ । ଦୌଡ଼ୁଥିବା ପିଲାମାନେ ଖେଳଛାଡ଼ି ଏକାଠି ହେଲେ । ନିର୍ଦ୍ଦିଷ୍ଟ ସଂଖାରୁ ବଢ଼ି ବଢ଼ି ଅନେକ ହୋଇ ଯାଇଥିଲେ । ସମୁଦାୟ ବସ୍‌କୁ ମାଡ଼ି ବସିବାର ଦେଖା ଯାଉଥାନ୍ତି । ସିଟ୍‌ ମିଳିବା କଷ୍ଟ କହି ଚିତାକଟା ଭାଇନା ଖୁବ୍‌ ମନସ୍ତାପ କଲେ । ହେଉ ବାବା ହାତୀରେ ଉଠିଗଲେ ଗଲା । ଦେଖିବା ଭିତରେ । କେଉଁଠି ଠାଏ ଗୁଞ୍ଜି ଗାଞ୍ଜି ହୋଇ ସ୍ଥାନ ପାଇ ଗଲେ ଯାଏ । ବାଟ କେତେ ଯେ ଏଡ଼େ ଡରଥର । ବଡ଼ ପିଲାଟି ଚିତ୍କାର କରି ଉଠିଲା, ଆରେ ଏତ ଅଜା ବସ୍‌ ନୁହେଁ, କଟକ ବସ୍‌ । ଅନେକଗୁଡ଼ିଏ ଆଖି ମାଡ଼ି ଆସୁଥିବା ବସ୍‌କୁ ଖାଇଗଲା ପରି ଚାହିଁ ରହିଲେ । ଥକିଯିବା ଘୋଟକ ପରି କଟକ ବସ୍‌ଟି ନିଶ୍ଵାସ ମାରିଲା ।

 

ତିନିଟା ଦଶ !!!

 

ଓହ୍ଲାଇଲେ ଅଧିକ । ଚଢ଼ିଲେ କମ୍‌ । କଟକରୁ ଫେରୁଥିବା ପୃଥୁଳକାୟ ବେଦବ୍ୟାସ ସଦୃଶ ଅଧ୍ୟାପକ ମହାଶୟଙ୍କୁ ଦେଖି ମୁଣ୍ଡ ନୁଆଁଇଲି । ଆଶୀର୍ବାଦ କରି କୁଶଳ ପ୍ରଶ୍ନଗୁଡ଼ାକ ଦିଲ୍ଲୀଠାରୁ ଦୌଲାତବାଦ ପର୍ଯ୍ୟନ୍ତ ପଚାରି ଗଲେ । ପ୍ରକାଶିତ ପୁସ୍ତକ ବିଷୟରେ ଲମ୍ବା ବକ୍ତୃତାଟିଏ ଝାଡ଼ିଦେଲେ । ତାହାପରେ ଆଉ ଖଣ୍ଡିଏ ପୁସ୍ତକ ଯନ୍ତ୍ରସ୍ଥ ହେଉଛି ଭାବି ବଡ଼ ହସଟିଏ ହସିଥିଲେ । ସେ ସବୁ କଥାର ସାରାଂଶ ହେଲା, କିନ୍ତୁ ଯେତେ ଯାହା କୁହ ପ୍ରକାଶକ ପକେଟ୍‌ରୁ ପଇସା କାଢ଼ିବା ବଡ଼ କଷ୍ଟ । ନେଲାବେଳକୁ ଆମ୍ବ, ଡିମିରି ଦେଖାଇ କେତେ କ’ଣ କହିବେ । ହାତରେ ପଡ଼ିଗଲେ ଦୁଇବର୍ଷ ଧରାଛୁଆଁ ଦେବେ ନାହିଁ । କହିଲେ କେତେ କ’ଣ ବାଗ ବାହାର କରିବେ । ଆଉ ତୁମେ ଖଣ୍ଡିଏ ଛାପିଦିଅ, ଦୁଇ ଚାରି ମାସରେ ସବୁ ବହି ବାହାରି ଯିବ । ହେଲେ ବାବୁ ତୁମେ ବହି ବିକିଲା ବେଳକୁ ପୁନଶ୍ଚ ପ୍ରକାଶକଙ୍କ ଦ୍ଵାରସ୍ଥ ହୋଇବାକୁ ହିଁ ହେବ । ଗଙ୍ଗାଠାରୁ ଗୋଦାବରୀ, ହିମାଚଳଠାରୁ ସୀମାଚଳ ଯାଏ ସବୁ ଚଳୁ କରି ଦେବେ । ଶେଷରେ ଦୋଷ ଦେବେ ତୁମ ବହି କଟୁନାହିଁ । ବହି ମାଗିଲେ କହିବେ ସେଥିରୁ କେତୋଟି ମୂଷାଖାଇ ଯାଇଛନ୍ତି । ଆଉ କେତୋଟି ଦେଇଛୁ ଯେ ପଇସା ମିଳିନାହିଁ । ଆସନ୍ତୁ ଆର ମାସରେ ଦଶ ପଚିଶ ଦେଖି ଦେବା । କ’ଣ କରିବୁ ବାବା ଅଳପ ଧନ ବିକଳ ମନ । ଘରେ ପଛେ ଚାରିଗୋଡ଼ିଆ ମୂଷା ଖାଇଯିବା ଭଲ । ଆଉ ଏ ଦୁଇଗୋଡ଼ିଆ ମୂଷାଙ୍କୁ କେବେ ବିଶ୍ଵାସ କରିବ ନାହିଁ । ଥରେ ବିଶ୍ଵାସ କଲେ ଏ ଟାଉନ୍‌ ବସ୍‌କୁ ଜଗି ଛିଡ଼ା ହୋଇଥିବ । ଚାହିଁ ଚାହିଁ ଆଖିରୁ ପାଣି ମରିବ ସିନା ଠିକ୍‌ ସମୟରେ ବସ୍‌ ମିଳିବନି କି କହିଥିବା ପଇସାରୁ ଅଣେ ଅଂଶରେ ତୁମ ପକେଟ୍‌କୁ ଯିବ ନାହିଁ । ଗୁରୁ ବଚନ ମନରେ ଗୁଣି ରାସ୍ତାକୁ ଚାହିଁଲି । ସମସ୍ତେ ସଜବାଜ ହେବା ଦେଖି ଧୂଳି ଝାଡ଼ି ଠିଆ ହୋଇଗଲି ।

 

ତିନିଟା ପଚିଶ !!!

 

ରୁକୁଣା ରଥ ବଡ଼ଦାଣ୍ଡରେ ବିଜେ କଲେ । ଭଅଁର ମାରିବା ପରି ସମସ୍ତେ ଧାଇଁଲେ ରଥ ଛୁଇଁବା ପାଇଁ । ଅକାଳେ ସକାଳେ ଭକ୍ତଦଳ ପିମ୍ପୁଡ଼ି ଦଳ ବାନ୍ଧିଲା ପରି ଧାଡ଼ିବାନ୍ଧି ଛିଡ଼ା ହୋଇଗଲେ । ହେଲେ ଏପରି ଧାଡ଼ିରେ କେଉଁ ଧରାବନ୍ଧା ନିୟମ ଅଛି ଯେ ଆଗପଛ ହେଲେ କାଇଲି ମାକୁଲି ହେବାକୁ ପଡ଼ିବ । ପିତୃଦତ୍ତ ପ୍ରାଣଟି କୁଶଳରେ ଥିଲେ ବାପର ନାଁ । ସେଣିକି ପଚିଶ ପଇସାର ବାଟଗଲେ କିଏ କାହାକୁ ଚିହ୍ନିଛି ନା ମନେ ରଖିଥିବ କାଳକାଳକୁ । ଚିତାକଟା ଭାଇନା ଅଣ୍ଟାରୁ ପଇସା ପଡ଼ିଲା ପରି ଘଡ଼ିଏ ଏ ମୁଣ୍ଡରୁ ସେ ମୁଣ୍ଡ ଚାହିଁ ଦେଇଗଲେ । କିଛି ନପାଇ ନାଲି ଗାମୁଛାକୁ ପଛ ସିଟ୍‌କୁ ଫୋପାଡ଼ି ଦେଲେ । ପଛପଟ ଭଙ୍ଗା କାଚ ଝରକା ଦେଇ ମୁଣ୍ଡ ଗଳାଉ ଗଳାଉ ଗୋଡ଼ରୁ ଛିଣ୍ଡା ଚପଲ ପଟେ ଖସିଗଲା । ବଡ଼ ବିକଳରେ ତଳକୁ ଚାହିଁ ଡେଇଁ ପଡ଼ିଲେ ।

 

ତିନିଟା ପଇଁତିରିଶ !!!

 

ପାନଖିଆ କ୍ଲିନର ବଡ଼ ଜୋରରେ ପାଟି କରୁଥାଏ । ଚିତାକଟା ଭାଇନା ପରି ଲୋକ କେତେଟାକୁ ପୁଣି ଥରେ ପଦାକୁ ବାହାର କରି କହୁଥାଏ, ଲୋକ ଓହ୍ଲାଇ ଆସନ୍ତୁ ଯିବେ । ତୁମକୁ ନ ନେଇ ବସ୍‌ କ’ଣ ଛାଡ଼ି ଦେଉଛି । ସମସ୍ତେ ଏଠାରେ ଓହ୍ଲାଇବେ । ଟିକେଟ୍‌ ନେଇ ଭିତରକୁ ଯାଆନ୍ତୁ । ଲୋକ କେତୋଟି ଯେ ଏପରି ପେଲାପେଲି ହେଉଛନ୍ତି କାହିଁକି । ବୁଢ଼ୀଟି ଓହ୍ଲାଉ ଓହ୍ଲାଉ ଚିତାକଟା ଭାଇନ ପୁଣି ଥରେ ଅମାନିଆ ହୋଇ ପଶିଗଲେ । ବସ୍‌ ଦରଜାରେ ଲୁଗା ଫେର ଲାଗି ଫଡ଼େ ଚିରିଗଲା । ଠିକ୍‌ ସେତିକି ବେଳକୁ କ୍ଲିନର ହାତଧରି ପୁନଶ୍ଚ ତଳକୁ ଟାଣି ଆଣିଲା । ଭାଇନା ଲାଲ ପଡ଼ିଗଲେ ଚିରା ଅଞ୍ଚଳକୁ ବାରମ୍ବାର ଚାହିଁ । କି ଦୋ, ପଇସା ନ ଦେଇ କ’ଣ ମାଗଣାରେ ଯାଉଛୁ । ଏତେ ହାତଧରି ଟାଣୁଛ କାହିଁକି । ରଖିଦେ ତୋର ବାହାଦୁରି ପଣିଆ । ବାପର ଗାଡ଼ିପରି ଆକଟ କରୁଛି । ସାଢ଼େ ଗୋଟାକୁ ଆସି ଚାରିଟା ବାଜିଲାଣି । ସେଥିରେ ଟୋକାର ଛଇ ଯେ କାହିଁରେ କ’ଣ ।

 

ତିନିଟା ଚାଳିଶ !!!

 

ରଥ ଚାଲିଲା ପରି ବସ୍‌ଟି ଆଗେଇଲା । ବାଣୀବିହାର ଗେଟ୍‌ ପାଖରେ ପୁଣି ଦଳେ ପଢ଼ୁଆବାବୁ ହାତ ଟେକିଲେ । ଭକ୍ତର ଡାକ ଭଗବାନ ଶୁଣିଲା ପରି ଡ୍ରାଇଭର ଗାଡ଼ି ରୋକିଲେ । କ୍ଲିନର କୁଣ୍ଢା ବସ୍ତା ଛଇ ମାରିଲା ପରି ପେଲୁଥାଏ । ପଛରେ ବୁଲି ଦେଖୁଥାଏ କେଉଁଠି ଦୈବାତ୍‌ ସନ୍ଧା ରହିଗଲା କି । ଭଙ୍ଗା ଦରଜା ଦେଇ ପାଞ୍ଚ ଛଅ ଜଣ ଓହଳିଥାନ୍ତି । ଚାରି ପାଞ୍ଚ ଜଣ ତଳେ ଛିଡ଼ା ହୋଇଥାନ୍ତି । ଖଣ୍ଡେ ଦୂରରେ ଛଅ ସାତଜଣ ଦୌଡ଼ୁଥିବାର ଦେଖାଗଲା ।

 

ସମସ୍ତ ଭକ୍ତଙ୍କୁ ଧରି ପ୍ରାଣହୀନ ଯାନଟି ଗଡ଼ିଛି କି ନାହିଁ ପୁଣି ହୋ ହଲ୍ଲା ବାଡ଼ିଆ ପିଟା ଆରମ୍ଭ ହୋଇଗଲା । କ୍ଲିନର ଜୋରରେ ହୁଇସିଲ୍‌ ମାରିଲା । ଲଗାମ ଦିଆ ଘୋଡ଼ା ଗଡ଼ାଣୀରେ ରୋକିବା ପରି ବସ୍‌ଟି ଥମକିନା ରହିଗଲା । ଅଲକ୍ଷ୍ୟରେ କ୍ଲିନର ଛାଡ଼ିଯାଇଥିବା କେତେ ଇଞ୍ଚ ସ୍ଥାନ ଏପଟ ସେପଟ ଝିଙ୍କା ଝିଙ୍କିରେ ପୂରା ଇଟା ଖାପ ପରି ଲାଗିଗଲା । ମୁହଁରେ ନାକରେ ଘଷି ହେଉଥିବା ଦୋଳାୟିତ କୃଷ୍ଣ କବରୀରୁ କଳା କଳା କଣ୍ଟାଗୁଡ଼ିକ ସିଙ୍ଗି ମାଛ ମାରିବା ପରି ନାମ ଅନାମ ଅଙ୍ଗ ପ୍ରତ୍ୟଙ୍ଗରେ ବିନ୍ଧି ହୋଇଗଲେ । ମନେ ହେଉଥିଲା ବିଶ୍ଵାମିତ୍ର ଭଗବାନଙ୍କ ପାଇଁ ଏପରି ତପସ୍ୟା କରି ନ ଥିବେ । କିମ୍ବା ମେନକା ତପ ଭାଙ୍ଗିବା ପାଇଁ ଏତେ ଦୂର ଚେଷ୍ଟା କରିଥିବେ କି ନାହିଁ ସନ୍ଦେହ । ବହାରେ ବାଡ଼ିଆପିଟା, ଭିତରେ ହୁଁ ହାଁରେ ଚିତାକଟା ଭାଇନା ଯେ ରୁଦ୍ର ମୂର୍ତ୍ତି ଧାରଣ କରିଥିଲେ ତାହା ନୁହେଁ, ଅନେଶତ ଭାଗ ଏଥିରେ ଯୋଗ ଦେଇ ହୁଇସିଲ୍‌ଠାରୁ ବସ୍‌ ବାଡ଼ିଆରେ ଲାଗିଯାଇ ଥିଲେ । କେହି କେହି କ୍ଲିନର, ଡ୍ରାଇଭର ତଥା କଣ୍ଡକ୍ଟରର ସତେଇଶ ପୁରୁଷ ନର୍କକୁ ପଢ଼ାଇବାକୁ କୁଣ୍ଠାବୋଧ କଲେ ନାହିଁ । ପୂର୍ବପରି ଆହୁରି ପାଞ୍ଚ ଛଅ ଜଣ ଭିତରକୁ ପଶି ଆସିଲେ ।

 

ସମୟ ଚାରିଟା !!!!

 

ହାତୀ ଚାଲିଲା ପରି ବସ୍‌ଟି ରମାଦେବୀ ଛକ ଧରିଲା । ମନେ ହେଲା ଜନଗଣନା ବାବୁମାନେ ଭୁଲବଶତଃ ଜଗତବନ୍ଦ୍ୟା ମହିଳାମାନଙ୍କ ସଂଖ୍ୟା ଜାଣି ଶୁଣି ଟିକିଏ ଊଣା କରି ଦେଇଛନ୍ତି । କିମ୍ବା ଗୋଟିଏ ଚନ୍ଦ୍ରବଦନାର ନାମ, ଗୁଣ ତଥା କାମ ଟିପୁ ଟିପୁ ଆଉ ଦଶଟା ସଂଖ୍ୟା ବାଉଳା କରି ଛାଡ଼ି ଯାଇଛନ୍ତି । ସେଦିନ ଶ୍ରୀମତୀ ଗାନ୍ଧୀଙ୍କ ତିସ୍‌ ହଜାରୀ ଜେଲ୍‌ରୁ ଫେରିବା ବେଳେ ଏତେ ସଂଖ୍ୟକ ନାରୀ ଯୋଗ ଦେଇଥିବେ କି ନାହିଁ ସନ୍ଦେହ । କ୍ଲିନର ଦାନ୍ତ ଦେଖାଇ ମନା କରି ଦେଉଥିବା ବେଳେ କଣ୍ଡକ୍ଟର ଖୁନ୍ଦାଟିଏ ମାରି କହିଲା, କିରେ ଚାକିରି ପିତା ଲାଗିଲାଣି କି । ଜାଣିଛୁଟି ଏମାନେ ସବୁ କିଏ । ଖାଲି ଆମ ବାବୁର ବାବୁ ତାଙ୍କ ବଡ଼ବାବୁଙ୍କ କୁଳମଣ୍ଡନା ନୁହଁନ୍ତି; ଆମ ସମଗ୍ର ଅଫିସର ମହଲର ନିଆଁଖୁଣ୍ଟା । କେତେବେଳେ ଯେ କେଉଁଠାରେ ଫୁଟି କେଉଁଠି ବାହାରିବେ ଜାଣିବାକୁ ବ୍ରହ୍ମାଙ୍କ ପୁଅ ଢିଙ୍କୀ ଚଢ଼ା ନାରଦଙ୍କୁ ହଜାର ଯୁଗ ଲାଗି ଯାଇପାରେ । ଜାଣିଥା ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ଦେବୁ ନାହିଁ । ତୁତ ଯିବୁ, ତୋ ସାଥିରେ ଆମେ ମଧ୍ୟ ତିନି ପାଞ୍ଜିରୁ ବିଦାୟ ହେବୁ । ସେଠାରେ ଦିଗଣ୍ଡା କି ଦଶଟା ବାବୁ ଭାୟାଙ୍କୁ ମନା କରି ଦେଲେ କିଛି ଯାଏ ଆସେ ନାହିଁ । କିନ୍ତୁ ଏମାନଙ୍କ ପଣତ ଉଡ଼ିଲେ ଗାଡ଼ି ରଖି ବୁଝି ନେବୁ, ଆପଣ ଟାଉନ୍‌ ବସ୍‌କୁ ଅପେକ୍ଷା କରିଛନ୍ତି ନା ଅନ୍ୟ କୌଣସି ବସ୍‌ ସମୟ ଜାଣିବାକୁ ଚାହିଁଛନ୍ତି । ଆମେ ଆପଣଙ୍କ ସେବାରେ ସର୍ବଦା ସଜାଗ ଅଛୁ । କାଳ, ପାତ୍ର, ସ୍ଥାନ, ଅସ୍ଥାନ ଆପଣ ଯେଉଁଠାରେ ସ୍ମରଣ କରିବେ ଆମେ ସର୍ବଦା ଆପଣଙ୍କ ସେବାରେ ଯୋଗ ଦେବୁ । ଏସବୁ ଗୁଣି, ହରି, ଫେଡ଼ି କ୍ଲିନର ଜୋରରେ ହୁଇସିଲ୍‌ ଦେଲା । ହେଲେ ଡ୍ରାଇଭର ଏସବୁଥିରେ ପୋଖତ ଥିବା ପରି ମନେ ହେଉଥିଲା । ଧାଇଁକିନା ଗାଡ଼ିଟା ବ୍ରେକ୍‌ ଦେଲା । ପୁଣି ଥରେ ସେହି ହୁଁ, ହାଁ ଖସ୍‌ ଖାସ୍‌ ଶବ୍ଦରେ ଚାରିଚକିଆ ଯାନର ସମଗ୍ର ବପୁଟି କମ୍ପମାନ ହେଲା ।

 

ଚାରିଟା ଦଶ !!!!

 

ଏହିପରି ଏକ ଶୀତଳ ଯୁଦ୍ଧରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତଥା ଗଞ୍ଜଡ଼ ଶିବଙ୍କ ହାତୀଶୁଣ୍ଢଧାରୀ ମୂଷିକ ବାହନ ଚଢ଼ା ଗଣେଶ ମଧ୍ୟ ଦିନେ ନାରୀ ଜାତିର ଗୁଣଗାନରେ ଶତମୁଖର ହୋଇଥିବାର ବହୁଳ ଉଲ୍ଲେଖ ମିଳେ । ଆମପରି ଋଷିଶୃଙ୍ଗମାନଙ୍କୁ ବାଦ୍‌ ଦିଅନ୍ତୁ । ଯାହାଙ୍କର ଛାଇରେ ଟାଉନ୍‌ ବସ୍‌ ରହିଯାଏ । କ୍ଲିନର ଖୁନ୍ଦାଖାଏ । ଡ୍ରାଇଭର ହାତବନ୍ଦ ହୋଇଯାଏ । ସେଠାରେ କ୍ଲିନର ତଥା କଣ୍ଡକ୍ଟର ମିଶାମିଶି କରି ପାଟିକୁ ଲମ୍ବାଇ ଦେଲେ । ଭାଇମାନେ ଆପଣମାନେ ଭଉଣୀମାନଙ୍କୁ ଟିକିଏ ଭିତରକୁ ଛାଡ଼ନ୍ତୁ । ବାଟ ପାଞ୍ଚ ମିନିଟ୍‌ର ହେବନାହିଁ । କଥା ସରିଲାବେଳକୁ ବସ୍‌ ଯାଇ ହାଜର ହେବ । ହେ ପିଲାମାନେ ତୁମେମାନେ ଭିତରକୁ ଯାଅ । ହେ ମାଉସୀ ସେ ପିଲାକୁ କୋଳକୁ ନିଅ । ହେ ଭାଇନା, ଗଣ୍ଠିଳା ହାତରେ ଧର । ଆଜ୍ଞା ଟିକିଏ ସେ ଆଗପଟେ ବୁଲି ଆସନ୍ତୁ । କ’ଣ କରିବା ଏମାନେ ବହୁ ବେଳୁ ଅପେକ୍ଷା କରିଲେଣି । ଅମୃତ ନ ପାଇବାରୁ ଦେବାସୁର ଯେପରି ରାଗରେ ସମୁଦ୍ର ମନ୍ଥନ କରିଥିଲେ ସେହିପରି ଚାଲିଲା ଠେଲା ପେଲା । କିଏ କାହାର ଗୋଡ଼ ମାଡ଼ି ଦେଲାଣିତ, କିଏ କାହାର ଅଞ୍ଚଳ ଦଳିଲାଣି । ମନ୍ଥନରୁ ବାହାରିଥିବା ଅମୃତକୁ ଛାଡ଼ି ଅସୁରମାନେ ମୋହିନୀ କନ୍ୟା ପଛରେ ଧାଇଁବାପରି ବାବୁ କେତେ ଜଣ ବଡ଼ ଚପାଚପି ହସୁଥାନ୍ତି । ଝରକାରେ ଓହଳିଥିବା ଛିଣ୍ଡା କେରପାଲୁକି କେତେ ଜଣ ଭିଡ଼ିଆଣି ଝାଳ ପୋଛିଲେ । ଆଉ କେତେ ଜଣ ସିଟରେ ପଡ଼ିଥିବା ନୀଳ କନାରେ ବିଞ୍ଚି ହେଉଥାନ୍ତି । ଦଳେ ସିଟ୍‌ର ସ୍ପଞ୍ଜକୁ ଟାଣି ଆଣି ପେଣ୍ଡୁପରି ଖେଳ ଆରମ୍ଭ କରି ଦେଇଥାନ୍ତି । ଚିତା କଟା ଭାଇନା ପୁନଶ୍ଚ ପୂର୍ବାବସ୍ଥାକୁ ଆସି ଢୁଳେଇଲାଣି । ଗାଡ଼ି ଦୁଇ ଚାରି ଥର ଘର ଘର ହୋଇ ଅଟକି ଗଲା । କ୍ଲିନର ବଡ଼ ପାଟିରେ ଡାକିଲା, ତଳକୁ ଓହ୍ଲାଇ ଆସ ଗାଡ଼ି ଠେଲିବାକୁ ପଡ଼ିବ ।

Image

 

ମଲାମାଟି

 

‘କଥାଟିଏ କହୁଁ, କି କଥା ? ବେଙ୍ଗୁଲୀ କଥା ।’

 

ରାଗ ଲାଗିଲା । ବାରିପଟେ ଶୁଣିଲି ସତିଆର ଗୀତ ।

 

‘ଗଲାଣିତ ଗଲା କଥାରେ ସଙ୍ଗାତ.... ।’

 

କିରେ, ତୋର ଆଜି ଭାରି ଗୀତ ବାହାରୁଛି ?

 

ନାଇ ସା’ନ୍ତେ, ଏଇ ଦେଖୁ ନାହାନ୍ତି ସେ କୁଞ୍ଜିଆ ବୋଉ କଥା । ବୋହୂ ହାଣ୍ଡିଖାଇ କେତେ ହନ୍ତସନ୍ତ କରୁଛି । ଷାଠିଏ ବରଷର ବୁଢ଼ୀ । ବିଚେରା ମଲା ତୁଣ୍ଡରେ ଗାଳି ଦେଉଛି । ଅଭିଶାପ ପଡ଼ିବନି ତ ଆଉ କ’ଣ । କୁଞ୍ଜିଆ ସବୁ ଭୋଗିବ । ଆଜି ବାପ ହୋଇଛି । କାଲି ପୁଣି ପୁଅ ବୋହୂ ନେଇ ଘର କରିବ । ଏ ବଳ ବଅସ କ’ଣ ସବୁବେଳେ ଥିବ । ହୁଣ୍ଡା ବେଳେ ଗୁଣ୍ଡା ଠେଲୁଛି । ହେଲେ ସା’ନ୍ତେ ଧରମ ସହିବନି । ବୁଢ଼ୀଟା କି କଷ୍ଟରେ ଘର କରିଥିଲା । ଦିନ ରାତି ଖଟି ଥିଲା । ସକାଳଠୁ ସଞ୍ଜଯାଏ ଧାଁ ଧପଡ଼ କରୁଥିବ । ଇଆଠୁ କନା ହାତେ ତାଠୁ କୁଟା କେରାଏ–ସେଇ ମେଞ୍ଚଡ଼ ଟୋକା ପାଇଁ । ବାପ ଶଳା ମିଛୁଆ ଗୁଲିଆ, ପଟା ଅଳସୁଆ । ରାତି ଦିନ କିଣା ସାହୁ ଦୋକାନରେ । ମାଇପିଟା ବିଚେରା କେତେ ଦହଗଞ୍ଜ ନ ହୋଇଛି । ବାରି ଗୋବରେ ଗୋବେ ନ ଥିଲା । ହେଲେ କ’ଣ ହେବ ମିଛୁଆ ବାପଟା କରି ଯାଇଥିଲା । ମଲାବେଳକୁ ସରା ଗାତରେ ଅଣି ଦୋଅଣି କରି ବିଶା ଶହେ ରଖି ଯାଇଥିଲା । ଶଳା ମିଛୁଆ ଦିନ କେତେଟାରେ ସବୁ ଉଡ଼େଇ ଦେଲା । ଯେଉଁ ଚେନାଏ ଥିଲା କିଣା ମହାଜନକୁ ଘର ସହ ଟିପ କରିଦେଲା । ବିଚେରା କୁଞ୍ଜିଆ ମା’ ଥାଟ ରଖିଦେଲା । ବୁଢ଼ୀଟା କେତେ ଗୋଡ଼ ହାତ ନ ଧରିଛି । ସାତ ବରଷ କାମ କଲାରୁ ଟଙ୍କା ପଇଠି ହେଲା । ଆଜି ଦେଖ ଥୋବରା କୁଞ୍ଜିଆକୁ । ମାଇପ ବୋଲକରା-। ମା’ ବରଷକ ଖଟଣିରେ ହାତକୁ ଦି ହାତ ହୋଇଥିଲା ନା । ଶେଷରେ ବୁଢ଼ୀଟା...... ।

 

ଏ କୁଟୁଣୀ, ମେଞ୍ଚଡ଼ୀ ବୁଢ଼ୀ ସେମିତି । ବାର ବାର ଶହେବାର କହିଛି । ହଇଲୋ, ବୁଢ଼ୀ ହେଲୁ, ତୋର ଏତେ ଗରଜ କିଆଁ । ଗତ ସାଲେ ଯେତେ କହିଲି, ଆଲୋ ରଥ ଟିକିଏ ଦେଖିଆ, ମରିବାକୁ ବାଟ ଖୋଜିଲୁ । ଧରମ କରମ କର । ଆଜି ମଲେ କାଲି ଦୁଇଦିନ । କି ପୁଅ ବୋହୂ, କେହି ତୋ ମୁଣ୍ଡରେ ଢାଳି ଦେବେନି । ତୋ କରମ ଫଳ ତୁ ଭୋଗିବୁ । ଯେମିତି କରିଥିବୁ ସେମିତି ପାଇବୁ । କିଏ ଧନଜନ ସରଗ ନେଇଯିବ । ମାୟା ସଂସାରରେ ସବୁ ଖାଲି ମୋର ମୋର । ଆଖି ଦୁଇଟା ବୁଜିଲେ କେହି ନୁହେଁ କାହାର । ଜୀବଦଶା ଥିବାଯାକେ ମାଟି ଚାଖଣ୍ଡକ ପାଇଁ ଲୋଭ । କିଏ ଆଣିଥିଲା ନା ନେବ । ହେଲେ ଯେତେ କହିଲି କ’ଣ ଗଲା । ଖାଲି କୁଞ୍ଜିଆ କୁଞ୍ଜିଆ ହୋଇ ପ୍ରାଣଗଲା । ଏତେବେଳକୁ ଭୋଗିବନି ତ ଆଉ କିଏ ଭୋଗିବ ।

 

କିରେ ସେ କାଗଜଟା କ’ଣ ?

 

ସା’ନ୍ତେ ଗାନ୍ଧୀବୁଢ଼ା ।

 

ଦେଖିଛୁ ?

 

ନାଇ ସା’ନ୍ତେ ଯାଇଥିଲି । ଆପଣଙ୍କ ଜନମ ବରଷ କଥା । ମା’ ସାଆନ୍ତାଣୀ ଘରେ ଥାନ୍ତି । ବଡ଼ ସା’ନ୍ତେ ଗାଡ଼ିକରି ଯାଇଥିଲେ । ହେଲେ ସା’ନ୍ତେ ମୋ ଛଡ଼ା କାହାରିକୁ ନେବେନି । ଧରମ ମାରୁଛି ସା’ନ୍ତେ । ଆଜି ସିନା ଅକର୍ମା ହୋଇଗଲି ନହେଲେ ଶଳା ପାଣୁଆ ପରି ଗଣ୍ଡାକୁ ମୁଁ ସମ୍ଭାଳୁଥିଲି । ଆଜିର ବାବନା ଭୂତ ଗୋଟା ଦଳକୁ ଦେଖନ୍ତୁ । ଫାଟୁରୁ ଫାଟୁରୁ ଲୁଙ୍ଗିଟା ମାରି କେତେ ହେପଞ୍ଚ ହେଉଛନ୍ତି । ଗାଲ ଚିପିଦେଲେ ଦୁଧ ବାହାରିଯିବ । ସେଥିରେ ବାଗ ଅନେଶୋତ-। ନା ଆମେ ସା’ନ୍ତଙ୍କ ସଙ୍ଗେ ସମାନ । ବଡ଼ ସା’ନ୍ତଙ୍କ ସଙ୍ଗେ କଳି । ହେଇ ଗତ ସନ ଦୋଳକୁ ଦେଖୁ ନାହାନ୍ତି କେତେ କଥା ଟାଉଁ ଟାଉଁ କରି କହିଦେଲେ । ବାପ ଶଳା ମୋ ହାତରେ କେତେ ଡିହା ନ ଖାଇଛି । ଆଜି ପୁଅ ଲାଟସାହେବ । ସାନ ସା’ନ୍ତଙ୍କ ଯୋଗେ । ନହେଲେ ପୁଅକୁ ଧୂଳି ନ ଖୋଇ ଛାଡ଼ୁଥିଲି । କେଉଁ ପଣରେ । ବୋପା ଗଣ୍ଡି ପେଲି ପେଲି ଦିନ ଅଣ୍ଟୁ ନ ଥିଲା । ପୁଅ ମାରୁଛି ହେଣ୍ଡି । କେଉଁ ଗୁଣରେ, ବାଳ ପୋଡ଼ିଗଲେ ପାଉଁସ, ପୁଅ ମନେ ମନେ ଖାଉଁଛି ମାଉଁସ ।

 

ମୁଁ କ’ଣ ଏକା ସା’ନ୍ତେ । ପୁରିଆ ଗଉଡ଼, ନାଥ ବାରିକ ବି ଯାଇଥିଲା । ପୁରୁଷୋତ୍ତମ କାହା ଭାଗ୍ୟରେ ଯୁଟେ । କ’ଣ କହିବି ସା’ନ୍ତେ କଇଁ ଫୁଲିଆ ଯେଉଁ ବଳଦ ହଳକ ଥିଲେ ନା, ଏ ଖଣ୍ଡ ମଣ୍ଡଳରେ ମୁଁ ଦେଖିନି । ପାଞ୍ଚଣ ବାଜିବନି । ହାତ ଉଠେଇଲେ କୋଶେ ବାଟ ପିଇ ଯାଉଥିଲେ । ପାଟ କନାରେ ପୋଛିଲା ପରି ରୁମଗୁଡ଼ାକ ଚିକ୍‌କଣ । ଏତେ ଗାଈ ବଳଦ ଥାନ୍ତି, ହେଲେ ବଡ଼ି ସା’ନ୍ତଙ୍କ ସେହି ହଳକ ଉପରେ ଭାରି ଶରଧା । କିଣିଲାବେଳେ ମୋତେ ସାଙ୍ଗରେ ନେଇଥାନ୍ତି । କି ଟଙ୍କା ! ବିଡ଼ା ବିଡ଼ା ନୋଟ୍‌ । ଆଖି ଖୋସି ହୋଇଯିବ । ହେଲେ ମନରେ ଟିକିଏ ଦୁଃଖ ନାହିଁ । ସେଦିନ ମୋତେ କହିଥିଲେ, ଜାଣିଲୁ ସତିଆ, ଗୋ, ରତ୍ନ ଭାଗ୍ୟରେ ଥିଲେ ମିଳେ । ବାଲିଘାଇ ପରି ଆଣ୍ଠୁ ଆଣି ବାଲିରେ କେତେ ଶଗଡ଼ କାଟି ଦେଇ ଆସିଲେ ତାର କିଛି ଠିକ୍‌ ଠିକଣା ନାହିଁ । ସା’ନ୍ତେ କାନେ କାନେ କୁହନ୍ତି, ଗୋରୁଙ୍କ ରୁମରେ ତେତିଶି କୋଟି ଦେବତା ବିଜେ କରିଥାନ୍ତି । ବଳ ଅକଳନା । ସେଥିପାଇଁ ଶିବଙ୍କର ଷଣ୍ଢ ବାହନ । ଶ୍ରୀକୃଷ୍ଣ ବାଲ୍ୟକାଳେ ଗୋରୁ ଚରାଉଥିଲେ । ଯେ ଗୁରୁ ସେବା କରି ନ ଥିବ, ସେ ଗୋରୁ ସେବା କଲେ ସବୁ ପାପରୁ ମୁକ୍ତ ହୋଇଯାଏ । ନରକ ଦଶା ଆପେ ଆପେ କଟିଯାଏ । ଯମ ଦୂତ ତା ପାଖରେ ପଶି ପାରନ୍ତି ନାହିଁ ।

 

ବଡ଼ ସାଆନ୍ତାଣୀ ସାକ୍ଷାତ୍‌ ଲକ୍ଷ୍ମୀ ଠାକୁରାଣୀ । ଚଢ଼େଇ ପେଟ ଉଣ୍ଡିଳିଲା ବାଲା । ଉଡ଼ିଗଲା ପକ୍ଷୀର ଡେଣା ଗଣି ଦେବେ । ଏ ଆଖି କ’ଣ ନ ଦେଖିଛ । କେତେ ଗରିବ ଗୁରୁବା । କାହା ପତର ଏ ଘରେ ନ ପଡ଼ିଛି । ରାନ୍ଧିଲେ ବଡ଼ ଦେଉଳ ପ୍ରସାଦ । ସେ ହାତରେ କି ବାସନା ସୁଆଦ । ଯେ ଥରେ ଖାଇଛି, ମରିବ ପଛେ ଭୁଲିବନି । ଯାହାକୁ ଥରେ ଦେଇଥିବେ ସେ ସେଇତିରେ ବୋଧ । ହୁଁ କି ଚୁଁ ପାଟି ଫିଟାଇବନି । କାଉ କା କଲା ପହରୁ ଉଠିବେ ଯେ ଶୋଇବେ ରାତି ଅଧକୁ । ଯୋଗୀ ଭିକାରୀ ଖାଲି ହାତରେ ଫେରିବେ ଏମିତି ନୁହେଁ । ସେଦିନ ମଙ୍ଗୁଳିଆ ପୁଅଟା ଖଇରୀ ଉପରେ ପାହାରେ ପକାଇ ଦେଲା ! ସାଆନ୍ତାଣୀ କେଡ଼େ ପାଟିକଲେ । କାନିରେ ପୋଛିଦେଲେ । ହେଲେ ବଳଦ ଯୋଡ଼ିକ ଥିଲେ । ସାଆନ୍ତାଣୀ ଦାଣ୍ଡକୁ ବାହାରିଲେ ଏକ ଦୃଷ୍ଟିରେ ଚାହିଁଥିବେ ।

 

ଦେଖିବେ କ’ଣ ସା’ନ୍ତେ, ଥାଟ ଭାଙ୍ଗିଲା ପରି ମୁଣ୍ଡବଣ । ଥାଳୀ ମାରିଦେଲେ ଥାଳୀ ଚାଲିଯିବ । ବଡ଼ଦାଣ୍ଡଟା ପୂର୍ଣ୍ଣ । ଗୁଣ୍ଡିଚା ଘରଠୁ ଯେ ବଡ଼ଦେଉଳ ପର୍ଯ୍ୟନ୍ତ । ରଥଯାତ୍ରା ପରି ଧାଡ଼ି ଲାଗିଥାନ୍ତି । ଯେଉଁଆଡ଼େ ଚାହିଁବ ସିଆଡ଼େ ପଲପଲ । ସେ ଦାଣ୍ଡର ମହିମା କ’ଣ ସା’ନ୍ତେ ମୁରୁଖ ତୁଣ୍ଡରେ ପଶିବ । ଯେଉଁଠି କୋଟି କୋଟି ଦେବତା ବିରାଜ ସ୍ଥଳୀ । ହନୁମାନ ଲଙ୍କାରାଜା ବିଭୀଷଣ ନିତି ଦର୍ଶନ କରିବାକୁ ଆସନ୍ତି, ସେଠାରେ ଆମେ ମଣିଷ କେତେ ମାତର । କ’ଣ ନାହିଁ ସେ ପୁରରେ । ଲକ୍ଷ୍ମୀ ଭଣ୍ଡାରଠାରୁ କୁବେର ଧନ ସମ୍ପତ୍ତି । ହୀରା, ନୀଳାରେ ଫାଟି ପଡ଼ୁଛି ।

 

ନାଥିଆ ତ ବୋକା ପାଲଟି ଗଲା । ପୁରିଆର ଦର୍ଶନ ନାହିଁ । କାହିଁ କେତେବେଳକୁ ବୁଲିବୁଲି ଅଇଲା । ପଚାରିଲାରୁ କହିଲା, ଠାବ କରି ପାରିଲି ନାହିଁ । ଖଇରାକୁ ଦେଖ, ମୋଟର ବାଜା ଶୁଣି ଅଥୟ କଲା । ହେଲେ ଚାନ୍ଦୁଆ ହୀରା ଖଣ୍ଡେ । ମଣିଷ ପିଲାର ବୁଦ୍ଧି । ସୁନାପିଲା ପରି ଶୋଇଥାଏ । ଖାଇବାକୁ ଛାଡ଼ି ମୁଁ କେଉଁଆଡ଼େ ଯାଇ ପାରିଲି ନାହିଁ । ସା’ନ୍ତେତ ସଭାରେ । ମା’ ସାଆନ୍ତାଣୀ କେତେ ରକମ ଦେଇଥିଲେ । ଖୋଜିବନି, ସରୁ ଚାଉଳଠୁ ଘିଅ, ଜାଇ, ଲୁଣ, ମରିଚ କାହିଁରେ ଊଣା ନାହିଁ । ହେଲେ ବଡ଼ ସା’ନ୍ତଙ୍କ ଖଟଣୀ ବାବାଜୀ ମହାପ୍ରଭୁଙ୍କ ମଠରେ । ନାଥିଆ, ପୁରିଆତ କଷି ଦେଇଗଲେ । ବେଙ୍ଗ ପେଟରେ ଘିଅ । ହେଲା ଝାଡ଼ାତ ଶୋଇ ବସେଇ ଦେଲାନାହିଁ । ଯେତେକରି କହିଲି; ଆରେ ସହର ଜାଗା ଦେଖି ଶୁଣି ଖାଅ । ବଳିଲେ ପଛେ ଘରକୁ ନେଇଯିବ । ଶୁଣୁଛନ୍ତି କେଉଁଠୁ । ଶଳାଙ୍କର ପାଟିତ ଗନ୍ଧିଆ ପଡ଼ି ଯାଇଥିଲା । ବାନ୍ଧିବା ବେଳଠୁ ଲାଳ ବୋହୁଥିଲା । ଶଗଡ଼ ଫିଟାଇବା ବେଳଠୁ ପୁରାରେ ମନ ।

 

ଗାନ୍ଧୀ ମହାପୃ କ’ଣ କହିଲେ, ଶୁଣି ହେଲାନାହିଁ ସା’ନ୍ତେ । ଖାଲି ଜୟ ଜୟକାର । ସେଇ କଥା ମୁଁ ସା’ନ୍ତଙ୍କୁ ପଚାରିଲି । ସା’ନ୍ତେ କହିଲେ ଦେଶ ସ୍ଵାଧୀନ ହେଲା । ତୁମମାନଙ୍କୁ କାମ ମିଳିବ, ଜମି ମିଳିବ । ଦାନା କନାର ଅଭାବ ରହିବ ନାହିଁ । ଛୁଆଁ ଅଛୁଆଁ ଉଠିଯିବ । ହେଲେ ସା’ନ୍ତେ ତୁମେ ଆଉ ଆମେ । ସବୁ ଆଙ୍ଗୁଠି କ’ଣ ଏକା । ଏକି କଥା । କେଉଁ କାମ ମିଳୁ ନଥିଲା । ଏଇଠି ଦେଖୁ ନାହାନ୍ତି । ଖାଇବା ପିଇବାରେ କେଉଁଥିରେ କମ୍‌ ଅଛି । ଦିଅଁ କରନ୍ତୁ ସା’ନ୍ତଙ୍କ ଧନ ଜନରେ ପ୍ରଭୁ ବଡ଼ତି କରିଥାନ୍ତୁ । ବଡ଼ ସାଆନ୍ତାଣୀ ଅଇସୁଲକ୍ଷଣୀ ହେଉଥାନ୍ତୁ । ଆମର କ’ଣ ଊଣା ହୋଇଯିବ । ଉମର ଗଲାଣି । ବାପା ଗୋସାଁପା ଏଇ ଘରେ ଦାନାକନା ପାଇଥିଲେ । ଘରକୁ ଯାଉନଥିଲେ । ସା’ନ୍ତେ ଯେତେ କହିଲେ, ସଞ୍ଜେ ଯାଇ ସକାଳେ ଆସି ହାଜର । ପିଲାବେଳେ ବାପ କହୁଥିଲା ଆରେ ସତିଆ, କେବେ ଅବମାନନା କରିବୁନି । ସା’ନ୍ତେ ଦେବତା ସମାନ । ଏ ମାଟିରେ ଲକ୍ଷ୍ମୀ ଅଛନ୍ତି । କ’ଣ ନାହିଁରେ ସେଠି । ଯାହା ଖୋଜିବୁ, ଯାହା ଚାହିଁବୁ । ସା’ନ୍ତଙ୍କ ଦାନ ଖଇରାତରେ ଯେତେ ଯାଉଛି—ଏ ବ୍ରହ୍ମାଣ୍ଡରେ କିଏ ଅଛିରେ । ଏ ଭୂଇଁରେ ସୁନା ଫଳେ । ଧନ ଜନରେ ଫାଟି ପଡ଼ୁଥିଲା । ଦାଣ୍ଡଠୁ ବାରି କ’ଣ ନ ଥିଲା । ଗଣ୍ଡା ଗଣ୍ଡା ପୋଇଲି ମାଳ ମାଳ ଚାକର ବାକର; ଗୋସାଇଁ ବାବାଜୀ କୁଣିଆ ମଇତର । ଏ ମହୀ ମଣ୍ଡଳରେ ସା’ନ୍ତଙ୍କୁ କିଏ ନ ଜାଣେ । ଗୋସାଇଁ ସା’ନ୍ତ ନାଁ ଶୁଣିଲେ ବାଘ ପିଲା ଡରୁଥିଲା । ବଡ଼ ସାଆନ୍ତ ଦାଣ୍ଡ ବିଜେ କଲାବେଳେ କେତେ ହୁଳହୁଳି ହରିବୋଲରେ ଗାଁ କମ୍ପୁଥିଲା ।

 

ବଡ଼ ସା’ନ୍ତଙ୍କ ବାହା ବେଳ କଥା । ଏ ଆଖି କ’ଣ ନ ଦେଖିଛି । ଦଶଦିନ ଛାମୁଡ଼ିଆ । ପାଏ ବାଟ ସୂରୁଜ ଦେଖାଯାଉ ନ ଥିଲେ । ମାସକଠୁ ବାଣ ରୁଷଣି । କଟିକୀ କାରିଗର । ବାବାରେ ସେ ବାଣ ରୁଷଣ ମୁଁ କାହିଁ ଦେଖିନାହିଁ । ଚାରି ଶଗଡ଼ ବାଣ ପୂର୍ଣ୍ଣ । ରାତିଟା ଜହ୍ନ ଆଲୁଅ ପରି ଚାରିଆଡ଼େ ତୋଫା । ନାଟୁଆତ ଶହେ ପରେ ହେବେ । ରକମ ରକମ ବାଜା । ପାନିକଟା ପଚାଶ କାନ୍ଧୁଆ । କୁଣିଆ ମଇତରରେ ଘରଠୁ ଖମାର ପୂର୍ଣ୍ଣ । କ’ଣ କହିବି ସା’ନ୍ତେ ସେ ଯେଉଁ ମାଛ । ମାହଲ ପୋଖରୀରେ ଢିଙ୍କି ପରି ବଢ଼ିଥାନ୍ତି । ଗୋସାଇଁ ସା’ନ୍ତେ ଗୋଟି ଗୋଟି ସବୁ ମାରି ଦେଲେ-। କେତେ ଯୁଗର ସେ ମାଛ । ତରକାରିରେ ସର ପଡ଼ିଗଲା । ଦୀନା କୁରାଢ଼ୀତ ବଙ୍କା ହୋଇଯାଇଥିଲା ।

 

ଆଉ ବୋହୂ ସାଆନ୍ତାଣୀ । କି ଦରବ ଆଣିଥିଲେ । ଗାଁ ମୁଣ୍ଡରୁ ଶଗଡ଼ ଲାଗିଥାଏ । ଗଉଡ଼ ଭାରୁଆ ବାରିକ ଆଠଦିନ ହେବ ଗୁହାଳ ଖନ୍ଦାରେ ପଡ଼ିଥାନ୍ତି । ଧନ୍ୟ ସେ ଭାର ଥୋର । ମିଠେଇ ଗୋଟାକ ପେଟେ । ମାସେ ପର୍ଯ୍ୟନ୍ତ ଖାଇ ଖାଇ ନୟାନ୍ତ । କେଉଁଠୁ କେଉଁଯାଏ ବଣ୍ଟା ନ ହୋଇଛି । ପିମ୍ପୁଡ଼ି ଧାର ପରି ଧାଡ଼ି ଲାଗିଥାନ୍ତି ମାସ ଗୋଟାଏ ଯାଏ । ଶେଷରେ ସା’ନ୍ତେ, ଭଗିଆ ହାତରେ ବଣ୍ଟାଇଦେଲେ । ବୋହୂ ସାଆନ୍ତାଣୀଙ୍କୁ ପାଞ୍ଚ ବରଷଯାଏ କିଏ ଦେଖିଛି । ଦିନ ହେଲେ କେଉଁଠି ପଶିବେ ଯେ କାଉ କୋଇଲି ମୁହଁ ମାରି ପାରିବେନି । ମାଛିକି ମ କହିବେନି । କେଡ଼େ ମାନ ଥାନ ଘର ଝିଅ । ଆଉ କାହା ବୋହୂ । କେଡ଼େ ଧୀର । ଶେଷ ପର୍ଯ୍ୟନ୍ତ ଓଢ଼ଣୀ । ସେ ହାତ କ’ଣ ନ ଦେଇଛି ।

 

ଦୂରରେ ସତିଆ ଜୁଇଟା ଦିକିଦିକି ହୋଇ ଜଳୁଥାଏ । ସେ ଦିନ ଜମିଦାର ତୋଟା ଆଜି ମଶାଣୀ । ମାହାଲ ଗାଡ଼ିଆ ଆଜି ସର୍ବସାଧାରଣଙ୍କ ଗାଧୋଇବା ତୁଠ । କଟିକୀ ଦଳରେ ପୂରିଯାଇଛି ଚାରିଆଡ଼େ । ଜମିଦାର ଉଆସ ଅନାବନା ଗଛରେ ଭରି ଯାଇଛି । ଚେଁ, ଚାଁ ହୋଇ ଚଢ଼େଇ କେତୋଟି ଉଡ଼ିଗଲେ ସେ ପଟ ଉଆସ କୋଠାରୁ ।

 

ମନେ ପଡ଼ିଲା ଆଜି ସୁନିଆ । ରାଣିଫୁଲ ପରି ଜହ୍ନ । ଖଣ୍ଡେ ଅଧେ ଭସା ଧଳା ମେଘ-। ଦୂରରେ ଶିଂଘାଟା ବାଜି ଉଠିଲା ।

Image